Unknown

 

 

 

 

 

 

 

 

 

 

ଅନ୍ତରଙ୍ଗ ଭାରତ

(ଦ୍ଵିତୀୟ ପର୍ଯ୍ୟାୟ)

ମନୋଜ ଦାସ

 

ଭୂମିକା

 

‘ଅନ୍ତରଙ୍ଗ ଭାରତ: ଦ୍ଵିତୀୟ ପର୍ଯ୍ୟାୟ’ ୧୯୯୩ ଦ୍ଵିତୀୟାର୍ଦ୍ଧରୁ ୧୯୯୬ ସେପ୍ଟେମ୍ବର ଭିତରେ ‘ଝଙ୍କାର’ର ବିଭିନ୍ନ ସଂଖ୍ୟାରେ ପ୍ରକାଶପାଇଥିଲା ।

 

‘ଅନ୍ତରଙ୍ଗ ଭାରତ’ର ପ୍ରଥମ ପର୍ଯ୍ୟାୟର ସବିଶେଷ ଆଦର ସଙ୍ଗେ ସଙ୍ଗେ ଅନୁରୂପ ଅଧିକ ଅଧ୍ୟାୟମାନ ପାଇଁ ‘ଝଙ୍କାର’ର ମୁଖ୍ୟ ସମ୍ପାଦକ ଶ୍ରୀମାନ୍‌ ଭର୍ତ୍ତୃହରି ମହତାବଙ୍କ ଆଗ୍ରହ ଏ କୋଡ଼ିଏ ଗୋଟି ଛୋଟ ବଡ଼ ଅଧ୍ୟାୟ ରଚନା ଦିଗରେ ଉତ୍ସାହ ଯୋଗାଇଛି । ବହୁ ପଥଘାଟର କାହାଣୀ ଅବଶ୍ୟ ବାକିରହିଗଲା–ରହିଥାଉ ।

 

ଯେଉଁ ସଜ୍ଜନବର୍ଗଙ୍କ ଶ୍ରଦ୍ଧା ଓ ସାହଚର୍ଯ୍ୟ ବର୍ଣ୍ଣିତ ସ୍ମୃତିକଥାର ଅପରିହାର୍ଯ୍ୟ ଉପାଦାନ, ସେମାନଙ୍କୁ ଲେଖକ କୃତଜ୍ଞ ଭାବରେ ସ୍ମରଣ କରୁଛି ।

 

ମୋର ସହପାଠୀ ବନ୍ଧୁ ତଥା ପ୍ରକାଶକ ଶ୍ରୀ ଅଭିରାମ ମହାପାତ୍ର ଏବଂ ଶ୍ରୀମାନ୍‌ ମନୋଜ ମହାପାତ୍ରଙ୍କର ସସମ୍ଭ୍ରମ ତାଗ୍‌ଦା ବିନା ଏ ଅଧ୍ୟାୟତକ ସଙ୍କଳିତ କରିବାରେ ଲେଖକ ବହୁ ବିଳମ୍ବ କରିଥାନ୍ତା । ଉଭୟଙ୍କୁ ଆନ୍ତରିକ ଧନ୍ୟବାଦ । କିମଧିକମ୍ ।

 

ପଣ୍ଡିଚେରୀ, ମହାଳୟା ୧୯୯୬

ମନୋଜ ଦାସ

☆☆☆

 

ସୂଚୀପତ୍ର

 

୧.

ନିରୁଦ୍ଦିଷ୍ଟ ମୟୂରଙ୍କ ସନ୍ଧାନରେ

୨.

ସମୟର ଦିଗ୍‌ବଳୟ : ବାରାଣସୀ

୩.

ସମୟର ଦିଗ୍‌ବଳୟ : ବାରାଣସୀ (୨)

୪.

ସ୍ମୃତି ଓ ବିସ୍ମୃତିର ସାରନାଥ

୫.

ଦେବତାତ୍ମା ହିମାଳୟ

୬.

ଦେବ-ସାମ୍ରାଜ୍ୟର ତୋରଣ

୭.

ବିଗଳିତ କରୁଣା

୮.

ଆଶ୍ରମ ନାମ ବଦରିକା

୯.

ନମସ୍ତେ ତୁ ବ୍ୟାସବିଶାଳବୁଦ୍ଧ

୧୦.

ବଦ୍ରି-ବିଦାୟ

୧୧.

ଗିରିରାଜ-କନ୍ୟା-ସ୍ନାନାଗାର

୧୨.

ତୁଷାର-ତୀର୍ଥ କେଦାରନାଥ

୧୩.

ହିଡ଼ିମ୍ବା–ସୁତ–ସ୍ମୃତି

୧୪.

ପରଶୁ-ପ୍ରଦେଶ

୧୫.

ଦୁର୍ଗ-ପତନର ଦିନସବୁ

୧୬.

ଇତିହାସ-କିମ୍ବଦନ୍ତୀ ଗୋଧୂଳି ସଙ୍ଗମ

୧୭.

ରହସ୍ୟମୟୀ ‘ରାଣୀ’

୧୮.

ପୂର୍ବ-ସୀମାନ୍ତର ଏକ ପାର୍ବତ୍ୟ ବସ‌ତି

୧୯.

ନକ୍ଷତ୍ର ଓ ଲଣ୍ଠନଚିହ୍ନିତ ଏକ ସନ୍ଧ୍ୟାର ସନ୍ଧାନରେ

୨୦.

ବରୋଦାର ଦେବଅତିଥି: ଶତାବ୍ଦୀ ସ୍ମରଣ

☆☆☆

 

(ଏକ)

ନିରୁଦ୍ଦିଷ୍ଟ ମୟୂରଙ୍କ ସନ୍ଧାନରେ

 

‘‘ଅନ୍ତରଙ୍ଗ ଭାରତ’’ର ପ୍ରଥମ ପର୍ଯ୍ୟାୟରେ ଏକ ବିରଳ ଓ ବିଜନ ପଲ୍ଲୀ ଦର୍ଶନର ବିବରଣୀ ଦେଇଥିଲି । ବିରଳ–କାରଣ, ସେ ପଲ୍ଲୀର ସ୍ଥିତି ବିଗତ କୌଣସି ଶତାବ୍ଦୀର ଏକ ଦୁର୍ଗର ଧ୍ଵଂସାବଶେଷ ଭିତରେ । ତାକୁ ବେଢ଼ି ରହିଥିଲା ଦୁର୍ଗର କ୍ରମକ୍ଷୟମାଣ ପ୍ରାଚୀର । ସେ ପ୍ରାଚୀର ତଥା ସମ୍ଭବତଃ ଦୁର୍ଗରକ୍ଷୀ ସୈନ୍ୟମାନଙ୍କର ଆବାସ-ଗୃହଟି ବ୍ୟତୀତ ବ୍ୟାପକ ପରିସର ସମନ୍ଵିତ ସେ ହର୍ମ୍ୟମାଳାର ଆଉ କିଛି ଅବଶେଷ ନ ଥିଲା । ଏକଦା ଯେଉଁ ଦରବାର ଗୃହ ଥିଲା କଠୋର ଆଦେଶର ଧ୍ଵନିରେ ପ୍ରକମ୍ପିତ ଅଥବା ସଭା-କବିର ମଧୁର ସ୍ତୁତିଗାନରେ କଲ୍ଲୋଳିତ, ତା’ର ଖଣ୍ଡ ଖଣ୍ଡ ପଥରମାନ ସଜ୍ଜିତ କରି ତହିଁ ଉପରେ ଚକାପକାଇ ବସି ପାଗଳଟିଏ ଅସଂଲଗ୍ନ ବକ୍ତୃତା ଦେଇ ଚାଲିଥିଲା । ଯାହା ଥିଲା ଏକଦା ରାଣୀହଂସପୁର, ସେଠି ହୁଏତ ତା’ର ପୋଷା ବତକଦଳ ଚରାଉଥିଲା ଅଧାଲଙ୍ଗଳା ବାଳକଟିଏ ।

 

ଗ୍ରାମର ନାମ ହାଲାସାଙ୍ଗୀ–ହଳର ସାଥୀ । ଦୁର୍ଗ ଆଜି ଧ୍ଵସ୍ତ ଏବଂ ତା’ର ଅଧିପତି ବିସ୍ମୃତ । ହଳର ସାଥୀ କିନ୍ତୁ ତା’ର ଜୀବନଧାରା ରଖିଛି ଅବ୍ୟାହତ । ରବୀନ୍ଦ୍ରନାଥଙ୍କ ଭାଷାରେ:

 

ସିଏ କାମ କରେ

ଦେଶ ଦେଶାନ୍ତରେ,

ଅଙ୍ଗ ବଙ୍ଗ କଳିଙ୍ଗର

ସମୁଦ୍ର ଓ ନ‌ଦୀ ଘାଟେ ଘାଟେ,

ପଞ୍ଜାବ, ବୋମ୍ବାଇ–ଗୁଜୁରାଟେ

ଗୁରୁ ଗୁରୁ ଗରଜନ

ଗୁଣୁ ଗୁଣୁ ସ୍ୱର,

ଦିନ ନାହିଁ, ରାତି ନାହିଁ,

ଦିନ ଯାତ୍ରା କରେ ସେ ମୁଖର ।

ସୁଖ ଦୁଃଖ ଦିବସ ରଜନୀ

ମନ୍ଦ୍ରିତ କରାଇ ତା’ର ଜୀବନର

ମହାମନ୍ତ୍ର ଧ୍ଵନି

ଶତ ଶତ ସାମ୍ରାଜ୍ୟର

ଭଗ୍ନାଂଶ ଉପରେ,

ସିଏ କାମ କରେ !

 

ପ୍ରାଚ୍ୟରର ପ୍ରବେଶ-ପଥ ଆଗରେ, ଶୀତ ଓ କୁହୁଡ଼ି ଭିତରେ ସେଦିନ ଲଣ୍ଠନ ଧରି ଅପେକ୍ଷା କରିଥିଲେ ଗ୍ରାମର ବିଶିଷ୍ଟ ବ୍ୟକ୍ତିବୃନ୍ଦ–ଏ ଅତିଥିକୁ ସ୍ଵାଗତ କରିବା ନିମନ୍ତେ । ସେମାନେ ପରଲୋକଗତ ସ୍ୱନାମଧନ୍ୟ କନ୍ନଡ଼ କବି ମଧୁର ଚେନ୍ନାଙ୍କ ସୁହୃଦ୍ ଓ ପୁତ୍ରକନ୍ୟାବର୍ଗ । ସମଗ୍ର ଗ୍ରାମ ମଧୁର ଚେନ୍ନାଙ୍କୁ ଶ୍ରଦ୍ଧାକରୁଥିଲା । କନ୍ନଡ଼ ସାହିତ୍ୟରେ ଶ୍ରୀଅରବିନ୍ଦଙ୍କୁ ଚିହ୍ନାଇଥିଲେ ମୁଖ୍ୟତଃ ଏଇ କବି ଏବଂ ଏହାଙ୍କ ପରେ କବି ଦତ୍ତାତ୍ରେୟ ବେନ୍ଦ୍ରେ ।

 

ଅଠେଇଶ ବର୍ଷ ତଳେ ସେ ଗ୍ରାମରେ ଏ ଲେଖକ ବିତେଇଥିବା ତିନୋଟି ଦିନର ଅଭିଜ୍ଞତା ଓ ଅନୁଭୂତି ଅମଳିନ ରହିଛି । ଦ୍ଵିତୀୟଦିନ ପ୍ରଭାତରେ ଗ୍ରାମ ସୀମାନ୍ତବର୍ତ୍ତୀ କ୍ଷେତସବୁ ପାଖ ଦେଇ ପଦଚାରଣ କଲାବେଳେ ହୃଷ୍ଟପୁଷ୍ଟ ସବୁଜ ସତେଜ ଶୁଆମାନେ ଉଭୟ କଣ୍ଠସ୍ଵର ଓ ଅବତରଣର ବର୍ଣ୍ଣାଢ୍ୟ ଶୈଳୀ ଯୋଗେ ସେମାନଙ୍କ ବ୍ୟକ୍ତିତ୍ୱ ସାବ୍ୟସ୍ତ କରି କ୍ଷେତରୁ ଶସ୍ୟକଣା ସଂଗ୍ରହରେ ବ୍ୟାପୃତ ହେବାର ଲକ୍ଷ୍ୟ କରି ଜଣେ ପଥଚାରୀ ବୟସ୍କ ଗ୍ରାମବାସୀଙ୍କୁ ପ୍ରଶ୍ନ କଲି, ‘‘ଏମାନେ ତ ବହୁତ କ୍ଷତି କରୁଥିବେ ?’’

 

ପ୍ରଶ୍ନର ଲାଭ କ୍ଷତି ଦିଗଟି ତାଙ୍କୁ ଆଲୋଡ଼ିତ କଲାଭଳି ମନେହେଲାନାହିଁ । ସେ କହିଲେ, “ଏମାନେ ଚିରକାଳ ଏ କ୍ଷେତ ଉପରେ ନିର୍ଭର କରିଥା’ନ୍ତି–ଆମରି ଭଳି ।’’ ତାଙ୍କ ଉତ୍ତରରେ ଯେତିକି ସରଳତା ଥିଲା, ସେତିକି ଥିଲା ମହତ୍ତ୍ଵ ।

 

କିନ୍ତୁ ତାହାଠୁ ବହୁତ ଅଧିକ ପୁଲକପ୍ରଦ ବିସ୍ମୟ ମୋ’ପାଇଁ ଅପେକ୍ଷା କରିଥିଲା । ମୋ କୋଠରୀର ଗୋଟିଏ ଦ୍ଵାର ଏକ ତୋଟାଆଡ଼କୁ ଉନ୍ମୁକ୍ତ ଥିଲା । ଶେଷ ଅପରାହ୍‌ଣବେଳକୁ ବାତାବରଣ ଥିଲା ଧୂମାଭ । ତୋଟାଆଡ଼େ ଅନାଇ ଦେଖିଲି ମୟୂରଟିଏ ବିଚରଣ କରୁଛି । କୌତୂହଳୀ ହୋଇ ବାରନ୍ଦାକୁ ମୁଁ ବାହାରି ଆସିବା ମାତ୍ରେ ସେ ଯେମିତି ମୋତେ ଟିକିଏ ନିରେଖି ଦେଖିବା ମାନସରେ ଦର୍ପିତ ପଦକ୍ଷେପରେ ମୋ ଆଡ଼େ ଅଗ୍ରସର ହେଲା । ପରେ ପରେ ଦେଖିଲି, ସେ ଏକା ନୁହେଁ, ଗୋଟିଏ ପତ୍ରଘନ ଗଛ ଉପରୁ ତଥା ଉହାଡ଼ରୁ ପ୍ରତିଭାତ ହେଲେ ତିନି ଚାରିଗୋଟି ମୟୂର ।

 

ଗୋଧୂଳି ବେଳ । ଗାଁ ପିଲାଏଁ ଗୋରୁ ଗାଈ ଧରି ପ୍ରାନ୍ତର ଭିତରୁ ଫେରୁଥିଲେ । ସେମାନେ ମୟୂରମାନଙ୍କୁ ଛୁଇଁବାଭଳି ନିକଟକୁ ଆସିଲେ ବି ମୟୂରମାନଙ୍କ ବେପରୁଆ ଭାବରେ ତିଳେ ବି ବ୍ୟତିକ୍ରମ ହେଉନଥାଏ ।

 

ମଧୁର ଚେନ୍ନାଙ୍କ ଜ୍ୟେଷ୍ଠ ପୁତ୍ର ପୁରୁଷୋତ୍ତମ ମୋତେ ବାରନ୍ଦାରେ ଦେଖି ପାଖକୁ ଆସିଲେ ।

 

‘‘ଏମିତି ମୁଗ୍ଧ ହେଲାଭଳି ଦେଖୁଛନ୍ତି କ’ଣ ? ଆପଣଙ୍କୁ ଦେଖାଇବା ଭଳି କିଛି ଆମର ଏ ସାଧାରଣ, ସାମାନ୍ୟ ପଲ୍ଲୀରେ ଥା’ନ୍ତା ହେଲେ !” ତାଙ୍କ ମନ୍ତବ୍ୟରେ ବେଶ୍ ଆନ୍ତରିକତା ଥିଲା ।

 

“ଯାହା ଦେଖୁଛି, ତାହା କ’ଣ ଆପଣଙ୍କ ଜିଲ୍ଲା ମହକୁମା ବିଜାପୁରର ବିଖ୍ୟାତ ଗୁଲ୍ ଗମ୍ବୁଜଠୁଁ କମ୍ ଚିତ୍ତାକର୍ଷକ ବୋଲି ଆପଣ କହିବେ ?” –ମୋ ମନ୍ତବ୍ୟରେ ବି ଆନ୍ତରିକତା ଊଣା ନ ଥିଲା ।

 

ସେ ମୋ ଦୃଷ୍ଟି ଅନୁସରଣ କରି ତୋଟା ଭିତରକୁ ଅନାଇଲେ । ସେଠି ଏକାଧିକ ରାସ୍ତା ପରସ୍ପର ଭେଟାଭେଟି ହୋଇଛନ୍ତି । ଗୋଟିଏ ଦାମ୍ଭିକଦର୍ଶନା ମୟୂରୀ ଓ ଜଣେ ମହିଳା–ଦୁହେଁ ବାଟ ଚାଲୁଥିଲେ ଅନ୍ୟମନସ୍କ ହୋଇ–ପ୍ରାୟ ଜଣେ ଜଣକୁ ଝୁଣ୍ଟିପଡ଼ି ଯଥା ସମୟରେ ସାମାନ୍ୟ ବାଟ ଆଡ଼େଇଗଲେ; କିନ୍ତୁ ପୁରୁଷୋତ୍ତମଙ୍କ ଅଭ୍ୟସ୍ତ ଆଖି ପାଇଁ ତାହା ଭଗ୍ନ ଦୁର୍ଗର ଶିଳାସ୍ତୂପ ବା ଗୋଧୂଳିର କମନୀୟ ଆଲୋକଠୁଁ ଭିନ୍ନ ଧର୍ମୀ କିଛି ନ ଥିଲା । ସେ ମୋ ଆଡ଼କୁ ଆଖି ଫେରାଇ ଆଣିଲେ–ପ୍ରଶ୍ନବାଚୀ ଆଖି ।

 

–“ଏ ମୟୂରମାନେ କାହାର ?” ପ୍ରଶ୍ନ କଲି।

 

–‘‘ମାନେ ?”

 

–“ମାନେ ଏମାନଙ୍କୁ କିଏ ପୋଷା ମନାଇଛି ?”

 

ଏଥର ସେ ହସିଲେ। ‘‘ଏମାନେ ପୋଷା ନୁହନ୍ତି । ଆବହମାନ କାଳ ଆମ ପୂର୍ବପୁରୁଷମାନେ ଯେମିତି ଏ ଗାଁରେ ରହିଆସିଛନ୍ତି, ଏମାନଙ୍କ ପୂର୍ବପୁରୁଷ ବି ।”

 

ଅର୍ଥାତ୍ ଦୂରାଗତ ମୟୂରଟିଏ ହାଲାସାଙ୍ଗୀ-ନିବାସୀ କୌଣସି ମୟୂରକୁ ପ୍ରଶ୍ନ କରିପାରିଥାନ୍ତା, ‘‘ଏ ମଣିଷଗୁଡ଼ିଙ୍କୁ ପୋଷା ମନାଇ ରଖିଛି କେଉଁ ସମ୍ଭ୍ରାନ୍ତ ମୟୂର ?’’

 

ଯାହାହେଉ ସେଦିନ ପୁରୁଷୋତ୍ତମଙ୍କ ଉକ୍ତିକୁ ଅବଲୀଳାକ୍ରମେ ଗ୍ରହଣ କରିପାରି ନ ଥିଲି-। ବଣ୍ୟ ମୟୂରମାନେ ନିଃସଙ୍କୋଚରେ ନିର୍ଭୟରେ ମଣିଷଙ୍କ ଗହଣରେ ବିଚରଣ କରୁଥିବେ, ପରବର୍ତ୍ତୀ ଦୁଇ ଅପରାହ୍‍ଣ ବ୍ୟାପି ସେମାନଙ୍କ ଗତିବିଧି ଲକ୍ଷ୍ୟ କରିବା ପରେ ଯାଇ ତା’ର ବାସ୍ତବତା ଉପଲବ୍‌ଧ କରିଥିଲି । ଆହୁରି ମଧ୍ୟ ଉପଲବ୍‌ଧ କରିଥିଲି–ହାଲାସାଙ୍ଗୀର ବାସିନ୍ଦାମାନଙ୍କ ମନରେ ହିଂସାଭାବ ନାହିଁ । ସେମାନେ ଅତ୍ୟନ୍ତ ସତ୍ ଓ ମହତ୍ । ତେଣୁ ଗାଁର ବାତାବରଣରେ ଥିବା ଭାବତରଙ୍ଗରେ ମୟୂରବଂଶଟିମାନ କୌଣସି ଅସ୍ଵସ୍ତି ଅନୁଭବ କରୁନଥିଲେ ।

 

ସେଠାରୁ ଯାଇଥିଲି ବିଜାପୁର । ବିଜାପୁରରୁ ସୋଲାପୁର ପ୍ରତ୍ୟାବର୍ତ୍ତନ କରି ସେଠାରୁ ମାଡ୍ରାସ୍ ଅଭିମୁଖେ ରେଳଗାଡ଼ି ଧରିବା ନିମନ୍ତେ ଯେଉଁ ମାର୍ଗରେ ଗୋଟିଏ ସାଧାରଣ ବସ୍ ଧରି ଆସିବାକୁ ପଡ଼ିଥିଲା, ସେହି ମାର୍ଗର ଏକ ବିନ୍ଦୁରୁ ହାଲାସାଙ୍ଗୀ ଦୁଇ ମାଇଲ୍ ଦୂର । ମୁହୂର୍ତ୍ତକ ସକାଶେ ଏ ଅତିଥି ସହ ଆଉ ଥରେ ଦେଖାହେବ, ସେ ପାଇଁ ଅପନ୍ତରା ଭିତରେ ସେଠି ଦେଢ଼ଘଣ୍ଟା ଧରି ଅପେକ୍ଷା କରିଥିଲେ କବି ମଧୁର ଚେନ୍ନାଙ୍କ ପତ୍ନୀଙ୍କ ସମେତ ଗ୍ରାମର ମୁରବିମାନେ । ଶାସ୍ତ୍ରୀୟ ଅତିଥିପରାୟଣତାର ସେ ନମୁନା ଏଣିକି ହୁଏତ କାହାଣୀ ଭଳି ଶୁଭିବ ।

 

ଅଠେଇଶ ବର୍ଷ ପରେ ସେ ଗ୍ରାମକୁ ଦ୍ଵିତୀୟ ଥର ନିମନ୍ତେ ଯିବାର ସୁଯୋଗ ପାଇଲି ସମ୍ପ୍ରତି–୧୯୯୩ ଅକ୍ଟୋବର ପ୍ରଥମାର୍ଦ୍ଧରେ–ମଧୁର ଚେନ୍ନାଙ୍କ ପ୍ରତିଷ୍ଠିତ ଶ୍ରୀଅରବିନ୍ଦ ମଣ୍ଡଳର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ । ମାଡ୍ରାସ୍‌ରୁ ଗୁଲବର୍ଗା ବା ସୋଲାପୁର ଯିବା ପଥରେ ଏକାଧିକ ପର୍ବତ ଉପରେ ମଧ୍ୟଯୁଗୀୟ ଦୁର୍ଗ ବା ନବରର ଅବଶେଷ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସେସବୁ ପର୍ବତର ପାଦଦେଶରେ ମାଇଲ୍ ମାଇଲ୍ ଧରି ଅବ୍ୟାହତ ସୂର୍ଯ୍ୟମୁଖୀ ଫୁଲର ଚାଷ । ପରିପାର୍ଶ୍ଵର ଦୃଶ୍ୟରେ ଏପରି ପରିବର୍ତ୍ତନ ସ୍ଵାଭାବିକ ।

 

କିନ୍ତୁ ସବୁ ପରିବର୍ତ୍ତନ ସୂର୍ଯ୍ୟମୁଖୀର ପ୍ରାଚୁର୍ଯ୍ୟ ଭଳି ସୁନ୍ଦର ହୋଇଥାନ୍ତା ହେଲେ !

 

ଗୁଲବର୍ଗାରେ ରାତ୍ରି ଯାପନ ଅନ୍ତେ ପ୍ରଭାତରେ ହାଲାସାଙ୍ଗୀ ଯାତ୍ରା । ରାସ୍ତାର ଅର୍ଦ୍ଧାଧ‌ିକ ସୁଗମ ନୁହେଁ–ତେଣୁ ବାହନ ଜିପ୍ । ମହାରାଷ୍ଟ୍ରର ମର୍ମାନ୍ତିକ ଭୂମିକମ୍ପର ପ୍ରଭାବ ଗୁଲବର୍ଗା ଓ ବିଜାପୁର ଜିଲ୍ଲା ଉପରେ ସ୍ପଷ୍ଟ; ସମସ୍ତେ ସନ୍ତ୍ରସ୍ତ । ମୃଦୁ ବାରିପାତ ଭିତରେ ଗ୍ରାମ ସବୁ ଦିଶୁଥିଲେ ସୁପ୍ତ; କିନ୍ତୁ କ୍ଷେତ ସବୁ ଉଜ୍ଜ୍ଵଳ, ଜୀବନ୍ତ ।

 

ଅନ୍ୟମନସ୍କ ହୋଇ ବସିଥିଲି । ଚାରିଘଣ୍ଟା ପରେ, ଗୁଲବର୍ଗାରୁ ମୋତେ ପାଛୋଟି ନେଉଥିବା ବନ୍ଧୁ ଦୁଇଜଣ ହଠାତ୍ କହିଲେ, ‘‘ଆସିଗଲୁ ।”

 

ଚମକିପଡ଼ିଲି । କାହିଁ ସେଦିନର କୁହୁଡ଼ି ଭିତରୁ ସତେ ଯେମିତି ହଠାତ୍ ଉଦ୍ଭବ ହୋଇଥିବା ଦୁର୍ଗର ପ୍ରାଚୀର ? ଯାହା ଆଖିରେ ପଡ଼ୁଛି, ସିଏ ତ ଏକ ଛୋଟିଆ ବଜାର !

 

ସେ ପାଷାଣ ପ୍ରାଚୀର କ୍ରମେ ନିଶ୍ଚିହ୍ନ ହୋଇଗଲାଣି । ତହିଁ ଆଗରେ ଧାଡ଼ିଏ ବିପଣୀ । ଗ୍ରାମର କଳେବର ବଢ଼ି ବଢ଼ି ଚାଲିଛି । ଅନେକ କୋଠାଘର । ହାଇସ୍କୁଲ କଲେଜରେ ପରିଣତ ।

 

ଅଠେଇଶ ବର୍ଷ ତଳେ ସଭା ହେଉଥିଲା କବିଙ୍କ ଘରର ଅଗଣା ଭିତରେ । ଆଜି ବିରାଟ ସୁଦୃଶ୍ୟ ମଣ୍ଡପ । ଏକହଜାର ଶ୍ରୋତା ବସିପାରିବାର ବ୍ୟବସ୍ଥା । ଲଣ୍ଠନ ଓ ପ୍ରଦୀପ ସ୍ଥାନରେ ବିଦ୍ୟୁତ୍ ଆଲୋକ ।

 

ଏସବୁ ସ୍ଵାଭାବିକ ଓ ସୁନ୍ଦର; କିନ୍ତୁ ମୁଁ ଅପେକ୍ଷା କରିଛି ସେହି ବିଶେଷ ସୌନ୍ଦର୍ଯ୍ୟର ସ୍ଫୁରଣ ପାଇଁ । ଏକଦା ଏମିତି ମେଘଳ ସୂର୍ଯ୍ୟାସ୍ତ ବେଳେ ଏକତ୍ର ତିନୋଟି ମୟୂର ନାଚିବାର ଦେଖିଥିଲି–ଗୋଟିଏ ଦୁର୍ଗ ପ୍ରାଚୀର ଉପରେ, ଅନ୍ୟଟି ତୋଟା ଭିତରେ; ତୃତୀୟଟି ଗୋଟାଏ ଚାଳ ଉପରେ ।

 

କିନ୍ତୁ କାହିଁ ସେ ତୋଟା ? ବିଲୁପ୍ତ । ଗୋଟିଏ ବାଳକକୁ ପଚାରିଲି, ‘‘ମୟୂର ସବୁ କାହାନ୍ତି ?”

 

ସେ ବଲବଲ କରି ଅନାଇ ରହିଲା । ବୁଝିଲି, ସେ ପିଲା ଆଉ ଟିକିଏ ବଡ଼ ହେଲେ ଚିଡ଼ିଆଖାନାରେ ଯାଇ ମୟୂର ଦେଖିବ ।

 

–“ପୁରୁଷୋତ୍ତମ ଜୀ ! ମୟୂର ସବୁ ଗଲେ କୁଆଡ଼େ ?’’

 

–“କ୍ରମେ କ୍ରମେ ସେମାନେ ଅପସରିଗଲେ । ଦୂରବର୍ତ୍ତୀ ବଣ ବୁଦାରେ ରହନ୍ତି ।” ସେ କହିଲେ ।

 

–‘‘ମଧ୍ୟେ ମଧ୍ୟେ ଆସି ବୁଲିଯାଉଥିଲେ; କିନ୍ତୁ ଗାଁ ଭିତରେ ତ ଦେଖୁଛନ୍ତି ମଣିଷଙ୍କ ବହୁଳତା–ଘରଦ୍ଵାରର ଭିଡ଼ । ଗଛଲତା କଟା ହୋଇଯିବା ଫଳରେ ସେମାନେ ଅସୁବିଧାରେ ପଡ଼ିଲେ । ଚାଲିଗଲେ । ଆଉ ଆସୁ ନାହାନ୍ତି ।’’ –କହିଲେ ଆଉ ଜଣେ ଗ୍ରାମବାସୀ ।

 

ବିଷଣ୍ଣ ଦୃଷ୍ଟିରେ ଗ୍ରାମ ସୀମାନ୍ତର ଗଛଲତା ଭିତରେ ତଥାପି ମୟୂରମାନଙ୍କୁ ଖୋଜୁଥିଲି-। ଶୁଆମାନଙ୍କ ସହ ବି ଭେଟ ହେଲାନାହିଁ । ସେମାନଙ୍କ ସଂଖ୍ୟା ବହୁତ କମିଯାଇଛି–ସମ୍ଭବତଃ ଶସ୍ୟ କଣାରେ ରାସାୟନିକ ଅଣୁର ପ୍ରତିକ୍ରିୟାବଶତଃ ।

 

ଅଠେଇଶ ବର୍ଷ ତଳେ ଯିଏ ମୋର ଭାଷାନ୍ତରକାରୀ ଥିଲେ, ସେ ବିଶିଷ୍ଟ ସାହିତ୍ୟିକ ଜାହାଗୀରଦାର୍ ଆଉ ନାହାନ୍ତି । ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ରାସ୍ତାକଡ଼ରେ ଦେଢ଼ଘଣ୍ଟା ଅପେକ୍ଷା କରି ମୋତେ ବିଦାୟ ଦେଇଥିଲେ, ସେମାନଙ୍କ ଭିତରୁ ଅଛନ୍ତି କେବଳ କବିଙ୍କ ପତ୍ନୀ । ବୟସ ନବେ । ତାଙ୍କ ଶଯ୍ୟା ପାଖରେ ଯାଇ ବସିଲି । ସ୍ତିମିତ ଦୃଷ୍ଟି ମୋ ଉପରେ ନିବଦ୍ଧ କରି ସେ ମୋତେ ଚିହ୍ନିଲେ । ସେ ଆଖିରେ ଏକଦା ପ୍ରତିଫଳିତ ହୋଇଥିଲେ ଅସଂଖ୍ୟ ମୟୂର । ମୟୂର ସନ୍ଧାନ ମୋର ସେଇଠି ଶେଷ ହୋଇଥିଲା ।

 

*(ହାଲାସାଙ୍ଗୀକୁ ଲେଖକଙ୍କ ଏ ଦ୍ଵିତୀୟ ଗମନକାଳ ୧୯୯୩ ମସିହା । ପରବର୍ଷ ଏ ମାତୃପ୍ରତିମା ମହିଳା ପରଲୋକ ଗମନ କଲେ ।)

☆☆☆

 

ଦୁଇ

ସମୟର ଦିଗ୍‌ବଳୟ : ବାରାଣସୀ

 

‘‘ବାରାଣସୀ ଇତିହାସଠୁଁ ପୁରୁଣା, ପରମ୍ପରାଠୁଁ ପୁରୁଣା, କିମ୍ବଦନ୍ତୀ ଠୁଁ ପୁରୁଣା–ଆଉ ଏ ସବୁକୁ ମିଶାଇଦେଲେ ଯେତେ ବର୍ଷ ହେବ–ବାରାଣସୀ ଦେଖାଯାଏ ତା’ର ଦୁଇଗୁଣ ପୁରୁଣା !’’

 

ଗତ ଶତାବ୍ଦୀରେ, ଥଟ୍ଟାଳିଆ ଢଙ୍ଗରେ ଏ ମନ୍ତବ୍ୟ ଦେଇଥିଲେ ମାର୍କ ଟ୍ଵାଇନ୍, ତାଙ୍କ ଭାରତ-ଭ୍ରମଣ ଅବସରରେ ।

 

ଗତ ଶତାବ୍ଦୀର ଆଉ ଜଣେ ପରିବ୍ରାଜକ ସେରିଙ୍ଗ ଲେଖିଥିଲେ, “ଅନ୍ତତଃ ଅଢ଼େଇ ହଜାର ବର୍ଷ ତଳେ ବି ବାରାଣସୀ ଥିଲା ବିଖ୍ୟାତ । ଯେଉଁ କାଳରେ ବେବିଲୋନ୍ ଓ ନିନେଭା ଭିତରେ ବଡ଼ିମାକୁ ନେଇ ପ୍ରତିଦ୍ଵନ୍ଦ୍ୱିତା ଚାଲିଥିଲା...ଯେତେବେଳେ ଏଥେନ୍‍ସ କ୍ରମେ କ୍ରମେ ବଳ ସଞ୍ଚୟ କରୁଥିଲା, ଯେତେବେଳେ ରୋମ୍‍କୁ କେହି ଜାଣି ନାହାନ୍ତି...ସେତେବେଳେ ବାରାଣସୀ କିନ୍ତୁ ମହତ୍ ନଗରୀ ।”

 

୧୯୯୨ ମସିହାର ଯେଉଁ ପୂର୍ବାହ୍‌ଣରେ ବାରାଣସୀରେ ଉପନୀତ ହେଲି, ଘନ ମେଘାବୃତ ଆକାଶ ଓ ନିରବଚ୍ଛିନ୍ନ ବର୍ଷା ଯୋଗୁଁ ତାହା ସନ୍ଧ୍ୟାର ଭ୍ରମ ସୃଷ୍ଟିକରୁଥିଲା ।

 

ମନେହୋଇଥିଲା, ଏହି ବର୍ଷା ଭଳି ଅଦମ୍ୟ, ପ୍ରାଣୋଚ୍ଛଳ ତଥା ପ୍ରାଗୈତିହାସିକ ଏ ନଗରୀ ବାରାଣସୀ । ପୃଥ‌ିବୀରେ ପ୍ରାଚୀନ ନଗରୀ ଅନେକ; କିନ୍ତୁ ସେସବୁ ନଗରୀର ଜନ୍ମବୃତ୍ତାନ୍ତ ମୋଟାମୋଟି ଜଣା; କିନ୍ତୁ ବାରାଣସୀ ? ଏ ନଗରୀର ପ୍ରତିଷ୍ଠାତା କିଏ ବୋଲି ପଚାରିବା ହିମାଳୟର ପ୍ରତିଷ୍ଠାତା କିଏ ପଚାରିବା ଭଳି ବ୍ୟାପାର–ମନ୍ତବ୍ୟ ଦେଇଛନ୍ତି ଏଡ୍‌ଉଇନ୍ ଗ୍ରୀଭ୍‍ସ୍ (୧୯୦୯) ।

 

ସତେ ଅବା ବାରାଣସୀ ସ୍ୱୟମ୍ଭୂ, ତା’ର ଅଧିଷ୍ଠାତା ମହାଦେବଙ୍କ ଭଳି; ମାନବତାର ପ୍ରତ୍ୟୁଷରୁ ସେ ବିରାଜିତ ।

 

ଷ୍ଟେସନ୍‌କୁ ପାଛୋଟି ନେବା ପାଇଁ ଆସିଥିଲେ ମୋର ତରୁଣ ବନ୍ଧୁ ଡାକ୍ତର ସରୋଜ । କେବଳ ଜଣେ ବିଶ୍ଵସ୍ତ ବନ୍ଧୁଙ୍କ ସହାୟତାରେ, ଯେତେଦୂର ସମ୍ଭବ ଏକାଗ୍ର ଚିତ୍ତରେ ତଥା ନୀରବରେ ବାରାଣସୀକୁ ହୃଦୟଙ୍ଗମ କରିବା ଥିଲା ମୋର ଉଦ୍ଦେଶ୍ୟ । ସେ ଉଦ୍ଦେଶ୍ୟକୁ ଯଥାର୍ଥ ସମ୍ମାନ ଦେଇ ଯଥୋଚିତ ବ୍ୟବସ୍ଥା କରିଥିଲେ ଶ୍ରୀମାନ୍‌ ସରୋଜ ।

 

ମୋ ହୋଟେଲ୍‌ ଅଭିମୁଖେ ଗାଡ଼ି ଅଗ୍ରସର ହେବାବେଳେ ଆଜିର ବାରାଣସୀକୁ ଲୁଚାଇ ରଖିଥିଲା ବର୍ଷା । ମନ୍ଦ ନୁହେଁ । କାଳାତୀତ ବାରାଣସୀର ଅନୁଭବ ପାଇଁ ଏହା ଏକ ସୁନ୍ଦର ସୁଯୋଗ ।

 

ମଧ୍ୟ-ପ୍ରାଚ୍ୟର ସୁପ୍ରାଚୀନ କିମ୍ବଦନ୍ତୀ ଅନୁସାରେ ଯେଉଁ ତିନିଜଣ ବିଜ୍ଞଜନ ଯୀଶୁଙ୍କ ଜନ୍ମ ମାତ୍ରେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ପହଞ୍ଚିଯାଇଥିଲେ, ତନ୍ମଧ୍ୟରେ ବାରାଣସୀର ରାଜା ଅନ୍ୟତମ-। (ଅବଶ୍ୟ ତିନିଜଣଯାକ ଭାରତୀୟ ବ୍ରାହ୍ମଣ ଅଥବା ଭାରତୀୟ ବ୍ରାହ୍ମଣଙ୍କର ପାରସ୍ୟବାସୀ ଶିଷ୍ୟ ବୋଲି ଅଧିକାଂଶ ପ୍ରାଚୀନ ମନୀଷୀଙ୍କ ମତ !) ଖ୍ରୀଷ୍ଟପୂର୍ବ ଏକ ହଜାର ବର୍ଷ ତଳେ ଇସ୍ରାଏଲ୍‌ର ବିଜ୍ଞ ତଥା ଐଶ୍ୱର୍ଯ୍ୟବାନ୍ ରାଜା ସୋଲେମୋନ୍‌ ବାରାଣସୀରୁ ଦଳେ ମର୍କଟ ଏବଂ ପଞ୍ଝାଏ ମୟୂର ସ୍ଵଦେଶକୁ ନେଇଯାଇଥିଲେ ବୋଲି କହେ ଅନ୍ୟ ଏକ କିମ୍ଵଦନ୍ତୀ ।

 

ଆଉ, କେତେ ଜନ୍ମ ଧରି ଏ ପଥ ପ୍ରାନ୍ତରେ ବିଚରଣ କରିଥିଲେ ବୋଧିସତ୍ତ୍ଵ–ରାଜକୁମାର ରୂପେ, ଭିକ୍ଷୁ ରୂପେ, ଶ୍ରେଷ୍ଠୀ (ଯାହାର ଅପଭ୍ରଂଶ ହେଲା ସେଠ୍) ରୂପେ, ଶିକ୍ଷାର୍ଥୀ ରୂପେ–ଏପରିକି ମନୁଷ୍ୟେତର ପ୍ରାଣୀ ରୂପେ ? ବୁଦ୍ଧ ଜାତକର ଅଧିକାଂଶ କାହାଣୀର ପଟ୍ଟଭୂମି କାଶୀ ବା ବାରାଣସୀ : “ଯେତେବେଳେ ବାରାଣସୀରେ ରାଜୁତି କରୁଥିଲେ ବ୍ରହ୍ମଦତ୍ତ...’’

 

ଯେଉଁ ଆତ୍ମା ଜନ୍ମ ଜନ୍ମ ବ୍ୟାପି ବହୁବିଧ ବିଚିତ୍ର ଅଭିଜ୍ଞତାରେ ନିଜ ଚେତନାକୁ ସମୃଦ୍ଧ କରି ଅବଶେଷରେ ସିଦ୍ଧାର୍ଥ ରୂପେ ଜନ୍ମଗ୍ରହଣ କଲା ଏବଂ ତପସ୍ୟାନ୍ତର ବୁଦ୍ଧତ୍ଵ ପ୍ରାପ୍ତ ହେଲା, ସିଏ ପୁଣି ତା’ର ପ୍ରଥମ ବାଣୀ ପ୍ରଚାର ନିମନ୍ତେ ବାରାଣସୀର ଉପକଣ୍ଠକୁ ହିଁ ମନୋନୟନ କଲା ।

 

ନଗରୀର ଏହି ପଥପଥାନ୍ତର ବାରମ୍ବାର ଅତିକ୍ରମ କରିଛନ୍ତି ମହାବୀର ଜିନ, ବୁଦ୍ଧ ଓ ଶଙ୍କରାଚାର୍ଯ୍ୟ । ପରବର୍ତ୍ତୀ କାଳରେ ସନ୍ଥ କବୀର, ଗୋସ୍ଵାମୀ ତୁଳସୀ ଦାସ ଏବଂ ତୈଲଙ୍ଗ ସ୍ଵାମୀ-। ବାରାଣସୀର ସ୍ମୃତି-ବିଜଡ଼ିତ ମହାତ୍ମାଙ୍କ ସଂଖ୍ୟା ବିପୁଳ: ଅବିଦିତ ଓ ଅଜ୍ଞାତ ସାଧୁଜନଙ୍କ ‘ସଂଖ୍ୟା’ର ପ୍ରଶ୍ନ ଉଠାଇବା ନିରର୍ଥକ । ଅସଂଖ୍ୟ ହିଁ ଏକମାତ୍ର ପ୍ରଯୁଜ୍ୟ ବିଶେଷଣ ।

 

ବର୍ଷା ବାସ୍ତବିକ ଆସିଥିଲା ଏ ଲେଖକର ସ୍ୱାର୍ଥ ଦୃଷ୍ଟିରୁ ଆଶୀର୍ବାଦ ରୂପେ । ଅଧିଷ୍ଠାତା ବିଶ୍ଵନାଥଙ୍କ ମନ୍ଦିର ଅନର୍ଗଳ ବର୍ଷା ଏବଂ ତୋଫାନ୍-ପ୍ରାୟ ପରିସ୍ଥିତି ଯୋଗୁଁ ଜନବିରଳ ଥିଲା । ମାଙ୍କଡ଼ମାନେ ବି ସେଦିନ ଛୁଟିରେ ଥିଲେ । ତେବେ ସେମାନଙ୍କର ଜଣେ ଦଳପତି ସୌଜନ୍ୟବଶତଃ ଆମ ପାଖକୁ ଆସି ଟିକିଏ ମୁରୁକି ହସି (ମନେହେଲା ସେଇଆ) ପୁଣି ଦୂରକୁ ଚାଲିଗଲା । ସତେ ଅବା ସେ ମୋତେ କହୁଥିଲା, “ଆମର କୀର୍ତ୍ତିକଳାପ ସମ୍ପର୍କରେ ତୁମେ ଫିରିଙ୍ଗିମାନଙ୍କ ଭ୍ରମଣ ବୃତ୍ତାନ୍ତରୁ ଯାହା ପଢ଼ାପଢ଼ି କରିଛ–ଯଥା, ଆମେ ଭେଟି ନ ପାଇଲେ ଯାତ୍ରୀମାନଙ୍କୁ ଚାପୁଡ଼ା ମାରିଥାଉଁ, ସେମାନଙ୍କ ହାତରୁ ଥଳିଟିମାନ, ବାଡ଼ିଟିମାନ, ଏପରିକି କଦାଚିତ୍ ଚଷମାଟିଏ ଛଡ଼ାଇ ନେଇ ଚମ୍ପଟ ଦେଇ କୋଠା ବା ଗଛ ଉପରୁ ସେମାନଙ୍କୁ ହେୟଜ୍ଞାନ କରି ଦୃଷ୍ଟିପାତକରୁଁ–କେବେ କେମିତି କୌଣସି ବିଚାରୀ ମା’ କୋଳରୁ ତା’ ଶିଶୁଟିକୁ ପଣବନ୍ଦୀ କରି ନେଇଯାଉଁ–ଏସବୁ ପୂରାପୂରି ମିଛ ବୋଲି ମୁଁ କହୁନାହିଁ; କିନ୍ତୁ ଅତିରଞ୍ଜିତ । ଅବଶ୍ୟ ଜୀବିକା ପାଇଁ ଆମକୁ ମଗଜ ଖଟାଇବାକୁ ପଡ଼ିଥାଏ, କସରତ୍ କରିବାକୁ ହୋଇଥାଏ, ଏସବୁକୁ ତମେ ଦୁଷ୍ଟାମି କହିଲେ କହିପାର; କିନ୍ତୁ ଏ ଦିଗରେ ମଣିଷଙ୍କୁ ଆମେ ବଳିଯିବୁଁ, ସେ ସମ୍ଭାବନା ନାହିଁ ।”

 

ଗଳିପଥରେ ବର୍ଷା ଉପଭୋଗ କରୁଥିଲା ବୃହଦାକାର ଷଣ୍ଢଟିଏ । ଭକ୍ତ ଯାତ୍ରୀଟିଏ ତାକୁ ଗୋଟିଏ କଦଳୀ ଖାଇବାକୁ ଉପରୋଧ କରୁଥିଲେ, କିନ୍ତୁ ଷଣ୍ଢ ସେ ସାମାନ୍ୟ ଉପହାର ତା’ର ଅବ୍ୟାହତ ପାକୁଳିରେ ଅନ୍ତର୍ଭୁକ୍ତ କରିବାକୁ ଇଚ୍ଛୁକ ନ ଥିଲା । ଷଣ୍ଢର ସେଭଳି ପ୍ରତ୍ୟାଖ୍ୟାନକୁ ସମ୍ଭବତଃ ଯାତ୍ରୀଜଣକ ଅଶୁଭ ମନେକରୁଥିଲେ । ଦେଢ଼ ମିନିଟ୍ ଦୁଇ ମିନିଟ୍ ପରେ ପଛକୁ ଅନାଇ ଦେଖିଲି, ଯାତ୍ରୀ ତାଙ୍କ ନିବେଦନରେ ଅଟଳ ରହିଛନ୍ତି–ଯଥା ସମୟରେ ଷଣ୍ଢ ତାଙ୍କୁ କୃତାର୍ଥ କରିଥିବ ।

 

ଦ୍ଵାଦଶ ଓ ସପ୍ତଦଶ ଶତାବ୍ଦୀ ଭିତରେ ବାରାଣସୀର ଅନ୍ୟ ଶହ ଶହ ମନ୍ଦିର ଭଳି ବିଶ୍ଵନାଥ ମନ୍ଦିର ମଧ୍ୟ ବିଧ୍ୱସ୍ତ ହୋଇଛି । ଶେଷ ଥର ପାଇଁ ଏହାକୁ ଭାଙ୍ଗିଥିଲା ଆଉରଙ୍ଗଜେବ୍ । ଇନ୍ଦୋରର ରାଣୀ ଅହଲ୍ୟାବାଈ ମନ୍ଦିର ପୁନଃନିର୍ମାଣ କରିବା ଅନ୍ତେ ପଞ୍ଜାବର ରାଜା ରଞ୍ଜିତ୍ ସିଂହ ଏହାର ଶିଖରକୁ ସ୍ୱର୍ଣ୍ଣାବୃତ କରିଥିଲେ । ଦୂରଦ୍ରଷ୍ଟା ରଞ୍ଜିତ୍ ସିଂହ ବୁଝିଥିବେ, ସେ ବିପୁଳ ପରିମାଣରେ ସୁନା ଲୁଣ୍ଠନ କରିବାକୁ ଆଉ କୌଣସି ଶକ୍ତି ସାହସ କରିବ ନାହିଁ । ତେବେ ବିଶ୍ୱନାଥ ମନ୍ଦିର ତଥା ବାରାଣସୀର ଅନ୍ୟାନ୍ୟ ମନ୍ଦିରରୁ ଯେତିକି ଐଶ୍ୱର୍ଯ୍ୟ ଲୁଣ୍ଠିତ ହୋଇଛି, ତା’ର ହିସାବ କରିବା ସମ୍ଭବପର ନୁହେଁ । ଲୁଣ୍ଠନକାରୀ ପକ୍ଷର ଐତିହାସିକମାନଙ୍କ ହିସାବ ଅନୁସାରେ, କେବଳ ୧୧୯୪ ମସିହାରେ ମହମ୍ମଦ ଘୋରୀର ସେନାପତି କୁତ୍‌ବୁଦ୍ଦିନ୍ ଆଇବାକ୍ ଏକହଜାର ଚାରିଶହ ଓଟ ପିଠିରେ ଲୁଣ୍ଠିତ ଐଶ୍ୱର୍ଯ୍ୟ ବହନ କରି ନେଇଯାଇଥିଲା ।

 

ପ୍ରଥମ ବିଶ୍ଵନାଥ ମନ୍ଦିର ହୁଏତ ଅନ୍ୟତ୍ର ଥିଲା । ତା’ର ନିର୍ମାତା କିମ୍ବଦନ୍ତୀ ଅନୁସାରେ, ରାଜା ଦିବୋଦାସ । ଇଏ ଇତିହାସ-ସିଦ୍ଧ ଚରିତ୍ର ନୁହନ୍ତି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭଳି ପୁରାଣ-ପୁରୁଷ । ଏହାଙ୍କ ରାଜୁତିର ବହୁ ପୂର୍ବରୁ ଶିବ ଅବଶ୍ୟ ବାରାଣସୀରେ ଅବସ୍ଥାନ କରୁଥିଲେ, କିନ୍ତୁ କାହିଁକି କେଜାଣି, ଦିବୋଦାସଙ୍କ ଉପରେ ଅଭିମାନ କରି ସେ ହିମାଳୟ ଚାଲିଗଲେ । ସନ୍ଥବେଶୀ ବିଷ୍ଣୁଙ୍କ ପରାମର୍ଶ ଅନୁସାରେ ଦିବୋଦାସ ବିଶ୍ଵନାଥ ମନ୍ଦିର ନିର୍ମାଣ କରନ୍ତେ ଶିବ ତୁଷ୍ଟ ହୋଇ ତାଙ୍କ ପ୍ରିୟ ନଗରୀକୁ ପ୍ରତ୍ୟାବର୍ତ୍ତନ କଲେ । ପୁରୀର ଶ୍ରୀଜଗନ୍ନାଥଙ୍କ ଭଳି କାଶୀବାସୀମାନଙ୍କ ସୁଖ ଦୁଃଖର ଅଂଶୀଦାର ହୋଇ ସେ ସେବେଠୁଁ ବିଦ୍ୟମାନ । ମୂଢ଼ ଆକ୍ରମଣକାରୀ ଓ ଲୁଣ୍ଠନକାରୀମାନଙ୍କ କବଳରୁ ବର୍ତ୍ତିବା ନିମନ୍ତେ ତାଙ୍କୁ ଥରେଅଧେ ଆତ୍ମଗୋପନ କରିବାକୁ ପଡ଼ିଛି–ଜ୍ଞାନବାପୀ ନାମକ କୂପ ଗହ୍ଵରରେ । ସେ ବାରମ୍ବାର ପୁନଃପ୍ରତିଷ୍ଠିତ ହୋଇଛନ୍ତି ।

 

ସନ୍ଧ୍ୟାରେ ବର୍ଷାର ଉପଶମ ହୋଇଥିଲା । ମୋ କୋଠରୀର ଝରକା ଦେଇ ଦେଖୁଥିଲି ନଗରୀ ଉପରେ ରାତିର ଅବତରଣ । ଊନବିଂଶ ଶତାବ୍ଦୀର କବି ସି.ଏ. କେଲିଙ୍କର ‘‘ବନାରସ’’ ନାମକ କବିତା ସେତେବେଳେ ମନେପଡ଼ିବା ସ୍ଵାଭାବିକ । କବିତାର ମୁଖ୍ୟ ଅଂଶର ମୁକ୍ତ ଅନୁବାଦ–

 

ତୁମକୁ ଆବରିଛନ୍ତି ଦେବଗଣ ଆସି,

ସାଧୁ ବାରାଣସୀ !

X X X

ପୁଷ୍ପଭରା ମନ୍ଦିରର ଗର୍ଭଗୃହେ ଯହିଁ,

ନୀରବ ଦେବତା ଥାଏ ଚାହିଁ,

ନତଶିର ଭକ୍ତଗଣ ପରେ

ଦିବ୍ୟ ଶାନ୍ତି ଭରେ ।

ଅଦୂରେ ଚାଲିଛି ବହି ଜାହ୍ନବୀର ସ୍ରୋତ

ଗମ୍ଭୀର, ପବିତ୍ର, ଅବିରତ

ସମୁଦ୍ର ଉଦ୍ଦେଶ୍ୟେ–

ଯେଉଁମାନେ ତୀରଦେଶେ ତ୍ୟାଗ କଲେ

ଅନ୍ତିମ ନିଃଶ୍ଵାସ,

ଧୋଇନେଇ ସେମାନଙ୍କ ଭସ୍ମ–ଅବଶେଷ ।

ସୂର୍ଯ୍ୟାସ୍ତର ସ୍ୱର୍ଣ୍ଣ ଆଭା ହେଲା ପ୍ରଶମିତ,

ମଧୁର ନିଶୀଥ ଧୀରେ ହୁଏ ଅବନତ ।

☆☆☆

 

(ତିନି)

ସମୟର ଦିଗ୍‌ବଳୟ : ବାରାଣସୀ (୨)

 

ଶେଷ ଅପରାହ୍‌ଣ ବେଳକୁ ବର୍ଷାର ବିରତି ଦେଖାଦେଇଥିଲା । ଦଶାଶ୍ଵମେଧ ଘାଟ ଦିଶୁଥିଲା ପ୍ରଶାନ୍ତ ଏବଂ ଜନବହୁଳତା ସତ୍ତ୍ଵେ ପରିଚ୍ଛନ୍ନ ଓ ଉଦାର ।

 

ଗଙ୍ଗାର ରୂପ (ବରଂ ଚରିତ୍ର) ସର୍ବତ୍ର ଏକ ନୁହେଁ । ଋଷିକେଶଠାରେ ସ୍ରୋତ ତା’ର ଉଦ୍ଦାମ–ଯେମିତି ସେ ଅବଧି ଉଭୟ ତଟରେ ବିଦ୍ୟମାନ ପର୍ବତମାଳା ଭିତରୁ ଯଥାସମ୍ଭବ ପଳାଇଯାଇ ସମତଳରେ ପହଞ୍ଚିବା ନିମନ୍ତେ ସେ ଅଧୀର । ମାତ୍ର କେତେ ମାଇଲ ପରେ ହରିଦ୍ଵାରଠି ସେ ରୂପ ଶାନ୍ତ ଓ ବ୍ୟାପ୍ତ । ସ୍ଥୂଳ ବ୍ୟାପ୍ତି କଥା କହୁନାହିଁ । ସେ ଦୃଷ୍ଟିରୁ ଅନ୍ୟାନ୍ୟ ବହୁ ସ୍ଥାନରେ ଗଙ୍ଗା ଅବିସ୍ମରଣୀୟ । ହରିଦ୍ଵାରଠିଁ ସେ ବ୍ୟାପ୍ତି ମାର୍ମିକ ।

 

ବାରାଣସୀଠାରେ ଗଙ୍ଗାର ଚରିତ୍ର ଉଦାର ହେବା ସ୍ଵାଭାବିକ । ଗଙ୍ଗା ସର୍ବତ୍ର ଗରୀୟସୀ, ବାରାଣସୀ ଉପାନ୍ତରେ ସେ କରୁଣାର ଧାରା । ସେ କରୁଣା ଅପରିସୀମ । ବିରତିହୀନ ସେ ଧାରା ତହିଁ ବିସର୍ଜିତ ସମସ୍ତ ଆତ୍ମାକୁ ସ୍ୱର୍ଗାଭିମୁଖେ ବହନ କରି ନେଇ ଚାଲିଛି ବୋଲି ହଜାର ହଜାର ବର୍ଷର ବିଶ୍ଵାସ ।

 

ଡାକ୍ତର ଶ୍ରୀମାନ୍ ସରୋଜ ନୌକାର ସନ୍ଧାନରେ ଯାଇଥିଲେ । ଏକ ଶିଳାଖଣ୍ଡ ଉପରେ ବସି ସ୍ନାନରତ ନରନାରୀ, କୌତୂହଳୀ ପର୍ଯ୍ୟଟକ, ବେପରୁଆ ବୁଲା ଷଣ୍ଢ ଏବଂ ନଦୀଧାରରେ ଉତ୍ସର୍ଗୀକୃତ କେତୋଟି ଗତିମାନ୍ ଦୀପଶିଖା ଆଡ଼େ ଦୃଷ୍ଟିପାତ କରୁଥିଲି । ମନେହେଉଥିଲା, ଏ ମହାନ୍ ମୁହୂର୍ତ୍ତର ଅଭିବ୍ୟକ୍ତି ପାଇଁ କବିତାର ଆଶ୍ରୟ ଲୋଡ଼ା । ଏମିତି କିଛି ଲେଖିବାକୁ ପ୍ରେରଣା ଆସୁଥିଲା :

 

ଏ ସ୍ରୋତ ବିରାମହୀନ, ମହାକାଳ ପ୍ରାୟ,

ବକ୍ଷେ ତା’ର ସଂଖ୍ୟାହୀନ ବୁଦ୍‌ବୁଦର ସୃଷ୍ଟି ଓ ବିଲୟ,

ଦୃଶ୍ୟ ଅବିରତ–

ଜୀବନ ଓ ମୃତ୍ୟୁର ଇଙ୍ଗିତ ।

ବୁଦ୍‌ବୁଦେ ବିମ୍ଵିତ ଯେଉଁ ନାନାବିଧ କ୍ଷଣିକ ଆଲୋକ

ସୁଖ ଓ ଦୁଃଖର ତ‌ଥା ହତାଶା ଓ ଆଶାର ପ୍ରତୀକ !

ଗଙ୍ଗା ଏଠି କରୁଣାର ଧାରା,

ଆର୍ତ୍ତପାଇଁ ଆଶାର ଇଶାରା,

ସନ୍ତପ୍ତ ଓ ଅନୁତପ୍ତ ହୃଦୟର ଅନ୍ତିମ କ୍ରନ୍ଦନ ।

ଏ ଗଙ୍ଗାର ଚେତନାରେ ସୃଜିଥାଏ ବାତ୍ସଲ୍ୟ-ସ୍ପନ୍ଦନ

ଯୁଗ ଯୁଗ ବ୍ୟାପୀ,

ଗଙ୍ଗା ଏଠି କୃପାମୟୀ, ଦିବ୍ୟ-କ୍ଷମା-ରୂପୀ ।

 

ବାରାଣସୀର ଗଙ୍ଗା କୂଳେ କୂଳେ ଚଉଷଠି ଗୋଟି ଘାଟ । ଅବଶ୍ୟ ସବୁ ଘାଟ କାର୍ଯ୍ୟକାରୀ ଅବସ୍ଥାରେ ନାହିଁ । ଦଶାଶ୍ଵମେଧ ହିଁ ସମ୍ଭବତଃ ସର୍ବ-ପୁରାତନ; କାରଣ ଏହାର ପ୍ରତିଷ୍ଠାତା ସ୍ଵୟଂ ବ୍ରହ୍ମା । ଏକଦା କାଶୀରେ ରାଜୁତି କରିଥିଲେ ରାଜା ଦିବୋଦାସ । ଏହାଙ୍କ ବିଶେଷତ୍ଵ ହେଲା, ଇଏ କୌଣସି ଦେବଦେବୀ—ଏପରିକି କାଶୀର ଅଧିଷ୍ଠାତା ମହାଦେବଙ୍କୁ ମଧ୍ୟ ପୂଜା ଦେଲେ ନାହିଁ । ଯଦି ଶ୍ରଦ୍ଧା ଭକ୍ତି ନ ମିଳିବ, ତେବେ ମହାଦେବ ଲୋକାଳୟରେ ବା କାହିଁକି ରହିବେ ? ଅଭିମାନରେ ସେ କୈଳାସ ଚାଲିଗଲେ । ଗଲେ ସିନା, କିନ୍ତୁ କାଶୀକୁ ଭୁଲିପାରିଲେ ନାହିଁ ।

 

ଶିବଙ୍କ ମନ କଥା ବୁଝିଲେ ବ୍ରହ୍ମା । କେଉଁ ସାହସରେ ରାଜା ଦିବୋଦାସ ଦେବପୂଜା ବନ୍ଦ କରି ମଧ୍ୟ ତିଷ୍ଠିରହିପାରିଛନ୍ତି ?

 

ଏ ପ୍ରଶ୍ନର ଉତ୍ତର ସନ୍ଧାନରେ କୌତୂହଳୀ ବ୍ରହ୍ମା ବ୍ରାହ୍ମଣ ବେଶରେ ଆସି ରାଜାଙ୍କୁ ଜଣାଇଲେ କି ଗଙ୍ଗା କୂଳରେ ଏକ ଅଶ୍ଵମେଧ ଯଜ୍ଞାନୁଷ୍ଠାନ ତାଙ୍କର ଅଭିପ୍ରାୟ । ସେ ଯଜ୍ଞର ଆୟୋଜନ ଜଟିଳତାସାପେକ୍ଷ । ସେ ପାଇଁ ଆବଶ୍ୟକ ନାନାବିଧ ଦୁଷ୍ପ୍ରାପ୍ୟ ବସ୍ତୁ ।

 

ରାଜା ଦିବୋଦାସ କିନ୍ତୁ ବ୍ରାହ୍ମଣବେଶୀ ବ୍ରହ୍ମାଙ୍କୁ ତ୍ରୁଟିଶୂନ୍ୟ ଭାବରେ ଯଜ୍ଞର ଯାବତୀୟ ସରଞ୍ଜାମ ଯୋଗାଇ ଦେଲେ । ବ୍ରହ୍ମା ଅନୁଷ୍ଠାନ ଉଦ୍‌ଯାପନ ଅନ୍ତେ ରାଜାଙ୍କୁ କହିଲେ କି ପୁନର୍ବାର ଏକ ଅଶ୍ଵମେଧ ପାଇଁ ସେ ଦୁର୍ବାର ପ୍ରେରଣା ଅନୁଭବ କରୁଛନ୍ତି । ରାଜା ବିନା ଦ୍ଵିଧାରେ ସେ ବ୍ୟବସ୍ଥା କରିଦେଲେ । ଏମିତି ଭାବରେ ଥର ଥର ଦଶଥର ବ୍ରହ୍ମା ଯଜ୍ଞ କଲେ ଏବଂ ସେ ନିଜେ ସିନା କ୍ଳାନ୍ତ ହେଲେ, କିନ୍ତୁ ତାଙ୍କୁ ସହାୟତା କରିବାରେ ରାଜାଙ୍କର ଅବସାଦ ଆସିଲା ନାହିଁ ।

 

ବ୍ରହ୍ମା ହୃଦୟଙ୍ଗମ କଲେ ରାଜାଙ୍କ ଶକ୍ତି, ତାଙ୍କ ଅସାଧାରଣ ଧୈର୍ଯ୍ୟ, ଆତ୍ମବିଶ୍ଵାସ ଏବଂ ନୀତିପରାୟଣତା । ସ୍ୱୟଂସିଦ୍ଧ, ସ୍ଵୟଂସମୃଦ୍ଧ ସେ ବ୍ୟକ୍ତିତ୍ୱ ପାଇଁ ଦେବଦେବୀଙ୍କ ଆବଶ୍ୟକ‌ତା କେବେ ଅନୁଭୂତ ହୋଇନାହିଁ ।

 

ବ୍ରହ୍ମା ରାଜାଙ୍କ ପ୍ରତି ସ୍ନେହଶୀଳ ହେଲେ, କିନ୍ତୁ ବୁଝିଲେ ନିଜ ସିଦ୍ଧି, ସମୃଦ୍ଧି ଓ ନୀତିରେ ହିଁ ସନ୍ତୁଷ୍ଟ ହୋଇ ରହିଲେ ରାଜାଙ୍କର ଉତ୍ତରୋତ୍ତର ବିକାଶ ସମ୍ଭବ ହେବ ନାହିଁ । କ୍ରମାଗତ ଭାବରେ ଉଚ୍ଚତର ଶକ୍ତି ପ୍ରତି ଉନ୍ମୁଖତା ପୋଷଣ କରିବା ପୂଜାର ଅନ୍ୟତମ ଉଦ୍ଦେଶ୍ୟ । ଏକାଧିକ ଉପାୟ ଅବଲମ୍ବନ କରି ବ୍ରହ୍ମା ରାଜାଙ୍କୁ ସେ ସତ୍ୟ ହୃଦୟଙ୍ଗମ କରାଇଦେଲେ । ରାଜା ହୁଏତ ଏକଥା ବି ବୁଝିଥିଲେ ଯେ ଯେତେ ନିଷ୍ଠାବାନ୍ ଓ ମହତ୍ ହେଲେ ବି ସେ ନିଜେ ନଶ୍ୱର । ତାଙ୍କ ପ୍ରଭାବ ଓ ପୁଣ୍ୟର ଶକ୍ତି ମଧ୍ୟ ତାଙ୍କ ଅନ୍ତେ ମଉଳିଯିବ । ଦେବଦେବୀ ଅବିନଶ୍ଵର । ଲୋକସମାଜ ଉପରୁ ନିଷ୍ଠାବାନ୍ ରାଜାଙ୍କ ଉଦାର ପ୍ରତିପତ୍ତି ଅପସରିଯିବା ଅନ୍ତେ ସମାଜକୁ ଶୃଙ୍ଖଳିତ କରି ରଖିବ କିଏ ? ସମାଜ ଦେବ-ବିଶ୍ୱାସ-ଚ୍ୟୁତ ହୋଇ ଗୋଟିଏ ପୁରୁଷ ବ୍ୟାପୀ ସୁରୁଖୁରୁରେ ତିଷ୍ଠିରହିପାରେ, କିନ୍ତୁ ତା’ପରେ ନୈରାଜ୍ୟ ଓ ସନ୍ତ୍ରାସ କବଳରେ ପଡ଼ିଯିବ ।

 

ବାରାଣସୀରେ ପୁନର୍ବାର ଶିବପୂଜାର ପ୍ରବର୍ତ୍ତନ ହେଲା । ଶିବଙ୍କ ଅଭିମାନ-ଭଙ୍ଗ ମାତ୍ରେ ଅନ୍ୟ ଦେବଦେବୀ ମଧ୍ୟ ପ୍ରତ୍ୟାବର୍ତ୍ତନ କଲେ ।

 

କିମ୍ବଦନ୍ତୀଟିର ଆଠ-ଦଶ ସଂସ୍କରଣ ପ୍ରଚଳିତ ଅଛି–ତେବେ ଏହାହିଁ ତା’ର ମର୍ମ । କେହି କେହି ଐତିହାସିକଙ୍କ ମତରେ ଏ କିମ୍ବଦନ୍ତୀ ବାରାଣସୀରେ ବୌଦ୍ଧଧର୍ମର ପ୍ରସାରଣ ଓ ଅବସାନର ପ୍ରତୀକାତ୍ମକ କାହାଣୀ । ବୌଦ୍ଧଧର୍ମ ପ୍ରଭାବରେ (ହିନ୍ଦୁ) ଦେବଦେବୀଙ୍କ ପୂଜା-ପାର୍ବଣ ବନ୍ଦ ହୋଇଗଲା; କିନ୍ତୁ ସେ ପ୍ରଭାବ ହ୍ରାସ ହୁଅନ୍ତେ ପୂଜା ପାର୍ବଣର ପୁନଃ ପ୍ରବର୍ତ୍ତନ ହେଲା ।

 

କିନ୍ତୁ ଆଉ କେତେକ ଐତିହାସିକ ଏ ବ୍ୟାଖ୍ୟା ଗ୍ରହଣ କରନ୍ତି ନାହିଁ । ଯଦି ରାଜା ଦିବୋଦାସ ବୌଦ୍ଧଧର୍ମର ପ୍ରତୀକ, ତେବେ ସେ ବୈଦିକ ଯଜ୍ଞାନୁଷ୍ଠାନ ପାଇଁ ବ୍ରହ୍ମାଙ୍କ ପୃଷ୍ଠପୋଷକତା କରିବାର ପ୍ରଶ୍ନ ଉଠୁନାହିଁ । ପୁଣି କିମ୍ବଦନ୍ତୀଟି ପ୍ରାକ୍-ବୁଦ୍ଧ ଯୁଗରେ ଉଦ୍ଭୁତ ବୋଲି ମନେକରିବାର କାରଣ ମଧ୍ୟ ରହିଛି ।

 

ସମ୍ଭବତଃ ଏହା ହିନ୍ଦୁ ପରମ୍ପରାର ଅନ୍ତର୍ଭୁକ୍ତ ଏକ ଦ୍ଵନ୍ଦ୍ଵର ସୂଚନା ଦେଉଛି । ବୈଦିକ ଯୁଗରେ ଯଜ୍ଞର ପ୍ରାଧାନ୍ୟ ଥିଲା–ପୂଜାପାର୍ବଣର ନୁହେଁ । କାଳକ୍ରମେ, ସ୍ଵାଭାବିକ ଭାବରେ ସାମୂହିକ ଭକ୍ତି ଭାବର ବିକାଶ ହୁଅନ୍ତେ, ଶ୍ରଦ୍ଧା ଭକ୍ତି ଅର୍ପଣ କରିବା ନିମନ୍ତେ ଦେବଦେବୀଙ୍କୁ ଆବାହନ କରାଗଲା । ହୁଏତ ରାଜା ଦିବୋଦାସ ମୌଳିକ ବୈଦିକ ସଂସ୍କୃତିର ଏକାମ୍ର ନିଷ୍ଠାବାନ୍ ସେବକ ଥିଲେ ଏବଂ ସେଥ‌ିପାଇଁ ଦେବଦେବୀ ପୂଜା ବନ୍ଦକରିଥିଲେ; କିନ୍ତୁ ସାମାଜିକ ବିବର୍ତ୍ତନର ନିଜସ୍ଵ ଏକ ଶକ୍ତି ରହିଛି । ଭାରତର ସାଂସ୍କୃତିକ ବୈଚିତ୍ର୍ୟ–ନୃତ୍ୟ, ସଙ୍ଗୀତ, ସାହିତ୍ୟ, ସ୍ଥାପତ୍ୟ, ଭାସ୍କର୍ଯ୍ୟ, କଳାର ବିଭିନ୍ନ ବିଭବ–ଦେବଦେବୀଙ୍କୁ କେନ୍ଦ୍ର କରି ବିକଶିତ । ଦେବଦେବୀମାନେ କବି ବା ଭାବୁକର କଳ୍ପନା ନୁହନ୍ତି, ସେମାନେ ବାସ୍ତବ । ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ଧାରାର ଯେଉଁ ସାଧକମାନଙ୍କ ଚେତନାରେ ସେମାନେ ପ୍ରତିଭାତ ହୋଇଛନ୍ତି, ସେ ସାଧକମାନେ ତା’ର ଅଭିବ୍ୟକ୍ତି ଦେଇଛନ୍ତି ଏବଂ ସେ ଅଭିବ୍ୟକ୍ତିକୁ ଭିତ୍ତି କରି ଯୁଗେ ଯୁଗେ କେତେ ବିଚିତ୍ର ବିଧିବିଧାନ, ପୂଜା ଆରାଧନା, ନୀତି ନିୟମ ଗଢ଼ିଉଠିଛି । ବ୍ୟକ୍ତିଗତ ଭାବରେ ଜଣେ ଏସବୁକୁ ଅତିକ୍ରମ କରିପାରେ, କିନ୍ତୁ ସାମାଜିକ ସ୍ତରରେ ଏସବୁର ପ୍ରଭାବ ସୁଦୂରପ୍ରସାରୀ ।

 

ବ୍ରହ୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଦଶ ବାର ଅଶ୍ଵମେଧ ଯଜ୍ଞର ସ୍ମୃତି ବହନ କରୁଥିବା ଦଶାଶ୍ଵମେଧ ଘାଟରୁ ନୌକାରୋହଣ କରି ଆମେ ପ୍ରଥମେ ମଣିକର୍ଣ୍ଣିକା ଘାଟ (ଏକଦା ବିଷ୍ଣୁଙ୍କ କର୍ଣ୍ଣଚ୍ୟୁତ ମଣି ଏଠି ଖସିପଡ଼ିଥିଲା) ଏବଂ ପରେ ବିପରୀତ ଦିଗରେ ଏକ ପରେ ଏକ ଘାଟ ଦର୍ଶନ କରି ଚାଲିଲୁ । ବିରତି ପରେ ପୁନର୍ବାର ମୃଦୁ ଭାବରେ ବର୍ଷା ଆରମ୍ଭ ହେଲା । ତତ୍‌କ୍ଷଣାତ୍ ନୌକାର ମାଲିକ ତଥା ମଙ୍ଗଧାରୀ ନିଜ ଛତାଟି ଆମକୁ ସମର୍ପି ଦେଲେ । କୈଫିୟତ୍ ଦେଲେ, ‘‘ଆମେ ଅଭ୍ୟସ୍ତ ।’’

 

ମଣିକର୍ଣ୍ଣିକା ଘାଟ ପାଖରେ ଚାରି ଛଅ ବହ୍ନିମାନ ଚିତା । ସେହି ଅଜ୍ଞାତ ବ୍ୟକ୍ତି କେତେଜଣଙ୍କର ମହାଯାତ୍ରାର ସାମାନ୍ୟ ସାକ୍ଷୀ ହୋଇ ଆମେ ନୌକା ଫେରାଇଲୁ ବିପରୀତ ଦିଗରେ । ଏ ଦିଗ ଚିତ୍ତାକର୍ଷକ । ଗଙ୍ଗା ତୀର ସ୍ପର୍ଶକରି ବିଶାଳ ହର୍ମ୍ୟଟିମାନ ବିଦ୍ୟମାନ । ଜଣେ ଜଣେ ମହାରାଜାଙ୍କଦ୍ଵାରା ନିର୍ମିତ । ସମୟର ପରିବର୍ତ୍ତିତ ଗତିରେ ସେଥିରୁ କେତୋଟିର ଅବସ୍ଥା ଶୋଚନୀୟ । ସବୁଠୁଁ ସୁଦୃଶ୍ୟ ହର୍ମ୍ୟର ଛାତ ଓ ବାରନ୍ଦାରେ ଝୁଲୁଛି ମଳିନ ବସ୍ତ୍ର, ଛିଣ୍ଡା କନ୍ଥା । ସେ ଅସଙ୍ଗତି ପ୍ରତି ମଙ୍ଗଧାରୀଙ୍କ ଦୃଷ୍ଟି ଆକର୍ଷଣ କରନ୍ତେ ସେ ବୁଝାଇଦେଲେ, “ଏ କୋଠା ଆଉ ରାଜପ୍ରାସାଦ ହୋଇ ନାହିଁ । ଗୋଟିଏ ଗୋଟିଏ ଅଂଶ ବା ବଖରା ଭିନ୍ନ ଭିନ୍ନ ଲୋକଙ୍କୁ ବିକ୍ରିହୋଇଯାଇଛି । କିଏ ନିଜେ ଅଛି, କିଏ ବା ଭଡ଼ାରେ ଲଗାଇଛି ।’’

 

ଆହୁରି ଏକ ଶ୍ମଶାନ ଘାଟ । ଏ ଘାଟରେ ଶବଦାହ ପାଇଁ ବିଦ୍ୟୁତ୍ ବୁଲା ପ୍ରବର୍ତ୍ତିତ ହୋଇଛି, କିନ୍ତୁ ଲୋକେ ପରମ୍ପରାଗତ ଦାହ ହିଁ ପସନ୍ଦ କରନ୍ତି ।

 

‘‘ଏ ଶ୍ମଶାନ ଘାଟର ଅନ୍ୟ କାମ କ’ଣ ଜାଣନ୍ତି ?’’ –ମଙ୍ଗଧାରୀ ପ୍ରଶ୍ନ କଲେ । ଉତ୍ତର ସେ ନିଜେ ଦେଲେ ଏବଂ ମୋତେ ଚମକାଇ ଦେଲେ, ‘‘ହରିଶ୍ଚନ୍ଦ୍ର ଘାଟ ।”

 

ଅତୀତର ଏକ ଅନ୍ଧକାର ରାତିରେ ରାଜା ହରିଶ୍ଚନ୍ଦ୍ର, ଶ୍ମଶାନସେବକ ଦାୟିତ୍ଵରେ ଥାଇ ତାଙ୍କ ରାଣୀଙ୍କଠୁଁ ନିଜ ମୃତପୁତ୍ରକୁ ଦାହ କରିବା ବାବଦରେ ଶୁଳ୍କ ଦାବି କରିଥିଲେ । ବିଶ୍ୱ-ସାହିତ୍ୟରେ ସେଭଳି ଦୁଃଖପୂର୍ଣ୍ଣ ନାଟକୀୟ ମୁହୂର୍ତ୍ତ ଆଉ ଦ୍ଵିତୀୟ ଅଛି କି ନା ସନ୍ଦେହ । ଏହି ଘାଟ-ସଂଲଗ୍ନ ଶ୍ମଶାନ ସେ ସ୍ମୃତି ବହନ କରୁଛି ।

 

ଦିବୋଦାସ, ହରିଶ୍ଚନ୍ଦ୍ର ଏମାନେ ଜଣେ ଜଣେ ଅନନ୍ୟ: କିନ୍ତୁ ମାନବତାର ପ୍ରତିନିଧିମୂଳକ ପରୀକ୍ଷାର୍ଥୀ । କଠୋର ପରୀକ୍ଷାରେ ଏମାନେ ଉତ୍ତୀର୍ଣ୍ଣ । ମାନବର ଚୈତ୍ୟସତ୍ତା କେତେ ସହନଶୀଳ, କେତେ ଶକ୍ତିମାନ ହୋଇପାରେ, ଏମାନେ ତା’ର ଅମର ଦୃଷ୍ଟାନ୍ତ ।

☆☆☆

 

(ଚାରି)

ସ୍ମୃତି ଓ ବିସ୍ମୃତିର ସାରନାଥ

 

ଜାତକ ସାହିତ୍ୟ ଅନ୍ତର୍ଭୁକ୍ତ ନ୍ୟଗ୍ରୋଧ ଜାତକର ଏକ କାହାଣୀ-ବର୍ଣ୍ଣିତ ଘଟଣା କେତେ ହଜାର ବର୍ଷ ତଳର ? କହିବା ସମ୍ଭବ ନୁହେଁ ।

 

ବାରାଣସୀ ନଗରୀର ଅଦୂରରେ ବୌଦ୍ଧତୀର୍ଥ ଭାବରେ ଯେଉଁ ସାରନାଥ ବିଶ୍ଵ-ବିଖ୍ୟାତ, ଏକଦା ତାହା ଥିଲା ଏକ ସୁଗମ ଅରଣ୍ୟ । ସୁଗମ–କାରଣ ମାରାତ୍ମକ ପ୍ରାଣୀମାନଙ୍କର ନିବାସ ନ ହୋଇ ସେ ଅରଣ୍ୟ ଥିଲା ହରିଣମାନଙ୍କର ଆଶ୍ରୟ ।

 

ଅରଣ୍ୟର ଅଦୂରରେ ଜଣେ ରାଜାଙ୍କର ପ୍ରାସାଦ । ରାଜାଙ୍କର ବୋଧହୁଏ ବିଶେଷ କାମଦାମ ନ ଥିଲା, ଅତଏବ ଦୈନିକ ପୂର୍ବାହ୍‍ଣରେ ସେ ମୃଗୟା କରିବାକୁ ଅରଣ୍ୟକୁ ଆସୁଥିଲେ । ସାଥିରେ ସୈନ୍ୟସାମନ୍ତ ସମେତ ଆସୁଥିଲେ ଶହ ଶହ ପ୍ରଜା । ପ୍ରଜାମାନେ ଅରଣ୍ୟର ଏକ ବ୍ୟାପକ ଅଂଶ ଘେରାଉ କରି ରାଜା ଓ ତାଙ୍କ ସୈନ୍ୟସାମନ୍ତ ଛକିରହିଥିବା ଅଞ୍ଚଳ ଆଡ଼କୁ ମୃଗମାନଙ୍କୁ ତଡ଼ିନେଇଯିବେ । ରାଜା ସ୍ୱୟଂ ଗୋଟାଏ ଯୋଡ଼ାଏ ମୃଗ ବଧ କରିବେ । ମୃଗମାଂସ ସକାଶେ ତାଙ୍କର ଲୋଭ ଅଦମ୍ୟ । ଅରଣ୍ୟର ଦ୍ଵାରଦେଶରେ ପଢ଼ିଥିବା ଖଣ୍ଡିଏ ମସୃଣ ଶିଳା ଉପରେ ମୃତ ମୃଗଟି କଟା ହେବା ମଧ୍ୟ ରାଜା ଦେଖିବେ ।

 

ଦିନେ ପ୍ରଜାବର୍ଗ-ରଚିତ-ବଳୟ ଭିତରେ ବନ୍ଦୀ ମୃଗ ସବୁଆଡ଼େ ଅନାଇ କାହା ଉପରକୁ ତୀର ପ୍ରୟୋଗ କରିବେ, ରାଜା ସେକ‌ଥା ଭାବୁଛନ୍ତି, ତାଙ୍କର ଦୃଷ୍ଟି ଗୋଟିଏ ମୃଗ ଉପରେ ଯାଇ ଅଟକିଗଲା । ତାହା ମୃଗଟିଏ ନା କୌଣସି ଅସାଧାରଣ ପ୍ରତିଭା-ସମ୍ପନ୍ନ ଶିଳ୍ପୀ ନିର୍ମିତ ଏକ ହିରଣ୍ମୟ ମୂର୍ତ୍ତି ? ଏଡ଼େ ଉଜ୍ଜ୍ଵଳ, ଏଡ଼େ ସୁଦର୍ଶନ, ଏଡ଼େ ପ୍ରଶାନ୍ତ କୌଣସି ବଣ୍ୟପ୍ରାଣୀ ହେବା ସମ୍ଭବ ?

 

ରାଜା ଧୀରେ ଧୀରେ ସେ ମୃଗଆଡ଼େ ଅଗ୍ରସର ହେଲେ । ମୃଗ ରହିଲା ଅବିଚଳିତ । ବିସ୍ମିତ ରାଜା ତାକୁ ପ୍ରଶ୍ନ କଲେ, ‘‘ତୁମେ କିଏ ?’’ କହିବା ବାହୁଲ୍ୟ, ତାକୁ ମୃଗ ବୋଲି ଜାଣୁଥିବା ସତ୍ତ୍ୱେ ପ୍ରଶ୍ନଟି ସ୍ୱତଃସ୍ଫୂର୍ତ୍ତ ଭାବରେ ଉଚ୍ଚାରିତହେଲା ।

 

–“ମହାରାଜ ! ମୁଁ ଏ ମୃଗଦଳର ହତଭାଗ୍ୟ ଦଳପତି ।”

 

–“ତମେ ହତଭାଗ୍ୟ କାହିଁକି ହେବ ? ଆଜିଠାରୁ ତୁମେ ମୋର ମିତ୍ର ।”

 

ପାତ୍ରମିତ୍ରଙ୍କ ଆଡ଼େ ଦୃଷ୍ଟିପାତ କରି ରାଜା ଅତଃପର କହିଲେ, “ଏ ଦଳପତିଙ୍କ ଦେହରେ ଯେପରି କସ୍ମିନ୍‌କାଳେ ଆଞ୍ଚ ନ ଆସେ !”

 

–‘‘ମହାରାଜ !’’ ମୃଗ ଦଳପତି କହିଲା, “ଆପଣଙ୍କର ଦୈନିକ ଲୋଡ଼ା ମାତ୍ର ଗୋଟିଏ ମୃଗ । ଆପଣ ଯେତେବେଳେ ତୀର ଉଦ୍ୟତ କରନ୍ତି, ସେତେବେଳେ ଭୀତ ମୃଗମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ାଦୌଡ଼ି କରି କ୍ଷତବିକ୍ଷତ ହୁଅନ୍ତି । ଜଣେ ଆଉ ଜଣକ ପଛରେ ଆତ୍ମଗୋପନ କରିବାକୁ ଉଦ୍ୟମ କରିବା ଫଳରେ ଶୃଙ୍ଗାଘାତରେ ପ୍ରତ୍ୟହ ଏକାଧିକ ମୃଗ ଆହତ ହୁଅନ୍ତି । ମୋର ପ୍ରସ୍ତାବ, ପ୍ରତିଦିନ ଗୋଟିଏ ଗୋଟିଏ ମୃଗ ଯାଇ ସେ ଶିଳା ଉପରେ ମୁଣ୍ଡ ରଖିବେ-। ଆପଣ ବା ଆପଣଙ୍କ କର୍ମଚାରୀ ସିଧାସଳଖ ତାକୁ ହାଣିପକାଇବେ । ଶିକାରଜନିତ କ୍ଳେଶରୁ ବି ଆପଣଙ୍କୁ ଛୁଟିମିଳିଯିବ ।’’

 

ଶିକାର ରାଜାଙ୍କ ପାଇଁ କ୍ଳେଶ ପରିବର୍ତ୍ତେ ଆମୋଦର ହେତୁ ଥିଲା, ମଣିଷ ମନର ଏ ବିଚିତ୍ର ତଥ୍ୟ ବା ନିରୀହ ମୃଗକୁ କାହିଁକି ଜ୍ଞାତ ଥିବ ! ରାଜା ହୁଏତ ଟିକିଏ ଦ୍ଵିଧାକଲେ; କିନ୍ତୁ ସେ ମହାମତି ମୃଗ ଆଖିରେ ନିଜ ଆଖି ପଡ଼ନ୍ତେ ତାଙ୍କ ପାଟିରୁ ବାହାରିଗଲା, “ବେଶ୍ ! ତାହାହିଁ ହେବ-।”

 

ଅରଣ୍ୟର ସେ ମୁଲକରେ ରାଜକୀୟ ଶିକାର ବନ୍ଦହେଲା । ବଦଳରେ ଘଟିଲା ପ୍ରତ୍ୟହ ଏକ ଅଭାବନୀୟ, କିନ୍ତୁ ଅଣନାଟକୀୟ ମୃଗବଧ । ରାଜାଙ୍କ ମଣୋହି-ସମ୍ପୃକ୍ତ ଜଣେ ଦୁଇଜଣ କର୍ମଚାରୀ ଖଡ୍‌ଗହସ୍ତେ ପାଷାଣ ଖଣ୍ଡିକ ପାଖରେ ଆସି ଅପେକ୍ଷା କରିବେ । ଅଦୂରରେ ସମବେତ ମୃଗଯୂଥଠୁଁ ବିଦାୟ ନେଇ ଗୋଟିଏ ମୃଗ ଧୀରେ ଧୀରେ ଆସି ସଜଳ ନୟନରେ ଥରେ ଅପେକ୍ଷମାଣ ଖଡ୍‍ଗଧାରୀଙ୍କୁ ଅନାଇ ଶିର ଅବନତ କରିବ ଏବଂ ପର ମୁହୂର୍ତ୍ତରେ ପ୍ରାଣ ଦେବ ।

 

କେଉଁ ରୀତିରେ ମୃଗମାନେ ପ୍ରତିଦିନର ବଳି ମନୋନୟନ କରୁଥିଲେ ଜଣାନାହିଁ । ଦିନେ ଗୋଟିଏ ମୃଗୁଣୀର ପାଳି ପଡ଼ିଲା । ସେ ଗୋଟିଏ ପରେ ଗୋଟିଏ ମୃଗକୁ ବିନୟଭରେ କହିଲା, ‘‘ମୁଁ ଅନ୍ତଃସତ୍ତ୍ଵା । ଆଜି ମୋ ବଦଳରେ ଆଉ କେହି ପ୍ରାଣ ଦେଉ । ମୋ ଶାବକ ଜନ୍ମ ହେବାର ଦୁଇ ମାସ ପରେ ମୁଁ ଯାଇ ବଳିପଡ଼ିବି ।”

 

ମୃଗୁଣୀ ଯେଉଁମାନଙ୍କ ଆଗରେ ଏ ଆବେଦନ କରୁଥିଲା, ସେ ସମସ୍ତଙ୍କର ବଳି ତାରିଖ ସ୍ଥିରୀକୃତ ହୋଇସାରିଥାଏ । ତଥାପି ଦିନକ ଆଗରୁ ମଧ୍ୟ କେହି ପ୍ରାଣତ୍ୟାଗ କରିବାକୁ ପ୍ରସ୍ତୁତ ନଥିଲେ ।

 

ଯୂଥପତି ହିରଣ୍ମୟ ହରିଣଙ୍କ କାନରେ ହଠାତ୍ ମୃଗୁଣୀର ଏ ଆକୁଳ ନିବେଦନ ପଡ଼ିଲା-। ସେ ବାହାରିଆସି କହିଲେ, “କନ୍ୟା ! ଚିନ୍ତା ନାହିଁ । ତୋ ସ୍ଥାନ ଆଜି ମୁଁ ନେବାକୁ ପ୍ରସ୍ତୁତ-।’’

 

ଅବିଳମ୍ବେ ସେ ଯାଇ ଶିଳା ପାଖରେ ପହଞ୍ଚିଲେ । ରାଜକର୍ମଚାରୀମାନେ କିନ୍ତୁ ତାଙ୍କୁ ବଧ କରିବାକୁ ସାହସ କଲେ ନାହିଁ । କଟୁଆଳଠୁଁ ମନ୍ତ୍ରୀ, ମନ୍ତ୍ରୀଙ୍କଠୁଁ ଯାଇ ଖବର ପହଞ୍ଚିଲା ରାଜାଙ୍କ ପାଖରେ ।

 

ରାଜା ଆସି ପହଞ୍ଚିଲେ ଘଟଣାସ୍ଥଳରେ । ହିରଣ୍ମୟ ମୃଗକୁ ଆଉଁସି ସେ ପ୍ରଶ୍ନ କଲେ, “ମିତ୍ର ! ତୁମର ଜୀବନ ନେବି, ମୁଁ କ’ଣ ଏଡ଼ିକି ଅଧମ ?”

 

–“ମହାରାଜ ! ମୁଁ କିନ୍ତୁ ନିଜକୁ ବଡ଼ ଅଧମ ମଣିବି, ଯଦି ଅନ୍ତଃସତ୍ତ୍ଵା ମୃଗୁଣୀଟିକୁ ରକ୍ଷାକରି ନ ପାରିବି ।” କହିଲା ଯୂଥପତି ।

 

–‘‘ଆଜି ମୋର ମୃଗମାଂସ ଲୋଡ଼ା ନାହିଁ । ମୃଗୁଣୀକୁ କେବେ ମଧ୍ୟ ଜୀବନ ଦେବାକୁ ପଡ଼ିବ ନାହିଁ ।’’ ରାଜା କହିଲେ ।

 

–‘‘ମହାରାଜ ! ଆପଣଙ୍କ ପ୍ରତି ମୁଁ କୃତଜ୍ଞ । କିନ୍ତୁ ତଥାପି ଅନୁରୋଧ କରୁଛି, ମୋର ପ୍ରାଣ ନିଅନ୍ତୁ ।” ଯୂଥପତି ଆବେଦନ କଲେ ।

 

–‘‘କାହିଁକି ?” ପ୍ରଶ୍ନ କଲେ ବିସ୍ମିତ ରାଜା ।

 

–“ମହାରାଜ ! ଆପଣ ମୋତେ ମିତ୍ର ବୋଲି ସମ୍ବୋଧନ କରି ଯେଉଁ ସମ୍ମାନ ଦେଇଛନ୍ତି, ସେ ସମ୍ମାନଜନକ ଆସନରେ ଥାଇ ମଧ୍ୟ ମୁଁ ମୋର ଅନୁଗତ ମୃଗମାନଙ୍କୁ ରକ୍ଷାକରି ପାରିବି ନାହିଁ । ପ୍ରତିଦିନ ଜଣ ଜଣ କରି ବଳିପଡ଼ୁଥିବାର ଦେଖୁଥିବି, ଏହାଠାରୁ ବଳି ଅଭିଶାପ କ’ଣ ହୋଇପାରେ ? ଏଭଳି ଅଭିଶପ୍ତ ଜୀବନର ଅବସାନ ଘଟାଇଲେହିଁ ଆପଣ ମୋର ପ୍ରକୃତ ମିତ୍ର ବୋଲି ଜାଣିବି ।’’

 

ହିରଣ୍ମୟ ମୃଗଙ୍କର ଏ ନିଷ୍କପଟ ବିବୃତିରେ ରାଜା କେତେକ ମୁହୂର୍ତ୍ତ ହତବାକ୍ ରହିଲେ । ତା’ପରେ ସେ କହିଲେ, “ମିତ୍ର ମୃଗରାଜ ! ତୁମର ପ୍ରାଣ ନେଇ ତୁମର ଯଥାର୍ଥ ମିତ୍ର ହେବା ଅପେକ୍ଷା ମହତ୍ତର ଅନ୍ୟ କୌଣସି ମାର୍ଗରେ କ’ଣ ମୁଁ ତାହା ହୋଇପାରିବି ନାହିଁ ? ଆଜିଠାରୁ ମୃଗବଧ ବନ୍ଦହେଲା । ବସ୍ତୁତଃ ମୃଗମାଂସ ପାଇଁ ମୋର ଆଉ ରୁଚି ନାହିଁ ।’’

 

–‘‘ଧନ୍ୟବାଦ ମହାରାଜ ! ତଥାପି ମୋର ହୃଦୟର ଉଦବେଳନ କମୁନାହିଁ । କାରଣ ଆପଣଙ୍କ ପାତ୍ରମିତ୍ର ଏ ଅରଣ୍ୟରେ ଅନ୍ୟାନ୍ୟ ପଶୁପକ୍ଷୀ ଶିକାର କରୁଥିବେ–ଏବଂ ସେ ବିକଳ ଦୃଶ୍ୟ ମୋତେ ଦେଖିବାକୁ ପଡ଼ୁଥ‌ିବ ।”

 

–“ହେ ମହାନ୍ ମିତ୍ର ! ଆଜିଠାରୁ ଶିକାର ନିଷିଦ୍ଧ ।”

 

ଭାରତର ଅନନ୍ୟ କିମ୍ବଦନ୍ତୀ-ପରମ୍ପରାର ଏହି ଅଜ୍ଞାତ ରାଜପୁରୁଷଙ୍କ ସିଦ୍ଧାନ୍ତ ଶୁଣି ସେଦିନର ଜନସାଧାରଣ ବିସ୍ମିତ ହୋଇଥିବେ, କିନ୍ତୁ ଏ କାହାଣୀର ଲିପିକାରମାନଙ୍କ ପାଇଁ ରାଜାଙ୍କ ଆଚରଣରେ କୌଣସି ଆକସ୍ମିକତା ବା ବିସ୍ମୟ ନଥିଲା । କାରଣ, ସେ ହିରଣ୍ମୟ ମୃଗ ଥିଲେ ବୋଧିସତ୍ତ୍ଵ–ଗୌତମବୁଦ୍ଧଙ୍କ ଆତ୍ମାର ଏକ ପୂର୍ବ ଅବତାର । ପ୍ରଥମ ଦର୍ଶନରୁ ହିଁ ରାଜା ନିଜ ଅଜ୍ଞାତସାରରେ ତାଙ୍କଦ୍ଵାରା ପ୍ରଭାବିତ ହେବାକୁ ଆରମ୍ଭ କରିଥିଲେ । ଅବଶେଷରେ ବର୍ଣ୍ଣିତ ଘଟଣାର ସୁଯୋଗ ନେଇ ତାଙ୍କ ଭାବାନ୍ତରର ସ୍ଫୁରଣ ଘଟିଲା ।

 

ଅବିରତ ମୃଦୁ ବାରିପାତ ଭିତରେ ଆମେ ଯାଇ ସେଦିନର ସେ ଅରଣ୍ୟ, ଆଜିର ସାରନାଥରେ ପହଞ୍ଚିବାବେଳକୁ ସୂର୍ଯ୍ୟ ଦେଖା ନ ଦେଲେ ବି ସଦ୍ୟସ୍ନାନ ସକାଳର ଆଲୋକ ବାତାବରଣକୁ କମନୀୟ କରିଥାଏ । ଘଟଣା-ବହୁଳ ଏ ସ୍ଥାନ । ଏକଦା ଅରଣ୍ୟ, ତା’ପରେ ଜନପଦ । ସାଧାରଣ ଜନପଦଟି ପୁଣି ଦିନେ ଅନନ୍ୟ ବୌଦ୍ଧତୀର୍ଥରେ ପରିଣତ ହେଲା । ଅନନ୍ୟ–କାରଣ ଗୌତମବୁଦ୍ଧ ଏହିଠାରେ ପ୍ରଥମେ ତାଙ୍କ ବାଣୀ ପ୍ରଦାନ କରିଥିଲେ ।

 

ସେ ଆଉ ଏକ ଅଭାବନୀୟ ଦୃଶ୍ୟ ହୋଇଥିବ ନିଶ୍ଚୟ । ନିକାଞ୍ଚନରେ, ଗୟା ନିକଟବର୍ତ୍ତୀ ଅଶ୍ୱତ୍‌ଥ ବୃକ୍ଷ ତଳେ ଗୌତମ ତପସ୍ୟାରତ ଥିବାବେଳେ ତାଙ୍କ ସିଦ୍ଧି ଅବଶ୍ୟମ୍ଭାବୀ ଏବଂ ସେ ସିଦ୍ଧିର ଆଲୋକରେ ସେମାନେ ବି ଆଲୋକିତ ହେବେ, ଏହି ଆଶାରେ ପାଞ୍ଚଜଣ ସାଧୁ ତାଙ୍କୁ ଜଗିରହୁଥିଲେ ଓ ତାଙ୍କ ସେବା ପାଇଁ ପ୍ରସ୍ତୁତ ଥିଲେ । ଗୌତମଙ୍କର ଅବଶ୍ୟ କୌଣସି ପରିଚର୍ଯ୍ୟାର ପ୍ରୟୋଜନ ନଥିଲା । ତେବେ କୌଣ୍ଡିନ୍ୟ, ଭଦ୍ରକ, ଅଶ୍ୱଜିତ୍, ମହାନାମ ଏବଂ ବାସବ ନାମଧେୟ ସେ ପଞ୍ଚସାଧୁ ଗୌତମଙ୍କ ଚିତ୍ତରେ ସ୍ନେହଭାବର ଉଦ୍ରେକ କରିଥିଲେ ନିଶ୍ଚୟ । କିନ୍ତୁ ଯେତେବେଳେ ଗୌତମ ହୃଦୟଙ୍ଗମ କଲେ ଯେ ଶରୀରକୁ କ୍ଳେଶ ନ ଦେଇ, ପ୍ରୟୋଜନୀୟ ଖାଦ୍ୟ ଗ୍ରହଣ କରି ତାକୁ ସାଧନାର ମାଧ୍ୟମ କରିବା ଶ୍ରେୟ ଏବଂ ଯେତେବେଳେ ଅଦୂର ପଲ୍ଲୀର ଜନୈକା ବିବେକୀ ମହିଳା ପରିବେଷିତ ସୁଖାଦ୍ୟ ତପସ୍ଵୀ ଗୌତମ ସାଦରେ ଗ୍ରହଣକଲେ, ସେତେବେଳେ ସାମାନ୍ୟ ଧ୍ୟାନଧାରଣାର ତରାଜୁରେ ଅସାମାନ୍ୟକୁ ତଉଲିବାର ଚିରାଚରିତ ଅଭ୍ୟାସ ଅନୁସାରେ ପଞ୍ଚସାଧୁ ସିଦ୍ଧାନ୍ତ କଲେ ଯେ ଗୌତମ ଯୋଗଭ୍ରଷ୍ଟ ହେଲେଣି । ସୁଖାଦ୍ୟ ଭୋଜନ କରି, ନଦୀ ସରୋବରରେ ସ୍ନାନକରି, କେହି ସତ୍ୟର ସନ୍ଧାନ ପାଇପାରେ ?

 

ପଞ୍ଚସାଧୁ ଅବଶ୍ୟ ଗୌତମଙ୍କ ସହ ଯୁକ୍ତିତର୍କ କଲେ ନାହିଁ । ସେ ସଦ୍‌ବୁଦ୍ଧି ସେମାନଙ୍କର ଥିଲା । ପଥଭ୍ରଷ୍ଟ ଗୌତମଙ୍କୁ ବିପଥରେ ଯିବାକୁ ଛାଡ଼ିଦେଇ ସେମାନେ ବାରାଣସୀ ଉପକଣ୍ଠକୁ ପଳାଇ ଆସିଲେ ।

 

ଗୌତମ କିନ୍ତୁ ବୁଦ୍ଧତ୍ୱ ପ୍ରାପ୍ତ କରିବା ସଙ୍ଗେ ଯେତେବେଳେ ତାଙ୍କ ଉପଲବ୍‌ଧ ସତ୍ୟଦ୍ଵାରା ଜିଜ୍ଞାସୁମାନଙ୍କୁ ସଚେତନ କରିବାର ପ୍ରେରଣା ଅନୁଭବ କଲେ, ସେତେବେଳେ ସେ ପ୍ରଥମେ ଏକଦା ଅନୁଗତ ଏହି ପଞ୍ଚସାଧୁଙ୍କୁ ସ୍ମରଣକଲେ ।

 

ହୁଏତ ନିଜର ଅନ୍ତର୍ବୋଧଦ୍ୱାରା ପରିଚାଳିତ ହୋଇ ସେ ଚାଲି ଚାଲି ଆସି ସାରନାଥରେ ପହଞ୍ଚିଲେ । ଏ ସ୍ଥାନ ସେତେବେଳେ ଏକ ସର୍ବସାଧାରଣ ଉଦ୍ୟାନ ତଥା ପଥିକମାନଙ୍କର ବିଶ୍ରାମସ୍ଥଳ। ସରୋବର ସମେତ ସେଠାରେ ଥିଲା କେତୋଟି ପାନ୍ଥଶାଳା ।

 

ପଞ୍ଚସାଧୁ ସରୋବର କୂଳରେ ବସିଥିଲେ । ଜଣେ ଚମକିପଡ଼ି କହିଲେ ‘‘ଦେଖ, ଦେଖ, ଆମଆଡ଼େ ଆସୁଛି ସେ କିଏ ?’’

 

ପାଞ୍ଚଜଣଯାକ ଯଥା-ସତର୍କ ଦୃଷ୍ଟିପାତକଲେ । ସନ୍ଦେହ ରହିଲା ନାହିଁ । ସନ୍ନ୍ୟାସୀ ଗୌତମହିଁ ଆସୁଛନ୍ତି ।

 

ତାଙ୍କୁ କିଛି ନ କହି ପଳାଇଆସିଥିବା ଯୋଗୁ ପାଞ୍ଚଜଣଯାକ ଗ୍ଳାନି-ପୀଡ଼ିତ ଥିଲେ । ଗୌତମଙ୍କ ସହ ମୁହାଁମୁହିଁ ନ ହେବା ହିଁ ସୁବିଧାଜନକ । ସେମାନେ ତରତରରେ ଉଠିପଡ଼ିଲେ । କିନ୍ତୁ ଚାଲିବାକୁ ଆରମ୍ଭ କରିବା ପୂର୍ବରୁ ଆଉଥରେ ଅସତର୍କ ଭାବରେ, ଆଗନ୍ତୁକଙ୍କ ଆଡ଼େ ଦୃଷ୍ଟିପାତକଲେ ।

 

ଦୃଷ୍ଟି କିନ୍ତୁ ଆଉ ଫେରାଇ ଆଣିପାରିଲେ ନାହିଁ । ପାଦ ବି ଆଗକୁ ଚଳିଲା ନାହିଁ । ସ୍ମିତହସଶୋଭିତ ବୁଦ୍ଧ ନିକଟତର ହୋଇଆସିଲେ । ଯନ୍ତ୍ରଚାଳିତବତ୍ ପାଞ୍ଚଜଣଯାକ ସାଧୁ ତାଙ୍କୁ ପ୍ରଣିପାତ କଲେ ।

 

ପ୍ରଶାନ୍ତ ବୁଦ୍ଧ ସେମାନଙ୍କୁ ଆଲିଙ୍ଗନ କରି ସେଇଠି ବସିପଡ଼ିଲେ । ଆଗରେ ବସିଲେ ପଞ୍ଚସାଧୁ–ତାଙ୍କର ପ୍ରଥମ କିସ୍ତିର ଶିଷ୍ୟବର୍ଗ–ପୃଥିବୀର ପାଞ୍ଚଜଣ ବୌଦ୍ଧ ।

 

ଏହାର କେଇଦିନ ପରେ ଉଦ୍‌ଭ୍ରାନ୍ତ-ପ୍ରାୟ ଦିଶୁଥିବା ଜଣେ ଯୁବକ କ୍ଷିପ୍ରଗତିରେ ଉଦ୍ୟାନ ଅତିକ୍ରମ କରୁଥିବାବେଳେ ବୁଦ୍ଧଙ୍କୁ ଦେଖିପକାଇ ଅଟକିଗଲେ ।

 

–‘‘ଗତି କୁଆଡ଼େ ?’’ ବୁଦ୍ଧ ପ୍ରଶ୍ନ କଲେ ।

 

–“ହେ ମହାମତି ! ମୁଁ ସେହି ପ୍ରଶ୍ନର ଉତ୍ତର ଲୋଡ଼ୁଛି । ମୋର ଗତି କୁଆଡ଼େ ? ଆଉ ସମସ୍ତଙ୍କର ଗତି ବା କୁଆଡ଼େ ? ଆଜି ମଧ୍ୟରାତ୍ରିରେ ଚେଇଁଉଠି ମୋ ଘରର ଚାରିଆଡ଼େ ଅନାଇ ଦେଖିଲି, ସମସ୍ତେ ମୃତପ୍ରାୟ ପଡ଼ିଛନ୍ତି । ପ୍ରଭାତ ହେଲା । ସମସ୍ତେ ଉଠିପଡ଼ି କାମରେ ଲାଗିଗଲେ-। ପୁଣି ଯେତେବେଳେ ରାତି ହେବ ସମସ୍ତେ ପୁନର୍ବାର ମୃତପ୍ରାୟ ପଡ଼ିଯିବେ ବିଛଣାରେ-। ପୁଣି ପ୍ରଭାତ ହେବ, ପୁଣି ସମସ୍ତେ କାମରେ ଲାଗିବେ । ଏହାର ଅର୍ଥ କ’ଣ ?”

 

–ଯୁବକ !! ଯାହା ମନରେ ଏ ପ୍ରଶ୍ନ ଉଠିନାହିଁ, ତା’ପାଇଁ ଏସବୁର ଅର୍ଥ ଯାହା ହେଉନା କାହିଁକି, ରହିଛି । ତମ ମନରେ ଯେତେବେଳେ ଏ ପ୍ରଶ୍ନ ଉଠିଛି, ସେତେବେଳେ ମୋର ଉତ୍ତର ଶୁଣ–ଏସବୁର କିଛି ଅର୍ଥ ନାହିଁ । ଆଶା-ଆକାଂକ୍ଷା ଚାଳିତ ମଣିଷ କର୍ମ କରେ । କର୍ମର ବନ୍ଧନରେ ତାକୁ ବାରମ୍ବାର ଜନ୍ମ ନେବାକୁ ହୁଏ । ଆଶାର ବିନାଶରେ ହିଁ ଏ ଅର୍ଥହୀନ ଜନ୍ମମୃତ୍ୟୁ ପ୍ରବାହର ସମାପ୍ତି ।” –କହିଲେ ବୁଦ୍ଧ ।

 

–‘‘ଆଶାର ବିନାଶ ? ତାହା ସମ୍ଭବ ?”

 

–“ସମ୍ଭବ । ସେପାଇଁ ଲୋଡ଼ା ସାଧନା ଓ ଶୃଙ୍ଖଳା । ତମେ ଚାହିଁଲେ ସେ ପଦ୍ଧତି ମୁଁ ତୁମକୁ ଶିଖାଇବାକୁ ପ୍ରସ୍ତୁତ ।’’

 

ଯଶନାମଧାରୀ ସେ ଯୁବକ ବୁଦ୍ଧଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ତାଙ୍କ ସନ୍ଧାନରେ ପରଦିନ ସେଠି ଆସି ପହଞ୍ଚିଲେ ତାଙ୍କ ପିତା–ଜଣେ ଧନୀ ବଣିକ । ସେତେବେଳେ ବୁଦ୍ଧ ଶିଷ୍ୟମାନଙ୍କୁ କିଛି ବୁଝାଉଥାନ୍ତି । ତାଙ୍କୁ ଲାଗିକରି ବସିଥାନ୍ତି ଯଶ । କିନ୍ତୁ କିମ୍ବଦନ୍ତୀ କହେ, ବଣିକ ନିଜ ପୁତ୍ରକୁ ଦେଖିପାରିଲେ ନାହିଁ । କାରଣ, ବୁଦ୍ଧଙ୍କ ଉପରେ ଆଖି ପଡ଼ିବାମାତ୍ରେ ସେ ନିର୍ନିମେଷ ତାଙ୍କୁହିଁ ଅନାଇରହିଲେ । ବୁଦ୍ଧଙ୍କର ଭାଷଣ ଶେଷ ହୁଅନ୍ତେ ବଣିକ ତାଙ୍କୁ ପ୍ରଣାମକଲେ, ପରେ ପରେ ତାଙ୍କ ଶିଷ୍ୟତ୍ୱ ଗ୍ରହଣକଲେ ।

 

କେଇଦିନ ପରେ, ଦିନେ ପାର୍ଶ୍ଵବର୍ତ୍ତୀ ଜନପଦରୁ ବୁଦ୍ଧ ଉଦ୍ୟାନ ଭିତରକୁ ଲେଉଟିଆସୁଛନ୍ତି, ଉଦ୍ୟାନ ଭିତରୁ ଅଣନିଃଶ୍ୱାସୀ ହୋଇ ନିର୍ଗତ ହେଉଥିବା କେତେଜଣ ତରୁଣଙ୍କ ସହ ସେ ମୁହାଁମୁହିଁ ହୋଇଗଲେ ।

 

–‘‘କୁଆଡ଼େ ଦୌଡ଼ୁଛ ?” ବୁଦ୍ଧ ପଚାରିଲେ ।

 

–‘‘ଆମେ ସରୋବର କୂଳରେ ଭୋଜି କରି ଶୋଇପଡ଼ିଥିଲୁ । ଆମକୁ ଆନନ୍ଦ ଦେବାପାଇଁ ଜଣେ ନର୍ତ୍ତକୀକୁ ଆଣିଥିଲୁ । ସେ ଆମ ସମ୍ପଦତକ ଧରି ପଳାଇଯାଇଛି । ତାକୁ ଧରି ହୃତସମ୍ପଦ ଉଦ୍ଧାର କରିବାକୁ ଆମେ ବ୍ୟଗ୍ର ।’’

 

–‘‘କିନ୍ତୁ ତମ ସମ୍ପଦ ତ ଚୋରିହୋଇନାହିଁ !’’

 

–‘‘ମାନେ ?”

 

–‘‘ମାନେ, ତମ ସମ୍ପଦ ତମଠି ଥିବାର ମୁଁ ଦେଖିପାରୁଛି ।”

 

ତରୁଣମାନେ ନିଜ ନିଜ ଉପରେ ଆଖି ବୁଲାଇ ଆଣିଲେ । ବୁଦ୍ଧ ଥଟ୍ଟା କରୁଛନ୍ତି, ଏକଥା ଭାବିବାର ପ୍ରଶ୍ନ ନ ଥିଲା । ସେମାନେ ଅବାକ୍ ଢଙ୍ଗରେ ଅନାଇଲେ ।

 

–“ତୁମ ସମ୍ପଦ ତୁମ ନିଜ ଭିତରେ । ତାକୁ କେହି ଚୋରି କରି ନେଇଯାଇ ପାରେନା । ଶୁଣ, ତୁମ ଆଗରେ ବର୍ତ୍ତମାନ ଦୁଇଟି ପଥ । ହୁଏତ ତୁମେ ସେ ନର୍ତ୍ତକୀକୁ ଧରିବା ପାଇଁ ଦୌଡ଼ିବ; କିମ୍ବା ନିଜ ଭିତରେ ଲୁକ୍‌କାୟିତ ସମ୍ପଦର ସନ୍ଧାନ ପାଇଁ ମୋତେ ଅନୁସରଣ କରିବ ।” –ଏତକ କହି ବୁଦ୍ଧ ଉଦ୍ୟାନ ଭିତରେ ତାଙ୍କ ଡେରା ଅଭିମୁଖେ ଚାଲିବାକୁ ଆରମ୍ଭ କଲେ । ମନ୍ତ୍ରମୁଗ୍‌ଧ ଭଳି ତରୁଣମାନେ ତାଙ୍କୁ ଅନୁସରଣ କଲେ ।

 

ଯେଉଁଠାରେ ବୁଦ୍ଧଦେବ ତାଙ୍କ ପ୍ରଥମ ଶିଷ୍ୟବର୍ଗଙ୍କୁ ଉପଦେଶ ଦେଇଥିଲେ, ପରମ୍ପରା-ଚିହ୍ନିତ ସେହି ସ୍ଥାନରେ ସମ୍ରାଟ ଅଶୋକ ଏକ ବିରାଟ ସ୍ତୂପ ନିର୍ମାଣ କରିଥିଲେ । ଆଜି ତାକୁ ଧାମେକ୍ ସ୍ତୂପ ବୋଲି କୁହାଯାଏ । ସମ୍ଭବତଃ ‘ଧର୍ମରାଜିକ’ରୁ ଧାମେକ୍ । ଅବଶ୍ୟ ଅଶୋକ-ନିର୍ମିତ ସ୍ତୂପର ଅବଶେଷ ଉପରେ ପରବର୍ତ୍ତୀ (ଏକାଦଶ ଶତାବ୍ଦୀ) କାଳରେ ସ୍ତୂପ ପୁନଃନିର୍ମିତ ହୋଇଛି । ପଞ୍ଚମ ଶତାବ୍ଦୀରେ ଫାହିଆନ୍ ଓ ସପ୍ତମ ଶତାବ୍ଦୀରେ ହୁଏନ୍‌ସାଂ ସାରନାଥ ଭ୍ରମଣ କରି ଯେଉଁ ବିବରଣୀ ରଖିଯାଛନ୍ତି, ଆଜିର ଭଗ୍ନାବଶେଷ ଭିତରେ ସେସବୁ ଚିହ୍ନିବା ବିଶେଷଜ୍ଞ ବିନା ଆଉ କାହା ପକ୍ଷରେ ସମ୍ଭବ ନୁହେଁ । ବାରମ୍ବାର ବିଦେଶୀ ଆକ୍ରମଣକାରୀମାନେ ଏ କ୍ଷେତ୍ର ଧ୍ଵଂସ କରିଛନ୍ତି । ଦେଶୀ-ଲୁଣ୍ଠନକାରୀମାନଙ୍କ ଅବଦାନ ବି କମ୍ ନୁହେଁ । ବାରାଣସୀର ଜଗତ୍‌ସିଂହ ନାମକ ଧନିକ ସାରନାଥରୁ ଅମାପ ଶିଳା ନେଇଯାଇ ସାଧାରଣ କୋଠାଘରମାନ ବନାଉଥିଲା । ଜଣେ ଐତିହାସିକ ଲେଖିଛନ୍ତି, “ଜଗତ୍‌ସିଂହର କୁକର୍ମକୁ ଅମରତ୍ୱ ପ୍ରଦାନ କରିବା ନିମନ୍ତେ ସେ ନିର୍ମୂଳ କରିଥିବା ଗୋଟିଏ ସ୍ତୂପର ଅବଶେଷକୁ ଜନସାଧାରଣ ‘ଜଗତ୍‌ସିଂହ ସ୍ତୂପ’ ବୋଲି କହନ୍ତି !”

 

ଯେଉଁଠି ବୁଦ୍ଧ ପ୍ରଥମେ ପଞ୍ଚସାଧୁଙ୍କୁ ଭେଟିଥିଲେ, ଯେଉଁଠି ବର୍ଷାଦିନେ ସେ ଆଶ୍ରୟ ନେଉଥିଲେ, ସେ ସମସ୍ତ ସ୍ଥାନ ଚିହ୍ନିତ ହୋଇଥିଲା ସୁନ୍ଦର ଶିଳ୍ପ-ମଣ୍ଡିତ ସ୍ମାରକୀ-ଗୃହ ଦ୍ଵାରା । ସେସବୁର ଅଦୂରରେ ଥିଲା ଶ୍ରମଣମାନଙ୍କ ପାଇଁ ବିରାଟ ଆଶ୍ରୟଶାଳା । ସବୁ କାଳକ୍ରମେ ନିଶ୍ଚିହ୍ନ ଅଥବା ଚିହ୍ନସର୍ବସ୍ଵ ମାତ୍ର ।

 

ଆମ ସାଧାରଣତନ୍ତ୍ରର ପ୍ରତୀକ ସିଂହ-ଚକ୍ର (ଅଶୋକଚକ୍ର) ଏଇଠାରେ ପ୍ରତିଷ୍ଠିତ ହୋଇଥିଲା । ସ୍ଥାନୀୟ ଯାଦୁଘରେ ବିକ୍ଷତ ଅବସ୍ଥାରେ ତାହା ସୁରକ୍ଷିତ । ଏ ଅପୂର୍ବ ଭାସ୍କର୍ଯ୍ୟକୁ ଯେ କିଏ, କାହିଁକି ଓ କିପରି ବିକଳାଙ୍ଗ କଲା, ସେସବୁ ବଡ଼ ବେଦନାଦାୟକ ପ୍ରଶ୍ନ ।

 

ବାରାଣସୀରୁ ଯାଉଥିଲି ଦିଲ୍ଲୀ । ମୋ ଡବାରେ ଥିଲେ ଦୁଇଜଣ ୟୁରୋପୀୟ ପର୍ଯ୍ୟଟକ ଓ ସେମାନଙ୍କର ଜଣେ ଭାରତୀୟ ବନ୍ଧୁ । ଭଙ୍ଗା ଇଂରାଜୀରେ ଦୁଇ ୟୁରୋପୀୟ ପ୍ରଶ୍ନ କରୁଥିଲେ, ‘‘ଯେଉଁ ଭାରତରେ ବୌଦ୍ଧବାଦର ଜନ୍ମ ଓ ବିକାଶ, ସେଠାରୁ ତାହା ଲୁପ୍ତ ହେଲା କିପରି ?”

 

ଅନର୍ଗଳ ଇଂରାଜୀରେ ଭାରତୀୟ ବନ୍ଧୁ ଉତ୍ତର ଦେଉଥିଲେ । ସାରନାଥର ଭଗ୍ନ ବୌଦ୍ଧକୀର୍ତ୍ତି ସବୁ ଦେଖି ମନ ଯେତିକି ବିଷଣ୍ଣ ଲାଗିଥିଲା, ଭଦ୍ରଲୋକଙ୍କ କୈଫିୟତରେ ତାହା ଦ୍ଵିଗୁଣ ହେଲା । ତାଙ୍କ ବକ୍ତବ୍ୟର ମର୍ମ : ‘‘ହିନ୍ଦୁମାନେ ବୌଦ୍ଧମାନଙ୍କୁ ଏମିତି କଲବଲ କଲେ ଯେ ସେମାନେ ସେମାନଙ୍କ ଧର୍ମ ଭୁଲିଗଲେ । ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଧରି ଝିଙ୍କି ଝିଙ୍କି ଗାଁଗହଳ ସହର ନଗରରୁ ନିକାଲିଦେଲେ–ପିଟି ପିଟି ବେଦମ୍ କରି ।”

 

ମୋ ବିରକ୍ତି ଏକ ହସର ଅଭିବ୍ୟକ୍ତି ନେଲା । ଭଦ୍ରଲୋକ ମନେକଲେ ମୁଁ ତାଙ୍କ ଚିତ୍ରକଳ୍ପ ପ୍ରୟୋଗରେ ଚମତ୍କୃତ । ମୋ ଆଡ଼େ ଅନାଇ ସେ ବି ମଧୁର ଭାବରେ ହସି ସମର୍ଥନ ଆଦାୟ କରିବା ପାଇଁ କହିଲେ, “ଠିକ୍ ନୁହେଁ ?”

 

ମୁଁ କହିଲି, “ଆପଣ ଏଡ଼େ ଜୀବନ୍ତ ଭାବରେ ଆପଣଙ୍କ ଐତିହାସିକ ବ୍ୟାଖ୍ୟା ପରିବେଷଣ କରୁଛନ୍ତି, ମୋର ମନେହେଲା ଯେଉଁ ବ୍ରାହ୍ମଣଟି ଜଣେ ବୌଦ୍ଧର ଚୁଟିଧରି ଭିଡ଼ିନେଇଗଲା ଆପଣ ତାହାରି ଅବତାର । ଅନ୍ତତଃ ଏକ ପୂର୍ବଜନ୍ମରେ ଆପଣ ସେ ଦୃଶ୍ୟର ସାକ୍ଷୀ ଥିଲେ ।”

 

ସେ ଆପ୍ୟାୟିତ ଭାବରେ କହିଲେ, ‘‘ମୁଁ ଅବଶ୍ୟ ଇତିହାସ ଅଧ୍ୟାପକ ନୁହେଁ, ତେବେ ଇତିହାସ ପ୍ରତି ମୋର ଆକର୍ଷଣ ତୀବ୍ର । ବହୁତ ପଢ଼ିଛି ।”

 

–“ନିଶ୍ଚୟ ପଢ଼ିଛନ୍ତି ।’’ ତା’ପରେ ଟିକିଏ ନିର୍ଦ୍ଦୟ ହୋଇ କହିଲି–ୟୁରୋପୀୟମାନେ ଯେମିତି ଶୁଣିନପାରିବେ ସେମିତି ନିମ୍ନ କଣ୍ଠରେ, ‘‘ତେବେ, ବିଚରା ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଅଣ୍ଡାଳିବାକୁ ଯାଇ ବିଷମ ସମସ୍ୟାର ସମ୍ମୁଖୀନ ହୋଇଥିବେ । କାରଣ, ବୌଦ୍ଧମାନେ ମସ୍ତକ ମୁଣ୍ଡନ କରୁଥିଲେ ।”

 

ଭଦ୍ରଲୋକ ବଡ଼ ଉଦାର । ସେ ଏହାକୁ ବ୍ୟଙ୍ଗ ଭାବରେ ଗ୍ରହଣ ନକରି ମୋ ସହ କରମର୍ଦ୍ଦନକଲେ ।

 

ଅଧଘଣ୍ଟାଏ ପରେ କିନ୍ତୁ ୟୁରୋପୀୟଙ୍କ ଭିତରୁ କମ୍ ବୟସ୍କ ଜଣକ ମୋତେ ପ୍ରଶ୍ନ କଲେ, ‘‘ମୋର ଧାରଣା ଭାରତରୁ ବୌଦ୍ଧବାଦର ବିଲୋପ ସମ୍ପର୍କରେ ଆପଣଙ୍କର କିଛି ମତ ଅଛି-। ଆମକୁ କହିବେ ନାହିଁ ?’’

 

“ଏ ପ୍ରଶ୍ନ ଉପରେ ବାସ୍ତବିକ ମୁଁ ଚର୍ଚ୍ଚା କରିନାହିଁ । ମୋର ଯାହା ମନେହୁଏ, ବୌଦ୍ଧଧର୍ମ ଭାରତରୁ ଲୁପ୍ତ ହୋଇନାହିଁ । ଯାହାକୁ ହିନ୍ଦୁଧର୍ମ ବୋଲି କୁହାଯାଏ, ବୌଦ୍ଧଧର୍ମ ତାହାର ଅଙ୍ଗୀଭୂତ ହୋଇଗଲା । ହିନ୍ଦୁଧର୍ମର ବ୍ୟାପକ ପରିସର ଭିତରେ ବହୁ ମତ, ବହୁ ପଥର ଅବସ୍ଥାନ-ସହାବସ୍ଥାନ ଘଟିଛି । ନିର୍ବାଣ ମାର୍ଗ ହିନ୍ଦୁଧର୍ମର ଅନ୍ୟତମ ଧାରା । ଯେତେବେଳେ ଶଙ୍କରାଚାର୍ଯ୍ୟ ଅନୁରୂପ ଆଭିମୁଖ୍ୟର ପ୍ରସାର କଲେ, ସେତେବେଳେ ବୌଦ୍ଧବାଦର ସ୍ଵାତନ୍ତ୍ର୍ୟ ବହୁ ପରିମାଣରେ ହ୍ରାସ ହେଲା । ହିନ୍ଦୁମାନେ ବୁଦ୍ଧଙ୍କୁ ବିଷ୍ଣୁଙ୍କର ଅବତାର ରୂପେ ମାନ୍ୟକରି ବୌଦ୍ଧଦର୍ଶନକୁ ସ୍ୱୀକୃତି ଦେଲେ-। ଏସବୁ ଐତିହାସିକ କାରଣ । ତା’ଛଡ଼ା ଗୂଢ଼ କାରଣ ମଧ୍ୟ ରହିଛି ।”

 

–“ତାହା କ’ଣ ?” ଦୂର ପର୍ଯ୍ୟଟକ ମୋର ଶେଷ ମନ୍ତବ୍ୟକୁ ଏମିତି ସଂକ୍ଷିପ୍ତ ରହିବାକୁ ଦେଲେନାହିଁ ।

 

–“ସେ କାରଣ ଅତି ମହତ୍ । କର୍ମଜନିତ ଦୁଃଖ, ଜୀବନ-ଯନ୍ତ୍ରଣା । –ଏଥିରୁ ମୁକ୍ତି ଲୋଡ଼ି ନିର୍ବାଣ ପାଇଁ ବ୍ୟାକୁଳତା–ଏସବୁର ସତ୍ୟତା ଅବିସମ୍ବାଦିତ । କିନ୍ତୁ ସମଗ୍ର ସତ୍ୟ ଏହା ନୁହେଁ । ସୃଷ୍ଟି ଯେତେ ଅସତ୍ୟ ମନେହେଲେ ବି ଏହାର ଆଧାର ସତ୍ୟ । ଜୀବନ ଯେତେ ଯନ୍ତ୍ରଣାଜର୍ଜର ହେଲେ ବି ତା’ର ଆଧାର ଆନନ୍ଦ । ଏହି ପୂର୍ଣ୍ଣ ସତ୍ୟ ଉପରେ ବୈଦିକ ପରମ୍ପରା ପ୍ରତିଷ୍ଠିତ । ସେ ସତ୍ୟ ବାରମ୍ବାର ଆମ ଚେତନାକୁ ପ୍ରତ୍ୟାବର୍ତ୍ତନ କରିବହିଁ କରିବ ।’’

 

ଭାରତୀୟ ସହଚର ବୁଝିଲେ କି ନାହିଁ ଜାଣେନା; ବିଦେଶୀ ଦୁଇଜଣ ବୁଝିବା ଭଳି ମନେହେଲା ।

 

ଭାରତରୁ ବୌଦ୍ଧଧର୍ମର ବିଲୁପ୍ତି କିପରି ହେଲା ବୋଲି ଯେତେ ପ୍ରଶ୍ନ ହୁଏ, ବୌଦ୍ଧବାଦୀ ବୋଲାଉଥିବା ଦେଶମାନଙ୍କରେ ବୁଦ୍ଧଦେବଙ୍କ ବାଣୀ କେଉଁଭାବରେ ବା କେତେମାତ୍ରାରେ ଅନୁସୃତ, ସେ ପ୍ରଶ୍ନ ସେତେ ଶୁଣିବାକୁ ମିଳେନାହିଁ । ବୌଦ୍ଧ ଦେଶ ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍କୋକ୍‍ର ପୁରୁଣା ରାଜପ୍ରାସାଦ ପରିସର ଭିତରେ ଅବସ୍ଥିତ ପୃଥିବୀର ସବୁଠୁଁ ମୂଲ୍ୟବାନ୍, ବୈଡୁର୍ଯ୍ୟ-ନିର୍ମିତ ବୁଦ୍ଧମୂର୍ତ୍ତି–ବହୁପୂଜିତ, ବହୁବିଖ୍ୟାତ । ସେ ପ୍ରତିମା ଆଗରେ ଭକ୍ତମାନେ ପରଷିଥିବା ପୂଜାର୍ଘ୍ୟ ଭିତରେ ଯାହା ଦେଖିଥିଲି, ତାହା ବାସ୍ତବ ବୋଲି ବିଶ୍ଵାସ କରିବାକୁ ସମୟ ଲାଗିଥିଲା : କୁକୁଡ଼ା ଓ ଆଉ ଗୋଟିଏ ଯୋଡ଼ିଏ ବଳି !

 

ସାରନାଥଠାରେ ବି ଲକ୍ଷ୍ୟକରିଥିଲି ଆଉ ଏକ ବିଡ଼ମ୍ବନା : ଯେଉଁ ବୁଦ୍ଧ ଜୀବନର ନଶ୍ଵରତା ଓ ଖ୍ୟାତିର ଅସାରତା ଉପରେ ଏତେ ତତ୍ତ୍ଵ ପରିବେଷଣ କଲେ, ସେହି ବୁଦ୍ଧଙ୍କ ଦେହାବଶେଷ-ସମ୍ବଳିତ ମନ୍ଦିର (ମହାବୋଧି ସମିତି) ନିର୍ମାଣ ପାଇଁ କିଏ କେତେ ଟଙ୍କା ଦେଇଛି, ଆଖିକୁ କର୍କଶ ଦିଶୁଥ‌ିବା ସେ ତାଲିକା ଶଙ୍ଖମଲମଲ ପଥରରେ ଖୋଦାଇହୋଇ ମନ୍ଦିରର ଦ୍ଵାରଦେଶରେ ଆପଣଙ୍କ ସମ୍ଭ୍ରମ ଉଦ୍ରେକ କରିବା ମାନସରେ ପ୍ରଦର୍ଶିତ ।

☆☆☆

 

(ପାଞ୍ଚ)

ଦେବତାତ୍ମା ହିମାଳୟ

 

ହିମାଳୟର ଭୌଗୋଳିକ ସଂଜ୍ଞା ଯାହାହେଉ ନା କାହିଁକି, ତା’ର ସଂଜ୍ଞା ନିରୂପଣ ଅସମ୍ଭବ । ଅଜ୍ଞାନତା, ଔଦ୍ଧତ୍ୟ ଓ ଅହଂ-ଶାସିତ ଲୋକାଳୟର ଉତ୍କଣ୍ଠା, ଉଦ୍ଦେଶ୍ୟ ଓ ସଂଘର୍ଷ ପ୍ରପୀଡ଼ିତ ପୃଥବୀର ଏକ ବିକଳ୍ପ ଜଗତ ହିମାଳୟ ।

 

ହିମାଳୟ ଏକ ବିସ୍ମୟ, କିନ୍ତୁ ସେ ମହତ୍ ବିସ୍ମୟ ମଣିଷକୁ ବିମୂଢ଼ କରେନା; ଅଭୀପ୍‌ସା ଶିଖାଏ । ହିମାଳୟ ଏଡ଼େ ବଡ଼ ଯେ ସେ ଅନ୍ଧ ମଣିଷର ବଡ଼ପଣିଆକୁ ବିଦ୍ରୂପ କରେନା; ତାକୁ ଉତ୍ତରଣର ଇଙ୍ଗିତ ଦିଏ ।

 

ହିମାଳୟ ଆପାତ ଦୃଷ୍ଟିରୁ ସ୍ଥୂଳ, କିନ୍ତୁ ତାହା ଏମିତି ଏକ ଜଗତ୍, ଯେଉଁଠି ସ୍ଥୂଳ ଓ ସୂକ୍ଷ୍ମ ଭିତରର ପାର୍ଥକ୍ୟ ଅଚାନକ ଅପସରିଯାଏ । ସେ ଅନୁଭୂତି ତୁଚ୍ଛା ଭାବାବେଗଜନିତ ନୁହେଁ, ତାହା ବାସ୍ତବ । ସେ ବାସ୍ତବତା ସ୍ୱୟଂ-ସାବ୍ୟସ୍ତ-କ୍ଷମ ।

 

ଯେଉଁ ରହସ୍ୟ-ରସିକ ଯୋଗୀ ଋଷିମାନେ ହିମାଳୟକୁ ଆଶ୍ରା କରିଥାନ୍ତି, ସେମାନେ ବାସ୍ତବିକ ହିମାଳୟର ସୂକ୍ଷ୍ମ ସତ୍ତାରେ ହିଁ ଅବସ୍ଥାନ କରନ୍ତି । ସେ ଅନିର୍ବଚନୀୟ ସତ୍ତାର ବର୍ଣ୍ଣନା ଅସମ୍ଭବ । ତେବେ ଉଭୟ ସ୍ଥୂଳ ଓ ସୂକ୍ଷ୍ମ ହିମାଳୟର ଯେଉଁ ସମନ୍ଵିତ ବର୍ଣ୍ଣନା ମହାକବି କାଳିଦାସ ଦେଇଛନ୍ତି, ତା’ର ଦୁର୍ବଳ ଅନୁବାଦ ଏହି ରୂପ :

 

“ଉତ୍ତର ଦେଶରେ ଅବସ୍ଥିତ ଯେଉଁ ନଗାଧିରାଜ ଦେବତାତ୍ମା ହିମାଳୟ, ପୂର୍ବ ଓ ପଶ୍ଚିମ ସମୁଦ୍ରରେ ଅବଗାହନ କରୁଥିବା (ଅର୍ଥାତ୍ ତାଙ୍କ ଅଦୃଶ୍ୟ ଭିତ୍ତି ଏ ଉଭୟ ଦିଗନ୍ତକୁ ବ୍ୟାପ୍ତ) ସେ ହେଲେ ଏ ପୃଥ‌ିବୀର ମାନଦଣ୍ଡ । ...ଅନନ୍ତ ରତ୍ନର ଉତ୍ସ ଏ ପର୍ବତ ଅତ୍ୟନ୍ତ ଶୀତଳ ସତ, କିନ୍ତୁ ତାହା ତାଙ୍କ ମହତ୍ଵରେ ଆଞ୍ଚ ଆଣେନା–ଯେମିତି ଚନ୍ଦ୍ରର ଅପୂର୍ବ କିରଣ ଭିତରେ ତା’ର ସାମାନ୍ୟ କଳଙ୍କ ଲୁଚିଯାଏ । ହାଲୁକା ମେଘମାଳା ଉପରେ ହିମାଳୟ ଶିଖରର ରହସ୍ୟମୟ ପ୍ରତିଫଳନ ଦେଖି ଅପ୍‌ସରାମାନେ ଥରେ ଥରେ ସନ୍ଧ୍ୟା ସମାଗତ ଭ୍ରମରେ ବ୍ୟସ୍ତହୋଇପଡ଼ନ୍ତି । ବର୍ଷଣମୁଖୀ ମେଘ (ନିଜ ଓଜନ ଯୋଗୁଁ ଅଧିକ ଉପରକୁ ଯାଇ ନ ପାରି) ଯେତେବେଳେ ପର୍ବତମାଳାର ମଧ୍ୟଦେଶରେ ବିଚରଣ କରନ୍ତି, ସେତେବେଳେ ସିଦ୍ଧଗଣ ସେ ମେଘମାଳା ଛାୟାରେ ବିଶ୍ରାମ କରନ୍ତି, କିନ୍ତୁ ବର୍ଷା ଆରମ୍ଭ ହୋଇଗଲେ ମେଘମାଳାକୁ ଅତିକ୍ରମ କରି ପୁଣି (ସୂର୍ଯ୍ୟାଲୋକିତ) ଶିଖର ଦେଶକୁ ଚାଲିଯା’ନ୍ତି ।’’

 

କାଳିଦାସ ଆହୁରି ବି ଲେଖିଛନ୍ତି, ହିମାଳୟରେ କେତେକ ବିଶେଷ ଗୁଳ୍ମଲତା ରାତିରେ ପ୍ରଦୀପ ଭଳି ଆଲୋକ ବିକିରଣ କରନ୍ତି । ହିମାଳୟ ପୁଣି ସୁନ୍ଦର କିନ୍ନର କିନ୍ନରୀମାନଙ୍କ ବାସସ୍ଥାନ-। ଶିଖର ଦେଶରେ ଅଛି ଏକ ଜଳାଶୟ । ନାମ ସପ୍ତର୍ଷି ସରୋବର । ତହିଁ ଫୁଟେ ଅସଂଖ୍ୟ ପଦ୍ମ-। ତେବେ ପୂରାପୂରି ପ୍ରସ୍ଫୁଟନ ପୂର୍ବରୁ ହିଁ ସୂର୍ଯ୍ୟାଲୋକର ଉର୍ଦ୍ଧ୍ୱସ୍ଥ ସପ୍ତର୍ଷିଲୋକରୁ କେହି କେହି ଋଷି ଆସି ଅନେକ ଫୁଲ ତୋଳିନେଇଯା’ନ୍ତି ।

 

ହିମାଳୟ ଦେଖିବାର ସୁଯୋଗ ଏ ଲେଖକ ଜୀବନରେ (ଅନ୍ତତଃ ଚଳିତ ଜନ୍ମରେ !) ଆସିଛି ସାମାନ୍ୟ ମାତ୍ର । କିନ୍ତୁ ହିମାଳୟକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣ, ଭିନ୍ନ ଭିନ୍ନ ଆବେଗଦ୍ଵାରା ଯେଉଁମାନେ ନିବିଡ଼ ଭାବରେ ଅନୁଭବ କରିଛନ୍ତି, ସେଭଳି କେତେଜଣଙ୍କ ଅମୂଲ୍ୟ ସାନିଧ୍ୟରେ ସେ ଆସିଛି । ସେମାନଙ୍କ ଭିତରେ ଅନ୍ୟତମ ମହାନ୍ ରୁଷ୍ ଚିତ୍ରଶିଳ୍ପୀ ସ୍ଵେତୋସ୍ଳାଭ୍ ରୋଆରିକ୍ ।

 

ବାଙ୍ଗାଲୋରର ଏକ ଅପେକ୍ଷାକୃତ ଘନ ତରୁଚ୍ଛାୟା ଅଧ୍ୟୁଷିତ ଅଞ୍ଚଳରେ ଶେଷ ଜୀବନରେ ବସବାସ କରୁଥିଲେ ରୋଆରିକ୍ ଏବଂ ସ୍ତ୍ରୀ ଦେବୀକାରାଣୀ । ଏହି ବିଶ୍ଵବରେଣ୍ୟ ଶିଳ୍ପୀ ତାଙ୍କ ସମଗ୍ର ଶିଳ୍ପ ପ୍ରତିଭା ହିମାଳୟର ବିଭୂତି ଚିତ୍ରଣ କରିବାରେ ହିଁ ଉପଯୋଗ କରିଥିଲେ ।

 

ଦିନେ ତାଙ୍କ ଘରେ ସେ ମୋତେ ଦେଖାଇଚାଲିଥିଲେ ତାଙ୍କର କେତେକ ଅନବଦ୍ୟ କୃତି । ହିମାଳୟର ମହିମାକୁ ଚିତ୍ରାଙ୍କନ ମାଧ୍ୟମରେ ଯେତେଦୂର ପ୍ରତିଭାତ କରିବା ସମ୍ଭବପର, ମନେହେଲା ସେ ଦିଗରେ ତାଙ୍କ କୃତିତ୍ଵକୁ ଆଉ କେହି ଅତିକ୍ରମ କରିନାହାନ୍ତି । ମୋ ଅନୁରୋଧରେ ସେସବୁ ଚିତ୍ର ସେ ‘ହେରିଟେଜ୍’ ପତ୍ରିକାରେ ପ୍ରକାଶ ପାଇଁ ଦେଇଥିଲେ ମଧ୍ୟ ।

 

ମନ୍ତ୍ରମୁଗ୍‌ଧ ହୋଇ ଶୁଣୁଥୁଲି ହିମାଳୟ ସହ ତାଙ୍କ ଅନ୍ତରଙ୍ଗତାର କାହାଣୀ । ମୋର ତଥା ତାଙ୍କର ଜଣେ ସ୍ନେହର ପାତ୍ରୀ, କୁମାରୀ ଅଦିତି ବଶିଷ୍ଠ, ଆଉ ଥରେ ଯାଇ ତାଙ୍କ କଥା ସବୁ ଲିପିବଦ୍ଧ କରିଆଣିଥିଲେ ‘ହେରିଟେଜ୍’ ପାଇଁ ।

 

ରୋଆରିକ୍ କହୁଥିଲେ, “ଗୋଟିଏ ସ୍ଥାନ କେଉଁ ସ୍ତରର ଆଧ୍ୟାତ୍ମିକ ବାର୍ତ୍ତା ଦେଉଛି, ତାହା ହିଁ ସେ ସ୍ଥାନର ବୈଶିଷ୍ଟ୍ୟ ନିରୂପଣ କରିବ । ପୃଥବୀର ମହତ୍ତମ ମାନବ-ଗୋଷ୍ଠୀ ଯେଉଁ ଋଷିକୁଳ, ହଜାର ହଜାର ବର୍ଷ ବ୍ୟାପି ସେହିମାନଙ୍କ ଚେତନାକୁ ସାଇତି ରଖିଛି ହିମାଳୟ । ସେ ଚେତନା ଜୀବନ୍ତ । ...ହିମାଳୟର ଉଚ୍ଚତା ସେହି ଚେତନାର ପ୍ରତିଫଳନ । ….ଯାହା ଭିତରେ ରହିଛି ସଚ୍ଚା ଗ୍ରହଣଶୀଳତା, ସିଏ ଏକା ସେ ଚେତନା ସ୍ପନ୍ଦନକୁ ଅନୁଭବ କରିପାରେ, ଗ୍ରହଣ କରିପାରେ । ମୁଁ ବହୁତ ସ୍ଥାନ ଭ୍ରମଣ କରିଛି; ଦେଖିଛି ପୃଥିବୀର ବହୁତ ପର୍ବତଶ୍ରେଣୀ । ସେସବୁ ସୁନ୍ଦର । କିନ୍ତୁ ହିମାଳୟର ଘନୀଭୂତ ଐଶ୍ୱର୍ଯ୍ୟ, ହିମାଳୟର ଆଧ୍ୟାତ୍ମିକ ବିଭୂତି ଆଉ କେଉଁଠି ଅନୁଭବ କରିନାହିଁ । ଏ ପାର୍ଥକ୍ୟର ମୂଲ୍ୟ ଅପରିସୀମ । ...ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବି ହିମାଳୟ ସହ ତୁଳନୀୟ ଦ୍ଵିତୀୟ ସ୍ଥାନ ମୁଁ ଜୀବନରେ ଦେଖି ନାହିଁ । ହିମାଳୟର ନିର୍ବିକଳ୍ପ ଦିଗ କଥା ମୁଁ କହୁନାହିଁ; ତା’ର ସ୍ଥୂଳ ରୂପ ମଧ୍ୟ ତୁମକୁ ମହତ୍ତ୍ଵର ସ୍ପର୍ଶ ଦେଇଥାଏ । ସେ ରୂପ ଅବଲୋକନ କରି ଚିତ୍ତ ଓ ଚିନ୍ତାରେ ଆସିଥାଏ ଶୁଦ୍ଧତା ।

 

“ଯେକୌଣସି ସ୍ଥାନର ବୈଶିଷ୍ଟ୍ୟ ହୃଦୟଙ୍ଗମ କରିବା ପାଇଁ ପ୍ରସ୍ତୁତିର ପ୍ରୟୋଜନ ଥାଏ । ଯିଏ ଜୀବନରେ ପ୍ରକୃତ ସନ୍ଧାନ କ’ଣ ଜାଣିଛି, ସେ ତା’ ସମସ୍ତ ଜିଜ୍ଞାସାର ଉତ୍ତର ହିମାଳୟଠୁଁ ପାଇପାରିବ । ହିମାଳୟକୁ ଯିବାର ପ୍ରସ୍ତୁତି ଭାବରେ ନିଜ ହୃଦୟ ଓ ଚେତନା ଉନ୍ମୁକ୍ତ ରଖିବା ଆବଶ୍ୟକ; ଚେତନା ଉଚ୍ଚ ପର୍ଯ୍ୟାୟକୁ ଯିବା ପାଇଁ ସଂକଳ୍ପ ପ୍ରୟୋଜନ ।’’

 

ହିମାଳୟରେ ଜୀବନର ବହୁ କାଳ, ବହୁ ବଳ ବ୍ୟୟ କରିଥିବା ଆଉ ଜଣେ ଅସାଧାରଣ ବ୍ୟକ୍ତିଙ୍କଠୁଁ ହିମାଳୟର କାହାଣୀ ଶୁଣିବାକୁ ଭଲପାଉଥିଲି, ସିଏ ବି ଜଣେ ପ୍ରଖର ଶକ୍ତିମାନ୍ ଶିଳ୍ପୀ–ପ୍ରମୋଦ କୁମାର ଚଟ୍ଟୋପାଧ୍ୟାୟ । ତେବେ ଚିତ୍ରାଙ୍କନ ପ୍ରେରଣାଚାଳିତ ହୋଇ ସେ ହିମାଳୟ ଭ୍ରମଣ କରୁ ନ ଥିଲେ, ତାନ୍ତ୍ରିକ ଯୋଗୀମାନଙ୍କ ସନ୍ଧାନ ଥିଲା ତାଙ୍କ ଆଭିମୁଖ୍ୟ । ସେ ଦିଗରେ ତାଙ୍କ ସାଫଲ୍ୟ କମ୍ ନୁହେଁ । ନାନା ପନ୍ଥାର ନାନା ସାଧକଙ୍କ ସହ ସେ ମିଶିଛନ୍ତି । ଦୀର୍ଘ ଜୀବନର ଶେଷ ଦୁଇ ଦଶନ୍ଧି ପଣ୍ଡିଚେରୀରେ ବିତାଇବା ଭିତରେ ସେ ତାଙ୍କର ମୁଷ୍ଟିମେୟ ଗୁଣଗ୍ରାହୀଙ୍କ ପାଖରେ ନିଜର ଅଭିଜ୍ଞତାର ବର୍ଣ୍ଣନା ଦେଉଥାନ୍ତି । ବଙ୍ଗଳା ସାହିତ୍ୟରେ ‘‘ତନ୍ତ୍ରାଭିଳାଷୀର ସାଧୁସଙ୍ଗ” ଭଳି ତାଙ୍କର ବହୁ ବିଚିତ୍ର ଭ୍ରମଣ କାହାଣୀ ତାଙ୍କୁ ଏକ ଅନନ୍ୟ ପ୍ରତିଷ୍ଠା ଦେଇଥିଲା । ତେବେ ତାଙ୍କର ଅଧିକାଂଶ ବହି ବର୍ତ୍ତମାନ ଅମିଳକ । ‘‘ହିମାଳୟର ମହାତୀର୍ଥେ’’ ନାମକ ସେହିପରି ଖଣ୍ଡିଏ ବହିରୁ କେଇଧାଡ଼ି ଉଦ୍ଧାର କରୁଛି (ସଂକ୍ଷେପିତ ଅନୁବାଦ) :

 

‘‘ତ୍ରିଯୁଗୀ ନାରାୟଣ ମନ୍ଦିରର ବୃଦ୍ଧ ପୂଜକ ବୁଝିପାରୁଥିଲେ, ମୁଁ ତାଙ୍କଠାରୁ କିଛି ଉପଦେଶ ଆଶା କରୁଛି । ସେ ମୋତେ ଜଣାଇଲେ, ଉତ୍ତର-ପୂର୍ବ କୋଣରେ, ଅଳ୍ପ ଦୂରରେ, ଅଛନ୍ତି ଜଣେ ଗୃହାଶ୍ରିତ ସିଦ୍ଧଯୋଗୀ । ତାଙ୍କ ଦୟା ହେଲେ କିଛି ପାଇବ । ମୋଠୁଁ କିଛି ଆଶା କରିବା ଭୁଲ୍‍-। ...ମୋର କୌତୂହଳ ଦୀପ୍ତ ହେଲା ସେ ଯୋଗୀଙ୍କୁ ଦର୍ଶନ କରିବା ନିମନ୍ତେ ।’’

 

“ଭାବି ଭାବି ବାଟ ଚାଲୁଥିଲି । ନିର୍ଜନ ସ୍ଥାନ । ଦୂରରେ ଧୂସର ବର୍ଣ୍ଣର ପର୍ବତ ଶୀର୍ଷ । ଭଙ୍ଗା ପଥର ଗୋଡ଼ିପୂର୍ଣ୍ଣ ରାସ୍ତା । ପ୍ରକୃତି ନିର୍ମିତ ପ୍ରକାଣ୍ଡ ଗୁମ୍ଫା । ପ୍ରବେଶ ପଥର ଗୋଟିଏ ପାଖରେ କୁଳୁକୁଳୁ ନାଦ କରି ଜଳଧାର ବାହାରିଆସୁଛି ।

 

‘‘କେଇପାଦ ଅଗ୍ରସର ହେବା ପରେ ଥରିଉଠିଲି । ହଠାତ୍ ମନେହେଲା ମୁଁ ମହାଶକ୍ତିଶାଳୀ ଜୀବନ୍ତ କୌଣସି ମହାନ୍ ଆତ୍ମାର ଅଧିକାର ଭିତରକୁ ଆସିଯାଇଛି । ଅଗ୍ରସର ହୋଇପାରୁନାହିଁ । ଇଚ୍ଛା କଲେ ବି ପଛକୁ ଯାଇପାରିବି ନାହିଁ । ଇଏ କ’ଣ ହେଲା ? ଜୀବନରେ ଏପରି ପୂର୍ବରୁ କେବେ ହୋଇନାହିଁ । ଏହା ଏକ ଅଦ୍ଭୁତ ପ୍ରଭାବ । ସଙ୍ଗେ ସଙ୍ଗେ ଭିତରଆଡ଼ୁ ବୋମ୍ ବୋମ୍ ଗମ୍ଭୀର ଧ୍ୱନି ଶୁଣିପାରିଲି । ମୁଁ ସ୍ଥିର ଜଡ଼ ପୁତ୍ତଳିକା ଭଳି ଠିଆହୋଇଥାଏ । କ୍ରମେ ଦେଖିଲି, ସମ୍ମୁଖବର୍ତ୍ତୀ ଅନ୍ଧକାର ଭେଦ କରି ଉଜ୍ଜ୍ଵଳ ମୂର୍ତ୍ତିଟିଏ ଫୁଟି ଉଠିଲା । ଦେଖିଲି, ସେ ଉଜ୍ଜ୍ଵଳ ମୂର୍ତ୍ତି ମୋହରି ଆଡ଼େ ଅଗ୍ରସର ହେଉଛନ୍ତି । କ’ଣ କହିଲେ, ତା’ର ଅର୍ଥ ବୁଝିପାରିଲିନାହିଁ ।’’

 

ସିଦ୍ଧଯୋଗୀଙ୍କୁ ଦେଖିବା ପୂର୍ବରୁ ବାତାବରଣରେ ତାଙ୍କ ଉପସ୍ଥିତିର ପ୍ରଭାବକୁ ଆମର ମାନସିକ ବିକଳତା ବା ଅଳୀକ ଧାରଣା–ପ୍ରସୂତ ବୋଲି ଯୁକ୍ତି କରାଯାଇପାରେ । କିନ୍ତୁ ସୂକ୍ଷ୍ମ-ତତ୍ତ୍ଵବିଦ୍‌ମାନେ କହନ୍ତି, ପ୍ରତ୍ୟେକ ଚେତନାର ଏକ ପ୍ରଭାବ ବାତାବରଣରେ ଥିବାକୁ ବାଧ୍ୟ । ତେବେ ସେ ପ୍ରଭାବ ବୁଝିବା ପାଇଁ ମାନସିକ ପ୍ରସ୍ତୁତି ଓ ନମ୍ରତା ଲୋଡ଼ା । ସେ ପ୍ରଭାବ ଅଳୀକ ନୁହେଁ କିନ୍ତୁ ।

 

ଅଭୀପ୍‌ସା ଓ ଅଭ୍ୟାସ ଦ୍ଵାରା ସେଭଳି ପ୍ରସ୍ତୁତି ଅବଶ୍ୟ ଆୟତ୍ତ କରାଯାଇ ପାରେ । ତେବେ ବିରଳ କେହି କେହି ବ୍ୟକ୍ତି ଏଭଳି ଗ୍ରହଣଶୀଳତା ସହ ଜନ୍ମ ହୋଇଥାନ୍ତି, ଯାହା ସେମାନଙ୍କୁ ଇନ୍ଦ୍ରିୟୋତ୍ତର ସୂକ୍ଷ୍ମ ସ୍ତରର ବାସ୍ତବତା ସହ ସମ୍ପର୍କିତ କରିଦିଏ । ପ୍ରମୋଦ କୁମାର ସେହି ବିରଳ ଶ୍ରେଣୀର ଅନୁସନ୍ଧିତ୍ସୁ ଥିଲେ ବୋଲି ମୋର ବିଶ୍ଵାସ । ଗଙ୍ଗାର ଉତ୍ପତ୍ତି ସ୍ଥଳରେ କେହି ଜଣେ ତାଙ୍କୁ କହିଥିଲେ, ‘‘ଏହା ବାସ୍ତବରେ ଗଙ୍ଗାର ଉତ୍ସ ନୁହେଁ । ସମ୍ମୁଖର ଯେଉଁ ପର୍ବତଶ୍ରେଣୀ, ତା’ ପଶ୍ଚାତରେ ରହିଛି ଗଙ୍ଗାର ଗୋପନ ଉତ୍ସ । କିନ୍ତୁ ସେଠାକୁ କେହି ଯାଇପାରନ୍ତିନାହିଁ ।”

 

ଅଦମ୍ୟ ଉତ୍ସାହରେ ପ୍ରମୋଦ କୁମାର ସେ ଉତ୍ସର ସନ୍ଧାନରେ ବାହାରି ପଡ଼ିଥିଲେ । ଜଣେ ରହସ୍ୟମୟ ବ୍ୟକ୍ତିଙ୍କୁ ଅନୁସରଣ କରି, ଗୋଟିଏ ସୁଡ଼ଙ୍ଗ ଏବଂ ଝରଣା ଅତିକ୍ରମ କରି ସେ ପହଞ୍ଚିଯାଇଥିଲେ ଗୋଟିଏ ଅତିଭୌତିକ ବସତିରେ । ସେଠାକାର ବାସିନ୍ଦାମାନେ ଦେଖିବାକୁ ନରନାରୀ ଭଳି, କିନ୍ତୁ ସେମାନେ ମଣିଷ ନୁହନ୍ତି । ଅବଶ୍ୟ ସେମାନେ ମଣିଷ ନୁହନ୍ତି ବୋଲି ସମ୍ଭବତଃ ସେତେବେଳେ ସେ ବୁଝିପାରିନଥିଲେ ।

 

ତାଙ୍କୁ ସେଠାରେ ଖାଦ୍ୟ ପରଷିଦିଆଗଲା । ତାହା ଅତ୍ୟନ୍ତ ସୁସ୍ୱାଦୁ । କିନ୍ତୁ ସେ ଖାଦ୍ୟ ତାଙ୍କର ସମ୍ପୂର୍ଣ୍ଣ ଅପରିଚିତ । ପକ୍ଷୀର କୂଜନ ଅପରୂପ, କିନ୍ତୁ ଅପରିଚିତ । ମରକତମଣି ନିଃସୃତ ଆଲୋକରେ ଗୋଟିଏ ଦେବମନ୍ଦିର ଆଲୋକିତ ହୋଇଥାଏ । ପ୍ରମୋଦ କୁମାରଙ୍କୁ ଆଶ୍ରା ଦେଇଥିବା ‘ନାରୀ’ ଜଣକ ତାଙ୍କୁ ବୁଝାଇଦେଲେ, ଗୋଟିଏ ପବିତ୍ର ସୁନ୍ଦର ମୁହୂର୍ତ୍ତରେ ତାଙ୍କ ଭିତରେ ଗଙ୍ଗାର ଉତ୍ସ ସନ୍ଧାନ ପାଇଁ ଯେଉଁ ତୀବ୍ର ଆକାଂକ୍ଷାର ଉଦ୍ରେକ ହୋଇଥିଲା, କେତୋଟି ଦୁର୍ଲଭ ଯୋଗାଯୋଗ ଫଳରେ ସେହି ଆକାଂକ୍ଷା ତାଙ୍କୁ ସ୍ଥୂଳ ଦୃଷ୍ଟିରେ ଅଦୃଶ୍ୟ ସେ ରାଜ୍ୟକୁ ନେଇଆସିଛି । ସେ ରାଜ୍ୟ ହିମାଳୟରେ ହିଁ ଅବସ୍ଥିତ, କିନ୍ତୁ ତା'ର ଏକ ଭିନ୍ନ ପର୍ଯ୍ୟାୟରେ । ବସ୍ତୁତଃ ତାହା ଗନ୍ଧର୍ବ ରାଜ୍ୟ । ସେ ଦେବୀତୁଲ୍ୟା ‘ନାରୀ’ ଆହୁରି କହିଲେ, ‘‘ଆମେ ଅତିଥି ଅଭ୍ୟାଗତଙ୍କୁ ଭଲ ପାଉ । କିନ୍ତୁ ନିମ୍ନସ୍ତରର ଜୀବମାନେ ଏଠାକୁ ଆସିପାରନ୍ତିନାହିଁ ।’’

 

ପ୍ରମୋଦ କୁମାର ପ୍ରଶ୍ନ କଲେ, “କାହିଁକି ?”

 

‘ନାରୀ’ ଉତ୍ତର ଦେଲେ, ‘‘ସେମାନଙ୍କର ସ୍ଥୂଳ ଦେହଭାର, ଜଡ଼ ପ୍ରତି ଆକର୍ଷଣ, ଇନ୍ଦ୍ରିୟ ସମ୍ଭୋଗ-ତୃଷା, ବିଦ୍ଵେଷଭାବ, ଆସକ୍ତି, ଆଧିପତ୍ୟପ୍ରିୟତା–ଏହିସବୁ କାରଣରୁ ଏ ରାଜ୍ୟରେ ସେମାନଙ୍କର ପ୍ରବେଶ ନିଷେଧ । ପଶୁରାଜ୍ୟ ଉପରେ ନିରନ୍ତର ଆଧିପତ୍ୟ ଫଳରେ, ପଶୁ ତୁଳନାରେ ସେ (ମଣିଷ) ଶ୍ରେଷ୍ଠ, ସେ ସଭ୍ୟ, ଏହି ଭାବ ତାକୁ ଅନ୍ଧ କରି ରଖିଥାଏ । ପଶୁବଳ ତା’ର ସମ୍ବଳ । ପଶୁ ଶକ୍ତିର ପ୍ରୟୋଗ ଓ ପାଶବିକ ଭୋଗ ବିନା ସୁଖ କ’ଣ ସେ ଜାଣେନା ।’’

 

ମଣିଷର ଏହି ଅଧଃପତନ ଗନ୍ଧର୍ବମାନଙ୍କ ଭିତରେ ଅନୁକମ୍ପା ଜନ୍ମାଏ । “ଫଳରେ ଆମେ ମଣିଷଙ୍କ ଭିତରେ ସୂକ୍ଷ୍ମ ରସବୋଧ, ଅନୁଭୂତି, ପ୍ରୀତି ଓ ପ୍ରେମ ଜାଗରିତ କରିବାର ପ୍ରେରଣା ଅନୁଭବ କରୁଁ । ମଣିଷ ଦୟାର ପାତ୍ର, ଏ ବୋଧ ପ୍ରତ୍ୟେକ ଗନ୍ଧର୍ବର ସଂସ୍କାରଗତ ।” ‘ନାରୀ’ ଟି କହିଥିଲେ ।

 

ପ୍ରାୟ ନିଜ ଅଜାଣତରେ ସେ ଅଳକାପୁରୀରୁ ନିର୍ଗତ ହୋଇଥିଲେ ସେଦିନର ତିରିଶ ବର୍ଷ ବୟସ୍କ ପ୍ରମୋଦ କୁମାର । ନବେ ବର୍ଷ ବୟସରେ ସେ ସ୍ମୃତିଚାରଣ କରୁଥିଲେ ଅତି ସ୍ଵାଭାବିକ ଭାବରେ ।

 

କ’ଣ ହୋଇପାରେ ତାଙ୍କର ସେ ଅଭିଜ୍ଞତାର ବିଶ୍ଳେଷଣ ? ସ୍ଵପ୍ନ ? ହିମାଳୟର କୌଣସି ବିଶେଷ ବାତାବରଣରେ ଏକପ୍ରକାର କଳ୍ପନାପ୍ରବଣତା ?

 

କିନ୍ତୁ ପ୍ରମୋଦ କୁମାରଙ୍କ ପାଇଁ ଏହା ଥିଲା ଏକାନ୍ତ ବାସ୍ତବ ।

☆☆☆

 

(ଛଅ)

ଦେବ-ସାମ୍ରାଜ୍ୟର ତୋରଣ

 

ସେଦିନ ହରିଦ୍ଵାରରେ ପହଞ୍ଚି ଦୁଧାଧାରୀ ଆଶ୍ରମର ଠିକଣା ପାଇବାକୁ ବିଳମ୍ବ ହୋଇନଥିଲା ।

 

ହରିଦ୍ଵାର ବ୍ୟାପି ଆଶ୍ରମ । ଶହେ–ହଜାରେ–ଅଢ଼େଇ ହଜାର–କଥା ହେଲା ଆପଣ କେଉଁ ଅନୁଷ୍ଠାନକୁ ଆଶ୍ରମ ସଂଜ୍ଞାର ଅନ୍ତର୍ଭୁକ୍ତ କରିବେ, କାହାକୁ ନ କରିବେ, ସଂଖ୍ୟା ତାହାରି ଉପରେ ନିର୍ଭର କରିବ । ଗନ୍ଧର୍ବ, କିନ୍ନର, ଦେବ, ଦେବତା, ସର୍ବୋପରି ମହାଦେବ : ଏମାନଙ୍କ ଜଗତ୍‌ର ତୋରଣ ହେଲା ହରିଦ୍ଵାର । ଅସଂଖ୍ୟ ମୁନି ଋଷି, ସାଧକ, ତପସ୍ଵୀ ଏଠାରେ ନିଜେ ନିଜେ ଆଶ୍ରୟ ନେବା ଏବଂ ଅନୁଗତମାନଙ୍କୁ ଆଶ୍ରୟ ଦେବା ସ୍ଵାଭାବିକ । ହଜାର ହଜାର ବର୍ଷ ଭିତରେ କେତେ ଆଶ୍ରମର ପ୍ରତିଷ୍ଠା ଘଟିଛି, କେତେ ଆଶ୍ରମର ବିଲୟ ଘଟିଛି, ତା’ର ଇତିହାସ ନାହିଁ, କାରଣ ଭବିଷ୍ୟତର ସ୍ମୃତିରେ ସାଇତା ରହିବା ସେମାନଙ୍କ ଆଭିମୁଖ୍ୟ ନ ଥିଲା । ପୋଥିପୁରାଣରୁ ସେମାନଙ୍କ ଆଂଶିକ ହିସାବ ମାତ୍ର ମିଳିବ ।

 

ଦୁଧାଧାରୀ ଆଶ୍ରମ ଶତାଧିକ ଜୀବନ୍ତ, ସ୍ୱଚ୍ଛଳ ଆଶ୍ରମ ମଧ୍ୟରୁ ଅନ୍ୟତମ । ପ୍ରାୟ ପହଞ୍ଚି ସାରିଲିଣି, ଖାଲି ନିଶ୍ଚିନ୍ତ ହେବା ପାଇଁ ଗାଡ଼ି ଅଟକାଇ ଜଣେ ପଥଚାରୀଙ୍କୁ ପଚାରିଲି, “ଦୁଧାଧାରୀ ଆଶ୍ରମ ଏଇ ଆଗରେ ତ ?’’

 

–“ବରଫାନୀ ବାବାଙ୍କ ଆଶ୍ରମ ? ହଁ, ହେଇଟି ।”

 

ଏ ନୂଆ ନାମ ଅବଶ୍ୟ ମୋତେ ଅଡ଼ୁଆରେ ପକାଇବାର ସମ୍ଭାବନା ନ ଥିଲା । ଅଚିରେ ଆଶ୍ରମର ସୁଦୃଶ୍ୟ ନାମଫଳକ ମୋ’ ଆପାତ ଲକ୍ଷ୍ୟସ୍ଥଳର ନିର୍ଭୁଲତା ସାବ୍ୟସ୍ତ କଲା ।

 

ଆଶ୍ରମ ପତ୍ରିକାର ସମ୍ପାଦକ ବ୍ରିଜଭୂଷଣ ମୋତେ ଅପେକ୍ଷା କରୁଥିଲେ । ଦ୍ଵିତଳ ଅତିଥି ଭବନରେ ପହଞ୍ଚି ପ୍ରଶ୍ନ କଲି ‘‘ବରଫାନୀ ବାବା ପୁଣି କିଏ ?’’

 

ସେ ଆରମ୍ଭ କଲେ ଆଶ୍ରମର ପ୍ରତିଷ୍ଠାତାଙ୍କ କାହାଣୀ । ସେ ମହାତ୍ମା ତୁଚ୍ଛା ଦୁଗ୍‌ଧପାନ କରି ଜୀବନ ଧାରଣ କରୁଥିବାରୁ ନାମ ତାଙ୍କର ଦୁଧାଧାରୀ ବ୍ରହ୍ମଚାରୀ । (ଆଶ୍ରମର ବିରାଟ ଗୋଶାଳା ଏତେ ଦୁଧ ଯୋଗାଇଦିଏ ଯେ ସକାଳଠୁଁ ରାତିଯାଏଁ ଯେକୌଣସି ଆଗନ୍ତୁକକୁ ଗିଲାସେ ଲେଖାଏଁ ଦୁଧ ଦାନ କରାଯାଏ ।) କିନ୍ତୁ ବରଫାନୀବାବା ଭାବରେ ସେ ବିଦିତ ହେବାର କାରଣ ବିଚିତ୍ର । ପ୍ରାୟ ଏକଶହ ବର୍ଷ ତଳେ ଦଳେ ଇଂରେଜ ହିମାଳୟର ବରଫାବୃତ ଏକ ମୁଲକ ଦେଇ ଯିବାବେଳେ ବରଫ ଉପରକୁ କେଇ କେରା କେଶ ବାହାରି ରହିଥ‌ିବାର ଦେଖିଲେ । କୌତୂହଳୀ ହୋଇ ସେମାନେ ବରଫ ଖୋଳି ଯାହା ପାଇଲେ, ତାହା ଜଣେ ଯୋଗୀଙ୍କ କଳେବର । ସେମାନେ ଧରିନେଇଥିଲେ ମୃତଯୋଗୀଙ୍କୁ ବରଫରେ ସମାଧିସ୍ଥ କରାଯାଇଥିଲା । କିନ୍ତୁ ଯୋଗୀ ବାସ୍ତବରେ ଥିଲେ ଧ୍ୟାନ-ସମାଧିସ୍ଥ । ସେ ଆଖି ଖୋଲି ଆଚମ୍ବିତ ଇଂରେଜମାନଙ୍କୁ ଆଶୀର୍ବାଦ କଲେ ଏବଂ ଯେଉଁ କେତୋଟି ପ୍ରଶ୍ନ କଲେ, ସେଥିରୁ ବୁଝାଗଲା ଯେ ଏହା ଭିତରେ କେଇଶହ ବର୍ଷ ବିତିଗଲାଣି ବୋଲି ଯୋଗୀ ମହାରାଜଙ୍କୁ ଜଣାନଥିଲା ।

 

ଉଇହୁଙ୍କା ବା ବଲ୍ମୀକ ଭିତରେ ଧ୍ୟାନମଗ୍ନ ଥିବାରୁ ରତ୍ନାକରଙ୍କ ନାମ ବାଲ୍ମୀକି ହେଲା ଭଳି ବରଫ ଭିତରୁ ବାହାରିଥିବାରୁ ଦୁଧାଧାରୀଙ୍କ ଅନ୍ୟତମ ନାମ ବର୍‌ଫାନୀ ବାବା ।

 

କେଇ ବର୍ଷ ତଳେ ଦୁଧାଧାରୀ ବ୍ରହ୍ମଚାରୀଙ୍କ ପରଲୋକ ହୋଇଥାଏ । ତାଙ୍କ ଜୀବନ ଯେପରି ବିଚିତ୍ର, ସେହିପରି ବିଚିତ୍ର ଗୀତିରେ ତାଙ୍କ ଉତ୍ତରାଧିକାର ନିରୂପିତ ହୋଇଥାଏ । ବ୍ରହ୍ମଚାରୀଙ୍କ ବହୁ ଶିଷ୍ୟ ଶିଷ୍ୟା ଭିତରେ ଥିଲେ ଜଣେ ବଙ୍ଗୀୟା । ସେ ମହିଳାଙ୍କ ସୁପୁତ୍ର ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ୍ । ମା’ଙ୍କୁ ଆଶ୍ରମରେ ଛାଡ଼ି ଡାକ୍ତର ଜେନେଭା ଗଲେ କୌଣସି ଆନ୍ତର୍ଜାତିକ ନ୍ୟୁରୋଲୋଜି ସମ୍ମିଳନୀରେ ଯୋଗଦେବା ନିମନ୍ତେ । ସେଇଠି ଥାଇ ବ୍ରହ୍ମଚାରୀଙ୍କ ଦେହାନ୍ତ ସମ୍ବାଦ ମା’ଙ୍କ ପ୍ରେରିତ କେବଲ୍‌ରୁ ପାଇ ଏକପ୍ରକାର ଅନନୁଭୂତପୂର୍ବ ପ୍ରେରଣାର ବଶବର୍ତ୍ତୀ ହୋଇ ସେ ହରିଦ୍ଵାର ଚାଲିଆସିଲେ ।

 

ବ୍ରହ୍ମଚାରୀଙ୍କ ଶେଷକୃତ୍ୟ ସମାପନ ହେଲା । ସେ ରଖିଯାଇଥାନ୍ତି ସମୃଦ୍ଧ ଆଶ୍ରମ, ପୋଷ୍ୟବର୍ଗ, ଗୋଧନ । କିନ୍ତୁ ଉତ୍ତରାଧିକାରୀ ମନୋନୀତ କରିନ‌ଥାନ୍ତି ।

 

“ଡାକ୍ତରବାବୁ ! ଆପଣଙ୍କୁ ବାବା ବହୁତ ଭଲପାଉଥିଲେ । ଆପଣ ମହନ୍ତ ହେଲେ କେମିତି ହୁଅନ୍ତା ?’’ –ଜଣେ ଶିଷ୍ୟ ସମ୍ଭବତଃ ମଜାଳିଆ ଭାବରେ ପ୍ରସ୍ତାବଟି ଦେଲେ ।

 

ଡାକ୍ତର କିଛି ନକହି ତାଙ୍କ କୋଠରୀ ଭିତରକୁ ଚାଲିଗଲେ । କେଇ ମିନିଟ୍ ପରେ ଗେରୁଆବସ୍ତ୍ର ଧାରଣ କରି ଶିଷ୍ୟମଣ୍ଡଳି ଭିତରକୁ ପ୍ରତ୍ୟାବର୍ତ୍ତନ କଲେ । ନିର୍ବିବାଦରେ ଗୁରୁଭାଇମାନେ ତାଙ୍କୁହିଁ ମହନ୍ତ ଭାବରେ ଗ୍ରହଣ କରିନେଲେ ।

 

ଆଶ୍ରମାଧୀଶ ବନିଥିବା ଡାକ୍ତରଙ୍କ ସହ ରାତିରେ ଦେଖାହେଲା । ମନେହେଲା ଉତ୍ତମ ମଣିଷ । ହିମାଳୟର ବିଚିତ୍ର ବିଭୂତିରେ ନିମଜ୍ଜିତ ମୁଗ୍ଧ ଏକ ଆତ୍ମା । ଏକାଧିକ ବର୍ଷ ସେ ମାସ ମାସ ଧରି ଏକାକୀ ବଦ୍ରିକାଶ୍ରମରେ ରହିଛନ୍ତି–ଯେତେବେଳେ ସେ ଅଞ୍ଚଳ ପ୍ରବଳ ତୁଷାରପାତ ଯୋଗୁଁ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଏ ।

 

ଡାକ୍ତରବାବୁ ଜଣେ ଆଧୁନିକ ବିଜ୍ଞାନଧର୍ମୀ ସାଧକ । ସେ ତାଙ୍କ ଗୁରୁ ଦୁଧାଧାରୀ ବ୍ରହ୍ମଚାରୀ ଶହଶହ ବର୍ଷ ବଞ୍ଚିଥ‌ିବା କଥା ବିଶ୍ଵାସ କରନ୍ତି କି ?

 

ହଁ, କରନ୍ତି । ଜଣେ ସ୍ନାୟୁ-ବିଶେଷଜ୍ଞ ଭାବରେ ଗୁରୁଙ୍କ କଳେବର ପରୀକ୍ଷା କରି ତାଙ୍କର ହୃଦବୋଧ ହୋଇଛି ଯେ, ତାହା ଅସାଧାରଣ ପ୍ରାଚୀନ ।

 

ହିମାଳୟର ରହସ୍ୟମୟ ରାଜ୍ୟରେ କେତେ ଧରଣର ଯୋଗୀ ଋଷି ରହିଛନ୍ତି । ଶୀତ ଓ ନିଦାଘ, କ୍ଷୁଧା ଓ ତୃଷା ଏସବୁ ଉପରେ ସମ୍ପୂର୍ଣ୍ଣ ନ ହେଲେ ବି ବିପୁଳ ବିଜୟ ଲାଭକରିଥିବା ବହୁ ସାଧକଙ୍କ ସମ୍ପର୍କରେ ବିଶ୍ଵାସଯୋଗ୍ୟ ସାକ୍ଷ୍ୟ ରହିଛି । ସ୍ୱନାମଧନ୍ୟ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅନୁଜ ଉମାପ୍ରସାଦ ମୁଖାର୍ଜୀଙ୍କ ଜୀବନର ପ୍ରଧାନ ଆକର୍ଷଣ ହେଲା ହିମାଳୟ । ସେ ଦେବ-ସାମ୍ରାଜ୍ୟର ବହୁ ଦୁର୍ଗମ ମୁଲକ ବୁଲିଛନ୍ତି । ଥରେ (ସେ ମଧ୍ୟେ ମଧ୍ୟେ ପଣ୍ଡିଚେରୀ ଆସିଥାନ୍ତି) ପରିବ୍ରାଜକ ମହାଶୟ ଏ ଲେଖକଙ୍କୁ କହୁଥିଲେ ଏକ ଅଭିଜ୍ଞତା :

 

ସେତେବେଳେ ଭୀଷଣ ଶୀତ ସମୟ । ହିମାଳୟର ଅନ୍ତଃରାଜ୍ୟରେ ଅବସ୍ଥିତ ଏକ ଜଳାଶୟ ପାଖରେ ଠିଆହୋଇ ସେ ତୁଷାରାଚ୍ଛନ୍ନ ତୁଙ୍ଗ ଶୃଙ୍ଗଟିଏ ଆଡ଼େ ଅନାଇଥାନ୍ତି । ସୂର୍ଯ୍ୟାଲୋକରେ ରଜତୋଜ୍ଜ୍ଵଳ ସେ ଶୃଙ୍ଗ ଉପରେ ହଠାତ୍ କଳା ବିନ୍ଦୁଟିଏ ତାଙ୍କ ଆଖିରେ ପଡ଼ିଲା । ତାହା କ’ଣ ହୋଇପାରେ ? ସମ୍ଭବତଃ ଖଣ୍ଡିଏ କୃଷ୍ଣକାୟ ଶିଳାକୁ ତୁଷାର ଢାଙ୍କି ପାରି ନାହିଁ । କିନ୍ତୁ ବିନ୍ଦୁଟି ଗତିମାନ୍ ମନେହେଲା । ସେ ଦୂରବୀକ୍ଷଣ ବାହାରକଲେ । ଦେଖିଲେ, ପର୍ବତ ଶୃଙ୍ଗରେ ସେ ବିନ୍ଦୁ ଆଉ କିଛି ନୁହେଁ, ଜଟାକୂଟ ଓ ବିପୁଳ ଶ୍ମଶ୍ରୁ ବିଶୋଭିତ ଜଣେ ନଗ୍ନ-ତନୁ ମଣିଷ । କହିବା ବାହୁଲ୍ୟ, ଅସଂଖ୍ୟ ସାଧନା-ଧାରାରୁ କୌଣସି ଗୋଟିକରେ ବ୍ରତୀ ଜଣେ ସାଧକ ।

ସାଧକ ମହୋଦୟ ବୋଧହୁଏ ବିନା ଦୂରବୀକ୍ଷଣରେ ହିଁ ପର୍ବତର ନିମ୍ନ ଦେଶରେ ପର୍ଯ୍ୟଟକଟିଏ ଠିଆହୋଇଥିବାର ବୁଝିପାରିଥିଲେ । ଉମାପ୍ରସାଦ ଅନାଇଥା’ନ୍ତି, ସେ ମହୋଦୟ ମସୃଣ ତୁଷାର ଉପରେ ପିଲାଟିଏ ଭଳି ନିଜକୁ ଘୋଷାରି ହେବାକୁ ଛାଡ଼ି ଦେଇ ଅବିଳମ୍ବେ ଆସି ପର୍ବତର ପାଦଦେଶରେ ଉପନୀତ ହୋଇଗଲେ । ଆକଣ୍ଠ ହସି ସେ ଉମାପ୍ରସାଦଙ୍କ ପାଖକୁ ଆସି ଇସାରା କରି ଦୂରବୀକ୍ଷଣଟି ମାଗିଲେ । ଯନ୍ତ୍ର ସାହାଯ୍ୟରେ କିଛି ସମୟ ଚତୁଃପାର୍ଶ୍ଵର ଦୃଶ୍ୟ ଉପଭୋଗ କରି ସନ୍ତୁଷ୍ଟ ଭାବରେ ତାହା ଉମାପ୍ରସାଦଙ୍କୁ ପ୍ରତ୍ୟର୍ପଣ କରି ତୁଷାର ରାଜ୍ୟ ଭିତରେ ଲୁଚିଗଲେ ।

“ଦେହ ଉପରେ ମନର ପ୍ରଭାବ ପ୍ରଚଣ୍ଡ । ମନ ଯେତେବେଳେ ଏହି ବିଶ୍ଵାସରେ ଅଟଳ ରହିପାରିବ–ଯେ ପ୍ରକୃତି ପ୍ରଦତ୍ତ ଏ ଦେହ ପ୍ରକୃତିର ସବୁ ଋତୁ, ସବୁ ବାତାବରଣ ସହିବା ଭଳି ଶକ୍ତିର ସ୍ଵତଃସ୍ଫୂର୍ତ୍ତ ଅଧିକାରୀ, ସେତେବେଳେ ଦେହ ବଳେ ବଳେ ନିଜର ଯୋଗ୍ୟତା ସାବ୍ୟସ୍ତ କରେ ।’’ ଜଣେ ଯୋଗୀ ଥରେ ଏ କଥା ବୁଝାଇବା ସଙ୍ଗେ ସଙ୍ଗେ କହିଥିଲେ, “ଅବଶ୍ୟ କେତେକ ନିର୍ଦ୍ଦିଷ୍ଟ ଯୌଗିକ ନୀତି ନିୟମ ଓ ଶୃଙ୍ଖଳା ସାହାଯ୍ୟରେ ଦେହର ସେଭଳି ପ୍ରସ୍ତୁତିକୁ କ୍ଷିପ୍ରତର କରାଯାଏ ।’’

ଦୀର୍ଘ ଜୀବନ ସମ୍ପର୍କରେ ସେ ଓ ଅନ୍ୟମାନଙ୍କର ଯାହା ବକ୍ତବ୍ୟ, ତା’ର ସଂକ୍ଷିପ୍ତସାର ହେଲା–ସାଧାରଣ ମଣିଷ ଭିତରେ ଅନବରତ ସଂଘର୍ଷ ଓ ଅସଂହତି । ଦେହ ଓ ଚେତନା ଭିତରେ ସଂଘର୍ଷ, ଚେତନା ଅନ୍ତର୍ଭୁକ୍ତ ମନ ସହ ପ୍ରାଣର ସଂଘର୍ଷ, ଜଣଙ୍କ ସହ ଆଉ ଜଣଙ୍କ ସଂଘର୍ଷ–ଇତିହୀନ ଏ ତାଲିକା । ଯେତେବେଳେ ଜଣେ ସମସ୍ତ ପାରିବାରିକ, ସାମାଜିକ ସଂଘର୍ଷରୁ ବାହାରିଆସେ ଏବଂ ନିଜ ଭିତରେ ସଂହତି ସ୍ଥାପନ କରେ, ସେତେବେଳେ ଦେହ ଓ ଚେତନା ଦୀର୍ଘକାଳ ଏକତ୍ର ବାସକରିବାରେ (ଅର୍ଥାତ୍ ସେ ଦୁହିଁଙ୍କ ପରସ୍ପର ବିଦ୍ୟୁତିଜନିତ ମୃତ୍ୟୁ ବି ଘଟିବାରେ) ବିସ୍ମୟକର କିଛି ନାହିଁ । ତା’ଛଡ଼ା, ଯେତିକି ସମୟ ଯୋଗୀମାନେ ସମାଧିସ୍ଥ ହୋଇ ରହନ୍ତି, ସେ ସମୟତକ ସେମାନେ କାଳଠୁଁ ଅବସର ନେଇଥାନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏକଦା ହରିଦ୍ଵାରର ନାମ ଥିଲା କପିଳସ୍ଥାନ, କପିଳ ମୁନି ଏଠାରେ ତପସ୍ୟା କରିଥିଲେ ବୋଲି । କପିଳଙ୍କଠୁଁ ଆରମ୍ଭ କରି ସମ୍ଭବତଃ ଶହେ ବର୍ଷ ତଳ ପର୍ଯ୍ୟନ୍ତ ଏଠାରେ ଯେଉଁମାନେ ତପସ୍ୟା କରୁଥିଲେ, ସେମାନେ ଏକ ଏକ ଗୁମ୍ଫାରେ ଅବସ୍ଥାନ କରୁଥିଲେ । କାହିଁ ଗଲା ସେସବୁ ଗୁମ୍ଫା ?

 

“ଆଛା, ମୋତେ ଟିକିଏ ଭର୍ତ୍ତୃହରି ଗୁମ୍ଫା ଦେଖାଇଆଣିବେ ?” ପଚାରିଲି । ବ୍ରିଜଭୂଷଣଙ୍କୁ ପଚାରିଲି ।

 

ସେ ଟିକିଏ ଅପ୍ରତିଭ ହେଲେ । ଏମ୍.ଏ. ଏବଂ ଆଇନ ପଢ଼ିସାରି ସାଧକ ବନିଥିବା ଏ ଯୁବକ ତତ୍ତ୍ଵକଥା ଓ ଦର୍ଶନରେ ବିଶେଷ ଆଗ୍ରହୀ, କିନ୍ତୁ ଇତିହାସ କିମ୍ବଦନ୍ତୀରେ ନୁହେଁ ।

 

“ଅଦୂରର ପର୍ବତରେ କେଉଁଠି ଅବଶ୍ୟ ରହିଛି । ଆପଣଙ୍କୁ ଜଣେ ସାଧୁଙ୍କ ପାଖକୁ ନେଇଯିବି । ଆମକୁ ବାଟ ବତାଇ ଦେବେ ନିଶ୍ଚୟ ।’’ ବ୍ରିଜଭୂଷଣ ବାହାରି ପଡ଼ିଲେ । “ସେ ବି ରହନ୍ତି ଗୋଟିଏ ଗୁମ୍ଫାରେ ।’’ ସେ ବାଟରେ ଜଣାଇଲେ ।

 

ତାଙ୍କୁ ଅନୁସରଣ କରି ହରି କି ପୌରୀ ବା ବ୍ରହ୍ମକୁଣ୍ଡ (ହରିଦ୍ଵାରର ସର୍ବୋତ୍ତମ ଆକର୍ଷଣ) ଅତିକ୍ରମ କରି ବଜାର ଭିତରେ ପଶିଲି । ସାଧୁବାବା ଯଦି ଗୁମ୍ଫାରେ ରହନ୍ତି, ତେବେ ଆମେ ବଣ ପର୍ବତରେ ପଶିବା ଉଚିତ—ବଜାରରେ କି ବା କାମ ?

 

ବ୍ରିଜଭୂଷଣ ଗୋଟିଏ ହୋଟେଲ ଭିତରେ ପଶିଗଲେ । ଅନୁମାନ କଲି, ତାଙ୍କର ଚାହା ପିଇବାର ବାସନା ହୋଇଛି । ନୀରବରେ ଅନୁସରଣ କଲି । ଭୋଜନାଗାର ଅତିକ୍ରମ କରି ସେ ଗୋଟିଏ ଦ୍ଵାର ଦେଶରେ ମୃଦୁ କରାଘାତକଲେ ।

 

–‘କୌନ୍ ହ୍ୟାୟ ?’

 

କମାଣର ଗର୍ଜନ ଭଳି ସେ କଣ୍ଠସ୍ଵର । ବ୍ରିଜଭୂଷଣ ନିଜର ନାମ ଘୋଷଣା କରି କବାଟ ଆଡ଼େଇ ପଶିଲେ ଓ ମୁଁ ତାଙ୍କ ପଦାଙ୍କ ଅନୁସରଣ କଲି । ସେ କବାଟ ବନ୍ଦ କରି ଦିଅନ୍ତେ ମୋର ମନେହେଲା ବଜାରସ୍ଥିତ ହୋଟେଲ୍‌ ଭିତରୁ ଯାଦୁ ବଳରେ ମୋତେ କିଏ ହଜାରେ କୋଶ ଦୂରକୁ ଉଡ଼ାଇନେଇଛି ।

 

ଆମେ ଠିଆହୋଇଥିଲୁଁ ଏକ ଗୁମ୍ଫା ଭିତରେ । ବାଘ ଓ ହରିଣ ଛାଲ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ଥିଲେ ଭସ୍ମାବରିତ ଜଣେ କୌପୀନଧାରୀ ସନ୍ନ୍ୟାସୀ ।

 

କ୍ରମେ ବୁଝିଲି, ଏକଦା ଏଠାରେ ଥିଲା ଏକ ପର୍ବତ । ସେଥିରେ ନିଶ୍ଚୟ ଥିବେ ବହୁ ଗୁମ୍ଫା । କ୍ରମେ ବଣିକସଭ୍ୟତା ସେ ପର୍ବତକୁ ନିର୍ମୂଳ କରିଦେଇଛି । ତାହା ସ୍ଥାନରେ ନିର୍ମିତ ହୋଇଛି ହୋଟେଲ୍‌ ଭଳି ନାନାଦି ବେପାରଶାଳା । ଏହି ନିର୍ଦ୍ଦିଷ୍ଟ ଗୁମ୍ଫାରେ ସମ୍ଭବତଃ ରହିଥିଲେ ଜଣେ କିମ୍ବଦନ୍ତୀ-ଖ୍ୟାତ ଋଷି । ତେଣୁ ଗୁମ୍ଫାଟି ଉଡ଼ାଇଦେବାକୁ ସାହସ କରିନାହାନ୍ତି ଜମିଦାର, କୋଠାଦାରମାନେ । ଋଷିଙ୍କ ଲୌକିକ ପରମ୍ପରା ବହନ କରୁଥିବା ଜଣେ ସାଧୁ ଏ ଗୁମ୍ଫାରେ ରହି ଏହାର ବାତାବରଣକୁ ସଞ୍ଜୀବିତ କରି ରଖିବାର ପ୍ରୟାସ କରିଛନ୍ତି ।

 

ସାଧୁଙ୍କ ସହ କିଛି ସମୟ ଗପସପ ହେବା ପରେ ଭର୍ତ୍ତୃହରି ଗୁମ୍ଫା ସମ୍ପର୍କରେ ମୋର କୌତୂହଳ ବ୍ୟକ୍ତ କଲେ ବ୍ରିଜଭୂଷଣ ।

 

–‘‘ଚାଲ । ମୁଁ ଦେଖାଇଦେବି ।’’

 

କିନ୍ତୁ ସେ ସାଧୁ ବାଟକୁ ଯେମିତି ସେମିତି ବାହାରନ୍ତି ନାହିଁ । ସେ ଗୈରିକ ପରିଧାନକଲେ । ତା’ପରେ ବାକ୍‌ସଟିଏ ଖୋଲି ଗୋଟିଏ ପରେ ଗୋଟିଏ ସାତ ଗୋଟି ବିଭିନ୍ନ ରଙ୍ଗର ପଥରଖଚିତ ହାରମାନ ବାହାରକରି ପିନ୍ଧିଲେ । ସାମାନ୍ୟ ହସି, ଆମକୁ ବାହାରି ଯିବାକୁ ଇଙ୍ଗିତ ଦେଇ ସେ ଗୁମ୍ଫାଦ୍ଵାର ବନ୍ଦ କଲେ । ସୁପ୍ରାଚୀନ ହରିଦ୍ଵାରର ଏକ ଝଲକ ଭିତରୁ ଆମେ ପୁଣି ଛିଟିକିଆସିଲୁ ଚାହା କଫି କପ୍ ପ୍ଲେଟ୍ ବିଚ୍ଛୁରିତ ଆଜିର ହୋଟେଲ ଭିତରକୁ ।

 

ରାସ୍ତାରେ ମୁଁ ବ୍ରିଜଭୂଷଣଙ୍କୁ ଚୁପି ଚୁପି ପ୍ରଶ୍ନ କଲି, “ସାଧୁଙ୍କ ହାର ସମଗ୍ରର ଆର୍ଥିକ ମୂଲ୍ୟ କିଛି ଅଛି ନା ଖାଲି ଅଳଙ୍କାର ?”

 

“କହୁଛ କ’ଣ ? ସେସବୁ ଦୁର୍ମୂଲ୍ୟ ଚିଜ । ଗୋଟାଏ ଯୋଡ଼ାଏ ହୀରାହାର ହୋଇଥିବ । ମୋତି ମାଣିକ୍ୟ ତ ନିଶ୍ଚୟ ।’’ –ସେ ଚୁପି ଚୁପି ଉତ୍ତର ଦେଲେ ।

 

“ରାସ୍ତାକୁ ବାହାରିବା ବେଳକୁ ସେସବୁ ଧାରଣ କରିବାର ହେତୁ ?”

 

‘‘ତାଙ୍କୁ ଜଣା । ହୁଏତ ଗୁରୁଲବ୍ଧ ସେ ଦ୍ରବ୍ୟମାନ ତାଙ୍କ ପାଇଁ ଅଦୃଶ୍ୟ ନାନା ଅବାଞ୍ଛିତ ପ୍ରଭାବସବୁରୁ ସୁରକ୍ଷା ଭାବରେ କାମ କରେ; ହୁଏତ ସୂର୍ଯ୍ୟାଲୋକ ସମ୍ପର୍କରେ ଆସି ସେସବୁ ତାଙ୍କ ସ୍ଥୂଳ ବା ସୂକ୍ଷ୍ମ ଦେହରେ କିଛି ବିଶେଷ ସ୍ପନ୍ଦନ ସୃଷ୍ଟି କରେ ।”

 

ମୁଁ ହସି ହସି ନାସ୍ତିକ ଭଳି କହିଲି, ‘‘ହୋଇପାରେ ହୋଟେଲ ସଂଲଗ୍ନ ଗୁମ୍ଫା ଭିତରେ ସେସବୁ ଛାଡ଼ି ଆସିଲେ ଦିନେ ଗୁମ୍ଫା ପ୍ରତ୍ୟାବର୍ତ୍ତନ ବେଳକୁ ସେସବୁ ନ ଥିବେ, ଏହି ଆଶଙ୍କାରେ.....’’

 

–‘‘ହୋଇପାରେ !’’

 

–“କିନ୍ତୁ ରାସ୍ତାରେ ଏତେ ମୂଲ୍ୟବାନ୍ ଭୂଷଣ ଧାରଣ କରି ବୁଲିବା ନିରାପଦ ତ ?’’

 

ବ୍ରିଜଭୂଷଣ କହିଲେ, “ଚୋର ଡାକୁ ଅଛନ୍ତି, କିନ୍ତୁ ସାଧୁ ସନ୍ନ୍ୟାସୀଙ୍କ ଉପରେ ଆକ୍ରମଣର ଦୃଷ୍ଟାନ୍ତ ବିରଳ ।”

 

–‘‘କିନ୍ତୁ ସାଧୁ ସନ୍ନ୍ୟାସୀ ବେଶରେ ଚୋର ଡାକୁଙ୍କ ଉତ୍ପାତର ଦୃଷ୍ଟାନ୍ତ ବିରଳ କି ? ବେପାର ବଣିଜ କରିବା ନାମରେ ଯେତେବେଳେ ଚୋର ଡାକୁ ଅଛନ୍ତି, ରାଜନୀତି କରିବା ନାମରେ, ଏପରିକି ବଡ଼ ବଡ଼ ଚାକିରି କରିବା ନାମରେ ବି ଯେତେବେଳେ ଚୋର ଡାକୁ ଅଛନ୍ତି, ଏ କ୍ଷେତ୍ରରେ ସେମାନଙ୍କ ଅନୁପ୍ରବେଶ ଗୌଣ ହେବାର ସମ୍ଭାବନା କ୍ଷୀଣ ନିଶ୍ଚୟ ।”

 

“କ୍ଷୀଣ”–ଏ ପ୍ରଶ୍ନ ଉପରେ ବ୍ରିଜଭୂଷଣଙ୍କ ଆଲୋକପାତ ଅବଶ୍ୟ ସଂକ୍ଷିପ୍ତ ହେଲା । ତେବେ ମନେକରୁଥିଲି, ହରିଦ୍ଵାରଠୁଁ ଆରମ୍ଭ ହୋଇ ସମଗ୍ର ହିମାଳୟର ବାତାବରଣରେ ଏମିତି କିଛି ରହିଛି, ଯାହା ମଣିଷକୁ ଅତିମାତ୍ରାରେ ପ୍ରତାରକ ହେବାକୁ ଦିଏନାହିଁ ।

 

ବାତାବରଣର ସେ ରହସ୍ୟମୟ ବିଭୂତିକୁ ମଣିଷ କେତେଦିନ ଅତୁଟ ରହିବାକୁ ଦେବ, ତାହା ଆଉ ଏକ ପ୍ରଶ୍ନ । ସୂକ୍ଷ୍ମ ବାତାବରଣ ଉପରେ ସ୍ଥୂଳ ବାତାବରଣର ପ୍ରଭାବ କିଛି କମ୍ ନୁହେଁ । ଆଜି ହରିଦ୍ଵାର–ଋଷିକେଶ ଅଞ୍ଚଳ ନାନା କଳକାରଖାନା ଦ୍ଵାରା ଆକ୍ରାନ୍ତ । ଯୁଗ ଯୁଗ ଧରି ଗଙ୍ଗାନାରୀର ବିଶେଷତ୍ଵ ଥିଲା–ତାହା ପୁରୁଣା ହୁଏନା । ଏ ଶତାବ୍ଦୀର ମଧ୍ୟଭାଗ ଯାଏ ଏହା ଥିଲା ପରୀକ୍ଷାଗାରରେ ପ୍ରମାଣିତ ତଥ୍ୟ । ଆଜି ତାହା କିମ୍ଵଦନ୍ତୀ ମାତ୍ର ।

 

ସାଧୁ ତାଙ୍କ ଗତି ସ୍ଥଗିତ କଲେ । ଆମେ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଯାଇଥିଲୁ ।

☆☆☆

 

(ସାତ)

ବିଗଳିତ କରୁଣା

 

ସ୍ଥୂଳ ହିମାଳୟ ସହିତ ଓତପ୍ରୋତ ଜଡ଼ିତ ଏକ ସୂକ୍ଷ୍ମ ହିମାଳୟ । ସେ ହିମାଳୟର ଅଧିବାସୀ ହେଲେ ଗନ୍ଧର୍ବ, କିନ୍ନର ଭଳି ସଚରାଚର ଅଦୃଶ୍ୟ ସତ୍ତାବୃନ୍ଦ ।

 

ନିଶାର୍ଦ୍ଧରେ ତୁଷାରାବୃତ ଶୃଙ୍ଗରାଜି ଆଡ଼େ ଦୃଷ୍ଟିଦେଲେ ମନେହେବ, ସେତେବେଳେ ସ୍ଥୂଳ ହିମାଳୟ ଓ ସୂକ୍ଷ୍ମ ହିମାଳୟ ଭିତରେ ଥିବା ବ୍ୟବଧାନ ଦୂର ହୋଇଯାଇଛି । ହୁଏତ ଆମ ଆଖିରେ କୌଣସି ଅତିଭୌତିକ ସତ୍ତା ଧରାଦେବେ ନାହିଁ; ତଥାପି ସେମାନଙ୍କ ଅସ୍ତିତ୍ୱ ଅନୁଭବ କରିହେବ ।

 

ସେ ଅନୁଭୂତି ସକାଶେ କୌଣସି ବିଶେଷ ଚେତନାଗତ ଆୟୋଜନର ପ୍ରୟୋଜନ ନାହିଁ । ମାତ୍ର କେତୋଟି ମିନିଟ୍ ପାଇଁ ମନର ସ୍ଵାଭାବିକ ଅନବରତ କୋଳାହଳକୁ ସ୍ତବ୍‌ଧ କରିଦେଇ ପାରିଲେ ଯଥେଷ୍ଟ ।

 

ସେସବୁ ବିଚିତ୍ର ସତ୍ତାମାନଙ୍କ ବ୍ୟତୀତ ହଜାର ହଜାର ବର୍ଷ ଭିତରେ ସେ ମୁଲକରେ ବିବିଧ ତପସ୍ୟା କରିଥିବା ମହାନ୍ ମୁନି ଋଷି, ଯୋଗୀ ଓ ସାଧକଙ୍କ ମହିମାର ପ୍ରଚ୍ଛନ୍ନ ଉପସ୍ଥିତି, ଏକପ୍ରକାର ଅଦୃଶ୍ୟ ଶକ୍ତି ତରଙ୍ଗ, ସାମାନ୍ୟ ଗ୍ରହଣଶୀଳ ପର୍ଯ୍ୟଟକ ମାତ୍ରେ ଅନୁଭବ କରିପାରିବେ-। ଦେବଭୂମିର ପ୍ରବେଶ ତୋରଣ ହରିଦ୍ଵାର ଏବଂ ଋଷିକେଶ ପ୍ରଥମେ ଯାଇଥିଲି ପ୍ରାୟ ସତେଇଶ ବର୍ଷ ତଳେ । ଲୋକେ କହନ୍ତି, ଦୁଇ ଶାନ୍ତ ବସତିର ଚେହେରାରେ ବ୍ୟାପକ ପରିବର୍ତ୍ତନ ହୋଇଛି ଗତ ଚଉଠ ଶତାବ୍ଦୀ ଭିତରେ । ଏଥିରେ ସନ୍ଦେହର ଅବକାଶ ନାହିଁ । ଏକଦା ଦୁର୍ଗମ ଓ ଆରଣ୍ୟକ ଅଞ୍ଚଳ ଭେଦ କରି ଆଜି ଅସଂଖ୍ୟ କଳକାରଖାନା ଉପନିବେଶମାନ ସ୍ଥାପନ କରିଛନ୍ତି; ଗମନାଗମନ ସୁବିଧା ଯୋଗୁଁ ତୀର୍ଥଯାତ୍ରୀ ତଥା ଭ୍ରମଣ-ବିଳାସୀଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଘଟିଛି ।

 

କିନ୍ତୁ ଚେହେରାରେ ଏ ଅନିବାର୍ଯ୍ୟ ପରିବର୍ତ୍ତନ ସତ୍ତ୍ଵେ ଏହା ଏକ ଭିନ୍ନ ପୃଥିବୀ । ପ୍ରତୀକାତ୍ମକ କିମ୍ବଦନ୍ତୀ ଓ ସ୍ଥୂଳ ଦୃଶ୍ୟ ଭିତରେ ବ୍ୟବଧାନ ଏଠି ବାରମ୍ବାର ଅପସରିଯାଏ ।

 

ସେହିପରି ଏକ ଦୁର୍ଲଭ ଅନୁଭୂତି ଆସିଥିଲା ୧୯୮୬ ସେପ୍ଟେମ୍ବରରେ । ସ୍ଵାମୀ ଶିବାନନ୍ଦଙ୍କ ସୁଯୋଗ୍ୟ ଉତ୍ତରାଧିକାରୀ ସ୍ଵାମୀ ଚିଦାନନ୍ଦ ମହାରାଜଙ୍କ ସହ ମାନ୍ଦ୍ରାଜଠାରେ ଏକ ସାକ୍ଷାତ୍‌କାର ସମୟରେ ତାଙ୍କର ସାଦର ପରାମର୍ଶ କ୍ରମେ ତାଙ୍କ ଅତିଥି ଭାବରେ ଋଷିକେଶ ଯାଇଥିଲି–ସ୍ଵାମୀ ଶିବାନନ୍ଦଙ୍କ ଶତବାର୍ଷିକୀ ଉପଲକ୍ଷେ ମୋ ପତ୍ରିକା ‘ହେରିଟେଜ୍’ ସକାଶେ କିଛି ଉପାଦାନ ସଂଗ୍ରହ ନିମନ୍ତେ । ଶେଷ ଅପରାହ୍‌ଣରେ ଗଙ୍ଗା କୂଳରେ ଅବସ୍ଥିତ ସ୍ଵାମିଜୀଙ୍କ ନିବାସର ଦ୍ଵିତଳରେ ବସି ଗଙ୍ଗାର ପ୍ରମତ୍ତ ଜଳଧାରା ଉପରେ ଦୃଷ୍ଟି ନିବଦ୍ଧ ଥିବା ଅବସ୍ଥାରେ ଉପଲବ୍‌ଧ କରିଥିଲି ସେ ଗତିଶୀଳ ଶକ୍ତି, ଏକ ସ୍ଥୂଳ ବ୍ୟାପାର ମାତ୍ର ନୁହେଁ, କାବ୍ୟକ ଦୃଷ୍ଟିରୁ ହିମାଳୟର ସ୍ନେହସମ୍ଭୂତ ଧାରା, ଆଶୀର୍ବାଦ ମାତ୍ର ନୁହେଁ, ତାହା ଏକ ଅନନ୍ୟ ବିଭୂତି, ଆପାତ ଦୃଷ୍ଟିରେ ଅଚେତନ ଏକ ଦିବ୍ୟ ସତ୍ତା । ସେ ସ୍ରୋତରେ ପ୍ରଚ୍ଛନ୍ନ ରହିଛି ଜୀବନ୍ୟାସ ଶକ୍ତି, ଯେଉଁ ଶକ୍ତିର ପ୍ରୟୋଗରେ ଭସ୍ମୀଭୂତ ପିତୃପୁରୁଷଙ୍କ ପୁନରୁଜ୍ଜୀବନ ନିମନ୍ତେ ତାକୁ ସ୍ଵର୍ଗରୁ ଅବତରଣ କରାଇଥିଲେ ସାଧକ ରାଜପୁତ୍ର ଭଗୀରଥ ।

 

ମହାଦେବଙ୍କ ଶିରରେ ତାଙ୍କ ଦିବ୍ୟାବତରଣ ପୂର୍ବରୁ ସ୍ଵର୍ଗରେ ଗଙ୍ଗା କେଉଁ ରୂପରେ ଅବସ୍ଥାନ କରୁଥିଲେ ? ସେ ସମ୍ପର୍କରେ କିମ୍ବଦନ୍ତୀ ପୂର୍ବରୁ କୌଣସି ନିବନ୍ଧରେ ଲେଖିଛି–ସମ୍ଭବତଃ ଏକାଧିକ ଥର । କିନ୍ତୁ ତା’ର ପୁନଃକଥନରେ ମୋର କ୍ଳାନ୍ତି ନାହିଁ । (ଯଦି ମୋର ପ୍ରିୟ ପାଠକ ପାଠିକା ପଢ଼ିବାରେ କ୍ଳାନ୍ତି ଅନୁଭବ କରିବେ, ତେବେ କ୍ଷମାକରିବେ ।)

 

ଥରେ ଦେବର୍ଷି ନାରଦ ଭୂପୃଷ୍ଠ ପରିକ୍ରମା ଶେଷକରି ହିମାଳୟ ପଥରେ–ଅର୍ଥାତ୍ ସ୍ଥୂଳ ହିମାଳୟ ସହିତ ବିଜଡ଼ିତ ସୂକ୍ଷ୍ମ ହିମାଳୟ ପଥରେ–ବୈକୁଣ୍ଠକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ପୁଣି ବୀଣା ବାଦନ କରିବା ସଙ୍ଗେ ସଙ୍ଗେ ଗୀତ ବି ବୋଲୁଥିଲେ ।

 

ହଠାତ୍ ତାଙ୍କ ଦୃଷ୍ଟି ଜହ୍ନ-ପ୍ଳାବିତ ଏକ ଉପତ୍ୟକାରେ ଅଟକିଗଲା । ତହିଁ ଅବସନ୍ନ ଭାବରେ ବସିଛନ୍ତି ଦଳେ ଅସାମାନ୍ୟ ସୁନ୍ଦର ସତ୍ତା । କହିବା ବାହୁଲ୍ୟ, ସେମାନେ ନରନାରୀ ନୁହନ୍ତି-। ଦେବ ଦେବୀ ହୋଇଥିଲେ ବି ନାରଦ ଅକ୍ଳେଶରେ ଚିହ୍ନିପାରିଥାନ୍ତେ । କୌତୂହଳୀ ହୋଇ ସେ ସେମାନଙ୍କ ନିକଟକୁ ଯାଇ ପ୍ରଶ୍ନ କଲେ, ‘‘ତୁମ ପରିଚୟ ?’’

 

ସେ ରୂପ-ଧନ୍ୟ ଗୋଷ୍ଠୀ ନିଜ ପରିଚୟ ଦେବାପାଇଁ କୁଣ୍ଠିତ ବୋଲି ନାରଦଙ୍କର ଧାରଣା ହେଲା । କିନ୍ତୁ ସେ ତାଙ୍କ ପ୍ରଶ୍ନର ଉତ୍ତର ନ ପାଇ ଚୁପ୍‌ଚାପ୍ ନିଜ ବାଟରେ ଚାଲିଯିବା ବ୍ୟକ୍ତି ନୁହନ୍ତି । ତାଙ୍କ ଜିଗର ଏଡ଼ାଇ ନପାରି ସେ ଗୋଷ୍ଠୀର ମୁଖପାତ୍ର କହିଲେ, “ଆମେ ହେଲୁଁ ରାଗ ରାଗିଣୀ ସମୂହର ଆତ୍ମା-ଶକ୍ତି, ଏକଜାତୀୟ ଗନ୍ଧର୍ବ ଗାନ୍ଧର୍ବୀ ।’’

 

ଇତିମଧ୍ୟରେ ନାରଦ ଗୋଟାଏ ବିଚିତ୍ର କଥା ଲକ୍ଷ୍ୟ କରିଥିଲେ । ସେ ଗନ୍ଧର୍ବ ଗାନ୍ଧର୍ବୀମାନେ ପ୍ରତ୍ୟେକେ ଊଣା ଅଧିକେ ବିକଳାଙ୍ଗ । କାହାରି କାନଟାଏ ଉଡ଼ିଯାଇଛି ତ କାହାର ହାତଟାଏ ମୋଡ଼ିହୋଇଯାଇଛି । କାହା ଚିବୁକରେ ପ୍ରଚଣ୍ଡ ଚାପୁଡ଼ା ବସିଥିବା ଭଳି ମନେହେଉଛି ତ କେହି ମୁଥମାରି ଯେମିତି କାହାର ଆଖି ଫୁଲାଇଦେଇଛି ।

 

“ମୁଁ ସାମାନ୍ୟ ସଙ୍ଗୀତ ଚର୍ଚ୍ଚା କରିଥାଏଁ । ତେଣୁ ଆଜି ସଙ୍ଗୀତର ପ୍ରାଣ-ସତ୍ତାକୁ ଭେଟି ମୁଁ ଗୌରବାନ୍ଵିତ ବୋଧକରୁଛି । କିନ୍ତୁ ହେ ଗନ୍ଧର୍ବ ଗାନ୍ଧର୍ବୀ ବୃନ୍ଦ ! ତମମାନଙ୍କର ଏ ଦଶା କେମିତି ହେଲା ? ତମେ ପ୍ରତ୍ୟେକେ ଯେମିତି ଅତ୍ୟାଚାରିତ ହୋଇଛ–ମୋର ଏମିତି ମନେହେବାର କାରଣ ଅଛି ନିଶ୍ଚୟ !” କହିଲେ ଦେବର୍ଷି ।

 

ଏ ପ୍ରଶ୍ନର ଉତ୍ତର ଦେବା ଦିଗରେ ସେମାନେ ପୂର୍ବାପେକ୍ଷା ଆହୁରି କୁଣ୍ଠିତ ମନେହେଲେ-। କିନ୍ତୁ ନାରଦ ବି ତାଙ୍କ ଜିଜ୍ଞାସାରେ ରହିଲେ ଅଟଳ । ବାଧ୍ୟହୋଇ ମୁଖପାତ୍ର ବୁଝାଇଲେ, “ହେ ଦେବର୍ଷି ! ଆପଣ ସ୍ୱୟଂ ସଙ୍ଗୀତଜ୍ଞ । ଆମ ଉତ୍ତର ତେଣୁ ଆପଣଙ୍କୁ ସୁଖକର ଲାଗିବ ନାହିଁ-। ଶୁଣନ୍ତୁ, ଯେତେବେଳେ ସଙ୍ଗୀତଜ୍ଞମାନେ ଅହଂଚାଳିତ ହୋଇ ରାଗ ରାଗିଣୀର ବିକୃତ ବା ଭୁଲ୍‍ ପରିବେଷଣ କରନ୍ତି, ଅଥବା ସଙ୍ଗୀତର ଅପବ୍ୟବହାର କରନ୍ତି, ସେତେବେଳେ ଆମ ଉପରେ ବସେ ଗୋଟାଏ ଗୋଟାଏ ମାଡ଼ । ବହୁ ଦିନ ଧରି ବହୁ ମାଡ଼ ଫଳରେ ଆମର ଏଭଳି ଦୁର୍ଦ୍ଦଶା-।’’

 

ନାରଦ ଅବନତ-ଶିର ହୋଇ କିଛି ସମୟ ଚୁପ୍ ରହି ପଚାରିଲେ, “ତୁମମାନଙ୍କ ବିକଳ ଅଙ୍ଗପ୍ରତ୍ୟଙ୍ଗ ପୁନରାୟ ସେମାନଙ୍କ ସୌଷ୍ଠବ ଫେରିପାଇବାର ସମ୍ଭାବନା କ’ଣ ନାହିଁ ?”

 

–“ଅଛି...ଯଦି ସମ୍ପୂର୍ଣ୍ଣ ଅହଂଶୂନ୍ୟ ଦିବ୍ୟ ସଙ୍ଗୀତ ଶୁଣିବାର ସୁଯୋଗ ଆମକୁ ମିଳିବ ।’’ ମୁଖପାତ୍ର କହିଲେ ।

 

–“ସେଭଳି ସଙ୍ଗୀତ ପରିବେଷଣ କରିପାରିବେ କିଏ ?”

 

–“ସର୍ବୋତ୍ତମ ସଙ୍ଗୀତଜ୍ଞ–ଶିବ ।’’

 

ବିଳମ୍ବ ନକରି ନାରଦ ଯାଇ ଶିବଙ୍କ ଦ୍ଵାରସ୍ଥ ହେଲେ ଓ ଗନ୍ଧର୍ବଗୋଷ୍ଠୀର ଦୁର୍ଦ୍ଦଶା ତଥା ତା’ର ଏକମାତ୍ର ପ୍ରତିକାର କ’ଣ ତାହା ନିବେଦନ କଲେ । ମହାନୁଭବ ମହାଦେବ କହିଲେ, “ଗୀତ ବୋଲିବାରେ ମୋର ଆପତ୍ତି ନାହିଁ । କିନ୍ତୁ କଥାହେଲା, ମୋ ଶ୍ରୋତୃମଣ୍ଡଳିରେ ଅନ୍ତତଃ ଜଣେ ସମ୍ପୂର୍ଣ୍ଣ ସମଝଦାର ଶ୍ରୋତାର ମୁହଁ ନ ଦେଖିଲେ ମୁଁ ଗାଇବାର ପ୍ରେରଣା ପାଇବି ନାହିଁ ।”

 

ବୁଝିବାବେଳକୁ ସମଗ୍ର ସୃଷ୍ଟିରେ ସମ୍ପୂର୍ଣ୍ଣ ସମଝଦାର ଶ୍ରୋତା ମାତ୍ର ଦୁଇଜଣ–ବିଷ୍ଣୁ ଏବଂ ବ୍ରହ୍ମା ।

 

ଅନନ୍ତ ନୀରବତାରେ ସଦା-ନିମଗ୍ନ ଶିବ ସେ ପର୍ଯ୍ୟାୟରୁ ସାମୟିକ ଭାବରେ ନିଷ୍କ୍ରାନ୍ତ ହୋଇ ଗୀତ ବୋଲିବାକୁ ସମ୍ମତ, ଏ ସମ୍ବାଦରେ ପୁଲକିତ ବ୍ରହ୍ମା ଓ ବିଷ୍ଣୁ ଯଥା ସମୟରେ ଆସି କୈଳାସରେ ଉପନୀତ ହେଲେ । ଆସିଲେ ଦେବଦେବୀବୃନ୍ଦ ଏବଂ ରାଗରାଗିଣୀସମୂହର ଆତ୍ମା-ଶକ୍ତି ଗନ୍ଧର୍ବଗୋଷ୍ଠୀ ।

 

ଶିବ ଗୀତ ବୋଲିଲେ । ସେ ଦିବ୍ୟ ଧ୍ଵନିରେ ଗଗନ ବ୍ୟାପି ଉଦ୍‌ଭାସିତ ହେଲା ଇନ୍ଦ୍ରଧନୁ; ପୁଞ୍ଜୀଭୂତ ତୁଷାର ରାଶି ହେଲେ ବିଗଳିତ; ସେ ଝଙ୍କାର ବ୍ୟାପିଯାଇ ମର୍ତ୍ତ୍ୟଲୋକରେ ସୃଷ୍ଟି କଲା ଋତୁ ବସନ୍ତ । ଗନ୍ଧର୍ବମାନେ ପୂର୍ଣ୍ଣାଙ୍ଗ ସୁନ୍ଦର ହେଲେ ।

 

କିନ୍ତୁ ଏସବୁ ସଂଘଟିତ ହେବା ସଙ୍ଗେ ସଙ୍ଗେ ସମସ୍ତଙ୍କ ଅଜାଣତରେ ଘଟୁଥିଲା ଆଉ ଏକ ଅପ୍ରତ୍ୟାଶିତ ବ୍ୟାପାର । ଶିବଙ୍କ ସଙ୍ଗୀତ ସହିତ ଏକାତ୍ମ ବିଷ୍ଣୁଙ୍କ କଳେବରର ଏକ ସ୍ତର ତରଳିଯାଇ ବହିଯିବାକୁ ଆରମ୍ଭକଲା । ସେ କଥା ବୁଝିପାରିଲେ ବ୍ରହ୍ମା । ସେ ତତ୍‍କ୍ଷଣାତ୍‌ ନିଜ କମଣ୍ଡଳୁରେ ସେ ସ୍ରୋତକୁ ଧରିନେଲେ ।

 

ସେହି ଦ୍ରବୀଭୂତ ଦିବ୍ୟତନୁ ଗଙ୍ଗାର ଉତ୍ସ । ତେଣୁ ସେ ଏଡ଼େ ପବିତ୍ର । ବହୁଦିନ ପରେ ସେ ନୀର କମଣ୍ଡଳୁରୁ ନିର୍ଗତ ହୋଇ ନଦୀ ରୂପ ଗ୍ରହଣ କରିଥିଲା ।

 

ସେଦିନ ଋଷିକେଶ ଓ ଅଦୂରବର୍ତ୍ତୀ ଲକ୍ଷ୍ମଣଝୋଲାଠିଁ କିଛି ସମୟ ଠିଆହୋଇ ବିଶାଳକାୟ ପର୍ବତପୁଞ୍ଜ ଭିତରୁ ଗଙ୍ଗା ସ୍ରୋତର ନିର୍ଗମନକୁ ଲକ୍ଷ୍ୟ କରି ଭାବୁଥିଲି, ସ୍ଥୂଳ ଓ ସୂକ୍ଷ୍ମର ସୀମା ବାସ୍ତବରେ କେଡ଼େ କ୍ଷୀଣ ! ପର୍ବତମୟ ଦୂର ଦିଗନ୍ତରେ ଝଲସିଉଠୁଥିଲା ଏକ ଅଦୃଶ୍ୟ ଦୃଶ୍ୟ-: ଯୋଗୀବର ରାଜପୁତ୍ର ଭଗୀରଥ ଶଙ୍ଖଧ୍ୱନି କରି ଶିଳାଭୂମି ଅତିକ୍ରମ କରି ଆଗେଇ ଆସୁଛନ୍ତି । ତାଙ୍କ ପଛରେ ଉତ୍ତାଳ ଜଳରାଶି–ଉତ୍ତାଳ କିନ୍ତୁ କରୁଣା ଓ ସମ୍ବେଦନରେ ଉଚ୍ଛଳ ଜନନୀ ଗଙ୍ଗା । ଜନନୀ ବିନା ଜୀବନ୍ୟାସ ଦେବ କିଏ ? ଗଙ୍ଗା ‘ବିଗଳିତ କରୁଣା’ ।

☆☆☆

 

(ଆଠ)

ଆଶ୍ରମ ନାମ ବଦରିକା

 

“ନଈ ସେପାରିରେ, ବୁଦାମାଳ ଭିତରେ, ଏକ ସରୁ ପଥ ଦେଖିପାରୁଛନ୍ତି ? ପୁରାକାଳରେ ପରିବ୍ରାଜକମାନେ ସେହି ପଥ ଦେଇ ବଦରିକାଶ୍ରମ ଯାଉଥିଲେ । ବସ୍ତୁତଃ, ସେ ପଥ କେହି ପ୍ରସ୍ତୁତ କରିନଥିଲେ–ଆଜିର ଏ ପଥ ଭଳି ।’’

 

ଗଙ୍ଗାର ବାମ ପାର୍ଶ୍ଵ ଦେଇ ଆମ ଗାଡ଼ି ଚାଲିଥିଲା । ସୀମାନ୍ତର ଦୁର୍ଗମ, ସର୍ପିଳ ପଥଘାଟର ସୁରକ୍ଷା ନିମନ୍ତେ ନିୟୋଜିତ ସାମରିକ ପ୍ରତିଷ୍ଠାନର ଗାଡ଼ି । ମୁଁ ତାଙ୍କ ଅତିଥି । ଗଙ୍ଗାର ଦକ୍ଷିଣ ତଟର ପାହାଡ଼ ଉପରେ କଦାଚିତ୍ ଦୃଶ୍ୟମାନ ଏକ କ୍ଷୀଣ ପଥକୁ ନିର୍ଦ୍ଦେଶ କରି ସହଯାତ୍ରୀ କପ୍ତାନ ମୋତେ କହୁଥିଲେ ।

 

ସେ ପଥ ଉଦ୍ଦେଶ୍ୟରେ କରଯୋଡ଼ କରିବାକୁ ମନ ହେଉଥିଲା । ଶତାବ୍ଦୀ ଶତାବ୍ଦୀ ଧରି ହଜାର ହଜାର ତୀର୍ଥଯାତ୍ରୀଙ୍କ ପଦପାତରୁ ସେ ପଥର ସୃଷ୍ଟି । ଧୈର୍ଯ୍ୟ, ଅଭୀପ୍‌ସା, ବିଶ୍ଵାସ ଓ ଅକୁଣ୍ଠ ଶ୍ରମ ସମନ୍ଵିତ ସେମାନଙ୍କ ମାନସିକତାର କଳନା ଆଜିର ମନ ଦ୍ଵାରା ସହଜ ନୁହେଁ । ନିଦାଘ, ଝଡ଼, ତୁଷାରପାତର ଅତ୍ୟାଚାର, ଜନ୍ତୁ ଜାନୁଆରଙ୍କ ଆକ୍ରମଣ–ଏସବୁକୁ ସହଜ ଭାବରେ ଗ୍ରହଣ କରିନେଇ ବାଟ ଚାଲୁଥିଲେ ସେମାନେ । କ୍ଷୁଧା, ତୃଷା, ଅନିଦ୍ରା–ଏସବୁ କ୍ଳେଶକୁ ସେମାନେ ସମ୍ଭବତଃ ପାଶୋରି ଦେଉଥିଲେ । ବଦ୍ରିବିଷ୍ଣୁଙ୍କ ପାଇଁ ଆକର୍ଷଣ କେତେ ତୀବ୍ର, ହୃଦୟରେ ଭକ୍ତିଭାବ କେତେ ପ୍ରଖର ହେଲେ ଜଣେ ଏ ଦୀର୍ଘ ଯାତ୍ରାପଥରେ ଅବତୀର୍ଣ୍ଣ ହେବା ସମ୍ଭବ ଥିଲା ? ଭାବିଲେ ଆମର ଅହଂ ହୁଏ ଅବନତ ।

 

କାଳର ଯେଉଁ ପର୍ଯ୍ୟାୟକୁ କପ୍ତାନ ‘ପୁରାକାଳ’ ବୋଲି ଅଭିହିତ କରୁଥିଲେ, ସେ ପର୍ଯ୍ୟାୟର ଆରମ୍ଭ କେବେ ଜଣାନାହିଁ, ଶେଷ କିନ୍ତୁ ଏଇ ଶତାବ୍ଦୀରେ; ମଟରଗାଡ଼ି ଯୋଗେ ବଦରିକାଶ୍ରମରେ ଉପନୀତ ହେବା ସମ୍ଭବ ହେବା ଉତ୍ତାରୁ । କ୍ରମେ ସେ ପାଦଚଲା ପଥ ନିଶ୍ଚିହ୍ନ ହୋଇଯିବ । ସେଥିସହିତ ଲିଭିଯିବ ଅଂସଖ୍ୟ ଅଭାବନୀୟ ପାଦଚିହ୍ନ ।

 

କେତେ ସମୟ ଧରି ବାରମ୍ବାର ଦେଖାଦେଇ ଲୁଚିଯାଉଥିବା ସେ ପଥକୁ ଅନାଇ ରହିଥିଲି । ସେ ପଥରେ ଦିନେ ଯାଇଥିବେ ମହାନ୍ ବ୍ୟାସଦେବ । ଶ୍ରୀକୃଷ୍ଣଙ୍କ ପାଦୁକା ବହନକରି ଯାଇଥିବେ ଉଦ୍ଧବ । ଏମାନେ ପୌରାଣିକ ଯୁଗର ଚରିତ୍ର । ଇତିହାସସମ୍ମତ ହିସାବ ଅନୁସାରେ ସେ ପଥରେ ଯାଇଛନ୍ତି ଶଙ୍କରାଚାର୍ଯ୍ୟ ।

 

ଯାଇଛନ୍ତି ଅଗଣନ ଯାତ୍ରୀ–ସାଧୁ, ସନ୍ଥ, ଯୋଗୀ, ସାଧକ, ଭକ୍ତ ତଥା କୌତୂହଳୀ । ତୀର୍ଥଯାତ୍ରା ପରମ୍ପରା ଭାରତରେ ଯେପରି ବିକାଶ ଲାଭ କରିଥିଲା, ତା’ର ପଟାନ୍ତର ପୃଥ‌ିବୀର ଅନ୍ୟ କୌଣସି ସଭ୍ୟତାରେ ନାହିଁ । ସେ ଯାତ୍ରାରେ ସାମିଲ୍ ହୋଇଥାନ୍ତି ପରମ ଜ୍ଞାନୀଠୁଁ ଦୀନ ଅଜ୍ଞାନୀ ପର୍ଯ୍ୟନ୍ତ; ଧୂର୍ତ୍ତଠୁଁ ସରଳ ପର୍ଯ୍ୟନ୍ତ ।

 

ସେମିତି ଏକ ସରଳ ସାଧୁବାବାଙ୍କ କଥା ମନେପଡ଼ୁଥିଲା । ସାଧୁବାବା ବଡ଼ କ୍ଳାନ୍ତ ହୋଇଯାଇଥିଲେ । ଦେଖୁଥିଲେ, ସ୍ୱଚ୍ଛଳ ପଥିକ ଜଣେଅଧେ ମଧ୍ୟେ ମଧ୍ୟେ ଘୋଡ଼ା, ନ ହେଲେ ଗଧଟିମାନ ଚଢ଼ି ତାଙ୍କୁ ଅତିକ୍ରମ କରି ଚାଲି ଯାଉଛନ୍ତି । ସେ ବିକଳ ଭାବରେ ତାଙ୍କ ଆରାଧ୍ୟ ରାମଙ୍କୁ କହୁଥାନ୍ତି, “ରାମ ! ମୋତେ ଗୋଟାଏ ଗଧ ଯୋଗାଡ଼ କରିଦେ !” ଘୋଡ଼ା ମାଗିଲେ କାଳେ ଭଗବାନଙ୍କୁ ବେଶି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ, ତେଣୁ ସେ ଗଧରେ ହିଁ ସନ୍ତୁଷ୍ଟ ରହିବେ ବୋଲି ସ୍ଥିରକରିଥିଲେ ।

 

ସଦଳବଳ ବଦରିକା ଧାମ ଅଭିମୁଖେ ଚାଲିଥିଲେ ଜଣେ ପ୍ରତାପୀ ରାଜା । ସେ ତଥା ପାତ୍ରମିତ୍ର ଘୋଡ଼ା ଉପରେ ସବାର୍ ହୋଇଥିଲେ । କିନ୍ତୁ ତମ୍ବୁ, କମ୍ବଳ, ବାସନ କୁସନ ସବୁ ବୋଝେଇ ହୋଇଥିଲା ଗଧଟିମାନଙ୍କ ପିଠିରେ । ହଠାତ୍ ଗୋଟାଏ ସୁକୁମାର ଗଧ ଛୋଟାହୋଇଗଲା । କିନ୍ତୁ ସେ ଗୋଟିକ ରାଜାଙ୍କ ପ୍ରିୟ । ଅତଏବ ତାକୁ ପରିତ୍ୟାଗ କରିବାର ପ୍ରଶ୍ନ ଉଠୁନାହିଁ । କରାଯାଏ କ’ଣ ? ଉଦ୍‌ବିଗ୍ନ ପରିଚାରକମାନଙ୍କ ଆଖିରେ ପଡ଼ିଗଲେ ସାଧୁବାବା । ଛୋଟା ଗଧକୁ ନେଇ ତାଙ୍କୁ ମାଡ଼ିବସି ଅଟକାଇ, ତାଙ୍କ କାନ୍ଧରେ ସେମାନେ ଥୋଇ ଦେଲେ । ‘‘ଚାଲ୍ ବେଟା, ଚାଲ୍ ଆମ ପଛେ ପଛେ !” ତାଙ୍କୁ ସେମାନେ ହୁକୁମ ଦେଲେ ।

 

ସାଧୁ ଛୋଟା ଗଧର ବୋଝ ଧରି ଚାଲୁ ଚାଲୁ ଦୀର୍ଘ ନିଃଶ୍ଵାସ ଛାଡ଼ି କହିଲେ, ‘‘ଓଲଟା ବୁଝିଲୁ ରାମ !”

 

ଏ କାହାଣୀରେ କାନ୍ଦିବା ଉଚିତ ନା ହସିବା ଉଚିତ, ଆଜିପର୍ଯ୍ୟନ୍ତ ଏ ଲେଖକ ସେତକ ଠଉରାଇପାରିନାହିଁ । ଆହା ସାଧୁବାବା ! ରାମ ପ୍ରତି ତାଙ୍କର ଅଭିଯୋଗ ନାହିଁ, ଅଭିମାନ ନାହିଁ । ସେ ଗଧ ମାଗିଥିଲେ ବୋଲି ସିନା ରାମ ତାଙ୍କୁ ଯୋଗାଇଦେଲେ ! ସାଧୁବାବା ଅବଶ୍ୟ ଗଧ ଚଢ଼ିବାକୁ ମନ ବଳେଇଥିଲେ । ଗଧ ତାଙ୍କ ଉପରେ ଚଢ଼ିବ–ତାଙ୍କର ସେଭଳି ବାସନା ନଥିଲା । ସେ ଦୃଷ୍ଟିରୁ ରାମ ବୁଝିବାରେ ସାମାନ୍ୟ ଭୁଲ୍‍ କରିପକାଇଲେ । କିଏ ବା ଭୁଲ୍‍ ନ କରେ ! ଅତଏବ ରାମଙ୍କ ପ୍ରତି ସାଧୁଙ୍କର ଦରଦଭରା ଅନୁକମ୍ପିତ ବାଣୀ !

 

କାହିଁକି କେଜାଣି, ଏ ଗଧବାହୀ ସାଧୁଙ୍କ କଥା ମନେପକାଇବା ଭିତରେ ଭକ୍ତ-ଭଗବାନ୍‌ ସମ୍ପର୍କର ଏକ ବିଚିତ୍ର ଦିଗ, ଭାଷାରେ ଯାହାର ପ୍ରକାଶ ସହଜ ନୁହେଁ, ଦୀର୍ଘ ସମୟ ଧରି ମୋତେ ଅଭିଭୂତ କରିରଖିଥିଲା । ନଈ ସେ ପାରିର ସେ ସରୁ ପଥ ଧରି ଯେମିତି ସାଧୁବାବାଟି ଚାଲିଛନ୍ତି । ଆହା, ସମୟର ଉଜାଣି ଯଦି ଥା’ନ୍ତା, ସେଥିରେ ଭାସିଯାଇ ସାଧୁବାବାଙ୍କୁ ହେଲେ କହିପାରିଥାନ୍ତି, “ହେଲା, ହେଲା, ବହୁତ ହେଲା । ଏଥର ଗଧ-ମୁକ୍ତ ହୋଇ ବାଟ ଚାଲ । କିଏ କ’ଣ କରିବ ଦେଖିବା ।”

 

ମନେହେଲା, ସାଧୁବାବା ଯେମିତି ଦୟାର୍ଦ୍ର ଦୃଷ୍ଟିପାତ କରି ମୋତେ କହିଥାନ୍ତେ : ‘‘ଆରେ ନିର୍ବୋଧ, ସତରେ କ’ଣ ରାମ କେବେ ଓଲଟା ବୁଝିପାରନ୍ତି ? ଏ ଯେଉଁ ଗଧ, ଏଇଟା ଗୋଟାଏ ପ୍ରତୀକ । ନିର୍ବୋଧତାର ବୋଝ । ବଦରିକାଶ୍ରମରେ ପହଞ୍ଚି ଯେତେବେଳେ ଏହାକୁ ଉତାରିଦେବି, ସେତେବେଳେ ଯାହା ପାଇବି ତାହା ଖାଲି ଗଧ-ମୁକ୍ତିର ସ୍ଵାଦ ନୁହେଁ, ମୁକ୍ତିର ସ୍ଵାଦ । ଏଇ ଶେଷ କେଇ କ୍ରୋଶ ଗଧ ବହନ କରି ମୁଁ ଆଗାମୀ ସବୁ ଜନ୍ମପାଇଁ ଗଧ ବହନର ଭବିତବ୍ୟରୁ ତରିଯିବି !”

 

ଅତୀତରେ ସେ ଦୁର୍ଗମ ପଥର ଯାତ୍ରୀଗଣ ଗରୁଡ଼ଙ୍କୁ ସ୍ମରଣ କରୁଥିଲେ । ଗରୁଡ଼ ନାରାୟଣଙ୍କ ବାହନ । ତାଙ୍କ ଦୟା ହେଲେ ଯାତ୍ରା କ୍ଳେଶ ମନ୍ଦୀଭୂତ ହେବ । ପଥପ୍ରାନ୍ତରେ ହାଲ୍ ଛାଡ଼ିଦେଇ ପଡ଼ିଯାଇଥିବା କୌଣସି ଯାତ୍ରୀ ଆଖି ଖୋଲି ଦେଖିବାବେଳକୁ ବଦରିକାଶ୍ରମରେ ଉପନୀତ–ଗରୁଡ଼ଙ୍କ କୃପାରୁ–ଏଭଳି କାହାଣୀ ବି ପ୍ରଚଳିତ ଥିଲା । ଗରୁଡ଼ଙ୍କ ନାମରେ ନାମିତ ଥିଲେ ଏକାଧିକ ବିଶ୍ରାମସ୍ଥଳ-ଚଟି । ‘ଥିଲେ’ ନୁହେଁ, ସେସବୁ ଅଛନ୍ତି–ଯେମିତି ବିଦ୍ୟମାନ ଅଛନ୍ତି ଛୋଟ ଛୋଟ କେତେ ତୀର୍ଥ ବଦରିକାଶ୍ରମ ପଥରେ । କିନ୍ତୁ ମଟର ଯାତ୍ରୀ ପାଇଁ ସେସବୁ ବିସ୍ମୃତ । ଅବଶ୍ୟ ଏବେବି ଏଭଳି ତୀର୍ଥ ଯାତ୍ରୀ ଅଛନ୍ତି, ଯେଉଁମାନେ ଚାଲି ଚାଲି ସେସବୁ ତାର୍ଥ ଛୁଇଁ ଛୁଇଁ ବଦରିକାଶ୍ରମରେ ଉପନୀତ ହୋଇପାରିଲେହିଁ ଉଦ୍ଦେଶ୍ୟ ସଫଳ ହେଲା ବୋଲି ମନେକରନ୍ତି ।

 

ଯେଉଁ କେଇଜଣ ଅତିଥିଙ୍କୁ ନେଇ ସାମରିକ ବିଭାଗର ଏ ଗାଡ଼ି ବଦରିକାଶ୍ରମ ଯାଉଥିଲା, ସେମାନଙ୍କ ଭିତରେ ଜଣେ ଅବସରପ୍ରାପ୍ତ ସେନାପତି ଥିଲେ । ଆଜୀବନ ଯୁଦ୍ଧର ତାଲିମ ନେବା, ଯୁଦ୍ଧର ତାଲିମ ଦେବା ଏବଂ ଯୁଦ୍ଧ କରିବା ଉତ୍ତାରୁ ଅବସର ପରେ ସାରା ଜୀବନ ତାଙ୍କୁ ମାୟାମୟ ବୋଲି ମନେହେଉଥିଲା । ଋଷିକେଶଠାରେ ସାମରିକ ଅତିଥିଭବନରେ ତାଙ୍କ ସହ ପରିଚୟ ହେବା ପରେ ସୁଯୋଗ ପାଇଲେହିଁ ସେ ମୋତେ ଦର୍ଶନ ଚର୍ଚ୍ଚାରେ ଅଂଶୀଦାର କରିବାକୁ ଉତ୍ସୁକ ଥିଲେ । ଥରେ ତାଙ୍କୁ ହସି ହସି କହିଲି, ‘‘ଦେଖନ୍ତୁ, ମୁଁ ହିମାଳୟ ଦର୍ଶନ ପାଇଁ ବାହାରିଛି, ଦର୍ଶନ ଚର୍ଚ୍ଚା ପାଇଁ ନୁହେଁ ।’’ ସେ ବି ହସିଲେ ଏବଂ କହିଲେ, “ମୁଁ ଆପଣଙ୍କୁ ଛାଡ଼ୁନାହିଁ-।” ମୁଁ ହୁଏତ ନ ହସି, ରୁକ୍ଷ ଭାବରେ କହିଥିଲେ ସେ ମୋତେ ଛାଡ଼ିଥାନ୍ତେ ।

 

ଯୋଶୀମଠରେ ଦିବାହାର ପରେ ଅତିଥି-ଭବନ ବାହାରେ ବସି ଉତ୍ତୁଙ୍ଗ ଶିଖର ଶ୍ରେଣୀ ଆଡ଼େ ଅନାଇ ଭାବୁଥିଲି, ବାସ୍ତବିକ ଦେବଗଣ ବ୍ୟତୀତ ସେ ଅପୂର୍ବ ରାଜ୍ୟରେ କିଏ ବା ରହିପାରେ ? ଯେଉଁ ଚେତନା ସେ ରାଜ୍ୟରେ ବିଚରଣ କରୁଥିବ, ଦେବ-ଚେତନା ନ ହୋଇ ତା’ର ବା ଗତି କ’ଣ ?

 

ସେ ମୁହୂର୍ତ୍ତ ଥିଲା ବଡ଼ ସ୍ନିଗ୍ଧ, ଅବିସ୍ମରଣୀୟ । ହଠାତ୍ କେତେବେଳେ ପାଖରେ ଆସି ସେନାପତି ମହାଶୟ ବସିଯାଇଥିଲେ ଜାଣିପାରିନଥିଲି ।

 

“କ’ଣ ଦେଖୁଛନ୍ତି ?” ସେ ପ୍ରଶ୍ନ କରି ମୋତେ ଚମକାଇଦେଲେ । ସମ୍ଭବତଃ ମୁଁ ତାଙ୍କଆଡ଼େ ବଡ଼ ବିକଳ ଭାବରେ ଅନାଇଲି । ଏଭଳି ପ୍ରଶ୍ନର ପୁଣି ଉତ୍ତର ଦେବାକୁ ହେବ !

 

“ବୁଝିଲେ, ଏସବୁ ଅଞ୍ଚଳର ଭୂଗୋଳ ମୋ’ପାଇଁ ଅ ଆ କ ଖ ଭଳି ସରଳ ।” ଏତକ କହି ସେ ମୋତେ ଭୂଗୋଳ ପଢ଼ାଇଲେ । ଟିକିଏ ସୁଯୋଗ ପାଇ ମୁଁ କହିଲି, “ଭୂଗୋଳରେ ତ ଆପଣ ପଣ୍ଡିତ । ଏଥର ଏସବୁର ଇତିହାସ, କିମ୍ବଦନ୍ତୀ ଉପରେ ଯାହା ପାରିବେ ତାହା ଆହରଣ କରନ୍ତୁ ।’’

 

–“ତାହାହିଁ କରୁଛି । ଆପଣ ଜାଣନ୍ତି ? ଶଙ୍କରାଚାର୍ଯ୍ୟ ଆସି ବଦରିକାଶ୍ରମର ପୁନଃ ପ୍ରତିଷ୍ଠା କରିଥିଲେ ।’’

 

–“ଜାଣେ ।’’

 

–“ଶଙ୍କରଙ୍କ ମାୟାବାଦ ସମ୍ପର୍କରେ ଆପଣଙ୍କ ମତ କ’ଣ ?”

 

–‘‘ମୋ ମତର ଆବଶ୍ୟକ‌ତା କ’ଣ ? ତା’ଛଡ଼ା, ଇତିହାସ, କିମ୍ବଦନ୍ତୀ ଛାଡ଼ି ପୁଣି ଆପଣ ଦର୍ଶନ ପାଇଁ ଆଗ୍ରହୀ କାହିଁକି ? ଘରକୁ ଫେରିଯିବା ପରେ ଆରାମ ଚୌକିରେ ବସି ଦର୍ଶନ ଅଧ୍ୟୟନ କଲେ ଭଲହୁଅନ୍ତା ନାହିଁ ?’’

 

–“କିନ୍ତୁ ସେଠି ତ ଆପଣଙ୍କୁ ପାଇବିନାହିଁ ! ମୁଁ ଅନୁଭବ କରୁଛି, ଶଙ୍କର ବିଲ୍‌କୁଲ୍ ଠିକ୍ । ସବୁ କିଛି ମାୟା ।”

 

–“ଠିକ୍ ।”

 

–‘‘ଠିକ୍ ?” ସେନାପତି ସଳଖି ବସିଲେ । ‘‘ଶ୍ରୀ ଅରବିନ୍ଦ କ’ଣ ମାୟାବାଦକୁ ସମର୍ଥନ କରନ୍ତି ?’’

 

–“ନା ।”

 

–“ତେବେ ? ଆପଣ ଠିକ୍ ବୋଲି କହିଲେ କେମିତି ?”

 

–“ଶ୍ରୀ ଅରବିନ୍ଦଙ୍କ ଭାବଧାରା ହିମାଳୟ ଭଳି ବ୍ୟାପକ । ସବୁ ଧ୍ୟାନ ଧାରଣାର ସତ୍ୟତା ସେ ସ୍ୱୀକାର କରିଛନ୍ତି । ଆପଣ ଯେଉଁ ସିଦ୍ଧାନ୍ତରେ ପହଞ୍ଚିଛନ୍ତି, ଆପଣଙ୍କ ଚେତନାର ବର୍ତ୍ତମାନ ଅବସ୍ଥା ପାଇଁ ସେତକ ଠିକ୍ । ଯେତେବେଳେ ଆବଶ୍ୟକ ହେବ, ଆପଣଙ୍କ ନିଜ ଭିତରେ ପୁଣି ସେ ଧାରଣା ବଦଳିଯିବ । ଶଙ୍କର ମଧ୍ୟ ଆପଣଙ୍କ ଧାରଣାର ଶଙ୍କରଠୁ ବହୁତ ଅଧିକ ବ୍ୟାପକ । ଆପଣ ଯେଉଁପ୍ରକାର ହାଲୁକା ବିରକ୍ତି, ଜୀବନରେ ବହୁ ଆଶା ଆକାଙ୍‌କ୍ଷାର ଅପୂରଣଜନିତ କ୍ଷୋଭ ଭିତରୁ ହଠାତ୍ ଅବସର ଗ୍ରହଣ ପରେ ପୃଥ‌ିବୀକୁ ମାୟା ଭାବରେ ଦେଖିବାକୁ ଆରମ୍ଭକରିଛନ୍ତି, ଶଙ୍କର ହୁଏତ ସେ ଅର୍ଥରେ ସଂସାର ମାୟା ବୋଲି କହୁନଥିଲେ ।’’

 

ଏତକ କହିସାରିବାବେଳକୁ ଆଉ ଯେ କିୟତ୍‌କ୍ଷଣ ପୂର୍ବର ସେ ପ୍ରଶାନ୍ତ ମୁହୂର୍ତ୍ତକୁ ମୁଁ ଫେରି ଯାଇ ପାରିବିନାହିଁ ସେ କଥା ବୁଝିପାରିଥିଲି । ଦୀର୍ଘନିଃଶ୍ଵାସ ଛାଡ଼ିବା ବ୍ୟତୀତ ଆଉ କିଛି କରିବାର ନଥିଲା ।

 

ସେନାପତି ତର୍କର ସୁଯୋଗ ପାଇଯାଇଥିଲେ । ଫଳରେ ସେ ଅବସରପ୍ରାପ୍ତ ସେନାପତି ନୁହେଁ, ଯୁଦ୍ଧକ୍ଷେତ୍ରର ସେନାପତି ଭଳି ଦିଶୁଥିଲେ । ମୋ ବାହୁ ଝିଙ୍କିଦେଇ ସେ କହିଲେ, ‘‘ଶଙ୍କର ସ୍ପଷ୍ଟ ଭାବରେ କ‌ହିଛନ୍ତି ଯେ ସାରା ଜଗତ୍ ମିଥ୍ୟା–କେବଳ ବ୍ରହ୍ମ ସତ୍ୟ । ଏଥିରେ ମୋର ବୁଝିବାର ଭୁଲ୍‍ ରହିଲା କେଉଁଠି ?’’

 

“ବୁଝିବାରେ ଭୁଲ୍‍ ନଥିଲେ ଆପଣ ମୋ ସହ ଯୁକ୍ତି କରନ୍ତେ କାହିଁକି ? ମୁଁ ମାୟା ମାତ୍ର; ଆପଣ ମାୟା ମାତ୍ର । ମାୟା କେବେ ମାୟା ସହ ଯୁକ୍ତି କରେ ? ଯଦି କରିବ, ତାହା ବି ମାୟା । ଶଙ୍କର ଯଦି ଜଗତ୍‌କୁ ମାୟା ବୋଲି ଜାଣିଲେ, ଆକୁମାରୀ ହିମାଳୟ ଭ୍ରମଣ କରି ସେ ମାୟାକୁ ତୁ ମାୟା ବୋଲି ଜଣାଇବା ସକାଶେ ପ୍ରେରଣା ପାଇଥାନ୍ତେ କାହୁଁ ?’’

 

–‘‘ମାନେ ?”

 

–“ମାନେ ହେଲା, ମାୟାମୟ ଜଗତ୍ ଭିତରେ ବ୍ରହ୍ମ ଲୁଚିରହିଛି–ଏ ପ୍ରତ୍ୟୟ ନଥିଲେ, ଯାହା ସହ ଯୁକ୍ତି କରୁଛନ୍ତି ତା’ ଭିତରେ ବ୍ରହ୍ମ ଅଚେତନ ଭାବରେ ରହିଛି ଏବଂ ସେ ବ୍ରହ୍ମକୁ ହିଁ ସେ ଜାଗରିତ କରିବାକୁ ଆଶାୟୀ–ଏପରି ହୋଇନଥିଲେ ସେ ଦ୍ଵାରକା, ଶୃଙ୍ଗେରୀ, ପୁରୀ, କାଶୀ, ବଦରିକାଶ୍ରମ ବୁଲିବୁଲି ଅକଥନୀୟ ଶ୍ରମ ସ୍ୱୀକାର କରି ପଣ୍ଡିତ, ଦାର୍ଶନିକମାନଙ୍କ ସହ ଯୁକ୍ତିତର୍କ କରିନଥାନ୍ତେ, ପ୍ରତିଷ୍ଠାନମାନ ଗଢ଼ିନଥାନ୍ତେ ।”

 

ସେନାପତିଙ୍କୁ କିଛି କଥା ମୂଲ୍ୟବାନ୍ ମନେହେଲେ ସେ ନିଶ ଆଉଁସନ୍ତି । ତାହାହିଁ କଲେ ଅପେକ୍ଷାକୃତ ନିବିଷ୍ଟ ଭାବରେ ।

 

–“ବୁଝୁଛନ୍ତି ? ଜୀବନର, ପୃଥିବୀର ଏକ ମାୟାମୁକ୍ତ ଭବିଷ୍ୟତ ରହିଛି । ପ୍ରସ୍ତ ପ୍ରସ୍ତ ମାୟାର ଆବରଣ ତଳୁ ମଣିଷର ଚୈତ୍ୟ ସତ୍ତାର ସ୍ଫୁରଣ ସମ୍ଭବପର, ଶ୍ରୀଅରବିନ୍ଦ ଏହି ଆଶାବାଦ ଆମ ଆଗରେ ରଖିଛନ୍ତି । ଆପାତତଃ ମାୟାରୂପୀ ଆପଣ ଓ ମୁଁ ଆମର ମାୟାମୟ କଥୋପକଥନ ସ୍ଥଗିତ ରଖି ଚାଲନ୍ତୁ ଅନ୍ୟ ଏକ ମାୟା ଆଦରିନେବା–ଚାହା ପିଇବା । ଅତିଥିଭବନର ମ୍ୟାନେଜର ହେଇଟି ଆମକୁ ଡାକୁଛନ୍ତି ।”

 

ମୁଁ ଉଠିପଡ଼ିଲି । ସେନାପତି ମଧ୍ୟ ।

 

ଗୌଚରରେ ରାତ୍ରି ଯାପନ ଅନ୍ତେ, ପରଦିନ ଯେତେବେଳେ ଆମେ ବଦରିକାଶ୍ରମରେ ଉପନୀତ ହେଲୁ, ସେତେବେଳେ ପ୍ରାୟ ସନ୍ଧ୍ୟା । ସେଠାକାର ସାମରିକ ଅତିଥିଭବନରେ ପହଞ୍ଚି, ମୋ’ପାଇଁ ନିର୍ଦ୍ଦିଷ୍ଟ କୋଠରୀରେ ଜିନିଷପତ୍ର ଥୋଇ ଝରକା ଖୋଲିଦିଅନ୍ତେ ଝଲସିଉଠିଲା ବଦ୍ରିନାରାୟଣଙ୍କ ମନ୍ଦିର ।

 

ଅବଶେଷରେ ତେବେ ଏ ମହିମାମୟ ସ୍ଥାନରେ ପହଞ୍ଚିଛି ! ଏ ମନ୍ଦିର ବିଶେଷ ପ୍ରାଚୀନ ନୁହେଁ, କିନ୍ତୁ ଦିଅଁଙ୍କ ବୟସ ନିରୂପଣ କରିପାରିବ କିଏ ? ଏକଦା ପ୍ରବଳ ଝଡ଼ ଓ ତୁଷାରପାତ ଭିତରେ ପୂର୍ବ ମନ୍ଦିର ଭୂମିସାତ୍ ହୋଇଥିଲା । ବିଗ୍ରହ ନିମଜ୍ଜିତ ହୋଇଥିଲେ ଅଳକାନନ୍ଦା ନଦୀ ଗର୍ଭରେ । କିମ୍ବଦନ୍ତୀ କହେ, ଶଙ୍କରାଚାର୍ଯ୍ୟ ଧ୍ୟାନସ୍ଥ ହୋଇ ନଦୀର କେଉଁ ସ୍ଥାନରେ ବିଗ୍ରହ ଲୁଚିରହିଛନ୍ତି ତାହା ଠଉରାଇ, କୂଳେ କୂଳେ ସେଠାରେ ପହଞ୍ଚିଲେ । ପ୍ରବଳ ଶୀତ । ନଈ ଜଳ ପ୍ରାୟ ବରଫ । ବିଗ୍ରହ ଉଦ୍ଧାର କରିବ କିଏ ? ସେ ତାଙ୍କ ଅନୁଗାମୀ ଶିଷ୍ୟ କେତେଜଣଙ୍କ ଆଡ଼େ ଅନାଇଲେ । ସମସ୍ତେ ସଙ୍କୁଚିତ । ଜଣେ ଶିଷ୍ୟ କିନ୍ତୁ ଗୁରୁଙ୍କ ମନକଥା ବୁଝିପାରି ଡେଇଁପଡ଼ି ବିଗ୍ରହ ଉଦ୍ଧାର କରି ଆଣିଲେ । ବିଗ୍ରହର ପୁନଃ ପ୍ରତିଷ୍ଠା ପରେ ସେହି ଶିଷ୍ୟଙ୍କୁ ପୂଜା ଭାର ଦେଇ ଶଙ୍କର ପ୍ରସ୍ଥାନକଲେ । ସେ ଶିଷ୍ୟ ଥିଲେ ତ୍ରିଦଣ୍ଡୀ ସନ୍ନ୍ୟାସୀ । ତାଙ୍କ ଅନ୍ତେ ଆଉ ଜଣେ ସନ୍ୟାସୀ ହେଲେ ମନ୍ଦିରର ପୁରୋହିତ । ସମସ୍ତେ କେରଳର ନାମ୍ବୁଦିରି ବ୍ରାହ୍ମଣ ଗୋଷ୍ଠୀର ଅନ୍ତର୍ଭୁକ୍ତ । ଥରେ କୌଣସି ସନ୍ନ୍ୟାସୀଙ୍କ ପୂର୍ବ ପରିବାର ଜୀବନର ପୁତୁରା କେଇଜଣ ଆସି ପହଞ୍ଚିଗଲେ । ସନ୍ନ୍ୟାସୀଙ୍କ ପରେ ପୁରୋହିତ ପଦ ଅନ୍ୟ ଜଣେ ସନ୍ନ୍ୟାସୀଙ୍କୁ ନେବାକୁ ନଦେଇ ସେମାନେ ତାକୁ ହସ୍ତଗତ କରିନେଲେ । ସେହିମାନଙ୍କ ବଂଶଧରଗଣ ଅଦ୍ୟାପି ରାଓଲ୍ ନାମରେ ସେ ପଦ ପୂରଣ କରି କରି ଚାଲିଛନ୍ତି ।

 

ହିମାଳୟର ନୀଳ ଅନ୍ଧକାର ଭିତରେ ମନ୍ଦିରଆଡ଼େ ଏକାକୀ ବାହାରିଗଲି । କେତେ ହଜାର ବର୍ଷ ତଳେ ଦିନେ ସ୍ଵୟଂ ଭଗବାନ୍‌ ଶ୍ରୀକୃଷ୍ଣ ତାଙ୍କର ଏକାନ୍ତ ଅନୁଗତ ଉଦ୍ଧବଙ୍କୁ ପରାମର୍ଶ ଦେଇ କହିଥିଲେ :

 

‘‘ଆଶ୍ରମ ନାମ ବଦରିକା, ଉଦ୍ଧବ ତୁହି ଚଳ ଏକା ।”

 

ଉଦ୍ଧବ ସେ ପାଇଁ ମୋଟେ ପ୍ରସ୍ତୁତ ନଥିଲେ । ସକଳ ତୀର୍ଥ ଯା’ ଚରଣେ, ତାକୁ ଛାଡ଼ି ସେ ବା ବଦ୍ରିକା ଯିବେ କି କାରଣେ ? କିନ୍ତୁ ଶ୍ରୀକୃଷ୍ଣଙ୍କର ସସ୍ନେହ ନିର୍ଦ୍ଦେଶ ଉପରେ ତାଙ୍କର ଆସ୍ଥା ଅଟଳ । ଅଶ୍ରୁରେ ପ୍ରଭୁଙ୍କ ଶ୍ରୀଚରଣ ଧୌତକରି ସେ ହିମାଳୟ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ । ଅମୂଲ୍ୟ ସ୍ମାରକୀ ଭାବରେ ଶ୍ରୀକୃଷ୍ଣ ତାଙ୍କୁ ନିଜ ପାଦୁକା ଦେଲେ ।

 

ମନ୍ଦିରରେ ଆରତି ଆରମ୍ଭ ହୋଇଥିଲା । ବିଷ୍ଣୁଙ୍କ ମୂର୍ତ୍ତି ଅନବଦ୍ୟ ସୁନ୍ଦର । ଗୁରୁଗମ୍ଭୀର ସେ ମନ୍ଦିରର ପଟ୍ଟଭୂମି–ରମ୍ୟଦର୍ଶନ ବିଶାଳ ପର୍ବତ ।

 

କାହିଁ ଥିବ ଉଦ୍ଧବ ବହନ କରି ଆଣିଥିବା ସେ ପାଦୁକା ? ଅଳକାନନ୍ଦା ଗର୍ଭରେ ନା ବିଗ୍ରହଙ୍କ ଆସନ ତଳେ–ଭୂଗର୍ଭରେ ?

☆☆☆

 

(ନଅ)

ନମସ୍ତେ ତୁ ବ୍ୟାସବିଶାଳବୁଦ୍ଧ

 

ବଦ୍ରିକାଶ୍ରମ ଉପରେ ଉଷାର ସୂତ୍ରପାତ ହେଉଥିଲା । ପାନ୍ଥଶାଳାରେ ବିଦ୍ୟୁତ୍ ଆଲୋକ ଏତେ କ୍ଷୀଣ ଯେ ଖଣ୍ଡିଏ ବହି ପଢ଼ିବାର ଚେଷ୍ଟା କରି ଆଖିକୁ କ୍ଳେଶ ଦେବା ହିଁ ସାରହେଲା । ଅତଏବ ପ୍ରବଳ ଥଣ୍ଡା ସତ୍ତ୍ୱେ ବାହାରିପଡ଼ିଲି ।

 

ଆଗତପ୍ରାୟ ସୂର୍ଯ୍ୟଦେବଙ୍କ ଅଗ୍ରିମ ଆଲୋକରାଶି ସହ ସତେ ଅବା ମିଶିରହିଥିଲା ବିଶେଷ, ଅତି-ଭୌତିକ କିଛି ଦ୍ୟୁତି; ସତେ ଯେପରି ଏ ମହତ୍ ପୀଠ ଉପରେ ନିବଦ୍ଧ ଦେବଗଣଙ୍କ ନୟନର ଦ୍ୟୁତି ।

 

ମନ୍ଦିରର ପଟ୍ଟଭୂମିରେ ନର ଓ ନାରାୟଣ ଦୁଇ ପର୍ବତ । ପରମ୍ପରା ଅନୁସାରେ ଏ ଉପତ୍ୟକାର ପ୍ରଥମ ଦୁଇ ତପସ୍ୱୀ ନର-ନାରାୟଣଙ୍କ ପ୍ରତୀକ । ଦୁଇ ପର୍ବତ ମଧ୍ୟବର୍ତ୍ତୀ ଆକାଶ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଠିକ୍‌ ଭାରତବର୍ଷର ମାନଚିତ୍ର ଭଳି ଦିଶୁଥାଏ । ବଦ୍ରିକାଶ୍ରମର ତପସ୍ୟା-ପୂତ ସତ୍ତାର ଅନୁଭବ ସକାଶେ ପରିବ୍ରାଜକ ଧର୍ମବିଶ୍ଵାସୀ ହେବାର ଆବଶ୍ୟକ‌ତା ନାହିଁ । ସ୍ୱକୀୟ ମହିମାରେ ସେ ସତ୍ତା ନିଜକୁ ସାବ୍ୟସ୍ତ କରୁଥାଏ । ମନେହେଉଥାଏ, ଟିକିଏ ଏକାଗ୍ର, ଧ୍ୟାନସ୍ଥ ହୋଇପାରିଲେ ସେଠାକାର ବାତାବରଣରେ ଇନ୍ଦ୍ରିୟୋତ୍ତର କୌଣସି ସ୍ପନ୍ଦନ ଅନୁଭବ କରିବା ସମ୍ଭବପର ।

 

ଶୀତଋତୁ ପାଇଁ ମନ୍ଦିର ବନ୍ଦ ହେବାର ସମୟ ଆସନ୍ନ । ଶୁଭ୍ର-ସୁନ୍ଦର ତୁଷାର ଘୋଡ଼ାଇ ହୋଇ ଧ୍ୟାନ-ସମାଧିରେ ନିମଜ୍ଜିତ ହେବ ବଦ୍ରିକାଶ୍ରମ । ତେଣୁ ବର୍ତ୍ତମାନ ଯାତ୍ରୀଭିଡ଼ ନାହିଁ । ରାସ୍ତାରେ ଚାଲିଥିଲି ମୁଁ ପ୍ରାୟ ଏକାକୀ । ମନ୍ଦିର ସମ୍ମୁଖବର୍ତ୍ତୀ ତପ୍ତକୁଣ୍ଡରେ ଏହି ଅବସରରେ ସ୍ନାନ କରିନେବା ଉତ୍ତମ । ତାହାହିଁ କଲି । ଆପାତ ସ୍ପର୍ଶରେ ଭୀଷଣ ଗରମ ଭୂତଳାଗତ ସେ ସ୍ରୋତକୁ ଦେହ ଅବିଳମ୍ବେ ସହିନିଏ । ଆଉ ଅବଗାହନ ପରବର୍ତ୍ତୀ କେତେ ମୁହୂର୍ତ୍ତ ପାଇଁ ଦେହ ଯେଉଁ ଅନନୁଭୂତପୂର୍ବ ଶିହରଣ ଅନୁଭବ କରେ, ତା’ର ତୁଳନା ଏ ଲେଖକକୁ ଜଣାନାହିଁ ।

 

ଯୋଶୀମଠ ଠାରେ ଆତିଥ୍ୟ ଦେଇଥିଲେ ଯେଉଁ ସେନାଧ୍ୟକ୍ଷ, ତାଙ୍କୁ ମୋର ଏକ ଦୁରନ୍ତ ବIସନା ଜଣାଇଥିଲି–‘‘ଆଜ୍ଞା, ବଦରିକାଶ୍ରମର ଅଦୂରରେ–ବ୍ୟାସ ଗୁମ୍ଫା ଅବସ୍ଥିତ ବୋଲି ଶୁଣିଛି, ପଢ଼ିଛି । ଠିକ୍ ?”

 

–“ଅବଶ୍ୟ ଠିକ୍ ।”

 

–“ମୋତେ ଯଦି ଟିକିଏ ସୁଯୋଗ କରିଦିଅନ୍ତେ, ସେ ଗୁମ୍ଫାରେ ଗୋଟିଏ ରାତି ଅତିବାହିତ କରନ୍ତି ।’’

 

ସେନାଧ୍ୟକ୍ଷ ହସିଲେ । ସେ ହସ ସହାନୁଭୂତି-ପ୍ରସୂତ । ‘‘ଆଜ୍ଞା, ରାତି ବିତାଇବାର ସୁଯୋଗ କରିଦେବା ତ ଦୂରର କଥା, ସେଠାକୁ ଆପଣଙ୍କୁ ନେଇଯିବା ବି ସହଜ ନୁହେଁ । ବର୍ତ୍ତମାନ ସେନାବାହିନୀ ବ୍ୟତିରେକ ଆଉ ସମସ୍ତଙ୍କ ସକାଶେ ତାହା ନିଷିଦ୍ଧ ଅଞ୍ଚଳ–ଚୀନାମାନେ ହାମ୍‌ଲା କରିବା ପରଠୁଁ ।”

 

ହତାଶା ନିଶ୍ଚୟ ଜାଜ୍ଜଲ୍ୟମାନ ହୋଇଥିବ ମୋ ମୁହଁରେ । କାରଣ ମୁଁ ଆଉ କିଛି କହିବା ପୂର୍ବରୁ ସେ ଟେଲିଫୋନ୍ ଉଠାଇ ଆଉ କାହା ସହ କଥାଭାଷା ହେଲେ । ବ୍ୟାସ ଗୁମ୍ଫା ଦେଖିବା ସକାଶେ ମୋର ଆଗ୍ରହ ଯେ ତୀବ୍ର, ମୋ ମନଗହନର ଏକଥା ସେ ଏଡ଼େ ଅକ୍ଳେଶରେ ବୁଝିନେଇଥିଲେ କେମିତି, ସେକଥା ମୁଁ ଜାଣେନା । କିନ୍ତୁ ସେ ତାଙ୍କ ସମସ୍ତରୀୟ ବା ଊର୍ଦ୍ଧ୍ଵତନ କୌଣସି ସାମରିକ ହାକିମଙ୍କୁ ବୁଝାଉଥିଲେ : “ଏ ଅତିଥି ଜଣକ କୌତୂହଳୀ ପର୍ଯ୍ୟଟକ ବା ତୀର୍ଥଯାତ୍ରୀ ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେଁ–ଟିକିଏ ପୃଥକ୍ । ଜଣେ ବ୍ୟାସାନୁରାଗୀ ଲେଖକ । ଏହାଙ୍କ ସମ୍ପାଦିତ ‘ହେରିଟେଜ୍’ ମୁଁ ପଢ଼ିଛି । ପତ୍ରିକାଟି ଦ୍ଵାରା ତଥା ପତ୍ରିକାର ଏ ସମ୍ପାଦକଙ୍କଦ୍ଵାରା ମୁଁ କିଛି ମାତ୍ରାରେ ପ୍ରଭାବିତ ବୋଲି କହିପାରନ୍ତି । ଏହାଙ୍କ ଉତ୍ସାହରେ ଆଘାତ ଦେଲେ ମୁଁ ନିଜେ ଆଘାତ ପାଇବି ।’’

 

ତାଙ୍କର ଏଭଳି ଅଯାଚିତ ନିବେଦନରେ କୃତଜ୍ଞ ଅନୁଭବ କରିବା ଛଡ଼ା ଆଉ ବା କ’ଣ କରିପାରିଥାନ୍ତି ? ତାଙ୍କ ମୁହଁ ପ୍ରସନ୍ନ ଦେଖାଗଲା । ବୁଝିଲି ବ୍ୟାସଦେବଙ୍କ ପ୍ରତି ମୋର ଶ୍ରଦ୍ଧାନିବେଦନର ପଥ ସେ ଖୋଲିଦେଇପାରିଛନ୍ତି ।

 

ପୂର୍ବ ସନ୍ଧ୍ୟାରେ ମନ୍ଦିର ଭିତରେ ବେଶ୍ କିଛି ସମୟ ବିତାଇଥିଲି । ତପ୍ତକୁଣ୍ଡ ସ୍ନାନ ଅନ୍ତେ ଆଉଥରେ ମନ୍ଦିର ଯାଇ ପାନ୍ଥଶାଳାକୁ ପ୍ରତ୍ୟାବର୍ତ୍ତନ କଲି । ଅବିଳମ୍ବେ ବ୍ୟାସଗୁମ୍ଫା ଅଭିମୁଖେ ଯାତ୍ରାରମ୍ଭହେଲା ।

 

ସେ ଧାର୍ମିକ ସେନାଧ୍ୟକ୍ଷ ମୋତେ ବୁଝାଇଦେଇଥିଲେ, ବ୍ୟାସଗୁମ୍ଫାରେ ରାତ୍ରିଯାପନର ପ୍ରସ୍ତାବ ଅବାସ୍ତବ । ବଦ୍ରିକାଶ୍ରମ ଏବଂ ବ୍ୟାସଗୁମ୍ଫା ମଧ୍ୟବର୍ତ୍ତୀ ଏକମାତ୍ର ଜନବସତି ‘ମାନା’ ପଲ୍ଲୀର ବାସିନ୍ଦାମାନେ ବର୍ତ୍ତମାନ ପାହାଡ଼ ତଳକୁ ଚାଲିଗଲେଣି, ଉପତ୍ୟକା ତୁଷାରମୁକ୍ତ ହେଲେ ଫେରିବେ-। ଶହ ଶହ ବର୍ଷ ଧରି ଏହାହିଁ ସମାନଙ୍କ ଅଭ୍ୟାସ । ବ୍ୟାସଗୁମ୍ଫା ଆଖପାଖରେ ଜନମାନବ ନାହାନ୍ତି-। ଅବଶ୍ୟ ମୁନିଋଷି କେହି ଥିଲେ ସେକଥା ଅଲଗା । ସେ ଯାହାହେଉ, ସେଠି ଗୋଟାଏ ଅତିଥିକୁ ସାରା ରାତି ପାଇଁ ଛାଡ଼ିଦେଇ ଆସିବାର ଅର୍ଥ ତାକୁ ରହସ୍ୟମୟ ତୁଷାର ମାନବ ଜାତୀୟ କୌଣସି ସତ୍ତା ବା ଗନ୍ଧର୍ବ କିନ୍ନ‌ରଙ୍କ ହେପାଜତରେ ସମର୍ପିଦେବା । ନା, ସେଭଳି କିଛି କରିବା କର୍ତ୍ତୃପକ୍ଷଙ୍କ ଅଧିକାର-ବହିର୍ଭୂତ ।

 

‘‘ଦେଖନ୍ତୁ, ଆପଣ ସେଠି ଚୁପ୍‌ଚାପ୍ ବସିବେ ତ ? ଧ୍ୟାନ କରିବେ ତ ? ବେଶ୍–ଖାଲି ସମାଧିସ୍ଥ ନ ହେଲେ ହେଲା !’’ ସେନାଧ୍ୟକ୍ଷ ହସି ହସି କହିଥିଲେ ।

 

‘ମାନା' ପଲ୍ଲୀ ଉପର ଦେଇ ଗାଡ଼ି ଯାଉଥିଲା । ତଳେ, ପରିତ୍ୟକ୍ତ ସେ ପଲ୍ଲୀ ଏକ ଚିତ୍ରପଟ ପ୍ରାୟ ଦିଶୁଥିଲା । ପରିବ୍ରାଜକ ସାଧୁସନ୍ଥମାନେ କହନ୍ତି, ଆଜିର ଏହି ପଲ୍ଲୀ ହିଁ ଅତୀତରେ ଋଷିମାନଙ୍କର ଆଶ୍ରୟସ୍ଥଳ ଥିଲା ।

 

ଦୁର୍ଗମ ମୁଲକ ଆରମ୍ଭ ହେବା ପୂର୍ବରୁ ଶେଷ ସାମରିକ ଘାଟିରେ ଗାଡ଼ି ରହିଲା । ସେନାଧ୍ୟକ୍ଷ ମହୋଦୟଙ୍କ ଅନୁରୋଧ ସତ୍ତ୍ଵେ ସେଠାରେ ମୋତେ କିଛି ସମୟ ଅଟକି ରହିବାକୁ ହେଲା । ‘‘କଦାପି ମନେକରିବେନାହିଁ ଯେ ଆପଣଙ୍କ ଉଦ୍ଦେଶ୍ୟ ଅସାଧୁ ହୋଇପାରେ ବୋଲି କେହି ସନ୍ଦେହ କରୁଛି । ସମସ୍ୟା ଭିନ୍ନ । ଶତ୍ରୁ ଆପଣଙ୍କୁ ହରଣଚାଳ କରିନେଇଗଲେ କିପରି ପରିସ୍ଥିତି ଉପୁଜିବ ଅନୁମାନ କରିପାରୁଛନ୍ତି ତ ? ଏଇଟା ପ୍ରକାଶ୍ୟ କାରଣ । ଆମ ଦ୍ଵିଧା ଓ ସତର୍କତା ପଛରେ ଆହୁରି ଅପ୍ରକାଶ୍ୟ ଏକାଧିକ ହେତୁ ରହିଛି ।” ଜଣେ ବିଚକ୍ଷଣ କର୍ମଚାରୀ ଛାଉଣି ଭିତରୁ ବାହାରିଆସି ମୋତେ ବୁଝାଇଦେଲେ । ‘‘ଆଶାକରାଯାଉ, ଏଭଳି ଅବସ୍ଥା ସାମୟିକ-।” ଆଳାପର ଉପସଂହାରରେ ଏତକ କହି ଚାରି-ପାଞ୍ଚଜଣ ଦେହରକ୍ଷୀ ଯୋଗାଇଦେଇ ସେ ବିଦାୟ ନେଲେ ।

 

ସେଠାରୁ ସମ୍ଭବତଃ ଦୁଇ କିଲୋମିଟର ବାଟ ଚାଲିବାକୁ ପଡ଼ିଥିଲା । ତା’ପରେ ଡାହାଣ ପାଖରେ, କେଇ ଫୁଟ ଉପରକୁ ଚଢ଼ିଗଲେ ସେହି ପରମ ଈପ୍‌ସିତ ସ୍ଥାନ I

 

ଅନତିକ୍ଷୁଦ୍ର ଏହି ଗୁମ୍ଫା ଭିତରେ ଅବସ୍ଥାନ କରି ବ୍ୟାସ ଦେବ ଅନ୍ତତଃ ଦୁଇଗୋଟି ଗ୍ରନ୍ଥ ରଚନା କରିଥିଲେ–ମହାଭାରତ ଓ ବେଦାନ୍ତସୂତ୍ର । ତେବେ ବେଦାନ୍ତସୂତ୍ରର ଲେଖକ ବାଦରାୟଣ ବ୍ୟାସଙ୍କର ଏକ ନାମ ହେଲେ ମଧ୍ୟ ସେ ବ୍ୟାସ ବେଦବ୍ୟାସ କି ଆଉ ଜଣେ, ସେ ସମ୍ପର୍କରେ ତର୍କର ଅବକାଶ ରହିଛି–ମହାଭାରତ ସମ୍ପର୍କରେ ନାହିଁ ଏବଂ କିମ୍ବଦନ୍ତୀର ଉତ୍ସ ସନ୍ଧାନରେ ଯେତେ ପଛକୁ ପଛକୁ ଗଲେ ମଧ୍ୟ ଏହି ଗୁମ୍ଫା ଭିତରେ ସେ ମହାକାବ୍ୟ ରଚିତ ହେବାର ବିକଳ୍ପ ଭାବରେ ବିବେଚିତ ହେବା ଭଳି ଅନ୍ୟ କୌଣସି କିମ୍ବଦନ୍ତୀଗତ ଉପସ୍ଥାପନ ମିଳେନା ।

 

ଅଦୂରରେ, ଅନ୍ୟ ଏକ କ୍ଷୁଦ୍ରତର ଗୁମ୍ଫାରେ ବ୍ୟାସଦେବ ପ୍ରଥମେ ଗଣେଶଙ୍କୁ ଶ୍ରଦ୍ଧାପ୍ଲୁତ ଆହ୍ଵାନ ଜଣାଇଥିଲେ । ତାହା ମଧ୍ୟ ଚିହ୍ନିତ । ଗଣେଶ ଆବିର୍ଭୂତ ହୁଅନ୍ତେ, ବ୍ୟାସଦେବ ତାଙ୍କୁ ଏଠାକୁ ଆଣି ହୁଏତ ଖଣ୍ଡିଏ ପଥର ଆସନରେ ହିଁ ବସାଇଥିବେ ।

 

“ଦେବ ଶ୍ରୀମାନ୍ ! ମୁଁ ଯେତେବେଳେ ପ୍ରେରଣାଚାଳିତ ହୋଇ ଶ୍ଳୋକ ପରେ ଶ୍ଳୋକ ରଚନା କରୁଥିବି–ସେ ସ୍ୱତଃସ୍ଫୂର୍ତ୍ତ ଉଚ୍ଚାରଣ ଆଉ କେହି ଜଣେ ଲିପିବଦ୍ଧ ନକଲେ ମୋ ପ୍ରେରଣାର ସ୍ରୋତ ବ୍ୟାହତ ହେବ । ହେ ଗିରିରାଜ-ତନୟା-ନନ୍ଦନ, ତୁମେ ସମସ୍ତ ଶୁଭକର୍ମରେ ସହାୟକ । ବ୍ରହ୍ମାଙ୍କଠୁଁ ସୂଚନା ପାଇ ଅନୁରୋଧ କରୁଛି, ମୋର ଲିପିକାର ରୂପେ ସହାୟକ ହୁଅ, ମୋତେ ଧନ୍ୟକର । ଯେଉଁ ଭାଷା ତୁମ ଲେଖନୀ ମାଧ୍ୟମରେ ଲିପିବଦ୍ଧ ହେବ, ତା’ର ପାଠକମାନେ ବଳେ ବଳେ ଗୌରବାନ୍ଵିତ ହେବେ ।”

 

ବ୍ୟାସଦେବଙ୍କ ଏଭଳି ଆବେଦନ ଶ୍ରଦ୍ଧାଭରେ ଗ୍ରହଣକରି, ହୁଏତ ସାମାନ୍ୟ ରସିକତା କରି କରୁଣାମୟ ଗଣେଶ କହିଥିଲେ, “ଋଷିବର ! ତୁମ ଲିପିକାର ହେବା ତ ମୋ ପକ୍ଷରେ ଆନନ୍ଦ, କିନ୍ତୁ ଥରେ ଲେଖନରତ ହେଲେ ମୋ ଲେଖନୀ ଅଟକିବା ଅନୁଚିତ; ସେଥିରେ ମୋର ପ୍ରେରଣା ବ୍ୟାହତ ହେବ। ତୁମ ଆବୃତ୍ତି ଅନର୍ଗଳ, ଅବ୍ୟାହତ ହେବ ତ ?’’

 

ମହାମତି ବ୍ୟାସଦେବଙ୍କ ଉତ୍ତର: ‘‘ହେ ମହାନ୍ ! ତାହାହିଁ ହେବ । କିନ୍ତୁ ଅଧୀନର ଏକ ସର୍ତ୍ତ–ପ୍ରତି ଶ୍ଳୋକର ସମଗ୍ର ଅର୍ଥ ହୃଦୟଙ୍ଗମ ନ କରି ତୁମେ ତାକୁ ଲିପିବଦ୍ଧ କରିବନାହିଁ ।”

 

ତଥାସ୍ତୁ ବୋଲି କହିଥିଲେ ପୃଥ‌ିବୀର ପ୍ରଥମ କ୍ଷିପ୍ର-ଲିପିକାର, ହିମାଳୟ ଭଳି ଉଦାର ଦେବଶିଶୁ ଗଣେଶ ।

 

କିଛି ସମୟ ନୀରବରେ ବସିବି ବୋଲି ଆଶା କରିଥିଲି । ପରିସ୍ଥିତି ଅନୁକୂଳ ହେଲାନାହିଁ । ସାମରିକ କର୍ମଚାରୀମାନେ କୌତୂହଳୀ ହୋଇ ଅନାଇଥିବେ, ମୁଁ ଆଖିବୁଜି ବସିଥିବି, ଏଇଟା ଖୁବ୍‌ ସୁଖକର କଥା ନୁହେଁ ନିଶ୍ଚୟ ।

 

ଯେଉଁ କର୍ମଚାରୀଜଣକ ଗାଇଡ୍ ହୋଇ ଆସିଥିଲେ, ସେ ଭଦ୍ରଲୋକ ଏଠାକାର ପରମ୍ପରା ସହ ବେଶ୍ ପରିଚିତ ମନେହେଲା । ଗୁମ୍ଫା ଭିତରେ, କାନ୍ଥକୁ ଲାଗି ଖଣ୍ଡିଏ ପ୍ରଶସ୍ତ ଓ ଦୁଇଜଣ ମୁହାଁମୁହିଁ ବସିପାରିବାଭଳି ଦୀର୍ଘ ଶିଳାସନ ।

 

‘‘ଏହାରି ଉପରେ ଉଭୟ ବ୍ୟାସଦେବ ଏବଂ ମହାଦେବ-ପୁତ୍ର ଗଣପତି ବସୁଥିଲେ ।”–ଗାଇଡ୍ ଦେଖାଇଦେଲେ । ନତଜାନୁ ହୋଇ ସେ ଆସନକୁ ପ୍ରଣାମ କରିବାକୁ ଉଦ୍ୟତ ହେଉଛି, ଆମ ସାଥିରେ ଯାଇଥିବା ସାମରିକ ବାହିନୀର ଜଣେ ମହିଳା ଡାକ୍ତର “ମୁଁ ବି ବସିପାରେଁ ?’’ –କହି ତାହାରି ଉପରେ ବସିପଡ଼ିଲେ । ମୋର ପ୍ରଣାମ କରିବା ନୋହିଲା ।

 

ଅତଏବ ସ୍ଥୂଳ ଆଚରଣ ଯୋଗେ ବ୍ୟାସଦେବଙ୍କୁ ଶ୍ରଦ୍ଧା ନିବେଦନର କୌଣସି ସୁଯୋଗ ନପାଇ ମନେମନେ ହିଁ ତାଙ୍କୁ ବାରମ୍ବାର ପ୍ରଣିପାତ କଲି ।

 

ସେଠି କଳକଳନାଦିନୀ ଯେଉଁ ହିମବନ୍ତ କନ୍ୟା ପ୍ରବାହିତା, ସେ ସରସ୍ୱତୀ । ଏଇ ବାଟରେ ପାଣ୍ଡବ ଭ୍ରାତାଗଣ ଏବଂ ଦ୍ରୌପଦୀ ମହାପ୍ରସ୍ଥାନ କରିଥିଲେ । ଭାଇମାନେ ଲମ୍ଫ ଦେଇ ସ୍ରୋତ ପାରହୋଇଗଲେ । ଦ୍ରୌପଦୀ କିନ୍ତୁ ଇତସ୍ତତଃ କରନ୍ତେ ଭୀମ ଖଣ୍ଡିଏ ବିଶାଳ ଶିଳାଖଣ୍ଡ ଉଠାଇଆଣି ସେତୁ ରୂପେ ଥୋଇଦେଲେ । ଅଦ୍ୟାବଧି ତାହା ସେମିତି ରହିଛି ।

 

ଦ୍ରୌପଦୀ ସ୍ରୋତ ପାରିହୋଇଗଲେ–କିନ୍ତୁ ବେଶିଦୂର ନୁହେଁ । ସେତୁ ପାଖରୁ ଦେଖାଯାଏ ଏକ ସମାଧି–ଉଚ୍ଚତର ଏକ ପର୍ବତ ଉପରେ । ଦ୍ରୌପଦୀଙ୍କ ଜୀବନାବସାନ ଘଟିଥିଲା ସେଇଠି ।

 

ଅଦୂରରେ ହେଲେ ବି ସେ ସମାଧି ପାଖକୁ ଯିବା ସମୟସାପେକ୍ଷ । ଯୁଗ ଯୁଗ ଧରି ଦ୍ରୌପଦୀଙ୍କ ସ୍ମୃତି ବହନକରିରହିଛି ସେ ସମାଧି–ବିଶ୍ୱସାହିତ୍ୟରେ ସବୁଠାରୁ ଶକ୍ତିଶାଳୀ ନାରୀ ଚରିତ୍ରର ସ୍ମୃତି ।

 

ଦ୍ରୌପଦୀ ସେଦିନ ଭୂତଳଶାୟୀ ହୁଅନ୍ତେ ପଛକୁ ଫେରି ଅନାଇନଥିଲେ ଯୁଧିଷ୍ଠିର । ଏକଦା ଯଜ୍ଞ ଭିତରୁ ଆବିର୍ଭୂତା ହୋଇଥିଲେ ‘ସୁମଧ୍ୟମା’ ଦ୍ରୌପଦୀ–ଏକ ଭୀଷଣ ଦୁଷ୍ଟ ଶକ୍ତିର ନିଧନ ନିମନ୍ତେ ଅଭିପ୍ରେତ । ସେ ମଣିଷ ନୁହନ୍ତି । କିନ୍ତୁ ମଣିଷର ମୂଲ୍ୟବୋଧ ହିସାବ ନିକାଶ ଅନୁସାରେ ଯୁଗେ ଯୁଗେ ତାଙ୍କ ବିଚାର ହୋଇଛି । ଯେଉଁ ଦୁଷ୍ଟ ଶକ୍ତିକୁ କ୍ଷମାକରିଦେଇ କିମ୍ବା ଯାହା ସହ ସାଲିସ୍ କରି ସାମୟିକ ସୁଖ ଶାନ୍ତି ପ୍ରତିଷ୍ଠା କରିବାକୁ ପାଣ୍ଡବ ଭ୍ରାତାମାନେ ପ୍ରତ୍ୟେକେ ଏକ ଏକ ସମୟରେ ପ୍ରସ୍ତୁତ ହୋଇଛନ୍ତି, ସେ ଦୁଷ୍ଟ ଶକ୍ତିକୁ କ୍ଷମାକରିନାହାନ୍ତି ଏକମାତ୍ର ଦ୍ରୌପଦୀ । ବସ୍ତୁତଃ ତାଙ୍କରି ଯୋଗୁଁ ଅବଶେଷରେ ସେ ଶକ୍ତି ପରାଭୂତ ହୋଇଛି ।

 

ଦେବ-ଚେତନା-ନିର୍ଗତ ଅଥଚ ମାନବ ଦେହଧାରୀ ଏ ପଞ୍ଚଭ୍ରାତାଙ୍କୁ କେଉଁ ଉପାୟରେ, ବିଧିଚକ୍ରରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପୂରଣ ନିମନ୍ତେ, ଏକତ୍ର ଓ ଏକନିଷ୍ଠ ରଖିପାରିଥିଲେ ଦ୍ରୌପଦୀ-? ଯାଦୁଦ୍ଵାରା ? ଏ ପ୍ରଶ୍ନ ତାଙ୍କୁ କରାଯାଇଛି ।

 

ସେ ହସିଛନ୍ତି ଓ ଯେଉଁ ଉତ୍ତର ଦେଇଛନ୍ତି, ଦ୍ରୌପଦୀଙ୍କ ଚରିତ୍ର କଳନା କଲାବେଳେ କ୍ୱଚିତ୍‌ କେହି ସେ ଉତ୍ତର ମନେରଖନ୍ତି । ତାଙ୍କ ବକ୍ତବ୍ୟ ହେଲା, ସେ ଯେହେତୁ ସମ୍ପୂର୍ଣ୍ଣ କାମନା-ବିରହିତ, ତାଙ୍କ ଭିତରେ ବ୍ୟକ୍ତିଗତ ଆକାଂକ୍ଷା, ବ୍ୟକ୍ତିଗତ ଲାଳସା ସ୍ଫୁରିତ ହେବାର ସୁଯୋଗ କଦାପି ପାଇନାହିଁ, ସେ ଏ ପଞ୍ଚ ଲେଲିହାନ ଶିଖାକୁ ଧାରଣ ଓ ଉଜ୍ଜୀବିତ କରିରଖିପାରିଛନ୍ତି ।

 

ପଞ୍ଚପାଣ୍ଡବ ଓ ଦ୍ରୌପଦୀ–ଏମାନେ କାଳଚକ୍ରାବଦ୍ଧ, ଜୀବନ-ମୃତ୍ୟୁ-ନିବଦ୍ଧ ମାନବ ଚେତନା-ପ୍ରସୂତ ନୁହନ୍ତି । ଅନ୍ୟ ଭାଷାରେ, ଏମାନେ ବିବର୍ତ୍ତନ-ନିୟମର ଅନ୍ତର୍ଭୁକ୍ତ ନୁହନ୍ତି । କିନ୍ତୁ ବିବର୍ତ୍ତନକୁ ସାହାଯ୍ୟ କରିବାପାଇଁ, ସାଧାରଣ ଚେତନା ପକ୍ଷରେ ଅସମ୍ଭବ କୌଣସି କାମ ସମ୍ଭବ କରିବାପାଇଁ ଏମାନେ ଆସିଥାନ୍ତି ।

 

ତେବେ, ଚେତନାର ସ୍ଵରୂପ ଯାହାହେଉ ନା କାହିଁକି, ତାହା ଯେଉଁ ମାନବିକ ତନୁ ଧାରଣକରେ, ସେ ତନୁ ଓ ସେ ତନୁର ଆନୁଷଙ୍ଗିକ ଆବେଗମାନେ ଚେତନା ଉପରେ ସେମାନଙ୍କ ଆଧିପତ୍ୟ ଜାହିର୍ କରିବାକୁ ତତ୍ପର ହୁଅନ୍ତି । ଦ୍ରୌପଦୀଙ୍କ କ୍ଷେତ୍ରରେ ସେମାନଙ୍କର ସାଫଲ୍ୟ ସାମାନ୍ୟ: ତାଙ୍କ ଭିତରେ ଅର୍ଜୁନଙ୍କ ପ୍ରତି ସାମାନ୍ୟ ଅଧ‌ିକ ଦରଦ ସେମାନେ ଉପୁଜାଇପାରିଥିଲେ ।

 

କିନ୍ତୁ ସମ୍ପୂର୍ଣ୍ଣ ଭାବରେ ମାନବିକ ଆବେଗର ଊର୍ଦ୍ଧ୍ୱରେ ରହିବା ତପସ୍ଵିନୀ ଦ୍ରୌପଦୀଙ୍କ ପକ୍ଷରେ ସମ୍ଭବ ଥିଲା । ସେ ଦିଗରେ ସତର୍କତାରେ ହୁଏତ ସେ ସାମାନ୍ୟ ତ୍ରୁଟି କରିଥିଲେ । ତେଣୁକରି ମହାଯାତ୍ରା ପଥରେ ସେ ପ୍ରଥମ କ୍ଳାନ୍ତ ପଥିକ–ଏହାହିଁ ଥିଲା ଯୁଧିଷ୍ଠିରଙ୍କ ନିର୍ଣ୍ଣୟ ।

 

ନିର୍ନିମେଷ ନୟନରେ ଅନାଇଥିଲି ଅଦୂର ଊର୍ଦ୍ଧ୍ଵର ସେ ସ୍ମାରକୀ ଆଡ଼େ । ପୃଥିବୀ ଓ ଆକାଶ ଭିତରେ ତାହା ଯେମିତି ଆଦାନ-ପ୍ରଦାନ କ୍ଷମ ଏକ ସାଙ୍କେତିକ ବିନ୍ଦୁ ।

☆☆☆

 

(ଦଶ)

Unknown

ବଦ୍ରି-ବିଦାୟ

 

ଉଚ୍ଚରୁ ଉଚ୍ଚତର ସେ ପର୍ବତମାଳାଆଡ଼େ ଚାହିଁରହିଥିଲି କେତେ ସମୟପାଇଁ ଜାଣେନା-। ପଥପ୍ରଦର୍ଶକ ଭୂମିକା ନେଇଥିବା ସମ୍ଭ୍ରମଶୀଳ ସାମରିକ କର୍ମଚାରୀଜଣକ ମୋ ପାଖକୁ ଲାଗିଆସି କହିଲେ, ‘‘ଜୀବନର ଏକ ବିଡ଼ମ୍ବନା; ସବୁ ମଧୁର ମୁହୂର୍ତ୍ତ ସରିଯାଏ ।” ସେ ବି ହସୁଥିଲେ ବଡ଼ ମଧୁର ଭାବରେ ।

 

ବୁଝିଲି, ଏଥର ଫେରିବାକୁପଡ଼ିବ । ଆମେ ଆପାତତଃ ନିଷିଦ୍ଧ ଘୋଷିତ ଏ ମୁଲକରେ ଦୀର୍ଘ ସମୟ ରହିବୁ ନାହିଁ, ଏହି ପ୍ରତିଶ୍ରୁତି ଦେଇ ଆସିଛୁ ।

 

ଆଉ ଥରେ ବ୍ୟାସଗୁମ୍ଫା ଭିତରେ ପଶି ତାକୁ ପ୍ରଣାମ ଜଣାଇଲି । ସହସ୍ର ପ୍ରଣାମର ଆବେଦନ ଏ ଗୋଟିଏ ଭିତରେ ନିବେଶିତ କରିପାରନ୍ତି ହେଲେ ! ଭାରତର ସାହିତ୍ୟ ପରମ୍ପରା ଉପରେ ଯେଉଁ ମହାକାବ୍ୟର ସର୍ବାଧ‌ିକ ଏକକ ପ୍ରଭାବ, ତା’ର ଜନ୍ମସ୍ଥଳ ଏହି ପ୍ରାକୃତିକ ପ୍ରତିଷ୍ଠାନ । ସେତିକି ନୁହେଁ, ରଚନା ସଙ୍ଗେ ସଙ୍ଗେ ତା’ର ବିଦଗ୍‌ଧ ସମୀକ୍ଷାର ପରମ୍ପରାର ସୂତ୍ରପାତ ମଧ୍ୟ ଏଇଠି । ମୁହାଁମୁହିଁ ଏଠି ବସିଥିଲେ ମହାକବି ମହାନ୍ ବ୍ୟାସଦେବ ଏବଂ ମହାମତି ଶ୍ରୀଦେବ ଗଣେଶ । କବି କହିଯାଉଛନ୍ତି, ଲିପିକାର କିନ୍ତୁ ପ୍ରତି ଶ୍ଳୋକ ସମ୍ୟକ୍ ଭାବରେ ବୁଝିବା ପରେ ଯାଇ ଲେଖୁଛନ୍ତି । ଅବଶ୍ୟ ଯେଉଁ ସ୍ତରରେ ଦୁହିଁଙ୍କର ସ୍ଥିତି, ସେଠି ରଚନା ଓ ଲେଖନ ଭିତରେ କାଳକ୍ଷେପଣର ସମ୍ଭାବନା ନଥିଲା ।

 

ସେ ଗୁମ୍ଫା ଭିତରେ ପୁଣି ଚଳପ୍ରଚଳ ହୋଇଥିଲେ ପୁରାଣ ଯୁଗର ଶୌନକ, ଶାନ୍ତ ଲୋମହର୍ଷଣ ବୈଶମ୍ପାୟନ, ସୂତ ପ୍ରମୁଖ ପୁରାଣକାଳର ଋଷିଙ୍କଠୁଁ ଐତିହାସିକ ଯୁଗର ଗୌଡ଼ପାଦ ପର୍ଯ୍ୟନ୍ତ କେତେ ଋଷି ଓ ମହାମନୀଷୀ ।

 

ପ୍ରତ୍ୟାବର୍ତ୍ତନ ଆରମ୍ଭ ହେଲା । ଜନଶୂନ୍ୟ ପ୍ରାୟ ମାନା ଗ୍ରାମ ଡାହାଣକୁ ରଖି ଆସିବାବେଳେ ଦେଖୁଥିଲି, ଜଣେ ବୃଦ୍ଧ କେମିତି ଅବଲୀଳା କ୍ରମେ ଏବଂ କ୍ଷୀପ୍ର ଗତିରେ ଗୋଟାଏ ଗୋଟାଏ ବଡ଼ ବଡ଼ ଶିଳା ଅତିକ୍ରମ କରି ଗାଁରୁ ଅନ୍ୟତ୍ର ଯାଉଛନ୍ତି । ସେଭଳି ବନ୍ଧୁର ପଥ ବାଛିବାର କାରଣ, ତାହା ସଂକ୍ଷିପ୍ତ । ତାଙ୍କ ଗତିରେ ଦ୍ଵିଧା ବା କ୍ଳାନ୍ତିର ଲକ୍ଷଣ ନଥିଲା । କହିବା ବାହୁଲ୍ୟ, ତାଙ୍କ ଜୀବନଯାତ୍ରାକୁ ହିଁ ପ୍ରତିଫଳିତ କରୁଥିଲା ତାଙ୍କ ପଦଯାତ୍ରାର ସେ ସାବଲୀଳ ଶୈଳୀ ।

 

ହୁଏତ ଏହି ଶୈଳୀର ଆହୁରି ଚମତ୍କାର ପ୍ରକାଶ ସମ୍ଭବପର ହୋଇଥିଲା ପୂର୍ବ ଯୁଗର ଋଷିମୁନିଙ୍କ-ଜୀବନଯାତ୍ରା ତଥା ଯାତ୍ରାରେ । କେମିତି ସେମାନେ ଅବତୀର୍ଣ୍ଣ ହେଉଥିଲେ ଦୂରଦୂରାନ୍ତରେ ? ବଦ୍ରିକାଶ୍ରମ ଓ ହସ୍ତିନାପୁର ଭିତରେ କାହିଁ କେତେ ଦୂରତା । ବେଦବ୍ୟାସ କେମିତି ସେ ଦୂର ଦୁର୍ଗମ ମାର୍ଗ ଲଙ୍ଘି ପାରୁଥିଲେ ? ଶୁଣିଛି, ବଦ୍ରିକାଶ୍ରମ ଏବଂ କେଦାରନାଥ ଭିତରେ ରହିଛି ଏକ ସଳଖ ପଥ । କୌଣସି ସାଧାରଣ ଯାତ୍ରୀ ସେ ପଥର ସନ୍ଧାନ ପାଇବ ନାହିଁ; ପାଇଲେ ମଧ୍ୟ ସେ ପଥରେ ପଥିକ ହୋଇପାରିବନାହିଁ । ତାହା ଦୁଃସାଧ୍ୟ ଦୁର୍ଗମ ।

 

“ତମେ ଭାବୁଛ ବେଦବ୍ୟାସ ତୀର୍ଥଯାତ୍ରୀମାନଙ୍କ ଭଳି ଚାଲିଚାଲି ଦୂର ଦୂରାନ୍ତର ଯାଉଥିଲେ ?’’ ଥରେ ଅଧ୍ୟାତ୍ମ-ବିଜ୍ଞାନରେ ଜ୍ଞାନୀ ବ୍ୟକ୍ତି ଜଣେ ମୋତେ ଓଲଟା ପ୍ରଶ୍ନ କରିଥିଲେ । ତାଙ୍କ ପ୍ରଶ୍ନରେ ବିଦ୍ରୂପ ଥିଲା; କିନ୍ତୁ ବ୍ୟାସଙ୍କ ଭଳି ଋଷିମାନେ କିପରି ତେବେ ଯାଉଥିଲେ, ସେ ପ୍ରଶ୍ନର ସିଧାସଳଖ ଉତ୍ତର ସେ ମୋତେ ଦେଲେନାହିଁ । ‘‘ସ୍ଥୂଳ ପଦପାତ ବ୍ୟତିରେକେ ମଧ୍ୟ ଗତି ସମ୍ଭବ ।” କହି ସେ ଆଉ ବ୍ୟାଖ୍ୟା ଦେଲେନାହିଁ ।

 

ବଦ୍ରିକାଶ୍ରମ ଛାଡ଼ିବାର ବେଳ ହୋଇଗଲା । ମୋ ଜିନିଷପତ୍ର ଯାଇ ଗାଡ଼ିରେ ରହିସାରିଲାଣି । ମୋତେ କପ୍ତାନ ଖୋଜି ପାଉନଥିଲେ । ଗୋଟିଏ ପଥର ଉପରେ, ନିର୍ଜନରେ ବସିରହି ମୁଁ ବିଦାୟବେଳା ଟପିଯାଉଛି ବୋଲି ଭୁଲିଯାଇଥିଲି । ନରନାରାୟଣ ପର୍ବତଆଡ଼େ ଅନାଇ ପୁଣି ଭାବୁଥିଲି ବଦ୍ରିକାଶ୍ରମର ଇତିକଥା । ମହାକାଳର ଯେଉଁ ଚଳନ୍ତି ପର୍ଯ୍ୟାୟ ଭିତର ଦେଇ ସୃଷ୍ଟି ଗତି କରୁଛି, ତପସ୍ଵୀ ମନୁଙ୍କଠୁଁ ତା’ର ଆରମ୍ଭ । ପୁରାଣର ସାକ୍ଷ୍ୟରୁ ଯେତେଦୂର ଜଣାଯାଏ, ବୈବସ୍ଵତ ବା ସତ୍ୟବ୍ରତ ମନୁ ବଦ୍ରିକାଶ୍ରମର ପ୍ରଥମ ଅଧିବାସୀ । କୃତମାଳା (ହୁଏତ ଅଳକାନନ୍ଦାର ପୂର୍ବନାମ) ନାମକ ନଦୀରେ ସ୍ନାନ କଲାବେଳେ ଅତି କ୍ଷୁଦ୍ର ମତ୍ସ୍ୟଟିଏ ତାଙ୍କ ଅଞ୍ଜଳି ଭିତରକୁ ସନ୍ତରଣ କରିଆସି ଅପେକ୍ଷାକୃତ ବଡ଼ ମତ୍ସ୍ୟମାନଙ୍କ ଗ୍ରାସରୁ ତାକୁ ରକ୍ଷାକରିବାକୁ ଅନୁରୋଧ କରିବାରୁ ମନୁ ତାକୁ ଗୋଟିଏ ମାଟିପାତ୍ରରେ ପୂରାଇ ରଖିଲେ । ମତ୍ସ୍ୟଟି ବଡ଼ ହେଲା; ମାଟି ପାତ୍ରରେ ତା’ର ସ୍ଥାନ ସଙ୍କୁଳାଣ ନହେବାରୁ ମନୁ ତାକୁ ଗୋଟିଏ କୁଣ୍ଡରେ ଛାଡ଼ିଲେ । କ୍ରମେ ସେ ଯେତେବେଳେ କୁଣ୍ଡଟି ପାଇଁ ମଧ୍ୟ ବହୁତ ବଡ଼ ହେଲା, ସେତେବେଳେ ମନୁ ଗୋଟିଏ ଜଳାଶୟକୁ ତା’ ବାସସ୍ଥାନ ହିସାବରେ ନିର୍ଣ୍ଣିତ କଲେ । ଅଚିରେ ଜଳାଶୟର ପରିସର ବି କ୍ରମବର୍ଦ୍ଧମାନ ମତ୍ସ୍ୟଟି ସକାଶେ ଯଥେଷ୍ଟ ହେଲାନାହିଁ । ମନୁଙ୍କ ନିର୍ଦ୍ଦେଶରେ ସେ ନଦୀକୁ ସ୍ଥାନାନ୍ତରିତ ହେଲା । ବିଶାଳକାୟ ସେ ମତ୍ସ୍ୟ ଦିନେ ଆଗତପ୍ରାୟ ପ୍ରଳୟର ବାର୍ତ୍ତା ନେଇ ମନୁଙ୍କୁ ସତର୍କ କରିଦେଲା ।

 

ମନୁ ଏକ ନୌକାରେ ସପ୍ତଋଷିଙ୍କୁ ଧରି ଜଳମଗ୍ନ ପୃଥ‌ିବୀ ଉପରେ ନିରାପଦ ରହିପାରିଥିଲେ । ଶୃଙ୍ଗବନ୍ତ ସେ ମତ୍ସ୍ୟଦ୍ଵାରା ଆକର୍ଷିତ ନୌକା ହିମାଳୟର ଏକ ସର୍ବାଧିକ ତୁଙ୍ଗ ଶିଖରରେ ପହଞ୍ଚିଲା ।

 

ଏଭଳି ପ୍ରାଗୈତିକ କିମ୍ବଦନ୍ତୀ ସମୂହର ତାତ୍ପର୍ଯ୍ୟ ଉଦ୍ଧାର ସହଜ ନୁହେଁ । ଏହି ମତ୍ସ୍ୟ ବିଷ୍ଣୁଙ୍କର ପ୍ରଥମ ଅବତାର । ମତ୍ସ୍ୟ ଅବତାରର ଅନ୍ୟ କିମ୍ବଦନ୍ତୀ ବି ରହିଛି । ମତ୍ସ୍ୟର କ୍ରମାଗତ ଅଙ୍ଗ ବୃଦ୍ଧି ହୁଏତ ସୃଷ୍ଟିର କ୍ରମାଗତ ଅଭିବୃଦ୍ଧିର ସଙ୍କେତ । ପରବର୍ତ୍ତୀ କାଳରେ ଯୋଗୀମାନେ ଚେତନାର ଯେଉଁ ସାତଗୋଟି ସ୍ତର ନିରୂପଣ କରିଛନ୍ତି, ସପ୍ତଋଷି ସମ୍ଭବତଃ ସେହି ସବୁର ବିକାଶର ପ୍ରତିଶ୍ରୁତି ।

 

ମନୁଙ୍କ ପରେ ବଦ୍ରିକାଶ୍ରମରେ ତପସ୍ୟାରତ ଥିଲେ ନର ଏବଂ ନାରାୟଣ । ନାରାୟଣ ବିଷ୍ଣୁଙ୍କ ଅବତାର; ନର ତାଙ୍କ ବିଭୂତି । ଏ ଦ୍ଵୈତ ତପସ୍ୟାର ତାତ୍ପର୍ଯ୍ୟ–ସୃଷ୍ଟି କ୍ରମରେ କଦାପି ଏ ଦୁହେଁ ପରସ୍ପର ବିଚ୍ଛିନ୍ନ ନ ହେବାର ପ୍ରତିଶ୍ରୁତି । ପରବର୍ତ୍ତୀ କାଳରେ କୃଷ୍ଣ ରୂପେ ନାରାୟଣ ଏବଂ ଅର୍ଜୁନ ରୂପେ ନରଙ୍କର ଆବିର୍ଭାବ ଏହି ପ୍ରତିଶ୍ରୁତିର ପୁନରାବୃତ୍ତି ।

 

ବଦ୍ରିକାଶ୍ରମର ଅନ୍ୟ ଏକ ନାମ ନାରଦୀୟ କ୍ଷେତ୍ର । ବୈକୁଣ୍ଠ ଓ ମର୍ତ୍ତ୍ୟ ଭିତରେ ସଂଯୋଗ ବିଧାନରତ ନାରଦ ଏହି ପଥରେ ଗମନାଗମନ କରିଥାନ୍ତି । ନରନାରାୟଣଙ୍କ ଯୁଗରେ ସେ ତାହା କରୁଥିଲେ ଏବଂ ଏବେ ବି କରୁଛନ୍ତି ବୋଲି ବିଶ୍ଵାସ । କେଉଁ ପାହାଡ଼ ଶୀର୍ଷରେ ସେ ଅବତରଣ କରନ୍ତି ? ଧୂମାଭ ଦିଗ୍‌ବଳୟ ଓ ତୁଷାରାବୃତ ଏକ ପରେ ଏକ ପର୍ବତ ଉପରକୁ ଅନାଇ ଏ ପ୍ରଶ୍ନ କରିବାରେ ଶିହରଣ ଥିଲା ନିଶ୍ଚୟ । ମନେପଡ଼ୁଥିଲା ପିଲାବେଳେ ଶୁଣିଥିବା ଏକ କାହାଣୀ-। ନାରଦ ଥରେ ବୈକୁଣ୍ଠ ପ୍ରତ୍ୟାବର୍ତ୍ତନ ବେଳେ ପର୍ବତ ତଳେ ଥିବା ଜଣେ ଭକ୍ତିଯୋଗୀ ତାଙ୍କୁ କହିଲେ, ‘ମହାଭାଗ ! ବିଷ୍ଣୁପଦ ପ୍ରାପ୍ତି ପୂର୍ବରୁ ମୋତେ ଆଉ କେତେ ଜନ୍ମ ନେବାକୁ ପଡ଼ିବ, ସେତକ ଥରେ ଭଗବାନ୍‌ଙ୍କୁ ପଚାରିବେ କି ?’

 

‘ପଚାରିବି’ ବୋଲି କହିଲେ ନାରଦ । ପର୍ବତ ଶୀର୍ଷାଞ୍ଚଳରେ ଏକ ଗୁମ୍ଫାରେ ରହୁଥିଲେ ଜଣେ ଜ୍ଞାନଯୋଗୀ । ସେ ବି ନାରଦଙ୍କୁ ଏକା ଅନୁରୋଧ ଜଣାଇଲେ ।

 

ବର୍ଷକ ପରେ ନାରଦ ପୁନର୍ବାର ଅବତରଣ କରନ୍ତେ ଜ୍ଞାନଯୋଗୀ ଗୁମ୍ଫାରୁ ବାହାରିଆସି ଉତ୍ସୁକ ଭାବରେ ପଚାରିଲେ, “ମୋ ପ୍ରଶ୍ନର ଉତ୍ତର ଆଣିଛନ୍ତି ?’’

 

“ଆଣିଛି । ଆଉ କୋଡ଼ିଏ ଜନ୍ମ ପରେ ତମର ଲକ୍ଷ୍ୟପ୍ରାପ୍ତି ସମ୍ଭାବନା ।”

 

ନାରଦଙ୍କ ଉତ୍ତରରେ ବଡ଼ ହତାଶ ଦେଖାଗଲେ ଜ୍ଞାନଯୋଗୀ । “ବେଦ ବେଦାଙ୍ଗ ଅଧ୍ୟୟନ ପରେ ନିବିଡ଼ ଧ୍ୟାନ ସମାଧିରେ ସିଦ୍ଧିଲାଭକଲି । ବ୍ରହ୍ମଜ୍ଞାନରେ ମୁଁ ସମୃଦ୍ଧ । ତ‌ଥାପି ଆହୁରି କୋଡ଼ିଏ ଜନ୍ମ ବ୍ୟାପୀ ଅପେକ୍ଷା ଆବଶ୍ୟକ ?’’ ସେ ଦୀର୍ଘନିଃଶ୍ଵାସ ଛାଡ଼ିଲେ ।

 

ନାରଦ ଆସି ପର୍ବତର ପାଦଦେଶରେ ଉପନୀତ ହୁଅନ୍ତେ ଭକ୍ତିଯୋଗୀ ଦୌଡ଼ିଆସିଲେ-

 

“ଆଜ୍ଞା, ଆପଣଙ୍କପାଇଁ ପ୍ରାୟ ଶହେ ଜନ୍ମ ଲାଗିଯିବ”–ନାରଦ ଆଗତୁରା କହିଦେଲେ ।

 

ଉଦ୍ଦାମ ଭାବରେ ନାଚିବାକୁ ଆରମ୍ଭ କଲେ ଭକ୍ତ । ‘‘ମାତ୍ର ଶହେଜନ୍ମ ! ମାତ୍ର ଶହେଜନ୍ମରେ ମୁଁ ବିଷ୍ଣୁ ପାଦପଦ୍ମରେ ପହଞ୍ଚିଯିବି ?” ସେ ଆନନ୍ଦରେ ଚେତା ହରାଇଲେ ।

 

ନାରଦ ତାଙ୍କ ଚେତା ଫେରାଇଆଣି ହସି ହସି କହିଲେ, ‘‘ଥଟ୍ଟା କରୁଥିଲି ।”

 

“ଅର୍ଥାତ୍ ? ଦୁଇଶହ ଜନ୍ମ ?” ପ୍ରଶ୍ନକଲେ ଭକ୍ତ ।

 

–“ନାହିଁ ବାବୁ, ତୁମର ସମୟ ହୋଇଯାଇଛି । ଏହାହିଁ ତୁମର ଶେଷ ଅଜ୍ଞାନ ଜନ୍ମ । ଏହାପରେ ତମେ ତମ ଆରାଧ୍ୟ ଚେତନାରେ ଉପନୀତ ହେବ । ତେଣିକି ଜନ୍ମ ହେବା ନ ହେବା ତମ ଇଚ୍ଛା । ତମେ ଆଉ ଜନ୍ମ-ମୃତ୍ୟୁ ଚକ୍ରର ଦାସ ନୁହଁ ।” ନାରଦ ପ୍ରକାଶକଲେ ।

 

ଜ୍ଞାନ ଅପେକ୍ଷା ଭକ୍ତିମାର୍ଗ ସୁଗମ–ଭକ୍ତର ବିନୟ ଓ କୃତଜ୍ଞତାବୋଧ ଅଧିକ–ଏହାହିଁ ଏ କାହାଣୀର ପ୍ରତିପାଦ୍ୟ । ତେବେ, ନାରଦଙ୍କ ସାକ୍ଷାତ୍ ପାଇଥିଲେ ମୁଁ ଭିନ୍ନ ପ୍ରଶ୍ନ କରିଥାନ୍ତି–“ହେ ଦେବର୍ଷି ! ଯୁଗଯୁଗ ଧରି ଆପଣ ସ୍ୱର୍ଗ ଓ ଧରା ଭିତରେ ଏତେ ଯେ ଧାଁଧପଡ଼ କଲେଣି, ତା’ର ଅବଶ୍ୟ କିଛି ଉପଯୁକ୍ତ ପରିଣତି ରହିଛି । ଆପଣ ଯେଉଁ ବାତାବରଣର ନାଗରିକ, ସେ ବାତାବରଣକୁ ଆପଣଙ୍କ ସାଥିରେ ଅବତରଣ କରାନ୍ତେନାହିଁ ? ଦେବ-ଜୀବନ ସକାଶେ ପୃଥିବୀର ଆରାଧନା ଆଉ କେତେଜନ୍ମ ପରେ ଯଥେଷ୍ଟ ଶକ୍ତିଶାଳୀ ହେବ ବୋଲି ଆପଣଙ୍କର ବିଶ୍ଵାସ ?’’

 

‘‘ମନୋଜ ଦାସ ଗଲେ କୁଆଡ଼େ ?’’ –ଦୂରରୁ କପ୍ତାନଙ୍କ ଉତ୍କଣ୍ଠିତ ପ୍ରଶ୍ନରେ ଚମକିପଡ଼ିଲି । କେହି ଜଣେ ପ୍ରତି-ପ୍ରଶ୍ନ କରୁଥିଲେ, ‘‘ତାଙ୍କୁ ବ୍ୟାସଗୁମ୍ଫାରେ ଭୁଲରେ ଛାଡ଼ିଦେଇ ଗାଡ଼ି ଚାଲିଆସିନାହିଁ ତ ?’’

 

ମୁଁ ଉଠିପଡ଼ିଲି । ଅଦୃଶ୍ୟ ନାରଦ ଯଦି ସେତେବେଳେ ଅବତରଣ କରୁଥିବେ, ସାମାନ୍ୟ ହସି ପଚାରିଥିବେ–‘‘ଏତିକି ସମୟ, ଏତିକି ଧୈର୍ଯ୍ୟ ପୁଞ୍ଜିକରି ମୋ ସହ ସାକ୍ଷାତ୍‌କାରର ଆଶା, ବତ୍ସ ?’’ ସେ ପ୍ରଶ୍ନ ଅବଶ୍ୟ ମୋ କାନରେ ପ୍ରତିଧ୍ଵନିତ ହେବାର ଆଶା ନଥିଲା ।

 

ମୋତେ ଦେଖି କପ୍ତାନ ବଡ଼ ଆଶ୍ଵସ୍ତ ହେଲେ । ଗାଡ଼ିରେ ବସିଲି । କିନ୍ତୁ ବଦ୍ରିବିଷ୍ଣୁଙ୍କ ମନ୍ଦିରର ପଟ୍ଟଭୂମି ପର୍ବତମାଳାରୁ ଆଖି ଫେରାଇପାରୁନଥାଏ । ସ୍ଥୂଳ ଓ ସୂକ୍ଷ୍ମର ପାର୍ଥକ୍ୟ ଯେମିତି ସେଠାରେ ଅବାସ୍ତବ ! ସେଠାରେ ଉଭୟ ସତ୍ୟ, ଉଭୟର ସ୍ଵାଭାବିକ ସମନ୍ୱୟ ସତ୍ୟ ।

 

X X X

 

ମୋର ସୌଭାଗ୍ୟ, ବଦ୍ରିନାଥରେ ରହିବା ସମୟ ଓ ବ୍ୟାସଗୁମ୍ଫା ଦର୍ଶନବେଳେ ଅବସରପ୍ରାପ୍ତ ସେନାପତିଙ୍କୁ ଏଡ଼ାଇଯାଇଥିଲି । ମୋ ପାଖରେ ବସିପଡ଼ି ଭୀଷଣ ଗମ୍ଭୀର ଭାବରେ ସେ କହିଲେ–‘‘ଆପଣ ବ୍ୟାସଗୁମ୍ଫା ଯିବା କଥା ମୋତେ କହିଲେନାହିଁ କାହିଁକି ? ମୁଁ ରାଗିଛି–କଥା କହିବି ନାହିଁ ।”

 

ସେ ରାଗିଥିବା ଯୋଗୁଁ ମୁଁ ଯେତିକି ଦୁଃଖିତ ହେଲି, ସେ କଥା କହିବେ ନାହିଁ ଜାଣି ସେତିକି ଆଶ୍ୱସ୍ତ ହେଲି । କିନ୍ତୁ ମୋ ଧାରଣା ମାୟାମାତ୍ର ବୋଲି ସେ ପ୍ରମାଣ କରିଦେଲେ ଅଚିରେ-। ‘‘ବୁଝିଲେ ? ଆପଣ ପରତେ ଯିବେ ? ଆପଣ ମୋର ବହୁଦିନର ବିଶ୍ଵାସ ଦୋହଲାଇଦେଲେ-। ହଠାତ୍ ଦେଖୁଛି, ଶଙ୍କରାଚାର୍ଯ୍ୟଙ୍କ ପ୍ରଭାବ ମୋ ଉପରୁ କଟିଯାଉଛି ।”

 

“ଅର୍ଥାତ୍ ସେ ପ୍ରଭାବ ଖୁବ୍ ବଳବତ୍ତର ନଥିଲା । ଆପଣ ତାକୁ ଉପରଠାଉରିଆ ଭାବେ ଗ୍ରହଣ କରିଥିବେ । ଶଙ୍କରାଚାର୍ଯ୍ୟଙ୍କ ପ୍ରକୃତ ପ୍ରଭାବ ଭାରି ଓଜନଦାର ।”

 

‘‘ଆପଣ ସେଦିନ ଯାହା କହିଲେ–ଆମେମାନେ ସମସ୍ତେ ସତରେ ଅସତ୍ୟ, ମାୟାମାତ୍ର ହୋଇଥିଲେ ଶଙ୍କରାଚାର୍ଯ୍ୟ କାହିଁକି ଏତେ କଷ୍ଟ କରି ଯୁକ୍ତିତର୍କ ଜରିଆରେ ତାଙ୍କ ତତ୍ତ୍ଵ ସାବ୍ୟସ୍ତ କରିଥାନ୍ତେ ? ମାୟାକୁ ସେ ମାୟା ବୋଲି ବୁଝାଇବାରେ କାହିଁକି ଏତେ ଶ୍ରମ କରିଥାନ୍ତେ ? ଯଦି ସବୁ ମାୟା, ଶଙ୍କରାଚାର୍ଯ୍ୟ ସ୍ଵୟଂ କେମିତି ବାସ୍ତବ ହେଲେ ? ମୋ ମୁଣ୍ଡ ଗୋଳମାଳ ହୋଇଯାଉଛି-।’’ ଏହି ମର୍ମରେ ସେନାପତି ଅଧଘଣ୍ଟାଏ କାଳ ଅନର୍ଗଳ କହିଗଲେ ତାଙ୍କ ଦ୍ଵନ୍ଦ୍ଵ । ସେ ନିଜେ ମାୟା ନା ବାସ୍ତବ, ବର୍ତ୍ତମାନ ସେ ଏହାର ସମାଧାନ କରିପାରୁନଥିଲେ ।

 

ତାଙ୍କ ମନ ଟିକିଏ ହାଲୁକା କରିଦେବା ମାନସରେ କହିଲି, “ଶୁଣନ୍ତୁ–ଥରେ ଜଣେ ଭଦ୍ରଲୋକ ଅଧସେରେ ମାଂସ କିଣି ପୂଝାରିକୁ ରାନ୍ଧିବାକୁ କହି କାମରେ ବାହାରିଗଲେ । ପୂଝାରି ବାପୁଡ଼ା ରାନ୍ଧିସାରି, ଟିକିଏ ଚାଖିବାକୁ ଯାଇ ଆହୁରି ଅଧିକ ଚାଖିବାର ଉତ୍ସାହ ଅନୁଭବ କଲା ଓ ନିଜ ରନ୍ଧନକଳାରେ ମୁଗ୍‌ଧ ହୋଇ ସମୁଦାୟ ମାଂସ ଖାଇଦେଲା ।

 

ଖାଉନ୍ଦ ଆସି ଯେତେବେଳେ ମାଂସ କାହିଁ ବୋଲି ପଚାରିଲେ, ପୂଝାରି ହଠାତ୍ ଅନ୍ୟ କୌଣସି କୈଫିୟତ୍ ନ ପାଇ ଗୋଟାଏ ବିଲେଇ ଛୁଆ ଦେଖାଇ କହିଲା–ଆଜ୍ଞା, ସବୁତକ ସେ ଖାଇଦେଇଛି । ଖାଉନ୍ଦ ତତ୍‍କ୍ଷଣାତ୍‍ ବିଲେଇ ଛୁଆଟିକୁ ତରାଜୁରେ ଥୋଇ ଦେଖାଇଲେ–ତା’ର ଓଜନ ଅଧସେର ।

 

ସେତେବେଳେ ତାଙ୍କ ପ୍ରଶ୍ନ ହେଲା, ‘ଯଦି ଏଇଟା ବିଲେଇ, ତେବେ ଅଧସେରେ ମାଂସ କାହିଁ ? ଯଦି ଏଇଟା ଅଧସେରେ ମାଂସ, ତେବେ ବିଲେଇ କାହିଁ ?’ ଆଜିଯାଏଁ ଆପଣଙ୍କ ଭଳି ଜିଜ୍ଞାସୁଙ୍କ ଅବସ୍ଥା ସେଇଆ । ‘‘ଯଦି ସୃଷ୍ଟି ମାୟା, ତେବେ ଆମର ଏ ଜ୍ଞାନ ବା ବାସ୍ତବ ହେବ କେମିତି ? ଯଦି ଆମର ଏ ଜ୍ଞାନ ବାସ୍ତବ, ତେବେ ସୃଷ୍ଟି ମାୟା ହେବ କେମିତି ?”

 

ଏକାଗ୍ର ଭାବରେ ଶୁଣୁଥିଲେ ସେନାପତି । ଆଶାକରୁଥିଲି, ସେ ଆମୋଦିତ ହେବେ । କିନ୍ତୁ ପ୍ରଚଣ୍ଡ ଗାମ୍ଭୀର୍ଯ୍ୟ ସହକାରେ କେତେଥର ନିଜ କପାଳ ଚିପି ସେ କହିଲେ, ‘‘ଆପଣ ମୋ ଚିନ୍ତା ନଷ୍ଟ ଭ୍ରଷ୍ଟ କରିଦେବେ ଦେଖୁଛି । ଘରେ ପହଞ୍ଚିଲାବେଳକୁ ମୁଁ ଘର ଛାଡ଼ିଥିବା ମୁଁ ହୋଇ ନଥିବି ବୋଧହୁଏ ।’’

 

“ଚମତ୍କାର ! ଆମ ସମସ୍ତଙ୍କର ବାରମ୍ବାର ପୁନର୍ଜନ୍ମ ଅନିବାର୍ଯ୍ୟ । ଗୋଟାଏ ଜୀବନକାଳ ଭିତରେ ଯେତେଥର ଚେତନାର ପୁନର୍ଜନ୍ମ ହେବ, ସେତେ ମଙ୍ଗଳ । ଶାରୀରିକ ପୁନର୍ଜନ୍ମର ପୁନରାବୃତ୍ତିରୁ କିଛି ଅବ୍ୟାହତି ମିଳିବ ।”

☆☆☆

 

(ଏଗାର)

ଗିରିରାଜ-କନ୍ୟା-ସ୍ନାନାଗାର

 

ମନ୍ଦିର, ପାନ୍ଥଶାଳା, ମଠ ଓ ବିପଣୀ ସମନ୍ଵିତ ବଦ୍ରିକାଶ୍ରମ କ୍ରମେ ଅଦୃଶ୍ୟ ହୋଇଆସୁଥାଏ । କୁହେଳି ଭିତରେ, ଅର୍ଦ୍ଧ-ବିସ୍ମୃତ ସ୍ଵପ୍ନଭଳି ଲାଗୁଥାନ୍ତି ନରନାରାୟଣ ପର୍ବତ ।

ଦୂରତା ବଢ଼ିବା ସଙ୍ଗେ ସଙ୍ଗେ ସେ ଦେବଭୂମିର ଅଚିନ୍ତନୀୟ ଐତିହ୍ୟ ମୋ ଭିତରେ ଏକ ଦୁର୍ବାର ଆକର୍ଷଣରେ ପରିଣତ ହେଉଥାଏ । ଯେହେତୁ ପ୍ରତ୍ୟାବର୍ତ୍ତନ ସମ୍ଭବ ନୁହେଁ, ତେଣୁ ସେ ଆକର୍ଷଣ କ୍ରମେ ହେଉଥାଏ ବିଷାଦରେ ପରିଣତ ।

ମହାକାଶର ଦିଗ୍‌ବଳୟରେ ପ୍ରଚ୍ଛନ୍ନ ରହିଥ‌ିବ ଏକ ଅଭାବନୀୟ ଦୃଶ୍ୟ–ନର ଓ ନାରାୟଣ, ସୃଷ୍ଟିର ପ୍ରଥମ ଦୁଇ ତପସ୍ୱୀ, ଧ୍ୟାନମଗ୍ନ । ଯୋଗଶକ୍ତି ପ୍ରୟୋଗ କରି ସେମାନେ ଇନ୍ଦ୍ରପଦ ଆୟତ୍ତ କରିନେବେ ପରା ? ଦେବରାଜଙ୍କ ମନରେ ଏଭଳି ସନ୍ଦେହର ସୃଷ୍ଟି ହୁଅନ୍ତେ ସେ ପ୍ରଥମେ ଝଡ଼ଝଞ୍ଜା, ଭୂମିକମ୍ପ ଇତ୍ୟାଦି ସୃଜନ କରି ଦୁଇ ତପସ୍ଵୀଙ୍କୁ ଭୟଭୀତ କରିବାର ଉଦ୍ୟମ କଲେ । ସେ ଉଦ୍ୟମ ଫଳବତୀ ହେଲାନାହିଁ । ଅଗତ୍ୟା ସେ ପ୍ରେରଣକଲେ ଅପ୍‌ସରାମାନଙ୍କୁ । ଅଭାବନୀୟ ସୁନ୍ଦରୀବୃନ୍ଦ–ମେନକା, ରମ୍ଭା, ତିଳୋତ୍ତମା, ସୁକେଶିନୀ, ମନୋରମା, ମାହେଶ୍ଵରୀ, ପୁଷ୍ପଗନ୍ଧା, ପ୍ରମଦ୍‌ବରା, ଘୃତାଚୀ, ଚନ୍ଦ୍ରପ୍ରଭା, ସୋମା, ବିଦ୍ୟୁନ୍ମାଳା, ଅମ୍ବୁଜାକ୍ଷୀ ଏବଂ କାଞ୍ଚନମାଳା ନୃତ୍ୟ ସଙ୍ଗୀତରେ ସେ ଉପତ୍ୟକାକୁ ସ୍ପନ୍ଦିତ, ଝଙ୍କୃତ କରନ୍ତେ ତପସ୍ୱୀ ନାରାୟଣ ନୟନ ଉନ୍ମୋଚନ କଲେ । ସେ ବିଚିତ୍ରାନୁଷ୍ଠାନର ଆଭିମୁଖ୍ୟ ବୁଝିବାକୁ ତାଙ୍କୁ ମୁହୂର୍ତ୍ତଟିଏ ଲାଗିଥିବ । ସେ ବିରକ୍ତ ହେଲେ କି ଦୟାର୍ଦ୍ର ହେଲେ କହିବା ସମ୍ଭବ ନୁହେଁ । ଏକ ଅଭିନବ ଉପାୟରେ ସେ ସମସ୍ତଙ୍କୁ ସ୍ତବ୍ଧ, ହତବାକ୍ କରାଇ ବିଦାୟ ନେବାକୁ ବାଧ୍ୟକଲେ ।

 

ସେ ନିଜ ଊରୁ ଉପରେ ଥରେ ହାତ ବାଡ଼େଇଦେଲେ । ଆଖି ପଲକରେ ଉଦ୍ଭୂତ ହେଲେ ସେ ସମସ୍ତ ସୁନ୍ଦରୀଙ୍କଠୁଁ ବହୁ ଗୁଣ ଅଧ‌ିକ ସୁନ୍ଦରୀ । ଊରୁ-ଜାତ ବୋଲି ତାଙ୍କ ନାମ ହେଲା ଉର୍ବଶୀ ।

 

ଯେଉଁ ଯୋଗ ବିଭୂତିଦ୍ୱାରା ଏହା ସମ୍ଭବ, ତା’ର ଆଧାର ନାରାୟଣଙ୍କୁ ପୁଣି ସୌନ୍ଦର୍ଯ୍ୟଦ୍ଵାରା ବିଚଳିତ କରିବାର ଉଦ୍ୟମ ! ଲଜ୍ଜାନତା ଅପ୍‌ସରାମାନେ ନର ନାରାୟଣଙ୍କୁ ପ୍ରଣାମକରି ହଟିଗଲେ । ତାଙ୍କ ସ୍ରଷ୍ଟାଙ୍କ ନିର୍ଦ୍ଦେଶ କ୍ରମେ ଉର୍ବଶୀ ମଧ୍ୟ ସେମାନଙ୍କ ସହ ସାମିଲ ହେଲେ ।

 

କାଳକ୍ରମେ ଦିନେ ସ୍ୱର୍ଗରାଜ୍ୟର ଏହି ସର୍ବୋତ୍ତମା ସୁନ୍ଦରୀ ଜଣେ ମଣିଷର ପ୍ରେମରେ ପଡ଼ିଗଲେ ରାଜା ପୁରୁରବାଙ୍କ ରାଣୀ ରୂପେ ତାଙ୍କ ପ୍ରାସାଦରେ ରହିଲେ । କିନ୍ତୁ ନିୟତି-ଚକ୍ରରେ, ଏକ ମଧ୍ୟରାତ୍ରରେ ଉର୍ବଶୀଙ୍କୁ ବିଦାୟ ନେବାକୁ ପଡ଼ିଲା । ବରଂ, ଗନ୍ଧର୍ବମାନେ ଆସି ତାଙ୍କୁ ନେଇଗଲେ । ପାଗଳପ୍ରାୟ ରାଜା ଦୀର୍ଘଦିନ ସ୍ଥାନ ସ୍ଥାନାନ୍ତର ପ୍ରଦକ୍ଷିଣ କରି, ଅବଶେଷରେ କୁରୁକ୍ଷେତ୍ରଠାରେ ହଠାତ୍ ଉର୍ବଶୀଙ୍କ ସାକ୍ଷାତ୍ ଲାଭକଲେ । ବ୍ୟାକୁଳ ଭାବରେ ପ୍ରାସାଦକୁ ଫେରିଆସିବାକୁ ତାଙ୍କୁ ନିବେଦନ କଲେ । କିନ୍ତୁ ଉର୍ବଶୀ ନାଚାର । କିମ୍ବଦନ୍ତୀର ସ୍ଥୂଳ ଦିଗ ଅନୁସାରେ ପୁରୁରବା କେତେକ ସର୍ତ୍ତ ଭଙ୍ଗ କରିବାରୁ ଉର୍ବଶୀ ତାଙ୍କୁ ତ୍ୟାଗ କଲେ, କିନ୍ତୁ ସୂକ୍ଷ୍ମ କାରଣ, ମଣିଷ ଓ ଅପ୍‌ସରାର ସ୍ଥାୟୀ ମିଳନ ଅସମ୍ଭବ ।

 

କୁରୁକ୍ଷେତ୍ରଠାରେ ତାଙ୍କୁ ଧରିବାପାଇଁ ଉଭୟ ବାହୁ ପ୍ରସାରିତ କରି ଧାବମାନ ରାଜାଙ୍କୁ ଥରେ ଶେଷଥରପାଇଁ କରୁଣ ଭାବରେ ଅନାଇଁ ଅଦୃଶ୍ୟ ହୋଇଗରେ ଉର୍ବଶୀ । ଦେବୀଭାଗବତରେ ଉପାଖ୍ୟାନଟିର ଏହିଠାରେ ସମାପ୍ତି ।

କିନ୍ତୁ ପୁରାଣର ଏ ନିର୍ମମ ବିରହାତ୍ମକ କାହାଣୀକୁ ସାଧାରଣ ମଣିଷ ସହିନେଇ ପାରିନାହିଁ । ପୁରାଣ ପରିବେଷିତ ତଥ୍ୟ ବା ସତ୍ୟ ଉପରେ ଲୋକସାହିତ୍ୟ କେମିତି ତା’ ନିଜ କଳ୍ପନା ବା ଔଚିତ୍ୟବୋଧ ଆରୋପ କରିପାରେ, କଥା ସରିତ୍ ସାଗରରେ ବର୍ଣ୍ଣିତ ଏ ଉପାଖ୍ୟାନ ତା’ର ଏକ ଚମତ୍କାର ଉଦାହରଣ । ସେ ଅପୂର୍ବ ଲୋକସାହିତ୍ୟ ଅନୁସାରେ, ରାଜା ପୁରୁରବା କୁରୁକ୍ଷେତ୍ରରୁ ଚାଲିଆସିଛନ୍ତି ବଦ୍ରିକାଶ୍ରମ । ସେଠାରେ ସେ ତାଙ୍କ ଅଭିଳାଷ ପୂର୍ତ୍ତିପାଇଁ କଠୋର ତପସ୍ୟା କରିଛନ୍ତି । ଶେଷରେ, ବିଷ୍ଣୁଙ୍କ ନିର୍ଦ୍ଦେଶରେ, ମାନବ ଜଗତର ବିଧାନ ଓ ସ୍ୱର୍ଗ ରାଜ୍ୟର ବିଧାନ ଭିତରେ ଏକ ସାଲିସ୍ ହୋଇଛି । ପ୍ରତିବର୍ଷ ଥରଟିଏ ମାତ୍ର ପୁରୁରବା ଏବଂ ଉର୍ବଶୀଙ୍କ ମିଳନପାଇଁ ବ୍ୟବସ୍ଥା ହୋଇଛି ।

ମୋ ପାଖରେ ବସିଥିଲେ ଅବସରପ୍ରାପ୍ତ ସେନାପତି । ଗାଡ଼ି ଛାଡ଼ିବାର ଅଳ୍ପ ସମୟ ପରେ ତାଙ୍କୁ ନିଦଲାଗିଯାଇଥିଲା । ହଠାତ୍ ତାଙ୍କ ମୁଣ୍ଡ ମୋ କାନ୍ଧରେ ବାଡ଼େଇ ହୋଇଯାଆନ୍ତେ ନିଦ ତୁଟିଗଲା । ସେ ଭୟଙ୍କର ଭାବରେ ଚମକିଲେ । ଯୁଦ୍ଧକ୍ଷେତ୍ରରେ ନିଦଲାଗିଆସିଲେ, ସେଥିରୁ ଉତୁରିବାବେଳେ ସେନାପତିମାନେ କେମିତି ଚମକୁଥ‌ିବେ, ତା’ର ଏକ ନମୁନା ମୋତେ ମିଳିଲା । ସେ ମୋ ହାତ ଦଳିମକଚି ପକାଇ କହିଲେ, “ଦୁଃଖିତ, ଦୁଃଖିତ ।”

ବାସ୍ତବରେ ମୋର ଦୁଃଖିତ ହେବା କଥା । ମୋତେ ମୋ ନିରଙ୍କୁଶ ସ୍ୱପ୍ନ ଓ ସ୍ମୃତି ଭିତରୁ ସେ ଦାର୍ଶନିକ ଆଲୋଚନା ଭିତରକୁ ଭିଡ଼ି ଓଟାରି ଟାଣି ନେଇଗଲେ ।

–‘‘ଜୀବନର ଅଧା ସମୟ ନିଦରେ ବରବାଦ୍ ହୋଇଯିବା କି ବିଡ଼ମ୍ବନା !’’ ସେ କହିଲେ-। ମୁଁ ନୀରବ ରହନ୍ତେ ସେ ପ୍ରଶ୍ନ କଲେ, ‘‘ବିଡ଼ମ୍ବନା ନୁହେଁ ?’’

–‘‘ଜାଣେନା ।’’

‘‘ଜାଣେନା ମାନେ ?”

–‘‘ମାନେ, ଆପଣ ଚେଇଁଥିବା ସମୟତକ ଏମିତି କେଉଁ ଅପୂର୍ବ କାମ କରନ୍ତି ଯେ, ନିଦ୍ରିତ ସମୟତକ ବର୍‌ବାଦ୍ ପର୍ଯ୍ୟାୟରେ ଯିବ ?’’

–“କଥାଟି ଠିକ୍ । ତେବେ ଚେଇଁଥିବା ସମୟରେ ମଣିଷ ଅଭିଜ୍ଞତା ସଞ୍ଚୁଥାଏ। ଅଭିଜ୍ଞତାରୁ ତା’ର ଶିକ୍ଷାଲାଭ ହୁଏ; ପ୍ରଗତି ହୁଏ । ଶୋଇପଡ଼ିଲେ ତ ସେସବୁ ହୁଏନା !’’

–“ସବୁବେଳେ ତ ଖାଲି ଖାଇଲେ ଚଳିବନାହିଁ–ଖାଦ୍ୟ ପୁଣି ହଜମ ହେବା ଦରକାର । ଆପଣଙ୍କ ଅଭିଜ୍ଞତା ସବୁ ହଜମ ହେବାପାଇଁ ହୁଏତ ନିଦ ଗୋଟାଏ ପ୍ରକୃଷ୍ଟ ସମୟ । ତା’ଛଡ଼ା ନିଦ୍ରାବସ୍ଥାରେ ଚେତନା କ’ଣ କାମ କରୁନଥାଏ ? ଆପଣଙ୍କ ସ୍ଥୂଳ ସ୍ମୃତିର ଊର୍ଦ୍ଧ୍ଵରେ ନାନା ପର୍ଯ୍ୟାୟରେ ସେ କାମ କରୁଥାଏ ଏବଂ ଅଭିଜ୍ଞତା ବି ସଞ୍ଚୟ କରୁଥାଏ ।’’

 

–‘‘ପ୍ରମାଣ ?’’

 

–“ପ୍ରମାଣ ବୋଇଲେ ଆପଣ କ’ଣ ବୁଝନ୍ତି ? ଯେକୌଣସି ବିଷୟରେ ଆପଣଙ୍କ ନିଜ ଜ୍ଞାନଠୁଁ ଅନ୍ୟ ଜଣେ ଉପସ୍ଥାପନ କରୁଥିବା ପ୍ରମାଣ କ’ଣ ଅଧିକ ମୂଲ୍ୟବାନ୍‍ ?”

 

ସେନାପତି ଟିକିଏ ଗମ୍ଭୀର ରହି ପଚାରିଲେ, ‘‘ଆପଣ ସ୍ୱପ୍ନ ଦେଖନ୍ତି ?’’

 

–“ସମସ୍ତେ ଦେଖନ୍ତି ।’’

 

–‘‘ସ୍ୱପ୍ନର କିଛି ମୂଲ୍ୟ ଅଛି ?’’

 

–“ବହୁତ ଅଛି । ସେ ଏକ ବ୍ୟାପକ ବିଷୟ । ଆପଣଙ୍କ ଚେତନା ପରିପକ୍ଵ ହୋଇଥିଲେ ସ୍ୱପ୍ନ ଥରେ ଥରେ ଆପଣଙ୍କୁ ଅଚାନକ ସାହାଯ୍ୟ କରେ–ଅମୂଲ୍ୟ ସାହାଯ୍ୟ ।’’

 

–‘‘ଯଥା ?”

 

–‘‘ଗଳ୍ପଟିଏ ମନେପଡ଼ୁଥିବାରୁ ଏକଥା କହିଲି । ଥରେ ଜଣେ ଲୋକ ତା’ର ଏକମାତ୍ର ଶିଶୁପୁତ୍ରକୁ ନେଇ ବୈଦ୍ୟଙ୍କ ପାଖରେ ପହଞ୍ଚିଲା । ଶିଶୁଟି ଭୀଷଣ ଅସୁସ୍ଥ । ‘ବୈଦ୍ୟରାଜ ! ଯେମିତି ହେଲେ ପୁଅକୁ ବଞ୍ଚାନ୍ତୁ ।’ ସେ କାତର ଭାବରେ ନିବେଦନ କଲା । ବୈଦ୍ୟ ପରୀକ୍ଷା କରି ଦେଖିଲେ–ବଡ଼ କଠିନ ବେମାର । ତେବେ ସେ ଯଥାସାଧ୍ୟ ଚେଷ୍ଟାରେ ତ୍ରୁଟି କଲେନାହିଁ । ଦୁଇ ତିନିଦିନ ବିତିଗଲା । ରାତିସାରା ଲୋକଟି ଅଚେତ ପୁଅ ପାଖରେ ବସିଥାଏ । ବୈଦ୍ୟ ଦେଇଥିବା ନିର୍ଦ୍ଦେଶ ମୁତାବକ ଯାହା କରିବାର କରୁଥାଏ । ଚତୁର୍ଥ ରାତିରେ ପୁଅର ଅବସ୍ଥା ଅତ୍ୟନ୍ତ ଗୁରୁତର ହେଲା । ଲୋକଟି ଆଖିରୁ ଅଶ୍ରୁ ଝରୁଥାଏ । ଯେମିତି ହେଲେ ପୁଅକୁ ବଞ୍ଚାଇବାକୁ ସେ ବୈଦ୍ୟଙ୍କୁ ନେହୁରା ହେଉଥାଏ । ଶେଷରାତିବେଳକୁ, ପୁଅ ଶେଯ ପାଖରେ ଚୌକିରେ ବସିଥାଇ ଲୋକଟି କେଇ ମିନିଟ୍‌ପାଇଁ ତନ୍ଦ୍ରାଚ୍ଛନ୍ନ ହୋଇପଡ଼ିଥାଏ । ବୈଦ୍ୟ ପାଖରେ ଥା’ନ୍ତି । ସେତିକିବେଳେ ପିଲାଟିର ପ୍ରାଣବାୟୁ ଉଡ଼ିଗଲା । ଚେଇଁଉଠି ଲୋକଟି ଅବସ୍ଥା ହୃଦୟଙ୍ଗମ କଲା । ଦରଦୀ ବୈଦ୍ୟ ଡରୁଥିଲେ–ସେ ଚିତ୍କାର କରିବ, ମୁଣ୍ଡ ପିଟିବ–କିନ୍ତୁ ସେମିତି କିଛି ହେଲାନାହିଁ । ଖାଲି ଦୀର୍ଘନିଃଶ୍ଵାସ ଛାଡ଼ି ସେ କହିଲା, “ବୈଦ୍ୟଜୀ ! ଆପଣ ଯେଭଳି ଯତ୍ନ ନେଇଛନ୍ତି ସେ ପାଇଁ ମୁଁ ଆଜୀବନ କୃତଜ୍ଞ ରହିବି । ବର୍ତ୍ତମାନ ଆପଣଙ୍କ କର୍ମଚାରୀମାନଙ୍କୁ କୁହନ୍ତୁ, ପିଲାଟିର ଶେଷକୃତ୍ୟ ପାଇଁ ସେମାନେ ମୋର ସହାୟତା କରିବେ ।’’ ଶେଷକୃତ୍ୟ ସମାହିତ ହେବା ଉତ୍ତାରୁ ବୈଦ୍ୟ ଲୋକଟିକୁ ପଚାରିଲେ, ‘ତମ ଆଚରଣରେ ମୁଁ ବିସ୍ମିତ । ପୁଅର ମୃତ୍ୟୁ ପୂର୍ବରୁ ତାକୁ ବଞ୍ଚାଇ ରଖିବା ନିମନ୍ତେ ତମେ ଏଡ଼େ ବ୍ୟାକୁଳ ଥିଲ, ଅଥଚ ତା’ର ମୃତ୍ୟୁ ତମକୁ ଅନୁରୂପ ଦୁଃଖ ଦେବାଭଳି ମନେହେଲା ନାହିଁ । ରହସ୍ୟ କ’ଣ ?’ ଲୋକଟିର ଉତ୍ତର: ‘ଆଜ୍ଞା, ପୁଅର ମୃତ୍ୟୁବେଳେ ମୋତେ ଟିକିଏ ନିଦ ଧରିଆସିଥିଲା । ସ୍ୱପ୍ନରେ ଦେଖିଲି, ମୁଁ ଜଣେ ବିତ୍ତବାନ୍ ବ୍ୟକ୍ତି । ମୋର ପାଞ୍ଚଟି ସବଳ ସମର୍ଥ ପୁଅ-। ହଠାତ୍‌ ନିଦ ତୁଟିଗଲା । ସେ ପାଞ୍ଚ ପୁଅଙ୍କୁ ହରାଇଲି । କୁହନ୍ତୁ, ସେ ପାଞ୍ଚ ପୁଅଙ୍କ ଯୋଗୁଁ ଦୁଃଖ କରିବି ନା ଗୋଟାଏ ଷଷ୍ଠ ପୁଅ ପାଇଁ ଦୁଃଖ କରିବି ?’ ଗଳ୍ପଟିର ସମାପ୍ତି ଏଇଠି । କହିବା ବାହୁଲ୍ୟ, ଲୋକଟିର ଚେତନା ଯଥେଷ୍ଟ ପରିପକ୍ଵ ଥିବା ଯୋଗୁଁ ମୁହୂର୍ତ୍ତର ସ୍ଵପ୍ନଟିଏ ତା’ର ଦାରୁଣ ଦୁଃଖ ଲାଘବ କରିବାରେ ତାକୁ ସହାୟତା କଲା ।”

 

–“ଅର୍ଥାତ୍, ସବୁ କିଛି ସ୍ୱପ୍ନ ଭଳି !”

 

–‘‘ଏ ଗଳ୍ପର ବ୍ୟାଖ୍ୟା ନିର୍ଭର କରିବ ପୁଣି ଆପଣଙ୍କ ବୋଧଶକ୍ତି ଉପରେ । ସାଧାରଣ ଅର୍ଥ ସେଇଆ । କିନ୍ତୁ ଆଉଜଣକପାଇଁ ଏହାର ଅର୍ଥ ଭିନ୍ନ ହୋଇପାରେ । ବାସ୍ତବତାକୁ ସ୍ୱପ୍ନ ବା ଅଳୀକ ବୋଲି ଉଡ଼ାଇନଦେଇ ମଧ୍ୟ ତାକୁ ଅବିଚଳ ଚିତ୍ତରେ ଗ୍ରହଣ କରିନେବାର ଶିକ୍ଷା ହୋଇପାରେ ।”

 

ସେନାପତି ହଠାତ୍ ଉତ୍‌ଫୁଲ୍ଲ ହୋଇ କହିଲେ, ‘‘ହେଇଟି, ଋଷିକେଶଠୁଁ ମୋ’ ବଙ୍ଗଳା ଦୂର ନୁହେଁ । ଆପଣଙ୍କୁ ଛାଡ଼ିବିନାହିଁ । ଆପଣଙ୍କୁ ସାମରିକ ଅତିଥିଶାଳାରେ ରହିବାକୁ ଦେବିନାହିଁ । ମୋ ଘରେ ରହିବେ । ମୋ ସ୍ଵପ୍ନ ସବୁ ଗପିବି–ସାରା ରାତି ।’’

 

ରୁଦ୍ରପ୍ରୟାଗରେ ପହଞ୍ଚିବାବେଳକୁ ମୁଁ ମୋ ଭ୍ରମଣ ଖସଡ଼ା ମନେମନେ ଚୂଡ଼ାନ୍ତ କରିସାରିଥିଲି । କେଦାରନାଥ ଯିବା ମୋ ଯୋଜନାରେ ନଥିଲା–କିନ୍ତୁ ଯିବି ।

 

ସେନାପତି ଓ ଅନ୍ୟମାନେ କେଉଁଠି ଯାଇ ବିଶ୍ରାମ ନେଉଥିଲେ । ମୁଁ ଯାଇ ଏ ଭ୍ରମଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମୋ ଅଭିଳାଷ ଜଣାଇଲି ।

 

‘‘ନା ଆଜ୍ଞା, ଆପଣଙ୍କୁ ନେଇ ଋଷିକେଶରେ ପହଞ୍ଚାଇବା ମୋ ଦାୟିତ୍ଵ ।’’ ସେ ଆନ୍ତରିକ କଣ୍ଠରେ କହିଲେ–‘‘କେଦାରନାଥ ତ କୌଣସି ଗାଡ଼ି ଯିବନାହିଁ ! ଗୌରୀକୁଣ୍ଡ ଯାଏ ଯିବ-। କିନ୍ତୁ ମୋତେ ତ ସେ ଅନୁମତି କର୍ତ୍ତୃପକ୍ଷ ଦେଇନାହାନ୍ତି !’’

 

“ଚିନ୍ତାନାହିଁ ! ମୁଁ ସାଧାରଣ ବସ୍‌ଟିଏ ଧରି ଯିବି । ଆପଣଙ୍କ ଅବାଧ୍ୟ ହୋଇଯାଉଛି, ଏ ମର୍ମରେ ଆପଣଙ୍କ ହାକିମଙ୍କ ପାଖକୁ ଚିଠି ମଧ୍ୟ ଲେଖିଦେଉଛି ।’’ ଏତିକି କହିବା ସଙ୍ଗେ ସଙ୍ଗେ ଚିଠି ଲେଖିବା ଆରମ୍ଭ କଲି । ଯୁବକଙ୍କୁ ଆଉ କିଛି କହିବାର ସୁଯୋଗ ଦେଲିନାହିଁ ।

 

ଗୌରୀକୁଣ୍ଡ ଅଭିମୁଖୀ ବସ୍ ଠିଆହୋଇଥାଏ । ପାଞ୍ଚମିନିଟ୍ ଭିତରେ ମୋ ଜିନିଷପତ୍ର ନେଇ ବସିଗଲି । କର୍ମଚାରୀ ଜଣକ କିଞ୍ଚିତ୍ ବିମୂଢ଼ତାବ୍ୟଞ୍ଜକ ସ୍ମିତହସ ସହକାରେ ମୋତେ ବିଦାୟଦେଲେ ।

 

ଏତେ ବେପରୁଆ ବସ୍ ଚାଳନାର ଅଭିଜ୍ଞତା ପୂର୍ବରୁ ଅର୍ଜି ନଥିଲି । ରାସ୍ତା ଅତ୍ୟନ୍ତ ଅପ୍ରଶସ୍ତ । ଡାହାଣ ପାଖରେ ସିଧା ଦଣ୍ଡାୟମାନ ପର୍ବତ ଗାତ୍ର । ବାମ ପାଖରେ ଗଭୀର ଉପତ୍ୟକା-। ଦୁର୍ଗତିବେଳେ ବସ୍‌କୁ ଅଟକାଇ ରଖିବାଭଳି ସାମାନ୍ୟ ବନ୍ଧଟିଏ ବି ନାହିଁ । ଏତେ କ୍ଷିପ୍ର ଗତିରେ ବସ୍ ଚାଲୁଥାଏ, ଗୋଟାଏ ମୋଡ଼ ନେଲାବେଳେ ଡାହାଣ ପାଖର ଚକାମାନେ ମାଟି ଛାଡ଼ି କେଇ ଇଞ୍ଚ ଉପରକୁ ଉଠିପଡ଼ିଲେ ବୋଲି ବୁଝିହେଲା ।

 

ସନ୍ଧ୍ୟା ସୁଦ୍ଧା ଗୌରୀକୁଣ୍ଡରେ ପହଞ୍ଚିଗଲି । ଗର୍‍ୱାଲ୍‍ ପର୍ଯ୍ୟଟନ ନିଗମର ପାନ୍ଥଶାଳା ବେଶ୍ ଉଚ୍ଚସ୍ଥାନରେ ଅବସ୍ଥିତ । ସମ୍ମୁଖରେ ନିବିଡ଼ ଅରଣ୍ୟ ଓ ନଦୀସ୍ରୋତ । ତଳକୁ ଓହ୍ଲାଇଗଲେ ଉଷ୍ଣପ୍ରସ୍ରବଣ ଗୌରୀକୁଣ୍ଡ ।

 

ପାନ୍ଥଶାଳାରେ କୋଠରୀ ପାଇଗଲି । ତା’ପରେ ଗୌରୀକୁଣ୍ଡରେ ସ୍ନାନ । ଥଣ୍ଡା ରାଜ୍ୟରେ ଏ ସ୍ନାନ ଯେ କେଡ଼େ ମହାନ୍ ଆଶୀର୍ବାଦ, ସେ କଥା ଅନୁଭବୀ ସହଜରେ ବୁଝିପାରେ । କୁଣ୍ଡ ପାଖରେ ମାତା ଗୌରୀଙ୍କ ଛୋଟିଆ ମନ୍ଦିର । ଏହି କୁଣ୍ଡରେ ହିମାଳୟନନ୍ଦିନୀ ଗୌରୀ ସ୍ନାନ କରୁଥିଲେ ବୋଲି ଏହା ଏଡ଼େ ପବିତ୍ର ।

 

ଚିତ୍ରଟିଏ ଭଳି ସୁନ୍ଦର ବଜାର ବୁଲିସାରି ପାନ୍ଥଶାଳା ବାରନ୍ଦାରେ ବସିଲି । ହିମାଳୟର ଆକାଶରେ ନକ୍ଷତ୍ରମାନେ ସତେ ଯେପରି ଭିନ୍ନ ଦିଶୁଥିଲେ । ସତେ ଯେପରି ହିମାଳୟ ବ୍ୟାପି ସଂଘଟିତ ଯୁଗେ ଯୁଗେ ବହୁ ପର୍ଯ୍ୟାୟର ବହୁ ବିଚିତ୍ର ଘଟଣାର ସାକ୍ଷୀ ରୂପେ ଏଠି ସେ ନକ୍ଷତ୍ରମାନଙ୍କର ପରିଚୟ ଭିନ୍ନ ।

☆☆☆

 

(ବାର)

ତୁଷାର-ତୀର୍ଥ କେଦାରନାଥ

 

ଭୋର୍ । ନାନା ପକ୍ଷୀଙ୍କ କଳରବ ଏବଂ ପାର୍ବତ୍ୟ ସ୍ରୋତସ୍ଵିନୀର ମୃଦୁ ମନ୍ତ୍ରୋଚ୍ଚାରଣ । କିନ୍ତୁ, ବେଶ୍ ଉଚ୍ଚ ସ୍ଥାନରେ ଅବସ୍ଥିତ ଅତିଥିଶାଳାର ବାରନ୍ଦାରୁ ଅନେଇ ଦେଖିଲି, ପର୍ବତ କୋଳରେ ଗେହ୍ଲା ବସତିଟି ସେଯାଏ ଅନ୍ଧକାରର କମ୍ବଳ ଘୋଡ଼ିଘାଡ଼ି ହୋଇ ନିଘୋଡ଼ ନିଦରେ ଶୋଇଛି ।

 

ଯେଉଁ ଉଷ୍ଣପ୍ରସ୍ରବଣ ନାମରେ ବସ‌ତିଟି ନାମିତ ସେହି ଗୌରୀକୁଣ୍ଡରେ ଥରେ ସ୍ନାନ କରିବାର ବାସନା ପ୍ରବଳ । ତାହା ପୁଣି ଅତିଥିଶାଳାର ଅଦୂର ନିମ୍ନଦେଶରେ । କିନ୍ତୁ ଶିଳାପଥ ସଂକୀର୍ଣ୍ଣ ଏବଂ ଅଙ୍କାବଙ୍କା । ଟିପାବତୀଟି ଅଚଳ ହୋଇଯାଇଥାଏ । ଅଗତ୍ୟା ଝୁଣ୍ଟି, ହାମୁଡ଼ି, ଅବତରଣ କଲି । ରାସ୍ତାର ମଝାମଝି, ବାମ ଦିଗରେ ଏକ ପ୍ରଶସ୍ତ ପାଷାଣ ଖଣ୍ଡ ଉପରେ ଛୋଟ ଚାହା ଦୋକାନଟିଏ । ଅନ୍ଧାର, ଧୂଆଁ ଓ ଫୁଟନ୍ତ କ୍ଷୀରର ବାସନା ଭିତରେ ଗୋଟିଏ ନିଷ୍ପ୍ରଭ ଗ୍ୟାସ୍‌ବତିର ସାମାନ୍ୟ ଆଲୁଅରେ ତିନି-ଚାରିଜଣ ଅପେକ୍ଷମାଣ ଚାହାପାୟୀ ଜମାଟ ଛାଇ ଭଳି ବସିରହିଥିଲେ ।

 

ଭିତରକୁ ପଶିଯିବାର ଲୋଭ ସମ୍ବରଣ କରିପାରିଲିନାହିଁ । ଦୋକାନୀ ଚାହା ପ୍ରସ୍ତୁତ କରିସାରି ପ୍ରଥମ ଗିଲାସଟି ମୋତେ ହିଁ ଧରାଇଦେଲା–ଅନ୍ଧାର ଭିତରୁ କାହାରି ନିର୍ଦ୍ଦେଶରେ । କହିବା ବାହୁଲ୍ୟ, ଶୀତଳ ପ୍ରତ୍ୟୁଷର ସେ ଉଷୁମ ସୌଜନ୍ୟ ଏବଂ ଗରମ ଚାହା ମୃତସଞ୍ଜୀବନୀ ଭଳି ଲାଗିଥିଲା ।

 

କିନ୍ତୁ ଶେଷମାତ୍ରା ଚାହାତକ ପିଇବା ସଙ୍ଗେ ସଙ୍ଗେ ଶଙ୍କିଗଲି । ପାଖରେ ପଇସା ନାହିଁ-

‘‘ପଇସା ବର୍ତ୍ତମାନ ଆଣି ଦେଉଛି ।” –କହି ପାନ୍ଥନିବାସ ଆଡ଼େ ନିର୍ଦ୍ଦେଶ କଲି ।

‘‘ମୋଟେ ବ୍ୟସ୍ତ ହେବେନାହିଁ, ଆଜ୍ଞା, ଗୌରୀକୁଣ୍ଡରେ ବୁଡ଼ ଦେବାକୁ ବାହାରିଛନ୍ତି, ଯାଇ ଦିଅନ୍ତୁ । ସକାଳେ ଆପଣଙ୍କୁ ଚାହା ପିଆଇବାର ପୁଣ୍ୟ ମୋତେ ମିଳୁ । ଆପଣ କେଦାରନାଥ ଯିବେଟି ? ଘୋଡ଼ା ସଜ କରି ରଖିଛି ।”

ମୋତେ ସର୍ବପ୍ରଥମ ଚାହା ପରଷିବାକୁ ନିର୍ଦ୍ଦେଶ ଦେଇଥିବା ଯୁବକଟି କହିଲେ । ଅନ୍ଧାରୁଆ ପରିବେଶ ପ୍ରତି ଆଖି ଅଭ୍ୟସ୍ତ ହୋଇଆସୁଥିଲା । ତାଙ୍କୁ ଚିହ୍ନିଲି । ଗତକାଲି ବସ୍‌ରୁ ଅବତରଣ କରିବାମାତ୍ରେ ସ୍ଵାଗତ କରିଥିଲେ ଏହି ପଣ୍ଡା ବଦ୍ରିପ୍ରସାଦ । ଏଇଟା ତାଙ୍କ ଧନ୍ଦା । କିନ୍ତୁ ଯୁବକଙ୍କ ବ୍ୟବ‌ହାର ମାର୍ଜିତ ।

ସାମାନ୍ୟ ଆଲୋକିତ ଉଷ୍ଣପ୍ରସ୍ରବଣ ଗୌରୀକୁଣ୍ଡରୁ ବାମ୍ଫ ବାହାରୁଛି । ଦୁଇଚାରିଜଣ ଲୋକ ଡୁବ ଦେବାକୁ ହାଜର ହୋଇଗଲେଣି । ତହିଁ ଭିତରୁ ସମ୍ଭବତଃ ଜଣେ ପଣ୍ଡା । ସେ ତାଙ୍କ ଅତିଥିମାନଙ୍କୁ କହୁଥିଲେ, ‘‘ଏହି ସ୍ଥାନ ହେଲା ଗୌରୀଙ୍କର ଜନ୍ମସ୍ଥାନ । ଏଇଠାରେ ସେ ବଡ଼ହୋଇଥିଲେ ।”

ଆଉ କିଛି ଶୁଣିବାକୁ ଅପେକ୍ଷା କଲି । କିନ୍ତୁ ଅତିଥିମାନଙ୍କ ଆଗ୍ରହ ନଥିଲା । ସେମାନେ କେଦାରନାଥ ଯିବାପାଇଁ କମ୍ ପଇସାରେ ଘୋଡ଼ା ଯୋଗାଡ଼ କରିଦେବା ନିମନ୍ତେ ପଣ୍ଡାଙ୍କ ସହ ଜିଗର ଲଗାଇଲେ ।

 

ବଦ୍ରିକାଶ୍ରମରେ ଯେପରି, ଏଠିବି ଥରେ କୁଣ୍ଡ ଭିତରେ ପଶିଯିବାପରେ ଦେହ ଆପାତ ସ୍ପର୍ଶରେ ପ୍ରଚଣ୍ଡ ସେ ଉତ୍ତାପକୁ ସହିନେଇ ଉପକୃତ ଅନୁଭବ କଲା ।

 

କୁଣ୍ଡ ଭିତରେ ଥାଇ ଉପରକୁ ଅନାଇଲି । ହଠାତ୍ ଯେମିତି ଆକାଶ ବହୁତ ଉଚ୍ଚକୁ ଉଠିଯାଇଥିଲା । କୁଣ୍ଡ ଚତୁର୍ଦ୍ଦିଗର ପର୍ବତ ଓ ବୃକ୍ଷମାନେ ବି ଆକାଶର ଏଭଳି ବ୍ୟବହାରରେ ଯେମିତି ଅବାକ୍ ହୋଇଯାଇଥିଲେ । ଅନେକ ସମୟରେ ନିଜ ଚେତନାର ଅବସ୍ଥା ଏଭଳି ବିଚିତ୍ର ଅନୁଭୂତିର ରୂପ ନେଇପାରେ । ଆକାଶ ଯଦି ଅସୀମତା ପ୍ରତି ମଣିଷର ଆଗ୍ରହର ପ୍ରତୀକ, ତେବେ ତୀର୍ଥ ବୁଲି ସେ ଅସୀମତାର ନିକଟତର ହେବାର ସମ୍ଭାବନା କ୍ଷୀଣ, ହୁଏତ ମୋ ଭିତରର ଦ୍ରଷ୍ଟା ମୋ ଅହଂସତ୍ତାକୁ ଏଇ ବାର୍ତ୍ତା ଦେଉଥିଲା । ଅବଶ୍ୟ ନିଜକୁ ବୁଝାଇଲି, କୁଣ୍ଡର ସ୍ଥିତି ଯେଉଁ ନିମ୍ନଦେଶ, ସେଠାରୁ ଅନାଇଲେ ଉତ୍ତୁଙ୍ଗ ବନପର୍ବତ ଆକାଶର ମାପକାଠି ଭଳି କାମ କରୁଛନ୍ତି । ଅସୀମକୁ ମାପିବା ଦିଗରେ ଭୂ-ପ୍ରକୃତିର ସେହି ହାସ୍ୟାସ୍ପଦ ଉଦ୍ୟମର ପଟ୍ଟଭୂମିରେ ହିଁ ଆକାଶର ଦୂରତା ବଳେ ବଳେ ଜାହିର୍ ହୋଇଯାଉଛି ।

 

ଘଣ୍ଟାଏ ପରେ ମୋ ପାନ୍ଥଶାଳାରେ ପହଞ୍ଚିଲେ ବଦ୍ରିପ୍ରସାଦ । ବସତିର ଶେଷ ପ୍ରାନ୍ତରେ ଅପେକ୍ଷମାଣ ଧାଡ଼ିଏ ଘୋଡ଼ା । ତହିଁରୁ ଗୋଟିକ ଉପରେ, ଯୋଡ଼ାଏ କମ୍ବଳ ଭାଙ୍ଗ କରି ପକାଇ ମୋତେ ସେ ବସାଇଦେଲେ । ପ୍ରତି ଘୋଡ଼ା ସହ ଜଣେ ଜଣେ ଗାଇଡ୍ । ମୋ ଗାଇଡ୍‌ର ନାମ ମହୀନ୍ଦର । ମୋ ଘୋଡ଼ାର ନାମ ଦିଗ୍‍ବିଜୟ । ଶୀତ ସକାଶେ ଉଭୟ ବଦ୍ରିନାଥ ଓ କେଦାରନାଥ ମନ୍ଦିର ବନ୍ଦ ହେବା ଉପରେ । ବସ୍ତୁତଃ, କେଦାରନାଥ ଯାତ୍ରା ପାଇଁ ଅଦ୍ୟହିଁ ଶେଷ ବା ଶେଷର ପୂର୍ବ ପ୍ରଭାତ । ତେଣୁ ଯାତ୍ରୀ ମାତ୍ର ଦୁଇ ତିନିଜଣ ।

 

ଦୂରତା ଅବଶ୍ୟ ଅଳ୍ପ–ଅଠର କିଲୋମିଟର । କିନ୍ତୁ ସେତକ ସର୍ପିଳ ଊର୍ଦ୍ଧ୍ଵାୟମାନ ପଥ ଅତିକ୍ରମ ପାଇଁ ପ୍ରାୟ ଚାରିଘଣ୍ଟା ସମୟ ଲାଗିଯିବ । ଯାତ୍ରୀ ଚାଲିଚାଲି ଯାଇପାରେ (ଯାହାକି କାମ୍ୟ); ଘୋଡ଼ା ଚଢ଼ିପାରେ, ନହେଲେ ଜଣେ ବାହକ ପିଠିରେ ବୋକଚା ଭଳି ବୁହାହୋଇପାରେ, ନହେଲେ ଦୁଇଜଣ ବାହକଙ୍କଦ୍ଵାରା ‘ଡୋଲି’ ଯୋଗେ ଝୁଲି ଝୁଲି ଯାଇପାରେ ।

 

ସମୁଦ୍ର ପତ୍ତନରୁ ୧୧,୭୩୫ ଫୁଟ ଊର୍ଦ୍ଧ୍ଵରେ ଅବସ୍ଥିତ କେଦାରନାଥ । ଉତ୍ତରଣରେ ମହୀନ୍ଦର ବା ଦିଗ୍‌ବିଜୟ କାହାରି ଗତିରେ କ୍ଳାନ୍ତିର ଆଭାସ ନାହିଁ । ପଥ ମନୋରମ । ଦିଗ୍‌ଦିଗନ୍ତ ଅପୂର୍ବ, ପ୍ରଶାନ୍ତ ଓ ମହତ୍ । ଘୋଡ଼ା କାହିଁକି ଯୁଗେ ଯୁଗେ ଏଡ଼େ ବିଶ୍ଵସ୍ତ, ଏଡ଼େ ନିର୍ଭରଯୋଗ୍ୟ, ସେକଥା ବୁଝି ହେଉଥିଲା । ତା’ ପାଦତଳୁ ପଥର, କଙ୍କର ଖସିଯାଉ, କିନ୍ତୁ ଭାରସାମ୍ୟ ରକ୍ଷାକରି ନିଜକୁ ଓ ଆରୋହୀକୁ ନିରାପଦ ରଖିବା ଦିଗରେ ତା’ର ସହଜାତ ଶକ୍ତିର ପଟାନ୍ତର ନାହିଁ । ଅତଏବ, ଦିଗ୍‌ବିଜୟ ଉପରେ ନିଜ ନିରାପତ୍ତା ଛାଡ଼ିଦେଇ ପରିପାର୍ଶ୍ଵ ନିରୀକ୍ଷଣ କରିବାରେ ମନୋନିବେଶ କରିଥିଲି । ଗୋଟିଏ ଗୋଟିଏ ପର୍ବତର ମଝାମଝି ସ୍ଥାନରେ ଟିକିଟିକି ପଲ୍ଲୀଟିମାନ–ଦିଗ୍‌ବଳୟର ପଟ୍ଟଭୂମିରେ କେଉଁ ବିଶାଳକାୟ ଶିଳ୍ପୀ ଅଙ୍କିତ ଗୋଟାଏ ଗୋଟାଏ ଚିତ୍ରପଟଭଳି । ପଥପ୍ରାନ୍ତରେ, ମାଇଲ୍ ମାଇଲ୍ ବ୍ୟବଧାନରେ ଗୋଟାଏ ଗୋଟାଏ ଚାହା ଜଳଖିଆ ଦୋକାନ । ଠାଏଁ ଆମେ ଅଟକିଲୁ । ଗୋଟିଏ ମାତ୍ର କୋଠରୀର ଅନ୍ତର୍ଗତ ମାଲିକର ଶୋଇବା ଘର, ରୋଷେଇଘର ଏବଂ ଯାତ୍ରୀମାନଙ୍କ ଭୋଜନାଗାର । ଆଉ ଦିନେ ଦୁଇଦିନ ଭିତରେ ଦୋକାନ ବନ୍ଦ ହେବ ଛ’ମାସ ପର୍ଯ୍ୟନ୍ତ । ମାଲିକ ଓ ତାଙ୍କ ସହକାରୀ ସେମାନଙ୍କ ପାର୍ବତ୍ୟ ପଲ୍ଲୀକୁ ଚାଲିଯିବେ । ଘରଟି ସମ୍ଭବତଃ ଧୀରେ ଧୀରେ ତୁଷାରରେ ପୋତିହୋଇପଡ଼ିବ ।

 

ମାଲିକର ଦଉଡ଼ିଆ ଖଟ ଉପରେ, ରୀତିମତ ତକିଆରେ ମୁଣ୍ଡ ଦେଇ ନିଦରେ ଶୋଇଛି ଗୋଟାଏ ମେଣ୍ଢା । ତାହାରି ପ୍ରତିବେଶୀ ହୋଇ ଗୋଟାଏ ଟୁଲ୍ ଉପରେ ବସିଲି । ସାମ୍‌ନା ପାହାଡ଼ର ଏକ ଏକ ପର୍ଯ୍ୟାୟ ଉଚ୍ଚତାରେ କେତୋଟି ଲେଖାଏଁ ଗଛ । ଯୋଡ଼ିଏ ତିନୋଟି ଗଛର ଶୀର୍ଷ ଶାଖାଯାଏ ଚଢ଼ିଯାଇ ପତର ଖାଉଥାନ୍ତି ନିଜନିଜକୁ ବିହଙ୍ଗ ମନେକରୁଥିବା କେତୋଟି ଛେଳି-

 

କେଦାରନାଥ ଫେରନ୍ତା ଦୁଇଜଣ ଯାତ୍ରୀଙ୍କର ଚାହାପିଆ ଶେଷ ହୋଇଆସୁଥିଲା । ଚାହା ଜଳଖିଆ ପରଷୁଥ‌ିବା ତରୁଣଟିର ମୁହଁକୁ ଲକ୍ଷ୍ୟ କରି ଜଣେ ଯାତ୍ରୀ ବଡ଼ ଉତ୍ସାହରେ କହିଲେ, ‘‘ଆରେ ବାବୁ, ତୁ ତ ‘ଅମୁକ’ ଭଳି ଦିଶୁଛୁ ।’’

 

ସରଳତାର ଦିବ୍ୟ ଆଭାରେ ଗରୀୟାନ୍ ସେ ପାର୍ବତ୍ୟ ତରୁଣର ଚେହେରା ସହ ‘ଅମୁକ’ ନାମଧେୟ ବିଖ୍ୟାତ ଚିତ୍ରତାରକାଙ୍କ ସ୍ଥୂଳ ସାମଞ୍ଜସ୍ୟ ଯେତିକି ଥିଲା, ତା’ ତୁଳନାରେ ସୂକ୍ଷ୍ମ ଅସାମଞ୍ଜସ୍ୟ ବହୁତ ଅଧିକ । ସେ ଯାହାହେଉ, ତାଙ୍କ ସୁଚିନ୍ତିତ ମନ୍ତବ୍ୟରେ ତରୁଣ ମୁହଁରେ ପୁଲକ ବା ସଲଜ୍ଜ ବିନୟର କୌଣସି ଅଭିବ୍ୟକ୍ତି ନଦେଖି ଯାତ୍ରୀଟି ହତାଶ ହେବା ଲକ୍ଷ୍ୟ କଲି ।

 

ଯାତ୍ରୀ ଦୁହେଁ ବିଦାୟ ନେବା ପରେ ତରୁଣଟି ଆମକୁ ଚାହା ପରଷୁଥ‌ିବା ଅବସରରେ ତାକୁ ପଚାରିଲି, ‘‘ଅମୁକ କିଏ ଜାଣ ?’’

 

ସେ ମୁଣ୍ଡ ହଲାଇ ନାହିଁ କଲା ।

 

ବହୁଦିନ ଧରି କୌଣସି ପ୍ରଶ୍ନର ନେତିବାଚକ ଉତ୍ତର ମୋତେ ଏତେ ସନ୍ତୋଷ ଦେଇନଥିଲା । ବାସ୍ତବ ସମାଜର ସବୁ ପରିସ୍ଥିତିକୁ ସିନେମାର ଦୃଶ୍ୟ ସବୁର ମାନଦଣ୍ଡରେ, ମଣିଷର ବୈଚିତ୍ର୍ୟକୁ ଚିତ୍ରତାରକାମାନଙ୍କ ଚେହେରା ଦେଇ ପରଖିବାର ସଂସ୍କୃତିଠୁ ବିଚ୍ଛିନ୍ନ ଭାରତୀୟ ଅଦ୍ୟାବଧି ଅଛନ୍ତି ତା’ହେଲେ !

 

“ବାବୁ, ବର୍ଷାତି ଅଛି ତ ?’’ ଦୋକାନୀ ପାହାଡ଼ ପର୍ବତ ଉପରୁ ଭାସିଆସୁଥିବା କେଇପୁଳା ମେଘଆଡ଼େ ଅନାଇ ପ୍ରଶ୍ନକଲେ ଓ ଶୁଣାଇଲେ, ‘‘ବୋମ୍ବାଇକା ଫେସନ୍, କେଦାର୍‌କା ମୌସମ୍ !’’

 

ଅର୍ଥାତ୍, ଏ ଦୁଇ ବ୍ୟାପାର କ୍ଷଣକ୍ଷଣକେ ଆନ । ଏ ଦୁଇ ବ୍ୟାପାର ପ୍ରତି ସତର୍କ ରହିବା ବୁଦ୍ଧିମାନ୍‌ର କାମ ।

 

ତାଙ୍କୁ ଧନ୍ୟବାଦ ଦେଇ ବାହାରି ପଡ଼ିଲୁ ।

 

–“କ’ଣ ମହୀନ୍ଦର, ବର୍ଷା ହେବ ?’’

 

–“ନାହିଁ ବାବୁଜୀ, ଆଜି ହେବନାହିଁ... ।’’

 

–“କେମିତି ଜାଣିଲ ?’’

 

–“ବର୍ଷା ହେବାର ଥିଲେ ଆମ ଦିଗ୍‌ବିଜୟ ଆପେ ଆପେ ଅଧିକ ବେଗରେ ଚାଲନ୍ତା’’–ମହୀନ୍ଦର ହସି ହସି କହିଲା । ସେ ଥଟ୍ଟା କରୁଥିଲା କି ଦିଗ୍‌ବିଜୟର ସେଭଳି ବୋଧଶକ୍ତି ଉପରେ ତା’ର ବାସ୍ତବରେ ଆସ୍ଥା ଥିଲା, ସେ କଥା ବୁଝିପାରିଲିନାହିଁ ।

 

ବର୍ଷା ବାସ୍ତବିକ ହେଲାନାହିଁ । ମଧ୍ୟାହ୍ନର ଅବ୍ୟବହିତ ପୂର୍ବରୁ କେଦାରନାଥରେ ପହଞ୍ଚିଗଲି । ବସତି ବାହାରେ ଘୋଡ଼ା ସହ ଅପେକ୍ଷାକଲା ମହୀନ୍ଦର । ସେଠାରେ ତା’ର ଖିଆପିଆ ଓ ବିଶ୍ରାମର ବ୍ୟବସ୍ଥା ରହିଛି ।

 

ବିସ୍ତୀର୍ଣ୍ଣ, ଗୁଳ୍ମହୀନ ମୁଲକ ଭିତରେ ସେ ବସତି ନିମୀଳିତ ହୋଇଆସୁଥାଏ । ଗୋଟାଏ ଯୋଡ଼ାଏକୁ ଛାଡ଼ିଦେଲେ ସବୁ ଦୋକାନର କବାଟରେ ତାଲାପଡ଼ିଗଲାଣି ଆଗାମୀ ଛ’ମାସ ପାଇଁ । ବସତି ଯେତିକି ନୀରବ ଓ ନିସ୍ତେଜ ହୋଇଆସୁଛି, ମନେହେଲା, ପଟ୍ଟଭୂମିରେ ତୁଷାର-ଶୀର୍ଷ ମହାପନ୍ଥ ପର୍ବତର ବ୍ୟକ୍ତିତ୍ୱ ସେତିକି ଅଧିକରୁ ଅଧିକ ଦେଦୀପ୍ୟମାନ ହୋଇଉଠିଛି ।

 

ମହାଦେବଙ୍କ ପ୍ରତୀକ ଯେଉଁ ଅଦ୍ଭୁତ-ଦର୍ଶନ ଶିଳା, ଯେକୌଣସି ଯାତ୍ରୀ ତାକୁ ଛୁଇଁବାରେ ବାଧାନାହିଁ । କେଦାରନାଥ ଦର୍ଶନ ମୋ ଭ୍ରମଣ-ସୂଚନାର ଅନ୍ତର୍ଭୁକ୍ତ ନଥିଲା; ଅଥଚ ଆସିଯାଇପାରିଲି । ଏଥିପାଇଁ କୃତଜ୍ଞତାରେ ଅଭିଭୂତ ଅନୁଭବ କଲି ।

 

ପଟ୍ଟଭୂମିର ପର୍ବତମାଳା ରୁଦ୍ରହିମାଳୟ ନାମରେ ବିଦିତ—ନାମାନ୍ତରେ ସୁମେରୁ ପର୍ବତ-। ପାଞ୍ଚଗୋଟି ପର୍ବତରୁ ଶେଷଟି ଉପରେ କିଛି କିଛି ବ୍ୟବଧାନରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ଯୁଧିଷ୍ଠିରଙ୍କ ବ୍ୟତୀତ ଅନ୍ୟ ଚାରି ପାଣ୍ଡବ ଭ୍ରାତା ।

 

ମନ୍ଦିର ସାମନାରେ, ଜନବିରଳ ଅଗ୍ର-ପ୍ରାଙ୍ଗଣରେ କିଛି କ୍ଷଣ ବସିଥିଲି । ମନେପଡ଼ିଲା, ଶଙ୍କରାଚାର୍ଯ୍ୟଙ୍କ ସମାଧି ଏଇ ତୀର୍ଥରେ କେଉଁଠି ହେଲେ ଅବସ୍ଥିତ । ଯେଉଁ ଏକମାତ୍ର ହୋଟେଲ୍‌ଟି ଖୋଲାଥିଲା, ତା’ର ପରିଚାଳକଙ୍କୁ କିଛି ଖାଦ୍ୟ ପ୍ରସ୍ତୁତ କରିବା ସକାଶେ ବରାଦ୍ ଦେଇସାରି ପ୍ରଶ୍ନ କଲି ସେ ସମ୍ପର୍କରେ । ସେ ବାଟ ବତାଇଦେଲେ–‘‘ଆପଣ ମନ୍ଦିର ପଛକୁ ଯାଇ ଚାଲୁଥିବେ । ଅଦୂରରେ ଦେଖିବେ ଅସଲି ଶଙ୍କରାଚାର୍ଯ୍ୟଙ୍କ ସମାଧି ।”

 

‘‘ଆରେ ଭାଇ, ନକଲି ଶଙ୍କରାଚାର୍ଯ୍ୟ କେହି ନ ଥିଲେ । ଅସଲି ନ କହି ଆଦି ବୋଲି କହିବ ।’’ ମୁଁ ପରାମର୍ଶ ଦେଲି ।

 

“ଏକା କଥା !” ସେ ନମ୍ର ଭାବରେ ମୋ କଥାକୁ ବେଖାତିର କରିଦେଲେ ।

 

ଶଙ୍କରାଚାର୍ଯ୍ୟଙ୍କ ସମାଧି ଆଖପାଖରେ ଜନମାନବ କେହି ନଥିଲେ । ଚୁପ୍‌ଚାପ୍ କିଛି ସମୟ ବସିବାର ସୁଯୋଗ ମିଳିଲା । ସୁଦୂର ଦକ୍ଷିଣରେ, କେରଳର କେଉଁ ନିପଟ ପଲ୍ଲୀରେ ଶଙ୍କରାଚାର୍ଯ୍ୟଙ୍କର ଜନ୍ମ । ନଈରେ ବାଳକ ଶଙ୍କରଙ୍କର ଗୋଡ଼ କିମ୍ଭୀର କାମୁଡ଼ି ନ ଧରେ–ତା’ କବଳରୁ ପୁଅର ମୁକ୍ତିପାଇଁ ପୁଅରହିଁ ପରାମର୍ଶ କ୍ରମେ ଆତଙ୍କିତା ଜନନୀ ତାଙ୍କୁ ସନ୍ନ୍ୟାସ ଜୀବନ ପାଇଁ ଉତ୍ସର୍ଗ କରିନଦିଅନ୍ତି–କି ଶଙ୍କରାଚାର୍ଯ୍ୟ ତିନିତିନିଥର ଭାରତ ଭ୍ରମଣ କରି, ଚାରିଗୋଟି କେନ୍ଦ୍ରମଠ, ୭୨ଟି ଧର୍ମାନୁଷ୍ଠାନ ସ୍ଥାପନ କରି, ସମକାଳୀନ ଅଧିକାଂଶ ଦାର୍ଶନିକ ଓ ପଣ୍ଡିତଙ୍କୁ ଯୁକ୍ତିତର୍କରେ ପରାସ୍ତ କରି ଅଦ୍ଵିତୀୟ କୃତିତ୍ଵର ଦୃଷ୍ଟାନ୍ତ ନରଖନ୍ତି । କିମ୍ବଦନ୍ତୀ କହେ, ବଦ୍ରିକାଶ୍ରମରେ ସେ ବ୍ୟାସଦେବଙ୍କ ସାକ୍ଷାତ୍ ପାଇଥିଲେ–ଆଉ ଗୁରୁ ଗୋବିନ୍ଦପାଦଙ୍କ ସହ ସାକ୍ଷାତ୍ ତ ନିଶ୍ଚୟ ।

 

ମାତ୍ର ବତିଶ ବର୍ଷ ଭିତରେ ଏସବୁ ଅସମ୍ଭବ ସମ୍ଭବ କରି ସେ ଲୋକଲୋଚନରୁ ଅଦୃଶ୍ୟ ହୋଇଗଲେ । କେହି କେହି କହନ୍ତି, କାଞ୍ଚିପୁରମ୍‍ଠାରେ ତାଙ୍କର ମହାପ୍ରୟାଣ ଘଟିଥିଲା । ତାହାଙ୍କ ପ୍ରତିଷ୍ଠିତ ଚାରି କେନ୍ଦ୍ରମଠ ହେଲେ ଯଥାକ୍ରମେ–ପୁରୀ, ବଦ୍ରିନାଥ, ଦ୍ଵାରକା ଓ ଶୃଙ୍ଗେରି । କାଞ୍ଚିର ଶଙ୍କର ମଠ ସମ୍ଭବତଃ ତାଙ୍କ ଜୀବନାବସାନ ପରେ ପରେ ତାଙ୍କର ଜଣେ ମୁଖ୍ୟ ଶିଷ୍ୟଙ୍କଦ୍ଵାରା ସ୍ଥାପିତ । କିନ୍ତୁ କାଞ୍ଚିରେ ଯେ ଶଙ୍କରାଚାର୍ଯ୍ୟଙ୍କ ପ୍ରଭାବ ଥିଲା ସର୍ବାଧ‌ିକ, ଏଥିରେ ସନ୍ଦେହ ନାହିଁ । କାଞ୍ଚିର ପ୍ରାୟ ସବୁ ମନ୍ଦିରରେ ଶଙ୍କରାଚାର୍ଯ୍ୟଙ୍କର ମୂର୍ତ୍ତି ରହିଛି । ସେଇଥିଯୋଗୁଁ ହିଁ ସେଠାରେ ତାଙ୍କର ମହାପ୍ରୟାଣ ହୋଇଥିବା କଥା ମୋର ହୃଦବୋଧ ହୁଏନାହିଁ । ହୋଇଥିଲେ ମହାସମାରୋହରେ ସେଠାରେ ତାଙ୍କର ସମାଧି ଦିଆଯାଇଥାନ୍ତା । ତାଙ୍କ ଜନ୍ମସ୍ଥାନ କାଲାଡ଼ିରେ ତାଙ୍କ ସ୍ମୃତିସୌଧ ଭଳି କାଞ୍ଚିରେ ସମାଧି ମନ୍ଦିର ମଧ୍ୟ ବିଖ୍ୟାତ ହୋଇଥାନ୍ତା । କେଦାରନାଥ କିନ୍ତୁ ସେତେବେଳେ ଥିଲା ଦୁର୍ଗମ । ମୁଷ୍ଟିମେୟ ଶିଷ୍ୟଙ୍କ ସହ ସେ ହିମାଳୟ ଭ୍ରମଣ କରୁଥାନ୍ତି । ସେଠାରେ ତାଙ୍କ ସମାଧି ବହୁ ପ୍ରାଚୀନକାଳରୁ ଚିହ୍ନିତ ରହିଛି । ପ୍ରଥମ ପର୍ଯ୍ୟାୟରେ ଜନସମାଗମର ବିରଳତା ଦୃଷ୍ଟିରୁ ବଡ଼ ଧରଣର ସ୍ମୃତିସୌଧ ନିର୍ମାଣ ହୋଇପାରିନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ସେ କେଉଁଠି ଶେଷନିଃଶ୍ଵାସ ତ୍ୟାଗକଲେ ସେ ପ୍ରଶ୍ନ ଉଠିବା ଯୋଗୁ ଶଙ୍କର ମଠାଧୀଶମାନେ ଏଠାରେ ବଡ଼ ସୌଧ କରି ନିଶ୍ଚୟତାର ଛାପ ଦେବାକୁ କୁଣ୍ଠିତ ହୋଇଛନ୍ତି । କିନ୍ତୁ ‘‘ମାଧବୀୟ ଶଙ୍କର-ବିଜୟ” ଭଳି ପ୍ରାମାଣ୍ୟ ଗ୍ରନ୍ଥରେ ସେ କେଦାରନାଥଠାରେ ଶରୀର ରକ୍ଷା କରିଥିବାର ସ୍ପଷ୍ଟ ଉଲ୍ଲେଖ ରହିଛି ।

 

ଶେଷ ଅପରାହ୍‌ଣବେଳକୁ କେଦାରନାଥ ଛାଡ଼ିଲି । ଘୋଡ଼୍‍ସବାର ହୋଇ ମୋତେ କ୍ଳାନ୍ତ ଲାଗୁଥାଏ, କିନ୍ତୁ ଘୋଡ଼ା ଓ ତା’ର ଚାଳକ ମହୀନ୍ଦର ଅକ୍ଳାନ୍ତ । କେଇ ମାଇଲ୍ ପରେ ଦେଖାଗଲା, ବିପରୀତ ଦିଗରୁ ଯଷ୍ଟିହସ୍ତେ ଚାଲିଚାଲି ବଦ୍ରିକାଶ୍ରମ ଯାଉଛନ୍ତି ଜଣେ ବୃଦ୍ଧ । ବେଶଭୂଷାରେ ସାଧୁସନ୍ଥ ହେବାର ପ୍ରମାଣ ନାହିଁ–ସାଧାରଣ ଗ୍ରାମୀଣ ।

 

“ନମସ୍ତେ !” ମହୀନ୍ଦର ବଡ଼ ଆନ୍ତରିକତା ସହକାରେ ଅଭିବାଦନ ଜଣାଇଲା ।

 

ବୃଦ୍ଧ ମୁହଁ ତୋଳି ଥରେ ଅନାଇ ହସିଦେଲେ । ସେ ହସ ଆଜି ବି ମୋ ସ୍ମୃତିରେ ମଧ୍ୟେ ମଧ୍ୟେ ଝଟକିଉଠେ । ସେ ହସିଲେ ସତ, କିନ୍ତୁ ହସିଲେ ବୋଲି ନିଜେ ଜାଣିଥିଲେ କି ନା ସନ୍ଦେହ । ମୋର ଆହୁରି ମଧ୍ୟ ଏ ବିଚିତ୍ର ଅନୁଭବ ହେଲା–ଯେମିତିକି ସେ ବାଟ ଚାଲୁଛନ୍ତି ବୋଲି ନିଜେ ଜାଣିନାହାନ୍ତି ! ଯେପରି ସେ ନିଜକୁ ଅନ୍ୟ କୌଣସି ଶକ୍ତିର ହେପାଜତରେ ଛାଡ଼ିଦେଇଛନ୍ତି ।

 

–“ସେ କିଏ ?” ପଚାରିଲି।

 

–“ବାବୁ, ସେ କିଏ ମୁଁ ଜାଣେନା । ମୋ ଜ୍ଞାନ ହେବା ଦିନରୁ, ଯେତେବେଳେ ମୋତେ ମୋ ବାପା ଏ ରାସ୍ତାରେ ଯାତାୟାତ ପାଇଁ ତାଲିମ୍ ଦେଉଥାନ୍ତି, ସେବଠାରୁ ପ୍ରତିବର୍ଷ ତାଙ୍କୁ ଦେଖୁଛି–ମନ୍ଦିର ବନ୍ଦ ହେବାର ଠିକ୍ ପୂର୍ବଦିନ ବା ଦିନେ ଦୁଇଦିନ ଆଗରୁ ସେ ସେଠାରେ ପହଞ୍ଚିବେ ହିଁ ପହଞ୍ଚିବେ । ବାପା କହୁଥାନ୍ତି, ସିଏ ବି ତାଙ୍କୁ ତାଙ୍କ ଜ୍ଞାନ ହେବା ଦିନରୁ ଦେଖିଆସୁଥିଲେ । ବାପା ବଞ୍ଚିଥିଲେ ଏବେ ତାଙ୍କୁ ନବେ ହୁଅନ୍ତାଣି । ତେଣୁ ଏ ଯାତ୍ରୀଙ୍କ ବୟସ ଶହେରୁ ନିଶ୍ଚେ ଅଧିକ ।”

 

ସେ ପଥରେ ଏଭଳି କାହାଣୀ ଯେମିତି ହେଲେ ବି ଭଲଲାଗିଥାନ୍ତା । କିନ୍ତୁ ବୃଦ୍ଧଙ୍କୁ ଦେଖିଦେବାମାତ୍ରେ ମୋର ଯେଉଁ ଅସ୍ଵାଭାବିକ ଅନୁଭବ ହୋଇଥିଲା, ମହୀନ୍ଦରକଥିତ ଏ ଅଭିଜ୍ଞତା ଯୋଗୁଁ ତାହା ତାତ୍ପର୍ଯ୍ୟପୂର୍ଣ୍ଣ ମନେହେଲା । ମନେପଡ଼ୁଥିଲା କାହାଣୀଟିଏ; ନଈ ପାରିହୋଇ ଗରିବ ବୁଢ଼ୀଟିଏ ଆସି ପଣ୍ଡିତଙ୍କ ଘରେ ଭୋର ଦୁଧ ଯୋଗାଏ । ଦିନେ ସେ ଉଛୁରରେ ଆସନ୍ତେ ପଣ୍ଡିତ ତାକୁ କାରଣ ପଚାରିଲେ । “ନଈରେ ନାଆ ନଥିଲା ।” –କହିଲା ବୁଢ଼ୀ । ଥଟ୍ଟା କରି ପଣ୍ଡିତେ କହିଲେ, ‘‘ହରି ହରି କହି ଲୋକେ ଭବସାଗର ପାରିହୋଇଯାଆନ୍ତି, ତୁ ସାମାନ୍ୟ ନଈ ପାରି ହୋଇପାରୁନାହୁଁ ?’’ ଏହା ପରେ ବୁଢ଼ୀ ଅନ୍ଧାର ଥାଉଁ ଥାଉଁ ଦୁଧ ଯୋଗାଇଦିଏ । ଦିନେ ପଣ୍ଡିତେ ପଚାରିଦେଲେ, “ଆଜିକାଲି ନାଉରି ଏଡ଼େ ସହଳ ଡଙ୍ଗା ବାହୁଛି ?” ବୁଢ଼ୀ ଉତ୍ତରଦେଲା–‘‘ପୁଅ ମୁଁ କ’ଣ ଆଉ ନାଉରିକୁ ଅପେକ୍ଷା କରୁଛି ? ତୁ ଯେଉଁ ସୂତ୍ର ବତେଇଦେଇଥିଲୁ, ସେହି ଅନୁସାରେ ଚାଲିଆସୁଛି ।”

 

ମନେହେଲା, ସେମିତି କିଛି ଅଟଳ ବିଶ୍ୱାସର ସୂତ୍ର ଧରି ବୃଦ୍ଧ ବର୍ଷ ପରେ ବର୍ଷ ତାଙ୍କ ଗନ୍ତବ୍ୟରେ ପହଞ୍ଚୁଛନ୍ତି । ସେ ଦିଗରେ ସନ୍ଦେହ ପୋଷଣ କରିନାହାନ୍ତି । ଚାଲିବାର ବୟସ ଅତିକ୍ରାନ୍ତ ହେଲାଣି ବୋଲି ହେତୁ ନାହିଁ ।

☆☆☆

 

(ତେର)

ହିଡ଼ିମ୍ବା-ସୁତ-ସ୍ମୃତି

 

ଆଜି ଏକ ତାରିଖ ଜୁନ୍ (୧୯୯୫) ପ୍ରଭାତରେ ଯେତେବେଳେ ନୈନୀତାଲ ସହରର ପଶ୍ଚିମ ପ୍ରାନ୍ତରେ, ସହରଠୁଁ ଆହୁରି ଏକହଜାର ଫୁଟ ଉଚ୍ଚ ପର୍ବତୋପରି ଏକ ଅଟ୍ଟାଳିକାର ପ୍ରାଙ୍ଗଣରେ ବସି ଏକ ପରିଚ୍ଛେଦ ଲେଖା ଆରମ୍ଭ କରୁଛି, ସେତେବେଳେ ଅଦୂରବର୍ତ୍ତୀ ସମ୍ମୁଖର ସାଇପ୍ରସ୍ ଓ ପାଇନ୍ ବନ ଆବରିତ ଶିଖରଶ୍ରେଣୀ ଉପରେ କୁହୁଡ଼ି ଓ ଧୂଆଁସହ ସୂର୍ଯ୍ୟାଲୋକର ଗୋଟିଏ ବିଚିତ୍ର ମିଶ୍ରଣ ସକାଶେ ପ୍ରକୃତି ପ୍ରୟାସ କରୁଛି । ଗତ ପାଞ୍ଚଦିନ ଧରି ପ୍ରତି ପ୍ରଭାତରେ ଏ ଦୃଶ୍ୟ ଦେଖୁଛି । ମାତ୍ର ଯୋଡ଼ିଏ ଧାଡ଼ିରେ ଦୃଶ୍ୟଟି ବର୍ଣ୍ଣିତ ହୋଇଯିବ । କିନ୍ତୁ ତା’ର ଗାମ୍ଭୀର୍ଯ୍ୟ ଓ ମହତ୍ତ୍ଵ ବାସ୍ତବିକ ବର୍ଣ୍ଣନାତୀତ ।

 

‘ବର୍ଣ୍ଣନାତୀତ’ ଅଭିବ୍ୟକ୍ତିଟିର ଯାଥାର୍ଥ୍ୟ ହିମାଳୟ ମୁଲକରେ ବାରମ୍ବାର ଉପଲବ୍ଧି କରିବାକୁ ପଡ଼େ । ତେବେ, ଅବର୍ଣ୍ଣନୀୟକୁ ବର୍ଣ୍ଣନାବଦ୍ଧ କରିବା ଦିଗରେ ମଣିଷର ଆସ୍ପୃହା ଖାଲି ସ୍ଵାଭାବିକ ନୁହେଁ, ବରଂ ଅଭିନନ୍ଦନୀୟ । ସେହି ଆସ୍ପୃହା ଭିତରୁ କଳା ଓ କବିତାର ଉଦ୍‌ଭବ । ଉଇଲିଅମ୍ ବ୍ଲେକ୍‌ଙ୍କ ବୁଝିବାରେ, ମଣିଷ ଚାହେଁ :

 

“କଣାଏ ବାଲିରେ ଅନୁଭବିବାକୁ ବିଶ୍ଵ–

ବଣମଲ୍ଲୀରେ ସରଗର ସ୍ପନ୍ଦନ,

ପାପୁଲି ମୁଠାରେ ମହା ଅସୀମର ସ୍ପର୍ଶ,

ନିମେଷ ଭିତରେ ସମୟ ଚିରନ୍ତନ ।”

 

ମଣିଷର ଏ ଆସ୍ପୃହାକୁ କାର୍ଲାଇଲ୍ ପ୍ରକାଶ କରିଛନ୍ତି ସିଧାସଳଖ ଭାବରେ : “ମଣିଷ ଅସୁଖୀ, କାରଣ ସେ ମହତ୍ । ତା’ ଭିତରେ ଲୁଚିରହିଛି ଏକ ଅସୀମତା । ସେ ଯେତେ ଚେଷ୍ଟା କଲେ ବି ସୀମା ଭିତରେ ତାକୁ ଚାପି ରଖିବାକୁ ଅକ୍ଷମ ।”

 

‘‘To see a World in a Grain of Sand,

And a Heaven in a Wild Flower,

Hold infinity in the palm of your hand,

And Eternity in an hour.’’ (Blake)

 

କିନ୍ତୁ ଆସ୍ପୃହା ଯେତେବେଳେ ଆସ୍ପର୍ଦ୍ଧାରେ ପରିଣତ ହୁଏ, ସେତେବେଳେ ପରିସ୍ଥିତି ବିକଳ ହୁଏ । ହିମାଳୟର ଅବର୍ଣ୍ଣନୀୟ ଗରିମାରେ ବିମୁଗ୍‌ଧ, ଉଦ୍‌ବୁଦ୍ଧ ଓ ଅନୁପ୍ରାଣିତ ହେବା ପରିବର୍ତ୍ତେ ମଣିଷ ତାକୁ ଆୟତ୍ତ କରି ନିଜ ବିଳାସରେ ପରିଣତ କରିବାକୁ ଉତ୍ସୁକ । ଏକ ପରେ ଏକ ହିମାଳୟର ଅପରୂପ ସୁନ୍ଦର ବସତି କ୍ରମେ ଯକ୍ଷ୍ମାକ୍ରାନ୍ତ ଦିଶୁଛନ୍ତି ।

 

ଗୋଟିଏ ପ୍ରକାର ନୂଆ ଧରଣର ପୋକ ନୈନୀତାଲର ଉଚ୍ଛଳ ଗଛଲତା ଧ୍ଵଂସ କରିବାକୁ ଲାଗିଲେ । (ଅତି-ଭୌତିକ ଜ୍ଞାନୀମାନେ କହନ୍ତି, ମଣିଷର ଚେତନାଗତ ବିକୃତି ଭିତରୁ ନୂଆ ନୂଆ ଜୀବାଣୁ ଜନ୍ମନେଇପାରନ୍ତି !) ସେ ପୋକମାନଙ୍କୁ ମାରିବା ନିମନ୍ତେ ଗଛଲତା ଉପରକୁ ମରାଗଲା କୌଣସି ଔଷଧର ପିଚକାରୀ । ଅସଂଖ୍ୟ, ବର୍ଣ୍ଣିଳ ପ୍ରଜାପତିଙ୍କ ସ୍ଵର୍ଗ ଥିଲା ନୈନୀତାଲ । ସେମାନଙ୍କର ଅବଲୁପ୍ତି ଘଟିଲା । ବର୍ତ୍ତିଯାଇଥିବା ସାମାନ୍ୟ କେତୋଟି ଶିଶୁ ପ୍ରଜାପତି ବଡ଼ ହୋଇ ଉଡ଼ାଉଡ଼ି ଆରମ୍ଭ କରୁଥିଲେ ।

 

‘ତାଲ’ ବୋଇଲେ ହ୍ରଦ । ନୈନୀତାଲର ମୂଳ ନାମ ନାରାୟଣୀତାଲ । ଦେବୀ ନାରାୟଣୀଙ୍କ ପୀଠ ବହୁ ପ୍ରାଚୀନ ପ୍ରତିଷ୍ଠାନ । ସର୍ପ-ଦେବତା କର୍କୋଟକ (ଯାହାଙ୍କ ଦଂଶନ ରାଜା ନଳଙ୍କ ପ୍ରତି ଶୁଭଙ୍କର ହୋଇଥିଲା) ଦେବୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ସେ ମୁଲକ ସର୍ପବହୁଳ ହେବା ସତ୍ତ୍ଵେ ସେମାନେ ମଣିଷର କୌଣସି କ୍ଷତି କରିବେ ନାହିଁ । କଥାଟି ତାତ୍ପର୍ଯ୍ୟପୂର୍ଣ୍ଣ । ମଣିଷ ପ୍ରକୃତିକୁ ସମ୍ମାନ ଦେଇ ଜୀବନ ନିର୍ବାହ କରୁଥିଲେ ତା’ର ହାନିର ଆଶଙ୍କା ନାହିଁ । ଖାସ୍ ବିଷ ରହିଛି ବୋଲି ତା’ର ପ୍ରୟୋଗ କରିବେ, ସର୍ପକୁଳ ସେଭଳି ଅବିବେକ ନୁହନ୍ତି–ମଣିଷ କଥା ଅଲଗା-

 

କିନ୍ତୁ ନୈନୀତାଲ ବସତି ଉପରେ ବିଷ ପ୍ରୟୋଗ କରିଛି ମଣିଷ । ସମୁଦ୍ର ପତ୍ତନରୁ ଏକହଜାର ନଅଶହ ଅଠତିରିଶ ମିଟର ଊର୍ଦ୍ଧ୍ଵରେ ଅବସ୍ଥିତ ନୈନୀହ୍ରଦର ଜଳରୁ ତା’ର ପାର୍ବତ୍ୟ ସ୍ଵଚ୍ଛତା ବିଲୁପ୍ତ, ତାକୁ ଧମକେଇ ଚମକେଇ ରଖିଲା ଭଳି ଅଭଦ୍ର ଭଙ୍ଗୀରେ ପୂର୍ବତୀରବ୍ୟାପି ଦଣ୍ଡାୟମାନ ଧାଡ଼ି ଧାଡ଼ି କୋଠା–ମୁଖ୍ୟତଃ ପର୍ଯ୍ୟଟକମାନଙ୍କ ଆପ୍ୟାୟନ ନିମନ୍ତେ ଉଦ୍ଦିଷ୍ଟ ହୋଟେଲ । ଯାହା ବିମର୍ଷକର, ତାହାହେଲା, ପର୍ବତ ଦବିଯାଉଥିବା ଦୃଷ୍ଟିରୁ ନୂଆ କୋଠା ତିଆରି ଉପରେ ନିଷେଧାଜ୍ଞା ଜାରି ହେବା ପରେ ହିଁ ଏସବୁରୁ ବହୁ କୋଠା ଜନ୍ମ ନେଇଛନ୍ତି । ଦୁର୍ନୀତି ଆଗରେ ପୌରନୀତିର ପରାଭବ ଉଦ୍ଧତ ଭାବରେ ବିଜ୍ଞାପିତ କରୁଛନ୍ତି ସେମାନେ ।

 

ଊନବିଂଶ ଶତାବ୍ଦୀର ଅଧାଅଧି ଯାଏ, ଏ ମୁଲକ ସଭ୍ୟତା କବଳରୁ ନିରାପଦ ଥିଲା । ଦେବୀ ନାରାୟଣୀଙ୍କୁ ପୂଜାର୍ଚ୍ଚନା କରିବା ନିମନ୍ତେ କେବଳ ଭକ୍ତମାନେ ଦୂରଦୂରାନ୍ତରୁ ଆସୁଥିଲେ । ଭ୍ରମଣ-ବିଳାସର ପ୍ରଶ୍ନ ନଥିଲା । ପଥ ଦୁର୍ଗମ; ସରୋବରରେ ନଥିଲା ନୌକା-ବିହାରର ନିମନ୍ତ୍ରଣ । ଭକ୍ତମାନେ ସେଥିରେ ସ୍ନାନକରୁଥିଲେ–ମାନସରୋବରରେ ସ୍ନାନ କରୁଛନ୍ତି ଧାରଣାରେ । କିମ୍ବଦନ୍ତୀ କହେ, ପୌରାଣିକ ଯୁଗରେ ତିନି ଋଷି–ଅତ୍ରି, ପୁଲହ ଏବଂ ପୁଲସ୍ତ୍ୟ–ଏଠାରେ ତପସ୍ୟା କଲାବେଳେ ଜଳର ଅଭାବ ଅନୁଭବ କରନ୍ତେ ସେ ବିଷୟରେ ବ୍ରହ୍ମାଙ୍କୁ ଧ୍ୟାନଯୋଗେ ଜଣାଇଲେ ଏବଂ ଫଳରେ ମାନସରୋବରରୁ ଏକ ସଂଗୁପ୍ତ ଧାରା ଆସି ଏଠାରେ ସୃଜନ କଲା ଏ ଜଳାଶୟ ।

 

୧୮୪୦ରେ ପ୍ରଥମଥର ପାଇଁ ଏ ସ୍ଥାନ କେତେଜଣ ଇଂରେଜ ସନ୍ଧାନୀଙ୍କର ଦୃଷ୍ଟିଗୋଚର ହେଲା । ସେମାନଙ୍କ ଭିତରୁ ଜଣେ ଭଦ୍ରଲୋକ ଏ ସରୋବରର ପରିବେଶ ବର୍ଣ୍ଣନା ଏକ ଇଂରାଜୀ କାଗଜରେ ପରିବେଷଣ କଲେ । ସେ ଏବଂ ଆଉ କେତେଜଣ ଉତ୍ସାହୀ : ଇଂରେଜ ଏଠାରେ କୋଠା ତିଆରିକଲେ । ସେମାନଙ୍କୁ ଅନୁକରଣ କଲେ ରାଜା ମହାରାଜାମାନେ । ଗଢ଼ିଉଠିଲା କ୍ଲବ୍, ପାଠାଗାର, ଖେଳପଡ଼ିଆ ଏବଂ ଦୋକାନବଜାର ।

 

ପ୍ରଥମ ଯୁଗର ସେହି ପ୍ରଭାବଶାଳୀମାନଙ୍କ ଭିତରେ ଅନ୍ୟତମ ଥିଲେ ବରୋଦାର ମହାରାଜା ସାର୍ ସୟାଜୀରାଓ ଗାଏକ୍ଓ୍ଵାଡ୍ । ହ୍ରଦର ଅଦୂରରେ ଏକ ପାହାଡ଼ ଉପରେ ସେ ମନୋରମ ଦ୍ଵିତଳ ପ୍ରାସାଦଟିଏ ନିର୍ମାଣ କରାଇଥିଲେ । ୧୮୯୭ ମସିହାରେ ମହାରାଜା ଯେଉଁ କେତେଜଣ ପାତ୍ରମନ୍ତ୍ରୀଙ୍କୁ ସାଙ୍ଗରେ ଧରି ଏଠାରେ ଆସି କିଛିଦିନ ଅବସ୍ଥାନ କରିଥିଲେ, ସେମାନଙ୍କ ଅନ୍ତର୍ଭୁକ୍ତ ଥିଲେ ସେତେବେଳେ ବରୋଦା କଲେଜର ଅଧ୍ୟାପକ ଶ୍ରୀଅରବିନ୍ଦ ।

 

ସେ କୋଠା ବିଦ୍ୟମାନ ରହିଛି ! ତେବେ, ବରୋଦା ରାଜପରିବାରର ସମ୍ପତ୍ତି ଭାବରେ ନୁହେଁ, ସରକାରୀ ଅତିଥି ଭବନ ଭାବରେ । ମୁଖ୍ୟ ହଲରେ ଶୋଭାପାଉଛି ଶ୍ରୀଅରବିନ୍ଦଙ୍କର ଫଟୋଗ୍ରାଫ । ଶହେ ବର୍ଷ ତଳେ ସେଦିନ ସେଠାରେ ତାଙ୍କ ପରିଚୟ ଥିଲା ମହାରାଜା ସୟାଜୀରାଓଙ୍କ ଗହଣରେ ଆସିଥିବା ଜଣେ ବିଦ୍ଵାନ । ଆଜି ଲୋକେ ମହାରାଜାଙ୍କୁ ମନେପକାନ୍ତି, ସେ ଶ୍ରୀଅରବିନ୍ଦଙ୍କୁ ସେଠାକୁ ନେଇଆସିଥିବା ଯୋଗୁଁ । ନଇନୀ ସରୋବରର ଯେଉଁ ତୀରଟିକୁ କୋଠା ନିର୍ମାଣ କାରବାରରୁ ମୁକ୍ତ ରଖାଯାଇଛି, ବୃକ୍ଷଲତା ସୁଶୋଭିତ, ଗାଡ଼ିଘୋଡ଼ା ପାଇଁ ପ୍ରବେଶ ନିଷିଦ୍ଧ ସେହି ତୀରସଂଲଗ୍ନ ପରିଚ୍ଛନ୍ନ ପଥଟିର ନାମ ଶ୍ରୀ ଅରବିନ୍ଦ ମାର୍ଗ ।

 

ସହରର ଅଦୂରରେ, ଅନ୍ୟତମ ଉଚ୍ଚ ପାହାଡ଼ ଉପରେ ଥିଲା ନେପାଳର ମହାରାଣାଙ୍କର ଏକ ପ୍ରାସାଦ । ତା’ର ଶେଷ ଉତ୍ତରାଧିକାରୀ, ଦୂରଦର୍ଶୀ ମହାରାଣା, ଶ୍ରୀଅରବିନ୍ଦଙ୍କ ସ୍ମୃତିରେ ଯେମିତି କିଛି ଯଥାର୍ଥ କାମ ହୋଇପାରିବ, ସେ ଉଦ୍ଦେଶ୍ୟରେ ତାକୁ ଦିଲ୍ଲୀର ଜଣେ କରିତ୍‌କର୍ମା ପୁରୁଷ, ସ୍ଵାଧୀନତା-ସଂଗ୍ରାମୀ ଏବଂ ଶ୍ରୀମାଙ୍କର ଅବିଚଳ ଅନୁଗତ ଶ୍ରୀ ସୁରେନ୍ଦ୍ରନାଥ ଜୌହରଙ୍କ ଜିମା ଦେଇଥିଲେ । (ଯଦି ସେତେବେଳର ମହାରାଣାଙ୍କ ନିମନ୍ତ୍ରଣ କ୍ରମେ ମହାରାଜା ସୟାଜୀରାଓ ଏ କୋଠାକୁ ବୁଲିଆସିଥିବେ–ଯାହା ସମ୍ଭବ–ତେବେ ତାଙ୍କ ସହ ଶ୍ରୀଅରବିନ୍ଦ ଏଠାରେ ପଦାର୍ପଣ କରିଥିବେ ବୋଲି ଅନୁମାନ ।) ଆଜି ସେ କୋଠା ପରଲୋକଗତ ସୁରେନ୍ଦ୍ରନାଥଙ୍କ କନ୍ୟା, ଅସାଧାରଣ ଦକ୍ଷତାସମ୍ପନ୍ନ ସଂଗଠିକା ତାରା ଜୌହରଙ୍କ ପରିଚାଳନାରେ ଏକ କର୍ମମୁଖର ପ୍ରତିଷ୍ଠାନ । ଶୀତ ସମୟକୁ ଛାଡ଼ି ସାରା ବର୍ଷ ବ୍ୟାପି ଭାରତର ବିଭିନ୍ନ ପ୍ରାନ୍ତରୁ ଦଳ ଦଳ ତରୁଣ ତରୁଣୀ ଆସି, ଏଠାରେ ଶିବିର କରି, କୁସ୍ତିକସରତ୍ ଏବଂ ପର୍ବତାରୋହଣ ସଙ୍ଗେ ସଙ୍ଗେ ଭାରତବର୍ଷର ଐତିହ୍ୟ ସମ୍ପର୍କରେ ଶିକ୍ଷାଲାଭ କରିଥାନ୍ତି ।

 

ଗତକାଲି ବନ୍ଧୁମାନେ ବହୁ ଅଙ୍କାବଙ୍କା ପଥ, ପଥପ୍ରାନ୍ତରେ ଅବସ୍ଥିତ ଅଧଡ଼ଜନ ସରିକି ଦୋକାନ-ବଜାର ଅତିକ୍ରମ କରାଇ, ଅନ୍ୟଏକ ହ୍ରଦ, ଭୀମତାଲ୍ ଦେଖାଇବାକୁ ନେଇଯାଇଥିଲେ । ଦୁଇ ବିପରୀତ ଦିଗରୁ ଆସୁଥିବା ଦୁଇଗାଡ଼ି ମୁହାଁମୁହିଁ ହେଲେ ବାଟ କାଟିବା ସହଜ ନୁହେଁ । ଭାଗ୍ୟକୁ ନୈନୀତାଲ୍ ଓ ଭୀମତାଲ୍ ଭିତରେ ଅଦ୍ୟାବଧି ଖୁବ୍ ବେଶି ଯାନବାହନ ଚଳାଚଳ ନାହିଁ । ତଥାପି ସୂଚିପ୍ରମାଣ ବ୍ୟବଧାନରେ ଆମେ ଥରେ ଗୋଟାଏ ବିପଜ୍ଜନକ ମୁହାଁମୁହିଁରୁ ବର୍ତ୍ତିଗଲୁ ।

 

ନୈନୀ ହ୍ରଦ ଭଳି ବ୍ୟାପକ ନହେଲେ ବି ମନୋରମ ଜଳାଶୟ ଭୀମତାଲ୍ । ହ୍ରଦକୁ ଲାଗି ପାହାଡ଼ଟି ଉପରେ ଏକ ଭାରତବିଖ୍ୟାତ ଆୟୁର୍ବେଦିକ ଔଷଧ ନିର୍ମାଣ ପ୍ରତିଷ୍ଠାନର ମାଲିକଙ୍କ କୋଠା ଖାଲିପଡ଼ିଥାଏ । ଜଣେ ଚୌକିଦାରର ତତ୍ତ୍ୱାବଧାନରେ ଥିବା ସେ କୋଠା, ମାଲିକଙ୍କ ସହ ପୂର୍ବ ବୁଝାମଣା ଅନୁସାରେ, ଆମପାଇଁ ଖୋଲିଦିଆଗଲା । କୋଠାର କାଚବଦ୍ଧ ବାରନ୍ଦାରୁ ସମଗ୍ର ହ୍ରଦ ଦୃଶ୍ୟମାନ । ସୂର୍ଯ୍ୟାସ୍ତଯାଏ ସେଠାରେ ବସିରହି, ତଳକୁ ତଳକୁ ଥିବା ପ୍ରସ୍ତ ପ୍ରସ୍ତ ପାହାଡ଼ ଉପରର ଗଛ କେତୋଟି ଭିତରେ ନାମ-ଅଜଣା ବିବିଧ ପକ୍ଷୀଙ୍କର କାରବାର ଲକ୍ଷ୍ୟ କରୁଥିଲି । ହିମାଳୟର ବିହଙ୍ଗକୁଳ ଭାବରେ ଏମାନଙ୍କ ହାବଭାବ ଯେମିତି ବେଶ୍ ଗର୍ବିତ ଗର୍ବିତ ମନେହେଉଥିଲା । ଥରେ ଝରକା ପାଖକୁ ଆସି ପ୍ରାୟ ଛୁଇଁଦେବା ରୀତିରେ ପକ୍ଷ ଆନ୍ଦୋଳନ କରି ବହୁବର୍ଣ୍ଣୀଟିଏ ପୁଣି ତା’ ଗଛ ଡାଳକୁ ଫେରିଯାଇ ଟେରେଇ ଟେରେଇ ମୋତେ ଯେମିତି କହୁଥାଏ, ‘‘ତମେ କ’ଣଟା ବୁଝିବ ଆମର ମର୍ଯ୍ୟାଦା ! ଦୂର ଅଦୂରରେ, ଅଜଣା ଗୁମ୍ଫା, ତଥା ଅଦୃଶ୍ୟ ଉପତ୍ୟକାମାନଙ୍କ ଭିତରେ ଲୁଚିରହିଛି କେତେ କେତେ ରହସ୍ୟ । ଆମର ସିନା ସେସବୁ ଭିତରକୁ ଅବାଧ ପ୍ରବେଶ–ତମେ ଜାଣ କ’ଣ ?”

 

ଗଭୀର ଶ୍ରଦ୍ଧାଭରେ ଯାହାକୁ ଆଜି ମନେପକାଉଥିଲି, ସେ ହେଲେ ଭୀମପୁତ୍ର ଘଟୋତ୍କଚ । ନାମଟି କେଡ଼େ ଚମତ୍କାର ! ଯାହାର ମୁଣ୍ଡ (ଘଟ) କେଶ (କଚ)ର ଆବଶ୍ୟକତାରୁ ଉତ୍ତୀର୍ଣ୍ଣ, ସେ ଘଟୋତ୍କଚ ! ମସୃଣ ତା’ର ଶିର ।

 

ରାକ୍ଷସ-କନ୍ୟା ହିଡ଼ିମ୍ଵାଙ୍କଠାରୁ ଜନ୍ମ ଗ୍ରହଣ କରିବା ପରେ ପରେ କ୍ଷିପ୍ର ଭାବରେ ବଢ଼ିଥିଲେ ଏ ଶିଶୁ ।

 

ପ୍ରଜଜ୍ଞେ ରାକ୍ଷସୀ ପୁତ୍ରଂ ଭୀମସେନାନ୍ମହାବଳମ୍,

ବିରୂପାକ୍ଷଂ ମହାବକ୍‍ତ୍ରଂ ଶଙ୍କୁକର୍ଣ୍ଣଂ ବିଭୀଷଣମ୍ ।

 

ଏମନ୍ତ ଭୀଷଣଦର୍ଶନ ଏ ରାକ୍ଷସୀତନୟ ଯୁଧିଷ୍ଠିରଙ୍କୁ ଅତ୍ୟନ୍ତ ସମ୍ମାନ କରୁଥିଲେ । ବନବାସ କାଳରେ ପିତୃବ୍ୟ ସ୍ମରଣ କରିବା ମାତ୍ରେ ପହଞ୍ଚିଯାଉଥିଲେ ଏ ବିଶାଳତନୁ ବାଳକ । କୁରୁକ୍ଷେତ୍ର ଯୁଦ୍ଧରେ ଏ ଯୁବରାକ୍ଷସ ସର୍ବଦା ବଜ୍ରପାତ-ନ୍ୟାୟ ରଡ଼ି କରି, ଭଲ୍ଲୁକଚର୍ମାବୃତ ରଥ ଆରୋହଣ କରି–ସେ ରଥ ଉପରେ ପୁଣି ପତାକା ପରିବର୍ତ୍ତେ ବସିଥାଏ ଭୟଙ୍କର ଗୃଧ୍ରଟିଏ–କୌରବମାନଙ୍କ ଭିତରେ ଏଭଳି ଆତଙ୍କ ସଞ୍ଚାର କଲେ ଯେ କର୍ଣ୍ଣ ବାଧ୍ୟ ହୋଇ ଅର୍ଜୁନଙ୍କୁ ମାରିବା ସକାଶେ ସାଇତିରଖିଥିବା ଅମୋଘ ବୈଜୟନ୍ତୀ ଅସ୍ତ୍ର ଏହାଙ୍କ ଉପରେ ପ୍ରୟୋଗକଲେ । ଫଳରେ ଅର୍ଜୁନ ନିରାପଦ ହେଲେ କହିବା ଅତ୍ୟୁକ୍ତି ହେବ ନାହିଁ । ଏହାହିଁ ହେଲା ନିଜ ପିତୃପକ୍ଷର ବିଜୟ ଦିଗରେ ଘଟୋତ୍କଚଙ୍କର ସର୍ବଶ୍ରେଷ୍ଠ ଅବଦାନ ।

 

ପାଣ୍ଡବମାନେ ଏଠି ରହିଥ‌ିବାବେଳେ, ସେମାନଙ୍କ ଜଳକଷ୍ଟ ଦୂର କରିବା ନିମନ୍ତେ ଘଟୋତ୍କଚ ସ୍ଵୟଂ ପଥର ଖୋଳିତାଡ଼ି ଏ ସରୋବର ସୃଷ୍ଟିକରିଥିଲେ । ପିତୃଦେବଙ୍କ ସମ୍ମାନରେ ଏହାର ନାମକରଣ ବି ସେ ନିଜେ କରିଥିଲେ–ଭୀମତାଲ୍ ।

 

ବିଶାଳ ହିମାଳୟ ପରିସରବ୍ୟାପି ପାଣ୍ଡବ, କୌରବ ତଥା ମହାଭାରତର ଅନ୍ୟାନ୍ୟ ବିଶେଷ ଚରିତ୍ରମାନଙ୍କର ସ୍ମୃତି ବିଛେଇ ହୋଇ ରହିଛି । କେଉଁଠି ଦ୍ରୋଣଗିରି ତ କେଉଁଠି କୁନ୍ତିଖାଲ, କେଉଁଠି ବା ପାଣ୍ଡୁକେଶ୍ଵର । ସବୁଠାରୁ ମଜାର କଥା ହେଲା, ତତ୍କାଳୀନ ଏକ ହିମାଳୟ ରାଜ୍ୟର ରାଜା ରୂପାତି କୌରବମାନଙ୍କ ସପକ୍ଷରେ ଯାଇଥିଲେ । ସେ ଅବଶ୍ୟ ପ୍ରାଣ ଦେଲେ; କିନ୍ତୁ ତାଙ୍କ ପ୍ରଜାମାନଙ୍କ ବଂଶଧରମାନେ ଆଜିଯାଏ କୌରବଗଣଙ୍କୁ ଦେବତା ମାନ୍ୟରେ ପୂଜା କରନ୍ତି । ଅନେକ ମନ୍ଦିରର ଦିଅଁ ହେଲେ ଦୁର୍ଯ୍ୟୋଧନ !

☆☆☆

 

(ଚଉଦ)

ପରଶୁ-ପ୍ରଦେଶ

 

କେରଳର ସାଂସ୍କୃତିକ ରାଜଧାନୀ ଭାବରେ ବିଦିତ ତ୍ରିଚୁର ନଗରୀର ଗୋଟିଏ ସମ୍ଭ୍ରାନ୍ତ ଅଞ୍ଚଳରେ ଉଦ୍ୟାନବେଷ୍ଟିତ ଯେଉଁ କୋଠାଟି କୌଣସି ଛୋଟିଆ ମୁଟିଆ ରାଜନବରର ଧାରଣା ଦିଏ, ତାହା କେରଳ ସାହିତ୍ୟ ଏକାଡେମୀର କାର୍ଯ୍ୟାଳୟ । ଅଦୂରରେ ସରକାରୀ ଅତିଥିଭବନ । ତା’ ଚେହେରା ମଧ୍ୟ ରାଜପ୍ରାସାଦର ସମତୁଲ । ସରକାରୀ ସମ୍ପତ୍ତି ହୋଇଥିବ, ଅଥଚ ଏଡ଼େ ପରିଚ୍ଛନ୍ନ ବି ହୋଇଥିବ ଏଭଳି ଦୁର୍ଲଭ ଅଭିଜ୍ଞତା ସଚରାଚର ମିଳେନା ।

 

ଗତବର୍ଷ (୧୯୯୫)ର ଏକ ନଭେମ୍ବର ସକାଳେ ଅତିଥିଭବନରୁ ମାତ୍ର ତିନି ଚାରି ମିନିଟର ଚଲାବାଟ ଅତିକ୍ରମ କରି ଆସି ଏକାଡେମୀ କୋଠା ସଂଲଗ୍ନ ମେଲାରେ ବସିଛି, ପାଖରେ ଆସି ବସିଲେ ବଙ୍ଗଳାର ପ୍ରଖ୍ୟାତ ସାହିତ୍ୟିକ ଏବଂ ସମାଜସେବିକା ମହାଶ୍ୱେତା ଦେବୀ ।

 

‘‘ବୁଝିଲ ମନୋଜ, ଭୋରରେ କ’ଣ ମନହେଲା, ରାସ୍ତାରେ ବୁଲାବୁଲି କରୁଁ କରୁଁ ଗୋଟାଏ ରାସ୍ତାକଡ଼ ଚାହା ଦୋକାନକୁ ପଶିଗଲି । ଦୋକାନୀର ସହକାରୀ ଟୋକାଟି ହଠାତ୍ ମୋତେ ଖୁବ୍ ନମ୍ର ଭାବରେ ଅଭିବାଦନ ଜଣାଇ ମାଲାୟାଲି ଭାଷାରେ ଯାହା ସବୁ କହିଗଲା ସେସବୁ ଅବଶ୍ୟ ବୁଝିପାରିଲି ନାହିଁ, ତେବେ ତା’ ବକ୍ତବ୍ୟର ମର୍ମ ବୁଝିଲି–କାରଣ, ସେ ମୋ’ ଆଗରେ ଖଣ୍ଡିଏ ଖବରକାଗଜ ମେଲି ଧରିଲା ।”

 

“ଏଇ ଖଣ୍ଡିକ ନା ଅନ୍ୟ କୌଣସି ଦୈନିକ ?” କହୁଁ କହୁଁ ଏକାଡେମୀର ସେକ୍ରେଟାରୀ ମୋହନବର୍ମା ଖଣ୍ଡିଏ କାଗଜ ଆମୂଳଚୂଳ ତୋଳିଧରିଲେ । ପ୍ରଥମ ପୃଷ୍ଠାର ଉପରାର୍ଦ୍ଧରେ ମହାଶ୍ୱେତା ଦେବୀଙ୍କର ବଡ଼ ଛବି । ପୂର୍ବଦିନର ସାହିତ୍ୟ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ମୁଖ୍ୟ ବକ୍ତା ଥିଲେ । କାଗଜର ନିମ୍ନାର୍ଦ୍ଧରେ ଏ ଲେଖକ ମାଇକ୍ରୋଫୋନ୍‌ ହସ୍ତେ ବଗିଚା ଭିତରେ ସମବେତ ଲେଖକ ଲେଖିକା ଓ ସାହିତ୍ୟ-ପ୍ରେମୀମାନଙ୍କର ବିବିଧ ପ୍ରଶ୍ନର ଉତ୍ତର ଦେଉଥିବାର ଦୃଶ୍ୟ । ଉଭୟ ଛବି ରଙ୍ଗୀନ୍ ।

 

କେରଳ ଏକ ରାଜନୀତି-ତତ୍ପର ରାଜ୍ୟ । ତଥାପି ‘ମାତୃଭୂମି’ ବା ‘ମାଲାୟାଲା ମନୋରମା’ ଭଳି ସର୍ବାଧ‌ିକ ପ୍ରସାରିତ ଦୈନିକମାନଙ୍କର ପ୍ରଥମ ପୃଷ୍ଠାରେ ମୁଖ୍ୟ ସମ୍ବାଦ ଭାବରେ ସାହିତ୍ୟସଭାର ବିବରଣୀ ସ୍ଥାନପାଇବ, ଏହା ମାମୁଲି ଦୃଷ୍ଟାନ୍ତ ନୁହେଁ ନିଶ୍ଚୟ ।

 

ଚାରିଦିନ ଧରି ଅନୁଷ୍ଠିତ ସମ୍ମିଳନୀ ଉଦ୍‌ଘାଟନ କରିଥିଲେ ଧାଗଡ଼ି ଶିବଶଙ୍କର ପିଲାଇ ଏବଂ ପ୍ରଥମ ଦିନ ସଭାପତିତ୍ୱ କରିଥିଲେ ହିନ୍ଦୀ ସାହିତ୍ୟିକ ନିର୍ମଳ ବର୍ମା । ଅନ୍ୟାନ୍ୟ ବିଶିଷ୍ଟ ଲେଖକମାନଙ୍କ ଭିତରେ ଥିଲେ ତାମିଲ ଲେଖକ ଅଶୋକ ମିତ୍ରନ୍, ଶିବଶଙ୍କରୀ ଏବଂ ଇଂରାଜୀ ଲେଖକ ପ୍ରଫେସର୍ ଶିବକୁମାର । ମୁଖ୍ୟତଃ ଏହା ଥିଲା ମାଲୟାଲି ଲେଖକମାନଙ୍କର ସମାବେଶ, ତେଲୁଗୁ ଓ କନ୍ନଡ଼ ଭାଷାର ବହୁ ଲେଖକଙ୍କର ଉପସ୍ଥିତି ସତ୍ତ୍ଵେ ।

 

ଶେଷ ଦିନ ସନ୍ଧ୍ୟାରେ ସବୁଠୁଁ ବୃହତ୍ ସମାବେଶ ସମ୍ଭବ ହୋଇଥିଲା । ସେ ଅଧିବେଶନରେ ୧୯୯୫ ପାଇଁ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଗଲା–କଥା ସାହିତ୍ୟିକ, କବି, ନାଟ୍ୟକାର, ପ୍ରାବନ୍ଧିକ ଏବଂ ଶିଶୁସାହିତ୍ୟିକବର୍ଗଙ୍କୁ । ମୋର ମୁଖ୍ୟ ଭୂମିକା ଥିଲା ସେହିଦିନ–ଏହି ଆନନ୍ଦମୁଖର ଅଧିବେଶନରେ ସଭାପତି ଭାବରେ । ପୁରସ୍କାର ବିତରଣ କଲେ ଏକାଡେମୀର ସଭାପତି ଏମ.ଟି.ବାସୁଦେବନ୍‌ ନାୟାର । ଅଭିନନ୍ଦନ ଜ୍ଞାପନ କଲେ ଉପସଭାପତି କମଳା ଦାସ ।

 

କେନ୍ଦ୍ର ଏକାଡେମୀ କଥା ଅଲଗା । କିନ୍ତୁ କୌଣସି ରାଜ୍ୟ ଏକାଡେମୀ ମାଲିକାନାରେ କେରଳ ଭଳି ରାଜ୍ୟରେ ଏଡ଼େ ବିରାଟ ସଭାଗୃହ, ପାଠାଗାର, ପଠନଗୃହ ବା ଗବେଷଣାଳୟ ନାହିଁ । କିନ୍ତୁ ସ୍ଥୂଳ ଐଶ୍ୱର୍ଯ୍ୟ ଯେତେ ବିପୁଳ ହେଲେ ବି ତା’ର ତାତ୍ପର୍ଯ୍ୟ ସୀମିତ । ଯାହା ଏ ଲେଖକ‌କୁ ବିସ୍ମିତ ଓ ଚମତ୍କୃତ କଲା, ତାହା ଅନ୍ୟ ସ୍ତରର ଐଶ୍ୱର୍ଯ୍ୟ–ବିରଳ କୁହାଯାଇପାରେ ।

 

ଅତିଥିମାନଙ୍କୁ ପ୍ରତିଦିନ ସକାଳେ ଜଳଖିଆ ଏବଂ ଚାହା କଫି ପ୍ରସ୍ତୁତ କରି ପରଷିଦେଉଥିଲେ କୌଣସି ଠିକାଦାର ହୋଟେଲ ସଂସ୍ଥା ନୁହେଁ, ଏକାଡେମୀର କର୍ମକର୍ତ୍ତା, କର୍ମଚାରୀ ଏବଂ ଏକାଡେମୀ ଆନୁକୂଲ୍ୟରେ ଗବେଷଣାରତ ଧୀମାନ୍, ଧୀମତୀ ଯୁବକଯୁବତୀ ବୃନ୍ଦ-। ଭୋର୍ ପାଞ୍ଚଟାରୁ ସେମାନେ ରନ୍ଧାରନ୍ଧି ଆରମ୍ଭ କରି ଆମମାନଙ୍କୁ ଖିଆପିଆ କରାଇସାରି ଡିସ୍, ଗ୍ଲାସମାନ ମଧ୍ୟ ପରିଷ୍କାର କରୁଥିଲେ ନମ୍ର ଆଚରଣ ଏବଂ ହସହସ ବଦନ ସମାହାରେ ।

 

ଅତିଥିମାନଙ୍କୁ ଷ୍ଟେସନ୍ ବା ବିମାନ ବନ୍ଦରରୁ ପାଛୋଟିଆଣିବାଠାରୁ ବିଦାୟ ଦେବା ପର୍ଯ୍ୟନ୍ତ କେତେଜଣ କଲେଜ ଛାତ୍ରଛାତ୍ରୀ ଯେପରି ଦିନରାତି ନମାନି କାମ କରୁଥିଲେ, ଘୋଷଣା ଓ ଶୃଙ୍ଖଳାରକ୍ଷା କାର୍ଯ୍ୟରେ କେତେଜଣ ଅଧ୍ୟାପିକା ଯେପରି ତତ୍ପର ଥିଲେ, ସେଇଟା ମଧ୍ୟ କମ୍ ବିସ୍ମୟକର ନଥିଲା । ଅନୁସନ୍ଧାନ କରି ବୁଝିଲି, କେରଳର ସହର ନଗରରେ ଏପରି କେତେକ ସ୍ୱେଚ୍ଛାସେବୀ ସଂସ୍ଥା ଅଛନ୍ତି, ଯେଉଁଠି ଖବର ଦେଲେ କର୍ମୀମାନେ ଆସି ଯେକୌଣସି ସମାଜସେବାମୂଳକ ବା ସାହିତ୍ୟସଂସ୍କୃତି ସମ୍ବନ୍ଧୀୟ ଉତ୍ସବ ଅନୁଷ୍ଠାନରେ କାମ କରିବେ । କଠୋର ନିୟମ: ପଇସାଟାଏ ବି ସେମାନଙ୍କୁ ଦିଆଯାଇପାରିବ ନାହିଁ । ଏଭଳି ଏକ ସଂସ୍ଥାର ପ୍ରତିଷ୍ଠାତା ମୋତେ କହିଲେ, ସେମାନଙ୍କର କୌଣସି ପାଣ୍ଠି ନାହିଁ । ସମୟ ଓ ସେବା ଦାନ ପାଇଁ ପ୍ରସ୍ତୁତି ହିଁ ସେମାନଙ୍କର ସମ୍ବଳ । ସଂସ୍ଥା ହିସାବରେ କୌଣସି ରାଜନୈତିକ ଦଳ ସହ ସେମାନଙ୍କର ସମ୍ପର୍କ ନାହିଁ ।

 

କେରଳର ସାଂସ୍କୃତିକ ଆବହାଉଆ ଅବଶ୍ୟ ସର୍ବଦା ବିଶେଷତ୍ଵପୂର୍ଣ୍ଣ । ଆଜିକୁ ଷୋହଳ ବର୍ଷ ତଳର କଥା । କଥାକଳି ନୃତ୍ୟକଳାର ପୁନଃପ୍ରବର୍ତ୍ତକ ଭାବରେ ତଥା ମାଲୟାଲାମ ଭାଷାରେ ଜଣେ ମହାକବି ଭାବରେ ଖ୍ୟାତ ଭାଲ୍ଲାଥୋଲ୍‌ଙ୍କର ଜନ୍ମଶତବାର୍ଷିକୀ ପାଳନ ହେଉଥାଏ ତ୍ରିଭେନ୍ଦ୍ରମରେ । ବହିରାଗତ ଅତିଥିମାନଙ୍କ ଭିତରୁ ମୁଲକରାଜ ଆନନ୍ଦ, ବିଜୟ ତେନ୍ଦୁଲକର ଏବଂ ମୁଁ ଗୋଟିଏ ଭବନରେ ରହୁଥିଲୁ ଏବଂ ସାଙ୍ଗ ହୋଇ ବୁଲାବୁଲି କରୁଥିଲୁ । ସନ୍ଧ୍ୟାବେଳେ କଥାକଳି ନୃତ୍ୟ ପରିବେଷଣର ବ୍ୟବସ୍ଥା ହୋଇଥାଏ । ଆମେ ତିନିଜଣ ପହଞ୍ଚିବାରେ ଟିକିଏ ଉଛୁର ହୋଇଥାଏ, ଅଥଚ ନପହଞ୍ଚିଲେ କାର୍ଯ୍ୟକ୍ରମ ଆରମ୍ଭ ହେବା ଅସୁନ୍ଦର ବୋଲି ଉଦ୍ୟୋକ୍ତାମାନେ ଅପେକ୍ଷା କରିଥାନ୍ତି । ଫଳରେ, ଆମେ ପ୍ରେକ୍ଷାଳୟରେ ପ୍ରବେଶ କରିବାମାତ୍ରେ ଆଲୋକ ନିର୍ବାପିତ ହେଲା ଏବଂ ପର୍ଦ୍ଦା ଉଠିଲା । ଆଗ ଧାଡ଼ିରେ ଥାଏ ଆମ ପାଇଁ ସ୍ଥାନ । ମୁଁ ବସିପଡ଼ିବା ଏବଂ ଆଲୁଅ ଲିଭିବା ଭିତରେ ମୋ ଡାହାଣକୁ ଦୁଇଟି ଖାଲି ଚୌକି ଛାଡ଼ି ବସିଥିବା ଭଦ୍ରଲୋକଙ୍କ ମୁହଁ ଯେତିକି ଦେଖିଲି, ତାହା ପରିଚିତ ମନେହେଲା । ନାଟ୍ୟ-ନୃତ୍ୟ, (ନୃତ୍ୟ-ନାଟ୍ୟ କହୁନାହିଁ, ଯେହେତୁ କଥାକଳିରେ ନୃତ୍ୟ ତୁଳନାରେ ନାଟ୍ୟର ଅଧିକ ଗୁରୁତ୍ଵ) ଆରମ୍ଭ ହୁଅନ୍ତେ ଡାହାଣର ପ୍ରତିବେଶୀ ମୋ ପାଖ ଚୌକିକୁ ଉଠିଆସି ପ୍ରଶ୍ନ କଲେ, “ଯେଉଁ କବିତାର ଆବୃତ୍ତି ଶୁଣୁଛନ୍ତି, ତାହା ବୁଝି ପାରୁଛନ୍ତି ?’’

 

–“ନା ଆଜ୍ଞା ।’’

 

ସେ ଉଦାର କଣ୍ଠ ନିର୍ଗତ ସୁଲଳିତ ଆବୃତ୍ତି ବୁଝିବାକୁ ବଡ଼ ମନହେଉଥିଲା କିନ୍ତୁ । ଭଦ୍ରଲୋକ ସେଉଠୁ ମୋ ଆଡ଼େ ଢଳିପଡ଼ି ଅତି ମୃଦୁ ଅଥଚ ସ୍ପଷ୍ଟ, ମାର୍ଜିତ ଇଂରାଜୀରେ ଅନୁବାଦ କରିଚାଲିଲେ ଧାଡ଼ି ପରେ ଧାଡ଼ି ସେ ଅନର୍ଗଳ ଆବୃତ୍ତି । ସେ କଥନ-ଶୈଳୀରେ ମହାକାବ୍ୟ ପ୍ରତି ଶ୍ରଦ୍ଧା ଥିଲା । ଭଦ୍ରଲୋକ ଯିଏ ହୋଇଥିବେ ବୋଲି ଭାବିଥିଲି, ବର୍ତ୍ତମାନ ମନେହେଲା ସିଏ ସେ ବ୍ୟକ୍ତି ହେବା ସମ୍ଭବପର ନୁହେଁ । କାରଣ ଜଣେ କମ୍ୟୁନିଷ୍ଟ ନେତା ପରମ୍ପରା ପ୍ରତି ଏଡ଼େ ଦାୟିତ୍ଵଶୀଳ ହେବା ସ୍ଵାଭାବିକ ନୁହେଁ ।

 

ପରିବେଷଣ ଶେଷହେଲା । ଆଲୋକ ସବୁ ଜଳିଉଠିଲେ । ଏଥର ସନ୍ଦେହ ବିମୋଚନ ହେଲା । ମୋର ପ୍ରଥମ ଧାରଣା ହିଁ ଠିକ୍ । ଭଦ୍ରଲୋକ କେରଳର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସି.ଅଚ୍ୟୁତମେନନ୍ । ସେ ଏହାପରେ ଆବୃତ୍ତିକାରୀ ଯୁବକ ସହ ପରିଚୟ କରାଇଦେଲେ । ଯୁବକ ଜଣେ ମୁସ୍‌ଲିମ୍ । ସେଦିନ ବୁଝିଥିଲି ସଂସ୍କୃତି କୌଣସି ରାଜନୈତିକ ଆଦର୍ଶ ବା ଜନ୍ମଗତ ଧର୍ମର ବିରୋଧାଚରଣ କରିବାର କାରଣ ନାହିଁ; ଯଦି କରୁଥାଏ, ତାହା କୃତ୍ରିମ ।

 

୧୯୮୬ରେ ଯାଇଥିଲି କୋଟାୟାମ୍–ଏକ ସାହିତ୍ୟ ସମାରୋହ ଉଦ୍‌ଘାଟନ କରିବା ନିମନ୍ତେ । ସେ ଉପଲକ୍ଷ୍ୟେ ଦେଖିଥିଲି କେରଳ ମାଟିରେ ଅଦ୍ୟାବଧି ଜିଇଁରହିଥ‌ିବା ଭାରତର ଏକମାତ୍ର ପାରମ୍ପରିକ ସଂସ୍କୃତ ନାଟକ । ଶହ ଶହ ବର୍ଷ ଧରି ଦୁଃଖ ଦାରିଦ୍ର୍ୟ ତଥା ହତୋତ୍ସାହ ଭିତରେ ଅବ୍ୟାହତ ବଂଶାନୁକ୍ରମିକ-ପ୍ରାୟ ସେ ଧାରା ।

 

ସଂସ୍କୃତଚର୍ଚ୍ଚା କେରଳର ଗର୍ବ । କାଳିଦାସଙ୍କ ପୂର୍ବବର୍ତ୍ତୀ ଯେଉଁ ନାଟ୍ୟକାର ଭାସଙ୍କର ‘ସ୍ୱପ୍ନବାସବଦତ୍ତା’ ଏବଂ ଅନ୍ୟାନ୍ୟ ନାଟକର ନାମମାତ୍ର ଐତିହାସିକମାନେ ଜାଣିଥିଲେ, ୧୯୧୨ ମସିହାରେ ତାଙ୍କର ସମୁଦାୟ ନାଟକ ପଣ୍ଡିତ ଗଣପତି ଶାସ୍ତ୍ରୀ କେରଳରେ ଆବିଷ୍କାର କରିବା ତାତ୍ପର୍ଯ୍ୟପୂର୍ଣ୍ଣ । କେରଳ ବ୍ୟାପି ‘କାଲାର’ ନାମରେ ସଂସ୍କୃତ ବିଦ୍ୟାଳୟ ବିଛେଇ ହୋଇ ରହିଥିଲା–ଚଳିତ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ । ସଂସ୍କୃତ ଶିକ୍ଷକମାନେ ‘ଆସାନ୍’ । (କେରଳର ଅନ୍ୟତମ ମହାକବି ହେଲେ କୁମାରନ୍ ଆସାନ୍ ।)

 

ତ୍ରିଚୁର ନଗରୀର ଅଦୂରରେ ଗୁରୁଭାୟୁର ମନ୍ଦିର । ବିଗ୍ରହ ଶ୍ରୀକୃଷ୍ଣ । କିନ୍ତୁ ଏ ବିଗ୍ରହ-ନିହିତ କିମ୍ବଦନ୍ତୀ ବିଚିତ୍ର, ଅନନ୍ୟ । ବିଷ୍ଣୁ ଶ୍ରୀକୃଷ୍ଣ ରୂପେ ଅବତାର ଗ୍ରହଣ କରିବା ପୂର୍ବରୁ ହିଁ ତାଙ୍କ ରୂପର ଏକ ଝଲକ ପ୍ରତିଭାତ ହୋଇଥିଲା କୌଣସି ଋଷି-ପ୍ରତିମ ଶିଳ୍ପୀଙ୍କ ଧ୍ୟାନ ଦୃଷ୍ଟିରେ । ସେ ମୂର୍ତ୍ତି ଦ୍ଵାରକାରେ ଆଣି ସ୍ଥାପନ କରିଥିଲେ ଶିଳ୍ପୀ । ଶ୍ରୀକୃଷ୍ଣ ସ୍ଵୟଂ ସେ ମୂର୍ତ୍ତି ଆଗରେ ଧ୍ୟାନସ୍ଥ ହୋଇ ବସୁଥିଲେ ।

 

ଯେତେବେଳେ ଅବତାର-ସମ୍ବରଣ ତଥା ଦ୍ଵାରକା ଜଳମଗ୍ନ ହେବାର ସମୟ ଆସନ୍ନ ବୋଲି ବୁଝିଲେ ଶ୍ରୀକୃଷ୍ଣ, ସେତେବେଳେ ମୂର୍ତ୍ତିଗୋଟିକ ସେ ଉଦ୍ଧବଙ୍କୁ ପ୍ରଦାନ କରି କହିଲେ, ଏହାର ପ୍ରତିଷ୍ଠା ଦିଗରେ ଦେବଗୁରୁ ବୃହସ୍ପତି ଏବଂ ବାୟୁଦେବ ତୁମର ସହାୟତା କରିବେ ।

 

ସେତେବେଳେ ତ୍ରିଚୁର ସମୀପବର୍ତ୍ତୀ ଏ ସ୍ଥାନ ଥିଲା ଅପୂର୍ବ ସୌନ୍ଦର୍ଯ୍ୟମୟ । ଉଭୟ ଗୁରୁ (ଦେବଗୁରୁ) ଏବଂ ବାୟୁଙ୍କ ଆନୁକୂଲ୍ୟରେ ଏଠି ମୂର୍ତ୍ତିଟି ସ୍ଥାପନ କରି ଉଦ୍ଧବ ଏହାର ନାମ ରଖିଲେ ଗୁରୁଭାୟୁର ବା ଗୁରୁପବନୁର୍ ।

 

ଏଭଳି କିମ୍ବଦନ୍ତୀମାନ ପଛରେ କିଛି ଇତିହାସ, କିଛି ସାଙ୍କେତିକ ସତ୍ୟ ଲୁଚିରହିଥାଏ । ଲୁଚିରହିଥାଏ କହିବା ଯଥେଷ୍ଟ ନୁହେଁ, ହୁଏତ ହଜିଯାଇଥାଏ–ନହେଲେ ରହିଥାଏ ନିହାତି ମୁମୂର୍ଷୁ ଭାବରେ । ଶ୍ରୀକୃଷ୍ଣଙ୍କ ଆବିର୍ଭାବ ପୂର୍ବରୁ ତାଙ୍କ ବିଗ୍ରହ ପ୍ରତିଷ୍ଠାକୁ ଅବଶ୍ୟ ଏମିତି ଭାବରେ ବ୍ୟାଖ୍ୟାୟିତ କରାଯାଇପାରେ ଯେ ମହାକାଳର ଏକ ଉତ୍ତୁଙ୍ଗ ସ୍ତରରେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ୍ ଏକ । କେବେ କେମିତି ଆମ ସ୍ଥୂଳ ଚେତନା ଆଧାରିତ ବର୍ତ୍ତମାନ ଭିତରକୁ ସେ ସ୍ତରର ବିଦ୍ୟୁତ୍-ଝଲକ ଖିଏ ଅଚାନକ ପଶିଆସିପାରେ । ତେବେ, ପୂର୍ବସୂରିମାନଙ୍କ ଚିନ୍ତା ଓ ଧାରଣା, ଅଥବା ସୂକ୍ଷ୍ମ ଅନୁଭବ ପ୍ରକ୍ରିୟାର କେଉଁ ପର୍ଯ୍ୟାୟରେ ବୃହସ୍ପତି ଓ ବାୟୁଦେବଙ୍କ ଯୁଗ୍ମ ପ୍ରଚେଷ୍ଟାର ତାତ୍ପର୍ଯ୍ୟ ଥିଲା–କାହିଁକି ଏ ଦୁଇ ଶକ୍ତିଙ୍କର ଧ୍ୟାନ କେନ୍ଦ୍ରିତ ହେଲା ଶ୍ରୀକୃଷ୍ଣଙ୍କ ବିଗ୍ରହ ସ୍ଥାପନ ଉପରେ, ସେ ରହସ୍ୟ ଆପାତତଃ ବୋଧଗମ୍ୟ ନୁହେଁ ।

 

ତ୍ରିଚୁର ଛାଡ଼ିବାକୁ ହେଲା ଭୋର ସାଢ଼େ ତିନିଟାରେ । କାଲିକଟ (କୋଝିକୋଡ଼) ବିମାନ ବନ୍ଦର ପର୍ଯ୍ୟନ୍ତ କାରଯୋଗେ ପ୍ରାୟ ତିନିଘଣ୍ଟାର ରାସ୍ତା । ମୋ ସାଥିରେ ମହାଶ୍ୱେତା ଦେବୀ ଏବଂ ଆସାମର ଜଣେ ବିଶିଷ୍ଟ ଲେଖକ ଅତୁଳାନନ୍ଦ ଗୋସ୍ୱାମୀ । ଆଗରେ ଡ୍ରାଇଭର୍ ପାଖରେ ଦୁଇଜଣ ସ୍ୱେଚ୍ଛାସେବୀ କଲେଜ ଛାତ୍ର ।

 

“କାଲିକଟ୍ ରାଜାଙ୍କର ସେ ବିଚିତ୍ର ଉପାଧି ‘ଜାମୋରିନ୍’ର ଅର୍ଥ କ’ଣ ହୋଇପାରେ ?” ମହାଶ୍ୱେତା ଦେବୀ କିମ୍ବା ଗୋସ୍ଵାମୀ ପ୍ରଶ୍ନଟି ଉଠାଇଲେ । ପ୍ରଶ୍ନଟି ମୋ ମନରେ ବି ଥିଲା ଏବଂ ଉତ୍ତର ପାଇଥିଲି ସଦ୍ୟ । ରାଜାଙ୍କ ଉପାଧି ଥିଲା ସ୍ଵାମୀଶ୍ରୀ ତିରୁମୂଳପଦ (ସମୃଦ୍ଧିବନ୍ତ ସମ୍ରାଟ୍) । ସଂକ୍ଷେପରେ ସେ ସ୍ଵାମୀଶ୍ରୀ ବୋଲି ଅଭିହିତ ହେଉଥିଲେ । ଲୋକଭାଷାରେ ତାହା ହେଲା ସାମୁରି-। ୟୁରୋପୀୟମାନେ ତାକୁ କରିଦେଲେ ଜାମୋରିନ୍ ।

 

କାଲିକଟ ଛୁଇଁବା ବେଳକୁ ଫୁଟିଉଠୁଥିଲା ସ୍ଵଚ୍ଛ ସୁନ୍ଦର ପ୍ରଭାତ । ସୂର୍ଯ୍ୟୋଦୟ ସକାଶେ ବିଳମ୍ବ ଅଛି; ବିମାନ ଛାଡ଼ିବାକୁ ମଧ୍ୟ ଡେରି ଅଛି । ତେଣୁ ବିମାନ ବନ୍ଦର ସାମନାରେ ମୁକ୍ତ ପ୍ରାନ୍ତର ଭିତରେ ବୁଲୁଥିଲି । ଅଦୂରର ସହରଟି ଏକଦା ଥିଲା କେରଳର ମୁଖ୍ୟ ବାଣିଜ୍ୟକେନ୍ଦ୍ର; ଭାରତବର୍ଷ ଏବଂ ବିଦେଶ ଭିତରେ ସାମୁଦ୍ରିକ ଯାତାୟାତ ନିମନ୍ତେ ଅନ୍ୟତମ ମୁଖ୍ୟ କେନ୍ଦ୍ର । ୟୁରୋପୀୟ ବଣିକମାନଙ୍କ ପାଇଁ ସବୁଠାରୁ ଲୋଭନୀୟ ପଣ୍ୟ ଥିଲା ଗୋଲମରିଚ । ପ୍ରଥମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ହିଁ ମରିଚ ସନ୍ଧାନରେ ଏଠାରେ ଆସି ପହଞ୍ଚିଥିଲେ ଜଣେ ରୋମାନ୍ ସୌଦାଗର ହିସପାଲେସ୍ । ତେବେ, ୟୁରୋପ ସହିତ ନିବିଡ଼ ସମ୍ପର୍କର ଯୁଗ ଆରମ୍ଭ ହେଲା ପଞ୍ଚଦଶ ଶତାବ୍ଦୀର ଶେଷ ବେଳକୁ ପର୍ତ୍ତୁଗୀଜ୍ ସାମରିକ କପ୍ତାନ ଭାସ୍କୋଡ଼ାଗାମାର ଆଗମନ ସଙ୍ଗେ ସଙ୍ଗେ ।

 

କାହିଁ କେଉଁ ସୁଦୂର ଅତୀତରେ ଦିନେ ୟିହୁଦୀମାନେ କେରଳ ଭୂଇଁରେ ପହଞ୍ଚିଥିଲେ । ଇସ୍ରାଏଲ ରାଷ୍ଟ୍ର ଗଠନ ହେବା ଯାଏଁ ସେମାନେ ଶାନ୍ତିପୂର୍ଣ୍ଣ ଭାବରେ କୋଚିନ୍ ଏବଂ ଆଖପାଖ ଅଞ୍ଚଳରେ ରହିଥିଲେ ମଧ୍ୟ । ପୁଣି ପ୍ରଥମ ଶତାବ୍ଦୀରେ, ଯୀଶୁଖ୍ରୀଷ୍ଟଙ୍କ ମୂଳ ଶିଷ୍ୟମାନଙ୍କର ଅନ୍ୟତମ ସେଣ୍ଟ ଥମାସ୍ ଆସି ଏଠାରେ ଖ୍ରୀଷ୍ଟଧର୍ମ ପ୍ରଚାର କରିଥିଲେ । ସ୍ଥାନୀୟ ୟିହୁଦୀ ସମ୍ପ୍ରଦାୟ ତ‌ଥା ବିଶିଷ୍ଟ ବ୍ରାହ୍ମଣମାନେ ତାଙ୍କୁ ସ୍ଵାଗତ କରି ତାଙ୍କ ବାର୍ତ୍ତା ପ୍ରତି ଯଥାର୍ଥ ଧ୍ୟାନ ଦେଇଥିଲେ । ଭାରତରେ ଖ୍ରୀଷ୍ଟଧର୍ମର ତାହା ହିଁ ଆରମ୍ଭ ।

 

ଏମନ୍ତ କେରଳ ଭୂମିରେ ଯେତେବେଳ ଭାସ୍କୋଡ଼ାଗାମା ଆସି ଉପସ୍ଥିତ ହେଲା (୧୪୯୮), ସେ ଉଭୟ ରାଜା ଓ ପ୍ରଜାଙ୍କଠୁଁ ସମାଦର ପାଇବା ସ୍ଵାଭାବିକ । କିନ୍ତୁ ଭାସ୍କୋଡ଼ାଗାମା ଆସିଥିଲା ଭାରତବର୍ଷ ପାଇଁ ଗୋଟିଏ ଅଭିଶାପ ରୂପେ ।

 

ଗାମାକୁ ରଖାଗଲା ଜାମୋରିନ୍‌ଙ୍କ ବିଲାସପୂର୍ଣ୍ଣ ଅତିଥିଭବନରେ । କାଲିକଟର ନଗରପାଳ ରାଜାଙ୍କ ତରଫରୁ ତା’ର ତତ୍ତ୍ଵାବଧାରକ ରୂପେ କାମ କଲେ ।

 

“ମୁଁ କେମିତି ବଢ଼ିଆ ଅଭ୍ୟର୍ଥନା ପାଉଛି, ମୋର ଦେଶବାସୀମାନେ ତାହା ଜାଣନ୍ତେ ହେଲେ !” ଗାମା ତା’ ସହକାରୀମାନଙ୍କୁ ବାରମ୍ବାର କହୁଥାଏ ।

 

ଗାମା ଏହା ପରେ ସେ ଆଣିଥିବା ପଣ୍ୟଦ୍ରବ୍ୟମାନଙ୍କର ଏକ ପ୍ରଦର୍ଶନୀକଲା । ବହୁ ଆଗ୍ରହରେ ସ୍ଥାନୀୟ ବଣିକମାନେ ଯାଇ ଦେଖିବାବେଳକୁ ସେଗୁଡ଼ା ନିହାତି ରଦ୍ଦି ମାଲ । ତାହାଠୁ ବହୁଗୁଣ ଅଧିକ ଉତ୍କୃଷ୍ଟ ଚିଜମାନ ସେମାନଙ୍କୁ ଯୋଗାଇଦେଉଥିଲେ ଆରବୀୟମାନେ ।

 

ତଥାପି ଜାମୋରିନ୍ ସୌଜନ୍ୟ ଦୃଷ୍ଟିରୁ ତାଙ୍କ ପ୍ରଜାମାନଙ୍କୁ ସେସବୁ କିଣି ନେବାକୁ ପରାମର୍ଶ ଦେଲେ । ଗାମା ଭାରି ଖୁସି । କିନ୍ତୁ ରାଜାଙ୍କୁ ଯେଉଁ ଶୁଳ୍‍କ ଦେବା କଥା, ତାହା ନଦେଇ ସେ ପଳାୟନକଲା । ଷୋହଳ ଜଣ ସ୍ଥାନୀୟ ଧୀବର ତା’ ଜାହାଜକୁ ଯାଇଥାନ୍ତି । ସେମାନଙ୍କୁ ସେ ହରଣଚାଳ କରି ନେଇଗଲା । ସମ୍ଭବତଃ ଦାସ ଭାବରେ ଖଟି ସେମାନଙ୍କ ଜୀବନାବସାନ ହୋଇଥିବ ।

 

୧୫୦୨ରେ ପର୍ତ୍ତୁଗାଲ ରାଜା କୋଡ଼ିଏଟି ଜାହାଜ ଦେଇ ଗାମାକୁ ପଠାଇଲେ । ପୂର୍ବଥର ରାଜାଙ୍କ ପ୍ରାପ୍ୟ ନ ଦେଇ, ତାଙ୍କ ପ୍ରଜାଙ୍କୁ ବନ୍ଦୀକରି ନେଇଯାଇଥିବା ସତ୍ତ୍ଵେ ରାଜା ତାଙ୍କୁ ସ୍ଵାଗତ କରିବା ପାଇଁ ଜଣେ ଦୂତ ପଠାଇଥିଲେ । କିନ୍ତୁ ଗାମା ଏଥର ଭିନ୍ନ ମତଲବ୍ ନେଇ ଆସିଥିଲା । ବନ୍ଦରରେ ରହିଥ‌ିବା ମାଲ ଭର୍ତ୍ତି କୋଡ଼ିଏଟି ଆରବୀ ଜାହାଜ ଲୁଣ୍ଠନ କରିବା ସଙ୍ଗେ ସଙ୍ଗେ ରାଜଦୂତକୁ ହତ୍ୟାକଲା । ଲୁଣ୍ଠିତ ଜାହାଜର ସମସ୍ତ କର୍ମଚାରୀଙ୍କୁ ଧରିନେଇ, ସେମାନଙ୍କ ହାତ, କାନ ଓ ନାକମାନ କାଟିପକାଇ, ଗୋଟିଏ ନୌକାରେ ସେମାନଙ୍କୁ ପୂରାଇ, ଯେତେବେଳେ କୂଳମୁହାଁ ପ୍ରବଳ ପବନ ବହିଲା, ସେତେବେଳେ ସେ ନୌକାରେ ନିଆଁ ଲଗାଇ ତାକୁ କୂଳ ଆଡ଼େ ଠେଲିଦେଲା ।

 

ଊଣା ଅଧିକ ସମାନ ବିମର୍ଷକର ପରିବର୍ତ୍ତ ଘଟଣା-ପ୍ରବାହ: ଡଚ୍ ଶକ୍ତିର ଅବତରଣ ଓ ପର୍ତ୍ତୁଗୀଜ୍–ଡଚ୍ ସଂଘର୍ଷ, ଇଂରେଜ ଶକ୍ତିର ଅବତରଣ ଏବଂ ଡଚ୍-ଇଂରେଜ ସଂଘର୍ଷ । ଏସବୁ ଭିତରେ ଏପଟ ସେପଟ ହୋଇ କାଲିକଟ-କୋଚିନ୍ ସଂଘର୍ଷ ।

 

ନିର୍ଜନ ବିମାନ ବନ୍ଦର କ୍ରମେ କର୍ମଚଞ୍ଚଳ ହେଲା । ଆମେ ଏଥର ଜିନିଷପତ୍ର ଯାଞ୍ଚ କରାଇବା ପାଇଁ ପ୍ରସ୍ତୁତ ହେଲୁ ।

 

“ଆପଣମାନେ ଏମ୍.ଟି.ଙ୍କ ସମ୍ମିଳନୀକୁ ଆସିଗଲେ ପରା !” ଶ୍ରଦ୍ଧାପୂର୍ଣ୍ଣ ଭାବରେ କହିଲେ ବିମାନବନ୍ଦରର ଜଣେ ସାଧାରଣ କର୍ମଚାରୀ ।

 

ଏମ୍.ଟି. ନାମରେ ଜନପ୍ରିୟ ଏକାଡେମୀର ସଭାପତି ଏମ୍.ଟି ବାସୁଦେବନ୍‌ ନାୟାର୍ ଖାଲି ସାହିତ୍ୟିକ ନୁହନ୍ତି, ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ । ତାଙ୍କ ଚିତ୍ର କିଛି ଦେଖିନାହିଁ, କିନ୍ତୁ କଥାସାହିତ୍ୟରେ ତାଙ୍କର ଗୁଣାତ୍ମକ ସ୍ତର ବେଶ୍ ଭଲ ବୋଲି ମୋର ଧାରଣା । ଆଜିକୁ କୋଡ଼ିଏ ବର୍ଷ ତଳେ ତାଙ୍କର ଗୋଟିଏ ଗଳ୍ପର ଇଂରାଜୀ ଅନୁବାଦ ପଢ଼ିସାରି ମନେମନେ ତାଙ୍କର ପ୍ରଶଂସା କରୁଛି, ପହଞ୍ଚିଲା ସେଦିନର ଡାକ । ତହିଁରେ ଅନ୍ତର୍ଭୁକ୍ତ ଏକ ଲଫାଫା ଉପରେ ପ୍ରେରକ ସ୍ଥାନରେ ମାଲାୟାଲାମ୍ ଭାଷାର ପ୍ରଭାବଶାଳୀ ସମ୍ବାଦପତ୍ର ‘ମାତୃଭୂମି’ର ଠିକଣା । କେରଳର ଜଣେ ଲେଖକଙ୍କ କଥା ମନରେ ଥିବାବେଳେ କେରଳରୁ ଆସିଛି ଚିଠିଟିଏ–ଏଥିରେ ସାମାନ୍ୟ ଆମୋଦିତ ହୋଇ ଦେଖିବା ବେଳକୁ ଚିଠିଟିର ଲେଖକ ଆଉ କେହି ନୁହନ୍ତି, ଏମ୍.ଟି । ସେ ସାପ୍ତାହିକ ‘ମାତୃଭୂମି’ର ସମ୍ପାଦକ ବୋଲି ଜାଣିଲି । ତାଙ୍କ ବାର୍ଷିକ ବିଶେଷାଙ୍କରେ ମୋର ଗୋଟିଏ ଗଳ୍ପର ଅନୁବାଦ ପ୍ରକାଶ ପାଇଁ ସେ ଅନୁମତି ଲୋଡ଼ୁଥିଲେ ।

 

ଏଥର ‘ମାତୃଭୂମି’ ତରଫରୁ ଆମକୁ ଦିଆଯାଉଥିବା ଏକ ନୈଶଭୋଜି (ଅନ୍ୟ ଏକ ନୈଶଭୋଜି ଦେଇଥିଲେ ଦୈନିକ ‘ମାଲାୟାଲା ମନୋରମା’) ଅବସରରେ ଅତିଥିମାନଙ୍କ ତରଫରୁ ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ କୋଡ଼ିଏ ବର୍ଷ ପରେ ଏ ସ୍ମରଣୀୟ ଯୋଗାଯୋଗଟିର ଉଲ୍ଲେଖ କରିବାର ସୁଯୋଗ ପାଇଲି ।

☆☆☆

 

(ପନ୍ଦର)

ଦୁର୍ଗ-ପତନର ଦିନସବୁ

 

କି ଚିଜ ବିକ୍ରୟ କର ହେ ବଣିକ ଗଣ ?

 

ନାନା ପଣ୍ୟେ ଶୋଭିତ ବିପଣି,

 

“ଲୋହିତ ବା ରୌପ୍ୟଶୁଭ୍ର ନାନାଦି ପଗଡ଼ି

ରେଶମର କୁର୍ତ୍ତା ବାଇଗଣି,

ପୀତରଙ୍ଗୀ ବନ୍ଧେଇରେ ସୁଦୃଶ୍ୟ ଦର୍ପଣ

ଛୁରିକାରେ ମଣିମୁକ୍ତା ଖଚିତ ହସ୍ତନି ।”

 

ପିଲାବେଳେ ସରୋଜିନୀ ନାଇଡୁଙ୍କର ‘ହାଇଦ୍ରାବାଦର ବଜାର ଭିତରେ’ ଶୀର୍ଷକ ଏ ଇଂରାଜୀ କବିତା ପଢ଼ିଥିଲି । ସେବେଠାରୁ ହାଇଦ୍ରାବାଦ ବୋଇଲେ ରାସ୍ତାଘାଟକୁ ଐଶ୍ୱର୍ଯ୍ୟ ଉଛୁଳି ହୋଇ ଆସୁଥିବା ଏକ ସହରର ଦୃଶ୍ୟ ମୋ କଳ୍ପନାରେ ଝଲସି ଉଠୁଥାଏ । ସେ କଳ୍ପନାକୁ ବଳଶାନୀ କଲାଭଳି ଆହୁରି କେତେକ ବର୍ଣ୍ଣନା ବି ପରବର୍ତ୍ତୀ କାଳରେ ପଢ଼ିଥିଲି ।

 

ତହିଁ ଯେ ସମ୍ଭବ ହେବ ବିତ୍ତ ଏବଂ ପ୍ରାଚୁର୍ଯ୍ୟର ବ୍ୟାପକ ପ୍ରଦର୍ଶନୀ, ସେଥିରେ ବା ବିସ୍ମୟ କ’ଣ ? ଊନବିଂଶ ଶତାବ୍ଦୀର ଶେଷ ଦୁଇ ଦଶନ୍ଧି ଏବଂ ବିଂଶଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି କାଳରେ, ଏକାଧିକ ସମୀକ୍ଷକ ପରିବେଷିତ ହିସାବ ଅନୁସାରେ ହାଇଦ୍ରାବାଦର ନିଜାମ୍ ଥିଲେ ପୃଥ‌ିବୀର ସର୍ବୋଚ୍ଚ ଧନିକ । ଭାରତ ସ୍ଵାଧୀନ ହେବା ଏବଂ ତାଙ୍କ ଶାସନ ଅନ୍ତ ହେବା ପର୍ଯ୍ୟନ୍ତ ସେ ଅବିସମ୍ବାଦିତ ଭାବରେ ଥିଲେ ଅନ୍ତତଃ ଭାରତବର୍ଷର ସର୍ବୋଚ୍ଚ ଧନିକ ।

 

What do you sell, O ye merchants ?

Richly your wares are displayed

‘‘Turbans of crimson and silver

Tunics of purple brocade

Mirrors with panels of amber.

Daggers with handles of jade.’’

 

–Sarojini Naidu: In the Bazaars of Hyderabad

 

କାଶ୍ମୀରର ଆୟତନ ୮୪,୦୦୦ ବର୍ଗ ମାଇଲ୍ ହୋଇଥିବା ସ୍ଥଳେ ହାଇଦ୍ରାବାଦର ୮୩,୦୦୦ ବର୍ଗମାଇଲ୍ । ଇଂଲଣ୍ଡ ଓ ସ୍କଟଲାଣ୍ଡର ମିଶ୍ରିତ ଆୟତନଠାରୁ ବି ନିଜାମ୍-ଶାସିତ ହାଇଦ୍ରାବାଦ ବଡ଼ । ଏହି ବିଶାଳ ରାଜ୍ୟର ଦୁଇ-ତୃତୀୟାଂଶ ନିଜାମ୍‌ଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମ୍ପତ୍ତି । ହାଇଦ୍ରାବାଦ ସହର ଦ୍ଵିତୀୟ ବିଭାଗର ଅନ୍ତର୍ଭୁକ୍ତ । ଦ୍ଵିତୀୟ ବିଭାଗର ଅନ୍ତର୍ଭୁକ୍ତ ପୁଣି ପୃଥିବୀର ବୃହତ୍ତମ ହୀରାଖଣି ଗୋଲକୁଣ୍ଡା–ଯେଉଁ ପ୍ରାକୃତିକ ଗନ୍ତାଘର ଭିତରୁ ଆବିଷ୍କୃତ କୋହିନୁର୍ ସମେତ ପୃଥିବୀର ଦୁର୍ମୂଲ୍ୟତମ ହୀରାଖଣ୍ଡମାନ !

 

ନିଜାମ୍‌ଙ୍କ ନଅର ଭିତରକୁ ଉପାର୍ଜନ ଗଡ଼ିଆସୁଥିଲା ସହସ୍ର ସ୍ରୋତରେ । ଯେକୌଣସି ଅମାତ୍ୟ ବା ସମ୍ଭ୍ରାନ୍ତ ନାଗରିକ ତାଙ୍କ ଆଗରେ ଆଗେ ଭେଟି ଥୋଇ ତାଙ୍କୁ ଭେଟୁଥିଲେ । ନିଜାମ୍ ଯଦି ନଗରୀ ଭିତର ଦେଇ ଗଲାବେଳେ କୌଣସି ବିପଣିରେ ସ୍ଥାନିତ କୌଣସି ଜିନିଷ ଉପରେ ସାମାନ୍ୟ ଅଧିକ ସମୟ ଦୃଷ୍ଟି ନିବଦ୍ଧ କରିବାର ଦେଖାଗଲା, ତେବେ ଜିନିଷଟି ସେ ନିଜେ ନଅରରେ ପହଞ୍ଚିବା ପୂର୍ବରୁ ସେଠାରେ ପହଞ୍ଚି ଯାଇଥିବା ଲୋଡ଼ା । ଦାମ୍ ? ନିଜାମ୍ ପସନ୍ଦ କରିଛନ୍ତି, ତାହାଠୁଁ ଅଧିକ ଦାମ୍ ଦୋକାନୀ କ’ଣ ଆଶା କରିପାରେ ?

 

ଡେଲ୍‌କାର୍ଣ୍ଣେଗୀଙ୍କ ସମେତ ବେଶ୍ କେତେଜଣ ସୁଲେଖକ ନିଜାମ୍‌ଙ୍କ ଉପାର୍ଜନ–ବୈଚିତ୍ର୍ୟର ବିବରଣୀ ଲିପିବଦ୍ଧ କରିଛନ୍ତି । ଥରେ ପ୍ରଚାର ହୋଇଗଲା, ନିଜାମ୍ ହଠାତ୍ ଗୁଡ଼ାଏ କବିତା ଲେଖିପକାଇଛନ୍ତି । ସଙ୍କଳନଟିର ମୁଦ୍ରଣ ସଂଖ୍ୟା କେତେ ହେବ ଏବଂ ମୂଲ୍ୟ କେତେ, ତାହା ମଧ୍ୟ କବିତା-ପିପାସୁ ପ୍ରଜାକୁଳଙ୍କ ଜ୍ଞାତାର୍ଥେ ବିଜ୍ଞାପିତ ହେଲା । ନିଜାମ୍‌ଙ୍କ କବିତା-ସଙ୍କଳନର ମୂଲ୍ୟ ଶସ୍ତା ସୁବିଧା ହେବାର ପ୍ରଶ୍ନ ନଥିଲା; ତଥାପି ଧାଡ଼ି ଲଗାଇ ଲୋକେ ମୂଲ୍ୟ ଜମାଦେଲେ । ପ୍ରକାଶନ ପୂର୍ବରୁ ପୂରା ସଂସ୍କରଣ ବିକ୍ରି ହୋଇଗଲା । ଫଳରେ ଆଉ ପ୍ରକାଶନର ଆବଶ୍ୟକ‌ତା ପଡ଼ିଲାନାହିଁ । ପ୍ରକାଶନ-ଶିଳ୍ପର ଇତିହାସରେ ଏ ଦୃଷ୍ଟାନ୍ତ ଅନନ୍ୟ ନିଶ୍ଚୟ !

 

ନିଜାମ୍‌ଙ୍କ ଖାସ୍ ନଅର (King Kothi) ଭିତରେ ବଖରା ପରେ ବଖରା ବ୍ୟାପି ଶସ୍ତା ଟିଣ ବାକ୍‌ସ, କାଠ ପେଟରା ଓ ଅଖାସବୁରେ ଭର୍ତ୍ତି ହୋଇ ରହିଥାଏ ମହଣ ମହଣ ବିବିଧ ରତ୍ନ, ଅନ୍ୟାନ୍ୟ ଦୁର୍ମୂଲ୍ୟ ପଥର, ସୁନା ଏବଂ ମୋହର, ଅସର୍ପି ଓ ନାନାଜାତୀୟ ମୁଦ୍ରା ।

 

କେହି କେହି କହନ୍ତି, ନିଜାମ୍‌ଙ୍କ ସମୟର ବହୁଳାଂଶ ସେସବୁ ମଧ୍ୟେ ମଧ୍ୟେ ଦେଖିବାରେ ଯାଉଥିଲା । ବହୁଳାଂଶ ଏଥିରେ ଯାଉଥିବ ବୋଲି ବିଶ୍ଵାସ କରିବାରେ ବାଧା ଅଛି । କାରଣ, ରକ୍ଷଣଶୀଳ ହିସାବ ଅନୁସାରେ ବି ନିଜାମ୍‌ଙ୍କର ଦୁଇଶହରୁ ତିନିଶହ ପତ୍ନୀ, ଉପପତ୍ନୀ ଥିଲେ । ସେ ଯୁଆଡ଼େ ଗଲେ ବି ଅନ୍ତତଃ ଦୁଇଶହ ହାରେମ୍‍ବାସିନୀଙ୍କୁ ପ୍ରସ୍ତୁତି ରୂପେ ସେଠାକୁ ନିଆଯାଉଥିଲା । (Educated by an English tutor, he speaks English well, but prefers Persian to European literature. His life is one of excessive frugality and his only extravagance seems to be a large zenana. When he travels in his own country, or moves to his palace in Delhi, his household, mobilized for the occasion, is said to include two hundred women.) –Rosita Forbes: ‘India of the Princes’

 

(ତେଲକାର୍ଣ୍ଣେଗୀଙ୍କ ହିସାବରେ ଏ ସଂଖ୍ୟା ପାଞ୍ଚଶହ ।) ପୃଥ‌ିବୀର ନହେଉ, ଅନ୍ତତଃ ଭାରତର ଏହି ସର୍ବୋଚ୍ଚ ବିତ୍ତଶାଳୀ ଏକଛତ୍ର ଶାସକ ନିହାତି ମାମୁଲି କନାରେ ତିଆରି ପାଇଜାମା କୁର୍ତ୍ତା ପିନ୍ଧୁଥିଲେ । ସାବୁନ୍‌ର ଅନାବଶ୍ୟକ ଖର୍ଚ୍ଚ କମାଇବା ନିମନ୍ତେ ସେସବୁ ପନ୍ଦରଦିନ ବା ମାସକରେ ଥରେ ଥରେ ସଫା କରାହେବା ପାଇଁ ସେ ଅନୁମତି ଦେଉଥିଲେ । ବିଛଣାଚଦରକୁ ସେ ସୁଯୋଗ ତିନି-ଚାରିମାସରେ ଥରେ ମିଳୁଥିଲା । ଦେଶ ମିଶ୍ରଣର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ରିଜେଣ୍ଟ ଜେନ୍‌ରାଲ୍ ରୂପେ ସେଠାରେ ପହଞ୍ଚିଲେ କେ.ଏମ୍.ମୁନ୍‌ସୀ । ତାଙ୍କ ସ୍ମୃତିକଥା ‘The End of an Era’ ବ‌ହିରୁ ଏକ ଝଲକ :

 

“ପୃଥ‌ିବୀର ସବୁଠୁଁ ଧନୀ ଓ ଅଦ୍ଭୁତ ବ୍ୟକ୍ତିଟିକୁ ପ୍ରତ୍ୟକ୍ଷ କରିବି–ଏ ଚିନ୍ତା ମୋତେ ମୃଦୁମୃଦୁ ଶିହରିତ କରୁଥାଏ । କାରରୁ ଗୋଡ଼ କାଢ଼ିବାମାତ୍ରେ ଦେଖିଲି ବାରନ୍ଦା ଉପରେ ଦଣ୍ଡାୟମାନ ଜଣେ କ୍ଷୀଣକାୟ, ସାମାନ୍ୟ ନଇଁପଡ଼ିଥିବା ବୃଦ୍ଧ । ସେ ପିନ୍ଧିଥିଲେ ଗୋଟାଏ ମଳିନ ଟୋପି (ଫେଜ୍); ବେକରେ ଥିଲା କୀଟଦଂଷ୍ଟ୍ର ମଫଲର୍; ତାଙ୍କର ପାଇଜାମା ଶେର୍‍ଓ୍ଵାନି ଦରଜି ଦୋକାନରୁ ବାହାରିବା ବେଳେହିଁ ଯାହା ଥରେ ଇସ୍ତ୍ରି ହୋଇଥିଲା…. ମୁଁ ଠିଆହୋଇଥିଲି ମହାମହିମ (Exalted)ଙ୍କ ସମକ୍ଷରେ !”

 

ସଚରାଚର ଅଳସୁଆ, ଗନ୍ତାଘର ଓ ହାରେମ୍ ବ୍ୟତିରେକେ ପୃଥ‌ିବୀର ହାଲ୍‌ଚାଲ୍ ପ୍ରତି ବୀତସ୍ପୃହ–ଏମନ୍ତ ଯେଉଁ “ହିଜ୍ ଇଗ୍‌ଜାଲଟେଡ଼୍ ହାଇନେସ୍, ରୁସ୍ତମ୍-ଇ-ଦୌରାନ୍, ଆରାସ୍ତୁ-ଏ-ଜମାନ୍, ଓ୍ଵାଲ୍‍ ମାମାଲିକ୍, ଆସଫ୍ ଝା ନବାବ୍ ମିର୍ ଉସମାନ୍ ଆଲିଖାଁ ନିଜାମ୍ ବାହାଦୁର”, ନିଜ ଶାସନ କାଳର ଶେଷ ପର୍ଯ୍ୟାୟରେ ସେ କିନ୍ତୁ ବେଶ୍ ଚତୁର ଓ ଚଞ୍ଚଳ ହେବାର ଦେଖାଯାଇଥିଲା । ଭାରତର ପାଞ୍ଚଶହ ବାଷଠି ଗୋଟି ରାଜ୍ୟ ବ୍ରିଟିଶ୍ ଶାସନ ଦ୍ଵାରା ସୁରକ୍ଷିତ ଥିଲେ । ସେ ରକ୍ଷାକବଚ ବାବଦରେ ରାଜାମାନେ ବ୍ରିଟିଶ୍ ସରକାରକୁ ଦେଉଥିଲେ ଆନୁଗତ୍ୟ । ଇଂରେଜମାନେ ଯଦି ଭାରତ ଛାଡ଼ି ଚାଲିଯିବେ, ଇଂରେଜ ସରକାର ସହ ରାଜାମାନଙ୍କ ଚୁକ୍ତି ବଳେବଳେ ବାତିଲ୍ ହୋଇଯିବ, ସେମାନେ ଫେରିପାଇବେ ସେମାନଙ୍କ ନିଜସ୍ଵ ସ୍ୱାଧୀନତା ଓ ସାର୍ବଭୌମତା । ଅର୍ଥାତ୍ ନୂଆ ଜାତୀୟ ସରକାର ସହ ନୂଆ ଚୁକ୍ତି ସମ୍ପାଦିତ ନ ହେଲେ ସେମାନେ ଆପଣାଛାଏଁ ସ୍ଵାଧୀନ ବନିଯିବେ । ଅତଏବ କୌଣସି ଚୁକ୍ତି ପାଇଁ ସେମାନେ ଆଗ୍ରହୀ ନଥିଲେ । ୧୯୪୭ ମସିହାର ଅଗଷ୍ଟ ୧୫ ପୂର୍ବବର୍ତ୍ତୀ ଦୁଇମାସ ଭିତରେ ଭାରତ ଇତିହାସରେ ଯେତେ ନାଟକୀୟ ଘଟଣା ଘଟିଛି, ମହାଯୁଦ୍ଧ କାଳ କଥା ଛାଡ଼ିଦେଲେ କୌଣସି ଦେଶର ଇତିହାସରେ ତା’ର ପଟାନ୍ତର ଅଛି କି ନା ସନ୍ଦେହ । ଜୁଲାଇ ୨୫ ତାରିଖ ଦିନ ରାଜନ୍ୟବର୍ଗଙ୍କ ସମ୍ମିଳନୀରେ ଲର୍ଡ଼ ମାଉଣ୍ଟବେଟନ୍‌ ଯେଉଁ ଭାଷଣ ଦେଲେ, ‘Mission with Mountbatten’ ବହିର ଲେଖକ ଆଲାନ୍ କ୍ୟାମ୍ପବେଲ୍‌-ଜନ୍‌ସନ୍‌ଙ୍କ ଆକଳନ ଅନୁସାରେ ତାହା ଯେପରି ଓଜସ୍ୱିନୀ, ସେହିପରି ନିଷ୍କପଟ । ସମ୍ମିଳନୀରେ ଅଧିକାଂଶ ଥିଲେ ରାଜାମାନଙ୍କ ପ୍ରତିନିଧି, ରାଜା ନୁହନ୍ତି । ସେମାନେ ଶେଷରେ କହିଲେ, ଭାରତ ସହ ମିଶ୍ରଣ ଚୁକ୍ତି ପତ୍ରରେ ଆମେ ଦସ୍ତଖତ କରିବୁ କି ନାହିଁ, ସେ କଥା ଆମ ମାଲିକମାନଙ୍କୁ ପଚାରିବାକୁ ହେବ । ଲର୍ଡ଼ ମାଉଣ୍ଟ୍‍ବ୍ୟାଟେନ୍‌ ଖଣ୍ଡିଏ କାଚର ପେପରଓ୍ୱେଟ୍ ଉଠାଇନେଇ କହିଲେ, “ରୁହ, ମୁଁ କ୍ରିଷ୍ଟାଲ୍ ଗେଜିଂ କରୁଛି ।”

 

ସେ କାଚଗୋଲକ ଭିତରକୁ ଗମ୍ଭୀର ଭାବରେ ତୀକ୍ଷ୍‍ଣ ଦୃଷ୍ଟିପାତ ସହକାରେ ଠିଆ ହୋଇଥାନ୍ତି । ସଭାରେ ସ୍ତବ୍‌ଧତା । ନୀରବତା ଭଙ୍ଗକରି ସେ କହିଲେ, “ଦେଖିଦେଲି... ତମ ହିଜ୍ ହାଇନେସ୍‌ମାନେ ସମସ୍ୱରରେ ଚୁକ୍ତି ସପକ୍ଷରେ ।”

 

ହାସ୍ୟରୋଳ ହେଲା । କେତେବେଳେ ଭୟ ଦେଖାଇ କେତେବେଳେ ହସାଇ, ମାଉଣ୍ଟ୍‍ବ୍ୟାଟେନ୍‌ କାମ ହାସଲ କରିପାରିଲେ । କ୍ୟାମ୍ପବେଲ୍‌-ଜନସନ୍ କହୁଛନ୍ତି, ଏ ‘‘ମୋଟାବୁଦ୍ଧିଆ” (Thickskull)ମାନଙ୍କୁ ମନାଇବା ସହଜ ନଥିଲା ।

 

ଯାହାଙ୍କର ପ୍ରବଳ ଇଚ୍ଛାଶକ୍ତି ଦେଶ ମିଶ୍ରଣ ପଛରେ କାମ କରୁଥିଲା, ସେ ହେଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ଦ୍ଵିତୀୟ ବ୍ୟକ୍ତି ହେଲେ ଶ୍ରୀ ହରେକୃଷ୍ଣ ମହତାବ । ଏ ଦୁଇ ରାଜନୀତିଜ୍ଞଙ୍କ ବାଦ୍, ଯେଉଁ କର୍ମଚାରୀ ଜଣଙ୍କର ଅବଦାନ ଐତିହାସିକ, ସେ ହେଲେ ସ୍ପେଶାଲ୍ କମିଶନର ଭି.ପି. ମେନନ୍ । ଯୋଧପୁର ମହାରାଜା ଗୋଟାଏ ଅପୂର୍ବ ପିସ୍ତଲ୍ ରଖିଥାନ୍ତି; ଦେଖ‌ିବାକୁ ଫାଉଣ୍ଟେନ୍ ପେନ୍ ଭଳି । ସେଇଟି ଖୋଲି ସେ ଭି.ପି. ମେନନ୍‌ଙ୍କୁ ଗୁଳିକରିଦେବାକୁ ବାହାରିଥିଲେ । ତ୍ରାଭାଙ୍କୋର ରାଜ୍ୟର ପ୍ରଧାନମନ୍ତ୍ରୀ ପୁଳାଏ ଖବରକାଗଜ କଟିଂ ଧରି ଯାଇ ମାଉଣ୍ଟବେଟେନ୍‌ଙ୍କୁ ତାହା ଦେଖାଇ କହିଲେ, ‘‘ଏସବୁ ପଢ଼ିଲେ କଂଗ୍ରେସର ଅସଲ ରୂପ ଆପଣ ଜାଣିବେ । ସେଭଳି ଗୋଟାଏ ପ୍ରତିଷ୍ଠାନକୁ ଆମେ ପରତେ ଯିବୁ କିପରି ?’’ ମାଉଣ୍ଟବେଟେନ୍‌ ଉତ୍ତର ଦେଲେ, “ଦିଓ୍ୱାନ୍ ମହାଶୟ, ଆପଣ ଗୋଟାଏ କାମ କରନ୍ତୁ–ଖବରକାଗଜ ପଢ଼ିବା ଛାଡ଼ିଦିଅନ୍ତୁ ।”

 

ଛାଡ଼ନ୍ତୁ–ସେ ଇତିହାସର ଏକ ଝଲକ ଉପସ୍ଥାପନ କରିବା ଏ ରମ୍ୟରଚନାର ଉଦ୍ଦେଶ୍ୟ ହୋଇପାରେନା । * ହାଇଦ୍ରାବାଦ ପ୍ରସଙ୍ଗକୁ ଫେରୁଛି । ନିଜାମ୍ ବ୍ରିଟିଶ୍ ବିମାନବାହିନୀର ସେନାପତିଙ୍କୁ ଖବର ଦେଲେ, ସେ ଆସି ତୁରନ୍ତ ତାଙ୍କ ବିମାନବାହିନୀକୁ ସଜଡ଼ାସଜଡ଼ି କରି ପ୍ରତିବେଶୀ କୌଣସି ଦେଶର (ଭାରତର) ଆକ୍ରମଣର ମୁକାବିଲା କରିପାରିବା ଭଳି ତାଲିମ୍ ଦେଇଯାଆନ୍ତୁ । ଫ୍ରାନସ୍ ସରକାର ଯେପରି ହାଇଦ୍ରାବାଦକୁ ଏକ ସ୍ଵାଧୀନ ଦେଶ ରୂପେ ସ୍ୱୀକାର କରିବେ, ସେଥିପାଇଁ ନିଜାମ୍ ପ୍ୟାରିସ୍‌କୁ ନିଜ ବାଣିଜ୍ୟ-ଦୂତ ପଠାଇ କନ୍‌ସୁଲେଟ୍ ଖୋଲିବାରେ ତତ୍ପର ହେଲେ । ଅଗଷ୍ଟ ୧୫କୁ ହାଇଦ୍ରାବାଦର ସ୍ଵାଧୀନତା ଦିବସ ରୂପେ ପାଳନ କରିବା ନିମନ୍ତେ ନିଜାମ୍ ଆବଶ୍ୟକୀୟ ଜାକଜମକର ଆୟୋଜନ କଲେ ।

 

*(ଏ ଅଧ୍ୟାୟ ଉପରେ ସବୁଠୁଁ ଉତ୍କୃଷ୍ଟ ତଥା ପ୍ରାମାଣ୍ୟ ବହି ଚାରୋଟି ହେଲେ: ‘The Integration of Indian States’ by V.P. Menon; ‘Partition and Independence of India’ by Manmath Nath Das; ‘Mountbatten: The Official Biography’ by Philip Zie-gler: ‘Mission with Mountbatten’ by Alan Campbell Jhonson.

 

ତେବେ, ବିନାଶକାଳେ ବିପରୀତ ବୁଦ୍ଧି ମଧ୍ୟେ ମଧ୍ୟେ ବାସ୍ତବରେ ଦେଖାଦିଏ । ନିଜାମ୍‌ଙ୍କ ପୃଷ୍ଠପୋଷକତାରେ ଇରେହାଦ୍ ନାମକ ଭୟଙ୍କର ହିନ୍ଦୁବିରୋଧୀ ମୁସଲିମ୍ ଦଳଟିଏ ଏପରିକି ଶାନ୍ତିପ୍ରିୟ ମୁସଲମାନ ସମାଜକୁ ମଧ୍ୟ ଚମକାଇ ଦେଲା । ଏହାକୁ ପଟ୍ଟଭୂମିରେ ରଖି କାସିମ୍ ରାଜ୍‍ଭି ନାମକ ଅଦୂରଦର୍ଶୀ, ଦୁର୍ଦ୍ଧର୍ଷ ବ୍ୟକ୍ତିଟିଏ ‘ରାଜାକାର’ ନାମକ ଏକ ସନ୍ତ୍ରାସ-ବାହିନୀ ଗଠନ କରି ହିନ୍ଦୁମାନଙ୍କ ଉପରେ, ଏପରିକି କେହିକେହି ଉଦାରପନ୍ଥୀ ମୁସଲିମମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲା । ନିଜାମ୍‌ଙ୍କ ସାର୍ବଭୌମତ୍ୱରେ ହାଇଦ୍ରାବାଦକୁ ସ୍ଵାଧୀନ ଇସଲାମିକ୍ ରାଜ୍ୟ ବନାଇବା ହେଲା ତା’ର ଆଭିମୁଖ୍ୟ ।

 

ସଂକଟ ଘନୀଭୂତ ହେଲା କ୍ଷିପ୍ରଗତିରେ । ହଜାର ହଜାର ହିନ୍ଦୁ ହାଇଦ୍ରାବାଦ ରାଜ୍ୟ ଛାଡ଼ି ଆଖପାଖ ଅଞ୍ଚଳକୁ ପଳାଇ ଆସିଲେ । ସେମାନଙ୍କ ଘରଦ୍ଵାର ଲୁଣ୍ଠିତହେଲା । ପୋଡ଼ାଜଳା, ଖୁନ୍‌ଖରାବ ଚାଲିଲା ଅବାରିତ ଭାବେ ।

 

ଭାରତ ସରକାରଙ୍କୁ ତୁରନ୍ତ ଏକ ସାହସିକ ସିଦ୍ଧାନ୍ତ ନେବାକୁ ହେଲା । ସଶସ୍ତ୍ର ପୁଲିସ୍‌ବାହିନୀ ହାଇଦ୍ରାବାଦ ଭିତରକୁ ମାଡ଼ିଯାଇ ରାଜାକାରମାନଙ୍କୁ ଦମନ କଲେ ।

 

ହଠାତ୍ ନିଜାମ ଉପଲବ୍‌ଧି କଲେ, ତାଙ୍କ ସ୍ୱପ୍ନର ରୂପାୟନ ସୁଦୂରପରାହତ । ଭାରତକୁ ସ୍ଵାଧୀନତା ଦେଇ, ବିଦାୟ ପାଇଁ ବୋକଚାପତ୍ର ବାନ୍ଧିବାରେ ବ୍ୟସ୍ତ ଇଂରେଜମାନେ ତାଙ୍କ ସ୍ୱାର୍ଥପାଇଁ ଭାରତ ବିରୁଦ୍ଧରେ ବଳ ପ୍ରୟୋଗ କରିବେ, ଏ ଆଶା ବିଡ଼ମ୍ବନା ।

 

ଭାରତସହ ମିଶିଗଲା ହାଇଦ୍ରାବାଦ ।

 

ତେଣିକି ଆଉ ନିଜାମ୍ ନିଜ ନଅରରୁ ବାହାରୁନଥିଲେ । ୧୯୬୫-୬୬ରେ ଆମେରିକାରେ ରହୁଥ‌ିବା ବିଶିଷ୍ଟ ଭାରତୀୟ ଲେଖକ ବେଦ ମେହଟା ହାଇଦ୍ରାବାଦ ଯାଇଥାନ୍ତି । ସ୍ୱେଚ୍ଛାରେ ଗୃହବନ୍ଦୀ ଭଳି ରହୁଥ‌ିବା ନିଜାମ୍‌ଙ୍କୁ ତ ଭେଟିବାର ପ୍ରଶ୍ନ ନଥିଲା, ତେବେ ବେଦ ମେହଟା ତାଙ୍କର ଏକମାତ୍ର ବିଶ୍ୱସ୍ତ ଅମାତ୍ୟ ଖାଁ ବାହାଦୁର ସି.ବି. ତାରାପୋରାବାଲାଙ୍କ ସହ ଆଳାପର ସୁଯୋଗ ପାଇଲେ । ଖାଁ ବାହାଦୁର ସିଧାସଳଖ ଲୋକ । ବେଦ ମେହଟାଙ୍କ ‘Portrait of India’ରୁ ଭଦ୍ରଲୋକ କହିଥିବା କିଛି କଥା ଉଦ୍ଧାର କଲି :

 

“ନିଜାମ୍‌ଙ୍କ ସର୍ବମୋଟ ବିତ୍ତ କେତେ, କହିବା ସମ୍ଭବ ନୁହେଁ । ତେବେ ସେ ପୃଥ‌ିବୀର ସବୁଠୁଁ ଧନୀ ନୁହନ୍ତି । ତାଙ୍କଠୁ ଅଧିକ ଥିଲାବାଲା ଅନ୍ତତଃ ଆଉ ଦୁଇ ଡଜନ ସରିକି ଲୋକ ପୃଥିବୀରେ ଥିବେ । ନିଜାମ୍‌ଙ୍କ ପିତାଙ୍କର ଖଣ୍ଡିଏ ହୀରା ଥିଲା, ଯାହାର ଓଜନ ଏକଶହ ଛୟାଶି ଏବଂ ଅଧା-କାରାଟ । ତା’ ନାମ ଜାକୋବ୍ ଡାଏମଣ୍ଡ । ପୁରୁଣା ନିଜାମ୍ ତାକୁ ଖଣ୍ଡିଏ ରୁମାଲରେ ଗୁଡ଼େଇ ଟେବୁଲ ଡ୍ରୟାରରେ ରଖିଦେଇଥିଲେ । ବହୁବର୍ଷ ପରେ ଚାକରଟିଏ ଡ୍ରୟାର୍ ସଫା କଲାବେଳେ ତାକୁ ପାଇଲା । ହିଜ୍‌ ହାଇନେସ୍‍ଙ୍କର ବହୁତ ରତ୍ନାଳଙ୍କାର, ସୁନା ଇତ୍ୟାଦି ଥିଲା । ପୁଲିସ୍‌ ଆକ୍‌ସନ୍ ପରେ ମୁଁ ସେଥିରୁ ଗୁଡ଼ାଏ ଗୋଟାଏ ପୂରା ରେଳଗାଡ଼ି ଭର୍ତ୍ତିକରି ବମ୍ବେ ନେଇଯାଇ ଏକୋଇଶ କୋଟି ଟଙ୍କାରେ ବିକିଲି । ବିକିନଥିଲେ ବାଜ୍ୟାପ୍ତ ହୋଇଥାନ୍ତା । ସରକାରଙ୍କ ସନ୍ଦେହ, ବହୁତ ଧନସମ୍ପଦ ଲୁଚାଇ ରଖାଯାଇଛି । ଚାଳିଶ ହଜାର ଦୁଷ୍ପ୍ରାପ୍ୟ ସୁନା ମୁଦ୍ରା ନେଇ ମୁଁ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଦେଲି ଏବଂ କହିଲି, ପ୍ରତି ମୁଦ୍ରା ତା’ ମୁଦ୍ରିତ ମୂଲ୍ୟଠୁଁ ଅନ୍ୟୂନ ଶହେଗୁଣ ଅଧିକ ଦାମୀ । ଶାସ୍ତ୍ରୀ କହିଲେ, ‘‘ବାଃ, ବେଶ୍ (Very good)।’’ କିନ୍ତୁ ଥରୁଟିଏ ଧନ୍ୟବାଦ ଦେଲେନାହିଁ । ସରକାର କେବେବି ନିଜାମ୍‌ଙ୍କୁ ଧନ୍ୟବାଦ ଦେଇନାହିଁ । ... ନିଜାମ୍ ଥିଲେ ସର୍ବମୟ ଶାସକ । କେହି କଦାପି ତାଙ୍କ କଥା ଉପରେ କଥା କହି ନାହାନ୍ତି । ତେଣୁ ସେ ଯେ ଭୁଲ୍‍ କରିପାରନ୍ତି, ଏକଥା ତାଙ୍କୁ ମାଲୁମ୍ ନାହିଁ । ସେ କାହାକୁ କେବେ କିଛି ନିଜ ହାତରେ ଦେଇନାହାନ୍ତି । ତେଣୁ କୌଣସି ଜିନିଷର ମୂଲ୍ୟ ସମ୍ପର୍କରେ ତାଙ୍କର ଧାରଣା ନାହିଁ । କାହାର ଦାମ୍ ପାଞ୍ଚଟଙ୍କା, କାହାର ଦାମ୍ ପାଞ୍ଚହଜାର, ସେ ବୁଝନ୍ତି ନାହିଁ । ସେ କ୍ୱଚିତ୍‌ ନଅର ବାହାରକୁ ଯାଇଥିବାରୁ ଦୂରତା କ’ଣ ଜାଣନ୍ତି ନାହିଁ । ଧର, ସେ ଦଶମାଇଲ ଦୂରକୁ ଯିବେ । କାର୍‍ କୋଡ଼ିଏ ପଚିଶ ମିନିଟ ସମୟ ନେବ । କିନ୍ତୁ ଦୁଇ ମିନିଟ୍ ପରେ ସେ ରଡ଼ିକରିବେ–ପହଞ୍ଚିଗଲୁଣି ନା ନାହିଁ ? ସେ ବର୍ତ୍ତମାନ ଜଣେ ସଦାସନ୍ତ୍ରସ୍ତ ମଣିଷ । ବୁଢ଼ାହୋଇଗଲେଣି । ଦିନ ବାରଟାବେଳେ ଦିବାହାର ହୁଏ । ମୋତେ ମିଳେ ଚମତ୍କାର ଖାନା–ସୁପ୍, କବାବ୍, କୋଫ୍‍ତା, କାରି ଓ ପିଲାଓ । ମାର୍ବଲ୍ ଟେବଲ ଉପରେ ବସି ମୁଁ ଖାଏଁ । କିନ୍ତୁ ନିଜାମ୍‌ଙ୍କର ଶହ ଶହ ସୁନା ବାସନ ଥିଲେ ବି ସେ ଖଣ୍ଡିଏ ଟିଣ ଥାଳିରେ ନିଜ କୋଠରୀ ଭିତରେ, ଖଣ୍ଡିଏ ଚଟେଇ ଉପରେ ବସି ଖାଆନ୍ତି । ଖାଲି ମିଠା ଓ ସର । ତାଙ୍କ ଉଚ୍ଚତା ପାଞ୍ଚଫୁଟ ତିନିଇଞ୍ଚ ହେଲେ ବି ଓଜନ ନବେ ପାଉଣ୍ଡରୁ କମ୍ । ସେ ଅଫିମ ସେବନ କରନ୍ତି ।”

 

ନିଜାମ୍‌ଙ୍କ ମୃତ୍ୟୁ ହେଲା ୧୯୬୭ ମସିହାରେ । ତା’ର ଏଗାର ବର୍ଷ ପୂର୍ବରୁ, ଯେତେବେଳେ ଏ ଲେଖକ ପ୍ରଥମଥରପାଇଁ ହାଇଦ୍ରାବାଦ ଯାଇଥାଏ, ସେତେବେଳେ ତାଙ୍କ ରାଜୁତିର ଅବସାନ ହୋଇଥାଏ ମାତ୍ର ଆଠବର୍ଷ ତଳେ । ସେତେବେଳଯାଏ ତାଙ୍କ ରାଜ୍ୟର ନିଜସ୍ୱ ମୁଦ୍ରା ଦେଖିବାକୁ ମିଳୁଥାଏ । ସେଯାଏ ଅଧିକାଂଶ ସାଧାରଣ ଲୋକେ ନିଜାମ୍‌ଙ୍କୁହିଁ ତାଙ୍କର ରାଜା ବୋଲି ଭାବୁଥାନ୍ତି ।

 

ସେତେବେଳେ (୧୯୫୬) ଏ ଲେଖକ ଆଇନ୍ କଲେଜ ୟୁନିୟନ୍‌ର ସଭାପତି ରୂପେ NUSI (National Union of Students of India)ର ସମ୍ମିଳନୀରେ ଯୋଗ ଦେବାପାଇଁ ହାଇଦ୍ରାବାଦ ଯାଇଥାଏ । NUSI ଭାରତର ସମସ୍ତ ବିଶ୍ଵବିଦ୍ୟାଳୟ ଓ କଲେଜ‌ ୟୁନିଅନ୍‌ମାନଙ୍କର ସମାବେଶ-ସଂସ୍ଥା । କିନ୍ତୁ ବହୁବର୍ଷଧରି ଏହାର ଅଧ‌ିବେଶନ ହୋଇନଥାଏ । ଏହାର ପ୍ରେସିଡ଼େଣ୍ଟ ସେଲାଟ୍ ସାହେବ କେବେଠୁଁ ଛାତ୍ର ଜୀବନ ସମାପ୍ତ କରି ମୁମ୍ବାଇରେ ଡାକ୍ତରୀ କରୁଥାନ୍ତି । ଚାପ ପ୍ରବଳ ହେବାରୁ ଡାକ୍ତରବାବୁ ସମ୍ମିଳନୀଟି ଡକାଇଥାନ୍ତି । ଉଦ୍‌ଘାଟନ କଲେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ । ସଭାପତିତ୍ୱ କଲେ ସେତେବେଳର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସଞ୍ଜୀବ ରେଡ଼ି । ମନେଅଛି ରାଜଗୋପାଳଚାରୀଙ୍କ ଭାଷଣର ଗୋଟାଏ ଯୋଡ଼ାଏ ବାକ୍ୟ: ‘‘ଡାକ୍ତର ସେଲାଟ୍ ! ତମେ ଏଣିକି ଛାତ୍ରଙ୍କ ତଣ୍ଟି କାଟିବାରୁ ବିରତ ହୋଇ ତମ ରୋଗୀମାନଙ୍କର ସେହି ଅଙ୍ଗଟି କାଟିବାରେ ମନୋନିବେଶ କର ।”

 

ନିଖିଳ ଭାରତ ଛାତ୍ର ଫେଡ଼େରେସନ୍‌ର ପ୍ରେସିଡ଼େଣ୍ଟ୍, ଏବଂ ଅନ୍ୟ କେହି କେହି କର୍ମକର୍ତ୍ତା ସେଠାରେ ଉପସ୍ଥିତ ଥାଇ ମୋ ଜରିଆରେ NUSIକୁ ଅକ୍ତିଆରକୁ ଆଣିବାପାଇଁ ଚେଷ୍ଟିତ ଥା’ନ୍ତି । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ଛାତ୍ରନେତାମାନଙ୍କ ଭିତରେ ଚାଲିଥାଏ ପ୍ରଚଣ୍ଡ ବିବାଦ-। କିଞ୍ଚିତ୍ ରକ୍ତାରକ୍ତିଯାଏ ବି କଥା ଗଲା । କିନ୍ତୁ ଆନ୍ଧ୍ରପ୍ରଦେଶର ସବୁ ବିଶ୍ଵବିଦ୍ୟାଳୟ ସେତେବେଳେ ଦକ୍ଷିଣପନ୍ଥୀଙ୍କ ହାତରେ । ପୋଟି ଶ୍ରୀରାମୁଲୁଙ୍କ ଅନଶନ-ମୃତ୍ୟୁ ୧୯୫୬ ପରେ ନୂତନ ଆନ୍ଧ୍ର ସଦ୍ୟ ଗଠିତ ହୋଇଥାଏ । ଛାତ୍ରନେତାଙ୍କ ଭିତରେ ନୂତନ ଉଦ୍ଦିପନା ଓ ସେମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥା’ନ୍ତି । ଅତଏବ ଛାତ୍ର ଫେଡ଼େରେସନ୍‌ର ଯୋଜନା ବ୍ୟର୍ଥ ହେଲା । କିନ୍ତୁ ତା’ପରେ NUSI ମଧ୍ୟ ନିର୍ଜୀବ ହୋଇଗଲା–ସମ୍ଭବତଃ ତା’ର ଆଉ ସତ୍ତା ନାହିଁ ।

 

ସେଦିନ ଦକ୍ଷିଣପନ୍ଥୀମାନଙ୍କ ସହ ଓଡ଼ିଶାର ଯେଉଁ ଛାତ୍ରନେତାଜଣକ ଯୋଗ ଦେଇ ଛାତ୍ର ଫେଡ଼େରେସନ୍‌ର (ଅର୍ଥାତ୍ ମୋର) ବିରୋଧ କରୁଥିଲେ ସେ ହେଲେ ଶ୍ରୀ ସମରେନ୍ଦ୍ର କୁଣ୍ଡୁ । ଆଦର୍ଶ ଦ୍ଵାହିରେ ଅଭଦ୍ର ଆଚରଣ କରିବାକୁ ପ୍ରସ୍ତୁତ ଏ ଲେଖକ ଗୋଟାଏ ସମାବେଶ ଭିତରେହିଁ ତାଙ୍କୁ ଧରିପକାଇ ନାନାଦି ଧମକ ଚମକ ଦେବାକୁ ଲାଗିଲା । “ମନୋଜ ! ତମେ ଏମିତି କ’ଣ କହୁଛ !” –ଏହାହିଁ ଥିଲା ସମରେନ୍ଦ୍ରବାବୁଙ୍କର ସବୁଠାରୁ କଡ଼ା ପ୍ରତିବାଦ । ବହୁବର୍ଷ ପରେ ସମରେନ୍ଦ୍ରବାବୁ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଥରେ ତାଙ୍କ ସହ ଦିବାହାର ଅବସରରେ ଏ ପ୍ରସଙ୍ଗର ଅବତାରଣା କରି ସେ କେମିତି କ୍ରୁଦ୍ଧ ହେଲେନାହିଁ ବୋଲି ପ୍ରଶ୍ନ କରନ୍ତେ ସେ କହିଥିଲେ, “ତୁମ ଉପରେ କ୍ରୁଦ୍ଧ ହୋଇପାରିଲି ନାହିଁ–ସେଇଟା ମୋର ଦୁର୍ବଳତା ।’’ ତାଙ୍କୁ କିଛି ନ କହିଲେ ବି ମୁଁ ବୁଝୁଥିଲି, ସେ ତାଙ୍କ ଉଦାରତାକୁହିଁ ଦୁର୍ବଳତା ବୋଲି କହୁଥିଲେ । ତାଙ୍କ ସୌଜନ୍ୟ ଓ ଶାନ୍ତଭାବ ମୋତେ ମୁଗ୍ଧ କରିଥିଲା ।

 

ସମ୍ମିଳନୀ ଶେଷ ହେବା ପରଦିନ ସବୁ ପ୍ରତିନିଧିମାନେ ଗୋଲକୁଣ୍ଡା ଦୁର୍ଗ ଓ ଅନ୍ୟାନ୍ୟ ଦର୍ଶନୀୟ ଇମାରତ୍‌ମାନ ଦେଖିବାକୁ ଗଲେ–ମୁଁ ଗଲିନାହିଁ । ଏକାକୀ ପ୍ରାୟ ସାରା ଦିନ ସହର ଭିତରେ ବୁଲି ବୁଲି ସାଧାରଣ ଜୀବନଯାତ୍ରା ଲକ୍ଷ୍ୟ କରୁଥିଲି । କିଛି ସମୟ ସକାଶେ ସାଥୀ ହୋଇଥିଲେ କେରଳରୁ ଆଗତ ଉଦୀୟମାନ୍ ଛାତ୍ରନେତା । ଦଶବାରବର୍ଷ ପରେ ଦିନେ ସନ୍ଧ୍ୟାରେ ଶ୍ରୀଅରବିନ୍ଦ ଆଶ୍ରମ ପରିସର ଭିତରେ ମୋତେ ପଛରୁ କେହି ଜଣେ ପ୍ରଶ୍ନକଲେ, “ଚିହ୍ନପାରୁ ନାହାନ୍ତି ?” ବାସ୍ତବିକ ଚିହ୍ନିପାରୁନଥିଲି । ତେବେ ସେ ଚିହ୍ନାଦେଲେ, ହାଇଦ୍ରାବାଦର ସେ ସାମୟିକ ସାଥୀ ଅନ୍ୟ ଏକ ସ୍ତରରେ ସାଥୀ ବୋଲି ଜାଣିଲି । ଶ୍ରୀଅରବିନ୍ଦ ସାହିତ୍ୟ ଅଧ୍ୟୟନରତ ତାଙ୍କ ନାମ କେ.ପି. ଉନ୍ନିକ୍ରିଷ୍ଣନ୍–ବହୁବର୍ଷ ଧରି ଲୋକସଭା ସଦସ୍ୟ ଏବଂ କିଛିଦିନ ପାଇଁ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ।

 

ସେଦିନ ସହର ଭିତରେ ବୁଲିବାବେଳେ ଭୁଲିଯାଇଥିଲି ଯେ ତାହା ଦକ୍ଷିଣ ଭାରତର ଅଂଶବିଶେଷ । ସମସ୍ତେ କହୁଥିଲେ ଉର୍ଦ୍ଦୁ, ଅର୍ଥାତ୍ ସମସ୍ତେ ବୁଝୁଥିଲେ ହିନ୍ଦୀ । ଚାର୍‌ମିନାର୍ ପାଖରେ ଗୋଟାଏ ଦୋକାନରେ ଚାହା ପିଇବା ଅବସରରେ ଖୁବ୍ ମାର୍ଜିତ ଓ ଶିକ୍ଷିତଦର୍ଶନ ଦୋକାନୀଙ୍କୁ ପଚାରିଲି, ‘‘ଏ ଇମାରତ୍ କିଏ ବନାଇଥିଲା ?’’

 

‘‘ଜିନ୍‌ମାନେ....” ସେ କହିଲେ ବଡ଼ ସ୍ଵାଭାବିକ କଣ୍ଠରେ । ଭଦ୍ରଲୋକ ଥଟ୍ଟା କରୁଛନ୍ତି କି ବୋଲି ମୁଁ ସନ୍ଦିଗ୍‌ଧ ହୁଅନ୍ତେ ସେ ଟିକିଏ ଦୂରକୁ ଚାଲିଯିବାରୁ ପାଖରେ ବସି ଉର୍ଦ୍ଦୁ ଖବରକାଗଜ ପଢ଼ୁଥିବା ଜଣେ ଚାହାପାୟୀ ମୃଦୁ କଣ୍ଠରେ, ଇଂରାଜୀରେ କହିଲେ, “ହାଇଦ୍ରାବାଦର ଅଧିକାଂଶ ସାଧାରଣ ଲୋକଙ୍କର ଏହାହିଁ ଧାରଣା । ଦୈତ୍ୟ ଦାନବ ନହେଲେ ଏମିତି ବିରାଟ ନିର୍ମାଣ କାର୍ଯ୍ୟ ମଣିଷ କେମିତି କରିଥାନ୍ତା ? ତେବେ ଚାର୍‌ମିନାର୍ କିଏ ବନାଇଥିଲେ ? ମୁଁ ବି କହିପାରିବି ନାହିଁ । ସେ ସଲଜ୍ଜ ହସ ଖେଳାଇଲେ । ବହିପତ୍ର ପଢ଼ି ଜାଣିଲି, ଏହାର ନିର୍ମାତା ଏ ନଗରୀର ପ୍ରତିଷ୍ଠାତା ସ୍ଵୟଂ; ଗୋଲକୁଣ୍ଡାର ପଞ୍ଚମ ଅଧିପତି ମହମ୍ମଦ କ୍ୱାଲି କୁତବ୍‌ ଶାହ । ୧୫୮୯ରେ ବସତି ସ୍ଥାପନ ପରେ ପରେ ଏକ ମାରାତ୍ମକ ସଂକ୍ରାମକ ବ୍ୟାଧି ତାଙ୍କୁ ବଡ଼ ବିବ୍ରତ କଲା । ସେ କିଛି ‘ମାନସିକ’ କଲେ ଏବଂ ବ୍ୟାଧି ଶୀଘ୍ର ବିଦାୟ ନିଅନ୍ତେ ବିଧି ପ୍ରତି କୃତଜ୍ଞତା ସ୍ଵରୂପ ଚାରି ଗମ୍ବୁଜ ବିଶିଷ୍ଟ ଏ ଇମାରତ୍ ନିର୍ମାଣକଲେ ।

 

ଆଜି ଆନ୍ଧ୍ରପ୍ରଦେଶର ରାଜଧାନୀ ଭିତରେ ସେଦିନର ହାଇଦ୍ରାବାଦକୁ ଖୋଜି ବାହାର କରିବା ସହଜ ନୁହେଁ । ପ୍ରତି ଥର ହାଇଦ୍ରାବାଦ ଗଲେ ଲକ୍ଷ୍ୟ କରେ, ସେଦିନର ହାଇଦ୍ରାବାଦର ଆହୁରି ଗୋଟାଏ ସ୍ତର ଧୋଇହୋଇଗଲାଣି । କେବଳ ଯୋଡ଼ିଏ ପ୍ରତିଷ୍ଠାନ ଭିତରେ ପୁରୁଣା ଆବହାଉଆ ବଜାୟ ରହିଛି । ଗୋଟିଏ ସହର ଉପକଣ୍ଠବର୍ତ୍ତୀ ଗୋଲକୁଣ୍ଡା ଦୁର୍ଗ, ଅନ୍ୟଟି ସାଲାର୍‌ଜଙ୍ଗ ଯାଦୁଘର ।

 

କଳା ମୁଗୁନି ପାହାଡ଼ ଉପରେ ଗୋଲକୁଣ୍ଡା ଦୁର୍ଗ ପୃଥ‌ିବୀର ଦୁର୍ଭେଦ୍ୟ ଦୁର୍ଗମାନଙ୍କ ଭିତରେ ଅନ୍ୟତମ । ତାଳି ବା ଅନ୍ୟ ସାଙ୍କେତିକ ଧ୍ଵନି ଦ୍ଵାରା ଅଚିରେ ଦୁର୍ଗର ପାଦଦେଶରୁ ଶୀର୍ଷକୁ, ଦୁର୍ଗାଧିପତିଙ୍କ ପାଖକୁ ବାର୍ତ୍ତା ପ୍ରେରଣ କରାଯାଇପାରୁଥିଲା । କୁମ୍ଭୀରମୟ ଗଭୀର ପରିଖା ଅତିକ୍ରମ କରି ଶତ୍ରୁ ଯଦି ଦ୍ଵିତୀୟ ପ୍ରାଚୀର ପାଖରେ ପହ‌ଞ୍ଚିପାରିବ, ତେବେ ସେ ପ୍ରାଚୀର ଉପରୁ ତତଲା ତରଳ ଲୁହା ଢାଳିହୋଇଯିବ ସେମାନଙ୍କ ଉପରେ । ୧୬୮୬ରେ କୁତବ୍ ସାହୀ ନବାବ୍‌ମାନଙ୍କର ଏ ଆଶ୍ରୟକୁ ଆଉରଙ୍ଗଜେବ୍‌ର ସୈନ୍ୟବାହିନୀ ବର୍ଷେ କାଳ ଅବରୋଧ କରି ମଧ୍ୟ ଭିତରେ ପଶିପାରୁନଥିଲେ । ଶେଷକୁ ଜଣକର ବିଶ୍ୱାସଘାତକତା ଯୋଗୁଁ ଦୁର୍ଗର ପତନ ହେଲା ।

 

ଅଳ୍ପଦିନ ତଳେ ଗୋଲକୁଣ୍ଡା ଦୁର୍ଗ ଦେଖାଇବା ଅବସରରେ ଜଣେ ସ୍ଥାନୀୟ ବନ୍ଧୁ କହୁଥିଲେ, “ଦୁର୍ଗ ଭିତରୁ ହାଇଦ୍ରାବାଦ ସହରର କେନ୍ଦ୍ରଯାଏ ରହିଛି ଗୋଟାଏ ସୁଡ଼ଙ୍ଗ । ସେ ସୁଡ଼ଙ୍ଗ ଭିତରେ ସ୍ଥାନେ ସ୍ଥାନେ ଲୁଚିରହିଛି ସୁନା ଓ ହୀରା–ବିପଦ ବେଳେ କାମରେ ଆସିବବୋଲି । କିନ୍ତୁ ସେସବୁ ଚିରକାଳ ଅବ୍ୟବହୃତ ହିଁ ରହିବ । ସୁଡ଼ଙ୍ଗର ଉଭୟ ମୁହଁ ବର୍ତ୍ତମାନ ବନ୍ଦ ।”

 

ସମ୍ଭବତଃ ଚିରକାଳ ଅବ୍ୟବହୃତ ରହିବ ନିଜାମ୍‌ଙ୍କ ସମ୍ପଦର ବହୁଳାଂଶ । ଥରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ହାଇଦ୍ରାବାଦର ବାସିନ୍ଦା ମୋତେ କହୁଥିଲେ, “ମିଶ୍ରଣ ପରେ ପରେ, ପ୍ରକାଶ୍ୟ ଦିବାଲୋକରେ, ଟ୍ରକ୍ ଟ୍ରକ୍ ଐଶ୍ୱର୍ଯ୍ୟ ଆମ ଆଗରେ ବିମାନବନ୍ଦରକୁ ଯାଉଥାଏ । ନିଜାମ୍‌ଙ୍କ ବିମାନରେ ସେସବୁ ବୋଝେଇ ହେଉଥାଏ । ତା’ପରେ କେଉଁ ଦିଗ୍‌ବଳୟ ଅଭିମୁଖେ ସେସବୁ ଉଡ଼ିଯାଉଥାଏ ତାହା ଆମ ଧାରଣାର ବାହାରେ ।”

 

‘‘ଭାରତ ସରକାର ବାଧାଦେଉନଥିଲେ ?’’ –ପଚାରିଥିଲି ।

 

‘‘ସ୍ୱାଧୀନତା ଓ ଦେଶ ମିଶ୍ରଣର ସେ ଆଦି ଯୁଗରେ କାହାର କେତେଦୂର ଅଧିକାର, କ’ଣ କର୍ତ୍ତବ୍ୟ, ସରକାରୀ କର୍ମଚାରୀମାନେ ସେ ଦିଗରେ ଅବହିତ ଥିଲେ । ସେମାନେ କେଇ ସପ୍ତାହ ପୂର୍ବଯାଏ ନିଜାମ୍‌ଙ୍କ ଲୁଣ ଖାଉଥିଲେ । ମିଶ୍ରଣ ଚୁକ୍ତି ଅନୁସାରେ ଭାରତ ସରକାରଙ୍କ କର୍ମଚାରୀ ବନିଗଲେ ବି ନିଜାମ୍‌ଙ୍କ ହୁକୁମ୍ ତାଲିମ୍ କରିବେ ନାହିଁ ବା ନିଜାମ୍‌ଙ୍କ କୌଣସି କାମରେ ବାଧାଦେବେ, ଏ ଚେତନା ଥିଲା ଅବିଶ୍ଵାସ୍ୟ ।’’ –ଉତ୍ତର ଦେଇଥିଲେ ଅଧ୍ୟାପକ ।

 

ନିଜାମ୍‌ଙ୍କ ମୃତ୍ୟୁର ଅଳ୍ପଦିନ ଭିତରେ ତାଙ୍କ ପରିବାରରେ ଯେଭଳି ସଙ୍କଟ ଦେଖାଦେଲା, ତାହାବି ଅବିଶ୍ଵାସ୍ୟ । ତାଙ୍କ ମନୋନୀତ ଉତ୍ତରାଧିକାରୀ ପ୍ରିନ୍ସ ଅଫ୍ ବେରାର୍ ଉପାଧିଧାରୀ ନାତି ଜଣକ ବିଦେଶରେ ରହିଛି । ତାଙ୍କ ଉପରେ କୋଟି କୋଟି ଟଙ୍କାର ବିଭିନ୍ନ ଟିକସ୍ ବାକି ବୋଲି କୁଆଡ଼େ ସେ ଭାରତ ଆସିବାକୁ ଅନିଚ୍ଛୁକ ।

 

ସବୁଠୁଁ ଅବିଶ୍ୱାସ୍ୟ ଯାହା, ତାହା ସମ୍ବାଦପତ୍ରରେ ପଢ଼ିଲି କେଇ ବର୍ଷ ତଳେ । ନିଜାମ୍‌ଙ୍କ ପ୍ରଧାନ ରାଣୀ ଗୋଟାଏ ଦୁର୍ଘଟଣାରେ ପ୍ରାଣ ଦେଲେ । ଅବିଶ୍ଵାସ୍ୟ ହେଲା, ଏକଦା ପୃଥ‌ିବୀର ସର୍ବୋଚ୍ଚ ଧନିକଙ୍କର ପତ୍ନୀ ଗୋଟାଏ ଭଡ଼ା ଅଟୋରିକ୍ସାରେ ତାଙ୍କ କୋଠିରୁ ଅନ୍ୟତ୍ର ଯାଉଥିବାବେଳେ ଦୁର୍ଘଟଣା ଘଟିଲା । କେତେବର୍ଷ ତଳ ଯାଏ ଯାହାଙ୍କର ଥିଲା ପଲେ ଘରୋଇ ବିମାନ, ଅଗଣନ ରୋଲସ୍‍ରୟସ୍, ସେ ଅଟୋରିକ୍ସା ଆରୋହଣ କରିବାର ହେତୁ କ’ଣ ହୋଇପାରେ, ତା’ର ଅନୁସନ୍ଧାନ କଲାଭଳି ଆଗ୍ରହ ବି ଆଉ କାହାରି ନଥିବ ।

 

ଏକାଧିକବାର ଦେଖିଲେ ବି ହାଇଦ୍ରାବାଦର ଯେଉଁ ପ୍ରତିଷ୍ଠାନ ଉପରୁ ଏ ଲେଖକର ଆକର୍ଷଣ ହ୍ରାସ ହୋଇନାହିଁ କି କାହାରି ବି ହେବନାହିଁ, ତାହା ହେଲା ସାଲରଜଙ୍ଗ୍ ଯାଦୁଘର । ମୋର ପ୍ରଥମ ଭ୍ରମଣ (୧୯୫୬)ବେଳେ ଏହା ଥିଲା ପ୍ରତିଷ୍ଠାତାଙ୍କ ବ୍ୟକ୍ତିଗତ କୋଠାର ଅଂଶବିଶେଷ । ୧୯୬୧ରେ ଏହା ସ୍ଥାନାନ୍ତରିତ ହେଲା ବ୍ୟାପକ ପରିସର ବିଶିଷ୍ଟ ଏକ ବୃହତ୍ତର କୋଠାକୁ । ଜଣେ ମଣିଷଦ୍ଵାରା ସଂଗୃହୀତ ଅମୂଲ୍ୟ ବସ୍ତୁରାଜି ଆଧାରିତ ପୃଥ‌ିବୀର ବୃହତ୍ତମ ଯାଦୁଘର ଭାବରେ ପରିଚିତ ଏ ପ୍ରତିଷ୍ଠାନ ଆକ୍ଷରିକ ତଥ୍ୟ ଦୃଷ୍ଟିରୁ ଦୁଇଜଣଙ୍କ ଅବଦାନ । ସଂଗ୍ରହ ଆରମ୍ଭ କରିଥିଲେ ନିଜାମ୍‌ଙ୍କ ପ୍ରଧାନମନ୍ତ୍ରୀ ପ୍ରଥମ ସାଲାରଜଙ୍ଗ୍ । ପ୍ରଥମଙ୍କ ଚରିତ୍ରରେ ଯାହା ଥିଲା ସଉକ, ତାଙ୍କ ନାତି ତୃତୀୟ ସଲାରଉଜଙ୍ଗ୍‍ଙ୍କ ଚରିତ୍ରରେ ତାହା ନିଶା ରୂପେ ପ୍ରକଟିତ ହେଲା । ନିଜାମ୍‌ଙ୍କ ସହ ମତଭେଦ ଯୋଗୁଁ ଏ ମହାଶୟ ମନ୍ତ୍ରୀପଦ ତ୍ୟାଗ କରିଥିଲେ । ତେବେ ଏହାଙ୍କ ପୂର୍ବ ପୁରୁଷ ପ୍ରଥମ ନିଜାମ୍‌ଙ୍କ ସହ ଏଠାକୁ ଆସି ରାଜ୍ୟ ସ୍ଥାପନରେ ତାଙ୍କ ସହାୟତା କରିଥିବା ଯୋଗୁଁ ଏହାଙ୍କ ଜମିଦାରିର ଆୟତନ ଥିଲା ଏକହଜାର ଚାରିଶହ ଅଶି ବର୍ଗମାଇଲ୍ । ଭଦ୍ରଲୋକ ବିବାହ କଲେନାହିଁ । ସମସ୍ତ ସମୟ ଓ ଉପାର୍ଜନ ସଂଗ୍ରହ-ସାଧନାରେ ଉପଯୋଗ କରି ରଖିଗଲେ ଏ ବିସ୍ମୟ ।

 

ଶେଷ ନିଜାମ୍‌ଙ୍କର ଶେଷ ବିଜ୍ଞ ପ୍ରଧାନମନ୍ତ୍ରୀ ଥିଲେ ସାର୍ ଆକବର୍ ହାୟଦରୀ । ୧୯୪୨ରେ ଏହାଙ୍କ ପରଲୋକ ହୋଇନଥିଲେ ମିଶ୍ରଣ-ସଂକଟ ବେଳେ ପରିସ୍ଥିତି ହୁଏତ ଭିନ୍ନ ହୋଇଥାନ୍ତା । ଏହାଙ୍କ ବିଜ୍ଞତା, ବୋଧଶକ୍ତି ଓ ଦୂରଦୃଷ୍ଟି ଭାରତର ବଡ଼ଲାଟମାନଙ୍କଠୁଁ ଆରମ୍ଭକରି ତତ୍କାଳୀନ କଂଗ୍ରେସ ଓ ଲିଗର୍‍ ତୁଙ୍ଗ ନେତୃବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଏହାଙ୍କୁ ପ୍ରୀତିଭାଜନ କରିପାରିଥିଲା । ‘‘ହାଇଦ୍ରାବାଦର ଶାସନ ଓ ସମାଜ-ସଂସ୍କାର ଦିଗରେ ତାଙ୍କର ବ୍ୟାପକ ଅବଦାନ ଯୋଗୁଁ ଆମପାଇଁ ସେ ଅବିସ୍ମରଣୀୟ !” –କହୁଥିଲେ ଜଣେ ପ୍ରବୀଣ ହାଇଦ୍ରାବାଦବାସୀ ।

 

ଏ ଲେଖକ ପାଖରେ ସେ ସ୍ମରଣୀୟ ଭିନ୍ନ କାରଣରୁ । ପଣ୍ଡିଚେରୀରେ ଏ ଲେଖକର ବାସସ୍ଥାନ ସାମନାରେ ଯେଉଁ ତୁଙ୍ଗ, ଅସାମାନ୍ୟ ସ୍ଥାପତ୍ୟର ନିଦର୍ଶନବାହୀ ଅତିଥିଭବନ, ତାହାର ନାମ ଗୋଲକୁଣ୍ଡା । କାରଣ, ଏହାର ନିର୍ମାଣ ନିମନ୍ତେ ଶ୍ରୀମାଙ୍କୁ ଅର୍ଥାଞ୍ଜଳି ଦେଇଥିଲେ ସାର୍‌ ଆକବର୍ ହାଇଦରୀ । ସେ ଥିଲେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କର ଏକାନ୍ତ ଅନୁଗତ ।

☆☆☆

 

(ଷୋହଳ)

Unknown

ଇତିହାସ-କିମ୍ବଦନ୍ତୀ ଗୋଧୂଳି ସଙ୍ଗମ

 

ଲିଭିଆସୁଥିଲେ ପୂର୍ବାକାଶର ଶେଷ କେତୋଟି ନକ୍ଷତ୍ର । ମୃଦୁ କୁହୁଡ଼ି ଘୋଡ଼ିହୋଇ ପଥପ୍ରାନ୍ତର ଗଛଲତାମାନେ ଯେପରି ତଥାପି ସ୍ୱପ୍ନବିଭୋର ଥିଲେ ।

 

ରେଳଗାଡ଼ିର ଗତି ମନ୍ଥର ହୋଇଆସୁଥିଲା । ଏ ମାର୍ଗରେ ଅଦ୍ୟାବଧି ପ୍ରଶସ୍ତ ପୁରୁଣା ଡବାମାନଙ୍କର ପ୍ରଚଳନ ଥାଏ । ଦୁଇ ତଳ ବର୍ଥରେ ଶାୟିତ ଯାତ୍ରୀ ଦୁଇଜଣ ଯେପରି ନିଦ୍ରାଚ୍ୟୁତ ନହେବେ, ସେଥିପାଇଁ ମୁଁ ଉପରୁ ଅତି ସନ୍ତର୍ପଣରେ ଅବତରଣ କରିଥିଲି । କିନ୍ତୁ ଦୁହେଁ ବିଛଣା ଗୋଟାଇ ସାରିଥିଲେ । ବୟସ୍କ ଜଣକ ମୋ ସିଧା ତଳ ବର୍ଥରେ, ମଫ୍‌ଲର୍‌ ଓ ଚଦରଯୋଗେ ନିଜକୁ ଉଷୁମ କରି ଆଖି ବୁଜି ବସିଥିଲେ । ତେବେ ରେଳଗାଡ଼ି ଆମକୁ ଯଥେଷ୍ଟ ଦୋଳନ ଦେବା ସତ୍ତ୍ଵେ ସେ ପ୍ରବଳ ବେଗରେ ଆଣ୍ଠୁ ହଲାଉଥିବାରୁ ସେ ଚେଇଁଛନ୍ତି ବୋଲି ବୁଝିଲି । କିନ୍ତୁ ଯୁବକ ଜଣକ ସାମ୍‌ନା ବର୍ଥରେ ତାଙ୍କ ବନ୍ଧା ବିଛଣା ଉପରେ ଭରାଦେଇ ଅନର୍ଗଳ ଢୁଳଉଥିଲେ ।

 

‘‘ବେଟା, ଫିର୍ କହୁଙ୍ଗା, ତୁମ୍ ବେକୁବ୍ ହୋ ।” ଆଖି ନ ଖୋଲି, ଆଣ୍ଠୁ ଆନ୍ଦୋଳନ ପ୍ରବଳତର କରି ମୋ ପାଖରେ ବସିଥିବା ବୃଦ୍ଧ କହିଲେ ।

 

“ଜୀ !” ମୁଁ ସଂକ୍ଷିପ୍ତତମ ହିନ୍ଦୀରେ କାମ ଚଳାଇନେଲି ।

 

“ମଗର କ୍ୟୋଁ ?” ସେ ତଥାପି ଆଖି ନ ଖୋଲି ପ୍ରଶ୍ନକଲେ ।

 

ସେ ସ୍ନିଗ୍ଧ ଶୀତଳ ପ୍ରଭାତରେ ବୃଦ୍ଧଙ୍କର ଏ ପ୍ରଶ୍ନ ମୋତେ ବଡ଼ ମଧୁର ଲାଗିଥିଲା । କାରଣ, ଏମିତି ବିଚିତ୍ର ପ୍ରଶ୍ନୋତ୍ତର ସବୁର ସୁପ୍ରାଚୀନ ଉତ୍ସ ଯେଉଁ କିମ୍ବଦନ୍ତୀର ନଗରୀ, ତାହାରି ଅଭିମୁଖେ ରେଳଗାଡ଼ି ପ୍ରଧାବିତ ହେଉଥିଲା । ମନେହେଲା, ପ୍ରଶ୍ନଟି ଯେପରି ବେତାଳ ହିଁ ବିକ୍ରମଙ୍କୁ କରୁଛି ।

 

ବିପରୀତ ବର୍ଥରେ ବିକ୍ରମ କିନ୍ତୁ ଉତ୍ତର ଦେବା ଅବସ୍ଥାରେ ନଥିଲେ । କେତୋଟି କୁନି କୁନି ଢେଉ ଉତ୍ତାରୁ ଯେମିତି ଗୋଟାଏ ବଡ଼ ଢେଉ ଆସିଥାଏ, ପାଞ୍ଚ ଛଅ ମିନିଟ୍ ବ୍ୟାପି ମୃଦୁମନ୍ଦ ଢୁଳନ ପରେ ସେମିତି ଗୋଟାଏ ପ୍ରବଳ ଢୁଳନ ଯୁବକଙ୍କୁ ଚଟାଣଶାୟୀ କରିବାକୁ ଯାଉଥିଲା । ସେ ଯାହାହେଉ ଅଟକିଗଲେ ଓ ମୁହୂର୍ତ୍ତକ ପାଇଁ ଆଖି ଖୋଲି ତତ୍‌କ୍ଷଣାତ୍ ପୁଣି ପୂର୍ବାବସ୍ଥା ପାଖରେ ଆତ୍ମସମର୍ପଣ କଲେ ।

 

ସମ୍ଭବତଃ ଦୁହେଁ ବିଛଣାପତ୍ର ବନ୍ଧାବନ୍ଧି କରିବା ପରେ, ଯୁବକ ଜଣକ ବୃଦ୍ଧଙ୍କ ପାଖରେ ବସିଥିଲେ ଓ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସଂଳାପ ଆରମ୍ଭ ହୋଇଥିଲା । ଯୁବକଙ୍କ ବର୍ଥ ପରିବର୍ତ୍ତନ ଏବଂ ମୋର ଅବତରଣ ସମ୍ପର୍କରେ ଅନବହିତ ଥିଲେ ବୃଦ୍ଧ ।

 

ଯେଉଁ ଗୋଟିଏ ଏକାକ୍ଷରୀ ଧ୍ଵନି ଉପରେ ହିନ୍ଦୀ ଭାଷାରେ ମୋର ବ୍ୟୁତ୍ପତ୍ତି ବହୁଳାଂଶରେ ନିର୍ଭରଶୀଳ, ବୃଦ୍ଧଙ୍କ ‘କ୍ୟୋଁ’ର ସ୍ଵୀକୃତି ଭାବରେ ପୁଣି ସେହି ଗୋଟିକ ପ୍ରୟୋଗ କଲି–ଏଥର ପ୍ରଶ୍ନବାଚୀ ଢଙ୍ଗରେ :

 

–‘‘ଜୀ ?’’

 

କାମ ଦେଲା । ତେବେ ବୃଦ୍ଧ ଗମ୍ଭୀର ଭାବରେ ଯାହା କହିଲେ, ତାହାର ମୋଟାମୋଟି ଅନୁବାଦହିଁ ଉପସ୍ଥାପନ କରେ: ‘‘ବେଟା, ବିଧାତା ମରଦ୍‌କୁ କାନ ଦେଇଛି ସେ ଅବଶ୍ୟ ଔରତ୍‌ର କଥା ଶୁଣିବ ବୋଲି; କିନ୍ତୁ ଔରତ୍‍କୁ କାନ ଦେଇଛି ମରଦ୍ ତାକୁ ଦରକାର ବେଳେ ଧରି ଟାଣିବ ବୋଲି !”

 

ଚମତ୍କୃତ ହେଲି । କାନର ଯୌକ୍ତିକତା ଉପରେ ସେ ଯାଏ ମୋର ଜ୍ଞାନ କେବେ କେଉଁଠି ପଢ଼ିଥିବା ଯେଉଁ ଉତ୍ସାହମୟ ବିବୃତିରେ ସୀମିତ ଥିଲା, ତାହା ହେଲା–ପ୍ରକୃତିର କେଡ଼େ ଉଦାର ଦୂରଦୃଷ୍ଟି ! ମଣିଷ ଦିନେ ଚଷମା ଉଦ୍‌ଭାବନ କରିବ, ସେଥିପାଇଁ ତାକୁ ଧାରଣ କରିବା ନିମନ୍ତେ ପ୍ରକୃତି କେତେ ଆଗରୁ କାନ ସୃଜନ କରି ରଖିଛି !

 

ବୁଝିଲି, ବୃଦ୍ଧକଥିତ ବିଧାତାର ବିଧାନ ପ୍ରକୃତିର ବିଧାନଠାରୁ କମ୍ ପ୍ରାଜ୍ଞ ନୁହେଁ ।

 

‘‘ଉଠ, ଉଠ! କ’ଣ ବକ୍ ବକ୍ କରୁଛ !” ଯୁବକ ହଠାତ୍ ବିଛଣା ଓ ବ୍ୟାଗ୍ ଧରି ଉଠିପଡ଼ି ଧମକ ଦେଲେ । ବୃଦ୍ଧ ଏଥର ଆଖି ଖୋଲି ମୋତେ ଥରେ ସନ୍ଦିଗ୍ଧ ଭାବରେ ଅନାଇ ଠିଆହେଲେ-। ଗାଡ଼ି ସ୍ଥିରହେଲା । ଦୁହେଁ ଓହ୍ଲାଇଗଲେ ।

 

ମୋର ଗନ୍ତବ୍ୟ ପରବର୍ତ୍ତୀ ଷ୍ଟେସନ୍ । ଏହି ମୁହୂର୍ତ୍ତରୁ ସମ୍ଭବ ହେଲେ ଅପଲକ ରହିବାକୁ ପ୍ରସ୍ତୁତ ଥିଲି । କ୍ୱଚିତ୍‌ କେବେ କୌଣସି ସ୍ଥାନ ଦର୍ଶନ ପାଇଁ ସେଭଳି ଆଗ୍ରହ ଅନୁଭବ କରିଛି । ଅବଶେଷରେ ଦେଖାଦେଲା ଏବଂ ଆନନ୍ଦରେ ଚମକାଇ ଦେଲା–ନଗରୀର ନାମ ଫଳକ: ଉଜ୍ଜୟିନୀ । କେତେଥର ଚାହିଁଛି–ଇନ୍ଦୋର ଯାଏ ଆସିଛି; କିନ୍ତୁ ଉଜ୍ଜୟିନୀ ଆସିପାରିନାହିଁ । ଏଥର ଆସିଥିଲି ସୁରତ । କୌଣସିମତେ ସମୟ କରି ଚାଲିଆସିଛି ଉଜ୍ଜୟିନୀ । ସଭା ନାହିଁ, ସମିତି ନାହିଁ, କେହି ସହଚର ବି ନାହିଁ । କୌଣସି ହୋଟେଲରେ ଆଶ୍ରା ଖୋଜି ନେଇ ରହିଯିବି । ଖୋଜିନେବି କିମ୍ବଦନ୍ତୀର ଚାରିଗୋଟି ମହାର୍ଘ ସ୍ଥାନ–ଯେଉଁ ଦିଅଁଙ୍କୁ କେନ୍ଦ୍ରକରି ସେ ସୁପ୍ରାଚୀନ ନଗରୀର ବିକାଶ ସେହି ମହାକାଳେଶ୍ଵର ମନ୍ଦିର, ମହାକବି କାଳିଦାସଙ୍କ ଆରାଧ୍ୟ କାଳିକା ମନ୍ଦିର, ଶ୍ରୀକୃଷ୍ଣ-ସ୍ମୃତି-ପୂତ ଗୁରୁକୁଳ ସାନ୍ଦୀପନି ଆଶ୍ରମ ଏବଂ ସର୍ବୋପରି ଭର୍ତ୍ତୃହରି ଗୁମ୍ଫା ।

 

ଉଜ୍ଜୟିନୀ ଅବଶ୍ୟ ଅତି ପ୍ରାଚୀନ ତୀର୍ଥ । ଏହା ପବିତ୍ର ସପ୍ତପୁରୀରୁ ଅନ୍ୟତମ :

 

“ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚି ହ୍ୟବନ୍ତିକା ।

ପୁରୀ ଦ୍ଵାରାବତୀ ଚୈବ ସପ୍ତେତା ମୋକ୍ଷଦାୟିକା ॥'’

 

ଉପରୋକ୍ତ ଶ୍ଳୋକରେ ଉଜ୍ଜୟିନୀ ତା’ର ଅନ୍ୟ ନାମ ଅବନ୍ତିକା ଭାବରେ ଉଲ୍ଲିଖିତ । ଅତୀତରେ କେତେବେଳେ ଏହା ମାଳବର ରାଜଧାନୀ ତ କେତେବେଳେ ଅବନ୍ତୀ ରାଜ୍ୟର ରାଜଧାନୀ । ନଗରୀର ଆହୁରି ଗୁଡ଼ିଏ ନାମର ଅନ୍ତର୍ଭୁକ୍ତ ଧାରାନଗରୀ, କୁଶସ୍ଥଳୀ ଏବଂ କନକଶୃଙ୍ଗ-

 

କିନ୍ତୁ ତୀର୍ଥଯାତ୍ରୀମାନଙ୍କ କଥା ଛାଡ଼ିଦେଲେ ଅନ୍ୟମାନଙ୍କ ପାଇଁ ବିକ୍ରମାଦିତ୍ୟ ଏବଂ କାଳିଦାସଙ୍କ ସ୍ମୃତିର ସହର ହେଲା ଉଜ୍ଜୟିନୀ । ଦୁଃଖର କଥା ହେଲା, ଏ ଦୁହିଁଙ୍କ ପ୍ରତ୍ୟକ୍ଷ ସ୍ମୃତି-ବାହିତ କୌଣସି ଇମାରତ ନିରୂପିତ ହୋଇପାରିନାହିଁ । କିନ୍ତୁ କିମ୍ବଦନ୍ତୀରେ ବିକ୍ରମାଦିତ୍ୟଙ୍କ ଅଗ୍ରଜ ଯୋଗୀ ଭର୍ତ୍ତୃହରିଙ୍କ ନାମଧନ୍ୟ ଗୁମ୍ଫାଟି ଚିହ୍ନିତ ହୋଇ ରହିଛି ବହୁ ଶତାବ୍ଦୀ ଧରି ।

 

କାହାକୁ ଭେଟିବାର ଆଶା କରୁନଥିଲି, ଅତଏବ ଦରଜା ପାଖରେ ଠିଆହୋଇ ରହିବାର ଆବଶ୍ୟକତା ନଥିଲା । ଧୀରେସୁସ୍ଥେ ପ୍ଲାଟ୍‍ଫର୍ମକୁ ଅବତରଣ କରିବା ମାତ୍ରେ କିନ୍ତୁ ଆଖିରେ ପଡ଼ିଲା ଚିହ୍ନା ମୁହଁଟିଏ । ସେ ଗୋଟାଏ ପରେ ଗୋଟାଏ ଝରକା ଭିତରକୁ ଉଙ୍କିମାରୁଛନ୍ତି-। ଅଚିରେ ସେ ମୋତେ ଦେଖିଦେଇ ପ୍ରାୟ ଦୌଡ଼ିଆସିଲେ ।

 

“ଭାବିଥିଲି, ଆପଣ ବୋଧହୁଏ ଆସିପାରିଲେ ନାହିଁ ।’’ କୁଣ୍ଢାଇପକାଇ କହିଲେ ପ୍ରଫେସର୍ ଜି.ପି. ଗୁପ୍ତ ।

 

–“ମୁଁ ତ ଭାବିଥିଲି ଆପଣ ଉଜ୍ଜୟିନୀରେ ନାହାନ୍ତି !”

 

–‘‘ନଥିଲି–ଦୁଇଦିନ ହେଲା ଆସିଲି । ଗତକାଲି ରାତିରେ ଆପଣଙ୍କର ଜଣେ ବନ୍ଧୁ ମୋତେ ସୁରତ୍‌ରୁ ଫୋନ୍‌କରି ଆପଣଙ୍କ ଗସ୍ତ କଥା ଜଣାଇଲେ ।”

 

ଯେତିକି ଆଶ୍ଵସ୍ତ ଓ ଆନନ୍ଦିତ ହେଲି, ସେ ତୁଳନାରେ କମ୍ ହେଲେ ମଧ୍ୟ ସାମାନ୍ୟ ଆଶଙ୍କା ବି ଅନୁଭବ କଲି । ସେ ଯେମିତି ମୋ ମନକଥା ବୁଝିପକାଇଲେ । କହିଲେ, ‘‘ଚିନ୍ତାନାହିଁ । ଆପଣ ଯେମିତି ନିର୍ବିଘ୍ନରେ, ଏକାଗ୍ର ଭାବରେ ଉଜ୍ଜୟିନୀ ଦେଖିପାରିବେ, ସେ ଦିଗରେ ସାମାନ୍ୟ ସହାୟତା କରିବା ବିନା ମୋର ଆଉ ଯୋଜନା କିଛି ନାହିଁ । କୌଣସି ସଭାର ଆୟୋଜନ କରୁନାହିଁ।”

 

ପ୍ଲାଟ୍‍ଫର୍ମ ଉପରେ, ସେ ଶୀତ ପ୍ରଭାତରେ, ପ୍ରଫେସର୍ ଗୁପ୍ତଙ୍କ ପ୍ରତିଶ୍ରୁତି ଉଷ୍ଣପ୍ରସ୍ରବଣରେ ସ୍ନାନ ଭଳି ସୁଖପ୍ରଦ ମନେହୋଇଥିଲା । ବହୁ ବର୍ଷ ପାଶ୍ଚାତ୍ୟରେ ଅତିବାହିତ କରି, ଭାରତ ପ୍ରତ୍ୟାବର୍ତ୍ତନ ପରେ ଉଜ୍ଜୟିନୀର ବିକ୍ରମ ବିଶ୍ଵବିଦ୍ୟାଳୟରେ ବିଜିନେସ୍ ମ୍ୟାନେଜମେଣ୍ଟ୍‌ ପାଠ୍ୟର ପ୍ରବର୍ତ୍ତନ କରିଥିଲେ ଗୁପ୍ତ । ସେଠାକାର ବୁଦ୍ଧିଜୀବୀ ମହଲରେ ସେ କେଡ଼େ ଶ୍ରଦ୍ଧେୟ, ଅବସର ଗ୍ରହଣ ପରେ ବି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପରାମର୍ଶ ପ୍ରତି କେତେ ଉନ୍ମକ୍ତୁ, ତା’ର ପ୍ରମାଣ ପାଇଥିଲି ଦୁଇଦିନ ରହଣି ଭିତରେ ।

 

କାଳିଦାସ ଏକାଡେମୀର ଅତିଥି ଭବନରେ ସେ ମୋ ରହିବା ବ୍ୟବସ୍ଥା କରିଥିଲେ । ଅଦୂରବର୍ତ୍ତୀ ତାଙ୍କ ଘରେ ଖିଆପିଆ । ଜଳଖିଆ ପରେ ସେ କହିଲେ, “ନିଗମ ଆପଣଙ୍କୁ ସବୁ ବୁଲାଇ ଦେଖାଇବେ ।”

 

–‘‘ଆଚ୍ଛା, ଆପଣ ନିଗମ କହିବାରୁ ମନେପଡ଼ିଲା–ଐତିହାସିକ ଡ. ଶ୍ୟାମସୁନ୍ଦର ନିଗମ୍ ଆଜିକାଲି କେଉଁଠି ଅଛନ୍ତି ?’’

 

–“ଆଉ ତେବେ କେଉଁ ନିଗମ୍ କ‌ଥା କହୁଛି ? ଶ୍ୟାମସୁନ୍ଦର ହିଁ ଆପଣଙ୍କର ଦିଗ୍‌ଦର୍ଶକ ହେବେ । ଆମ ସମସାମୟିକମାନଙ୍କ ଭିତରେ ଉଜ୍ଜୟିନୀ ଉପରେ ତାଙ୍କଠାରୁ ଅଧିକ ଗବେଷଣା ଆଉ କେହି କରିନାହିଁ ।”

 

ଏନା ଥିଲା ଆଶାତୀତ ସୁଯୋଗ । ବିଶ୍ଵବିଦ୍ୟାଳୟର ଏହି ଅମାୟିକ ଇତିହାସ ଅଧ୍ୟାପକ ସେଦିନ ଓ ପରଦିନ ବ୍ୟାପି ନିରଳସ ଭାବରେ ମୋତେ ଗାଡ଼ିରେ ବସାଇ ଏକ ପରେ ଏକ ସ୍ମରଣୀୟ ପ୍ରତିଷ୍ଠାନ ଦେଖାଇଛନ୍ତି, ସେସବୁର ଇତିହାସ ବୁଝାଇଛନ୍ତି । ଏକ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ବେଳେ ସେ ଶିଳାଲେଖରେ ପଢ଼ିଥିଲେ, ତହିଁ ଏକଦା ଅଷ୍ଟମୁଖବିଶିଷ୍ଟ ଶିବମୂର୍ତ୍ତି ବିଦ୍ୟମାନ ଥିଲା । ଆକ୍ରମଣକାରୀମାନେ ସେ ମନ୍ଦିର ଭାଙ୍ଗିପକାଇଥିଲେ । କିନ୍ତୁ ସେ ଅନନ୍ୟ ଶିବମୂର୍ତ୍ତିକୁ ନେଇ ସେମାନେ କ’ଣ କରିଥାଇପାରନ୍ତି ? ମନ୍ଦିର ଚତୁର୍ଦ୍ଦିଗରେ ମିଳିଥିବା ଅସଂଖ୍ୟ ଭଗ୍ନାବଶେଷ ଭିତରେ ସେ ମୂର୍ତ୍ତିର ସୂଚନା ନାହିଁ । ନିଗମ୍‌ଙ୍କର ଧାରଣା ହେଲା–ମନ୍ଦିର ପଶ୍ଚାତରେ ଥିବା ବିଶାଳ ଓ ଗଭୀର ଜଳାଶୟର ଉପଯୋଗ କ’ଣ ସେ ଅଜ୍ଞାନମାନେ କରିନଥିବେ ?

 

ବହୁଦିନ ବ୍ୟୟସାପେକ୍ଷ ଅନୁସନ୍ଧାନ ଅନ୍ତେ ନିଗମଙ୍କର ଧାରଣା ସତ୍ୟ ପ୍ରମାଣିତ ହେଲା । କେତେ ଶତାବ୍ଦୀ ଅନ୍ତେ ପଙ୍କ ଭିତରୁ ଆତ୍ମପ୍ରକାଶ କଲା ସେ ମୂର୍ତ୍ତି ।

 

ନିଗମ ମୋତେ ନେଇଗଲେ ମହାକାଳ ମନ୍ଦିର–ଯେଉଁଠି ଅବସ୍ଥିତ ସ୍ଵୟମ୍ଭୁ ଜ୍ୟୋତିର୍ଲିଙ୍ଗର ବୟସ ନିରୂପଣ ଅସମ୍ଭବ । ନେଇଗଲେ ସାନ୍ଦୀପନି ଆଶ୍ରମ–ଯାହାର ସ୍ଥିତି ଏକଦା ଥିଲା ଗହନ ଅରଣ୍ୟର ଉପକଣ୍ଠରେ । ତହିଁ ଏକତ୍ର ବିଦ୍ୟାଭ୍ୟାସ କରୁଥିଲେ କୃଷ୍ଣ, ବଳରାମ ଏବଂ ସୁଦାମା । ଦୁଇହଜାର ବର୍ଷ ତଳେ ବି ଏହା ଏକ ପବିତ୍ର ସ୍ଥାନ ଭାବରେ ଚିହ୍ନିତ ଥିଲା, କାରଣ ତହିଁ ବିଦ୍ୟମାନ ଯେଉଁ ଶିବ-ସେବକ ଷଣ୍ଢମହାରାଜ, ସେ ପାଷାଣ ଶିଳ୍ପର ନିର୍ମାଣ କାଳ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ । ସେ ପରିସର ଭିତରେ ରହିଛି ପୁଣି ଏକ ଜଳାଶୟ, ଯାହା ଥିଲା କୃଷ୍ଣ ଏବଂ ସହପାଠୀବୃନ୍ଦଙ୍କର ସନ୍ତରଣାଗାର । ଅନ୍ତତଃ ପୂର୍ବ ଯୁଗର ଶାସକମାନେ ଏହାକୁ ସେହି ଦୃଷ୍ଟିରେ ଦେଖିଥିଲେ ବୋଲି ଜଳାଶୟର ଶିଳାବେଷ୍ଟନକୁ କରିଥିଲେ କଳାସମୃଦ୍ଧ ।

 

“ଏଥର ଦେଖନ୍ତୁ କାଳିକା ମନ୍ଦିର–ଏକଦା ଦେବୀ ଯେଉଁଠି ଜଣେ ନିରକ୍ଷରକୁ ମହାକବିରେ, ଜ୍ଞାନହୀନକୁ ମହାପଣ୍ଡିତରେ ପରିଣତ କରିଥିଲେ ।” –କହିଲେ ଡକ୍ଟର ନିଗମ୍ । “ସେତେବେଳେ ସିପ୍ରା ନଦୀ ମନ୍ଦିର ଛୁଇଁ ବହମାନଥିଲା ।”

 

ନମ୍ର ଭାବରେ ସମସ୍ତ ପ୍ରତିଷ୍ଠାନର ତଥ୍ୟ ପରିବେଷଣ କରିଚାଲିଥିବା ଡକ୍ଟର ନିଗମ ହଠାତ୍ ଦେବୀଦର୍ଶନ ଅନ୍ତେ, ତାତ୍ତ୍ଵିକ ପ୍ରଶ୍ନ କଲେ, “କାଳିଦାସ-କିମ୍ବଦନ୍ତୀର ତାତ୍ପର୍ଯ୍ୟ କ’ଣ ବୋଲି ଆପଣଙ୍କର ମନେହୁଏ ?’’

 

ଟିକିଏ ଇତସ୍ତତଃ କରି କହିଲି, “କାଳିଦାସ ଆଗାମୀ ସାତଜନ୍ମରେ, ମତାନ୍ତରେ ଚଉଦ ଜନ୍ମରେ, କବି ବା ପଣ୍ଡିତ ବନିବାର କୌଣସି ସମ୍ଭାବନା ନଥିବାର ଦେବୀ ଦର୍ଶାଇଦିଅନ୍ତେ କାଳିଦାସ ଆତ୍ମହତ୍ୟା କରିବା ନିଶ୍ଚିତ ବୁଝି ଦେବୀ ଅଗତ୍ୟା ସେଇଠି ସାତସାତଥର କାଳିଦାସଙ୍କୁ ପ୍ରାଣହୀନକରି ଜୀବନ୍ୟାସ ଦେବା କାହାଣୀର ତାତ୍ପର୍ଯ୍ୟ । ଦିବ୍ୟ କରୁଣାର ସ୍ପର୍ଶରେ ଚେତନାର ସ୍ଵାଭାବିକ ପ୍ରଗତି ଅନ୍ତତଃ ସାତଗୁଣ ତ୍ୱରାନ୍ଵିତ ହୋଇପାରେ; ସାତଜନ୍ମର ବିକାଶ ସାତ ମୁହୂର୍ତ୍ତରେ ସମ୍ଭବ ହୋଇପାରେ ।”

 

‘‘ସମ୍ଭବ ।” –ସ୍ୱଳ୍ପଭାଷୀ ନିଗମ ମନ୍ତବ୍ୟ ଦେଲେ ।

 

ନଦୀ କୂଳରେ ସୁପ୍ରାଚୀନ ସିଦ୍ଧବଟ; ଶ୍ମଶାନର ଅଦୂରରେ ସମ୍ଭବତଃ ମହାକାଳେଶ୍ଵରଙ୍କ ଭଳି ପ୍ରାଚୀନ କାଳଭୈରବଙ୍କ ଆସ୍ଥାନ । ଗଙ୍ଗା କୂଳେ କୂଳେ ବାରାଣସୀର ଶ୍ମଶାନ ସମୂହ ଭଳି ଉଜ୍ଜୟିନୀର ଶ୍ମଶାନ ମଧ୍ୟ ବୈଶିଷ୍ଟ୍ୟପୂର୍ଣ୍ଣ । କାରଣ ପୋଥିପୁରାଣରେ ଉଜ୍ଜୟିନୀର ଶ୍ମଶାନ-ଗରିମା ମଧ୍ୟ ବିବୃତ :

 

ଶ୍ମଶାନମୁଖରଂ କ୍ଷେତ୍ରଂ ପୀଠଂ ତୁ ବନ ଏବ ଚ ।

ତଚ୍ଚୈକତ୍ର ନ ଲଭ୍ୟନ୍ତେ ମହାକାଳପୁରାହତେ ।। (ସ୍କନ୍ଦ ପୁରାଣ)

 

(ଉଜ୍ଜୟିନୀ ତା’ର ଶ୍ମଶାନ, କ୍ଷେତ୍ର, ପୀଠ ତଥା ବନସମୂହ ସକାଶେ ଅନ୍ୟାନ୍ୟ ନଗରୀ ତୁଳନାରେ ମହତ୍ ।)

 

ଶ୍ମଶାନଦେବତାଙ୍କୁ ଲକ୍ଷ୍ୟକରି ଦେଖୁଛି, ଜଣେ ପୁରୋହିତ ବା ପୂଜା-ସହକାରୀ ଶ୍ରଦ୍ଧାଭରେ କୌଣସି ପାନୀୟ ଆଣି ଯାଚିଲେ । ନିଗମ ହସି ହସି ତାଙ୍କ ମୃଦୁକଣ୍ଠରେ କିଛି ବୁଝାଇଦେଇ ନିବୃତ୍ତକଲେ ଓ ଫେରିବାବେଳକୁ ମୋତେ ଜଣାଇଲେ: ‘“ସେ ପାନୀୟ ହେଲା ସୁରା, କାଳଭୈରବଙ୍କ ପ୍ରସାଦ । କୁହାଯାଏ, ସେ ମୂର୍ତ୍ତି ମୁହଁରେ ସୁରାପାତ୍ର ଲଗାଇଲେ ଅଚିରେ ପାତ୍ର ନିଃଶେଷ ହୋଇଯାଏ ।”

 

ଅବଶେଷରେ ଆମେ ସୂର୍ଯ୍ୟାସ୍ତର ଅବ୍ୟବହିତ ପୂର୍ବରୁ ମୋ ଆଗ୍ରହର କେନ୍ଦ୍ରବିନ୍ଦୁ, ସହର ବାହାରେ ଅବସ୍ଥିତ ଭର୍ତ୍ତୃହରି ଗୁମ୍ଫାରେ ଆସି ଉପନୀତ ହେଲୁଁ । ନାଥସମ୍ପ୍ରଦାୟର କେତେଜଣ ସାଧୁସନ୍ଥଙ୍କୁ ଛାଡ଼ିଦେଲେ ସେ ମୁଲକରେ ବିଶେଷ ଜନସମାଗମ ନଥିଲା ।

 

କିମ୍ବଦନ୍ତୀ କହେ, ଭର୍ତ୍ତୃହରି ଥିଲେ ମାଳବର ରାଜା । ଯେମନ୍ତ ରସିକ ତେମନ୍ତ ସୁଶାସକ-। ଶିକାର, ଶାସନ, ସାହିତ୍ୟ ଓ ସଙ୍ଗୀତ ଚର୍ଚ୍ଚା ଭିତରେ, ଅନୁଜ ବିକ୍ରମାଦିତ୍ୟଙ୍କ ସହାୟତାରେ, ସେ ସୁରୁଖୁରୁରେ ଜୀବନ ବିତାଇଚାଲିଥିଲେ ।

 

ମାତ୍ର ଦିନ କେତୋଟିରେ ସବୁ ଓଲଟପାଲଟ ହୋଇଗଲା ।

 

ନଗରୀର ଅଦୂରରେ ଅରଣ୍ୟ ଭିତରେ ରହୁଥିଲେ ଜଣେ ରୁଦ୍ରସ୍ଵଭାବସମ୍ପନ୍ନ ତପସ୍ଵୀ । ହଠାତ୍ ଦିନେ ସେ ଆସି ରାଜସଭାରେ ପହଞ୍ଚିଗଲେ ଓ ରାଜାଙ୍କୁ ଏକାନ୍ତକୁ ଡାକିନେଇ ଧରାଇଦେଲେ ବିଚିତ୍ର-ଦର୍ଶନ ଫଳଟିଏ ।

 

“ଶୁଣ ରାଜା !” –କହିଲେ ତପସ୍ୱୀ, ‘‘ଅତିଭୌତିକ ବିଭୂତି ସଞ୍ଚାରିତ ଏ ଫଳ ଯିଏ ଭକ୍ଷଣ କରିବ, ସିଏ ହେବ ଦୀର୍ଘ ଜୀବନ ତଥା ଦୀର୍ଘ ଯୌବନ ସମ୍ପନ୍ନ । ଖାଇପକାଅ ।”

 

ତପସ୍ଵୀ ଚାଲିଗଲେ। ଦୀର୍ଘ ସମୟ ଫଳଟି ଧରି ବସିରହିଲେ ରାଜା ଭର୍ତ୍ତୃହରି । ବିୟୋଗାନ୍ତକ ପରିସ୍ଥିତିରେ ତାଙ୍କ ପ୍ରଥମ ପତ୍ନୀ ପିଙ୍ଗଳାଙ୍କ ମୃତ୍ୟୁ ହୁଅନ୍ତେ ସେ ସମ୍ପ୍ରତି ସିନ୍ଧୁମତୀ ନାମ୍ନୀ କନ୍ୟାଙ୍କୁ ବିବାହ କରିଥିଲେ । ସୁନ୍ଦରୀ ତଥା ବିଚକ୍ଷଣା ସେ ସାନରାଣୀଙ୍କୁ ଯେତେ ମୂଲ୍ୟବାନ୍ ରତ୍ନରାଜି ଉପହାର ଦେଲେ ବି ରାଜାଙ୍କର ମନେହେଉଥାଏ, ଆହୁରି ମୂଲ୍ୟବାନ୍ କିଛି ଦେବା ଲୋଡ଼ା ।

 

ଅତଏବ, ସବୁ ମୂଲ୍ୟର ଊର୍ଦ୍ଧ୍ଵରେ, ସେ ଅମୂଲ୍ୟ ଉପହାର ଧରି ରାଜା ଚାଲିଲେ ଅନ୍ତଃପୁର । ରାଣୀଙ୍କୁ ତା’ର ତାତ୍ପର୍ଯ୍ୟର ସୂଚନା ଦେଇ ତାକୁ ଅବିଳମ୍ବେ ଖାଇଦେବାର ଅନୁରୋଧ ଜଣାଇ ସେ ରାଜସଭାକୁ ବାହୁଡ଼ିଆସିଲେ ।

 

ଏହାର ତୃତୀୟ ଦିନ ଗୋଧୂଳିବେଳେ ସେ ଅଶ୍ୱାରୋହଣ କରି ଅରଣ୍ୟ ଭିତରୁ ସାମାନ୍ୟ ଶିକାର-ବିଳାସ ଅନ୍ତେ ନବରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ନଗରୀ ଓ ଅରଣ୍ୟର ସୀମାନ୍ତରେ କେହି ଜଣେ ଅବଗୁଣ୍ଠନବତୀ ତାଙ୍କୁ ହାତ ଦେଖାଇ ଅଟକାଇଲା । ଦେହରକ୍ଷୀମାନଙ୍କୁ ଚାଲିଯିବାକୁ କହି ରାଜା ଅବତରଣ କଲେ । ଅବଗୁଣ୍ଠନ ଭିତରୁ ଦେଖାଦେଲା ନଗରୀର ଶ୍ରେଷ୍ଠ ନର୍ତ୍ତକୀର ମୁହଁ ।

 

ସେ ସ୍ୱନାମଧନ୍ୟା ପ୍ରତି ରାଜାଙ୍କର ସପ୍ରେମ ସମ୍ଭ୍ରମ ଥିଲା । ସଙ୍ଗେ ସଙ୍ଗେ ସେ ଏହା ବି ଜାଣିଥିଲେ, ନର୍ତ୍ତକୀ ତାଙ୍କୁ ବିପୁଳ ଶ୍ରଦ୍ଧା କରୁଥାଏ ।

 

–“କିଛି କହି କହିବାର ଅଛି ସୁନ୍ଦରୀ ?”

 

–“ଯାହା କହିବାର ତାହା ସାମାନ୍ୟ; ଯାହା ଦେବାର ଅଛି ତାହା କିନ୍ତୁ ଅସାମାନ୍ୟ ।’’ ଏଥୁଅନ୍ତେ ନର୍ତ୍ତକୀ ବାହାରକଲା ଫଳଟିଏ । ରାଜାଙ୍କ ହାତରେ ଥୋଇଦେଇ ଯାହା କହିଲା, ତାହା ତପସ୍ୱୀ ଦେଇଥିବା ବିବୃତିର ପୁନରାବୃତ୍ତି ।

 

ସେ ଅପୂର୍ବ ଚିଜ ନର୍ତ୍ତକୀ ପାଇଲା କେମିତି ? ରାଜାଙ୍କୁ ତା’ର କୈଫିୟତ୍ ଦେବାକୁ ସେ ପ୍ରସ୍ତୁତ ନୁହେଁ । ଜୁହାର ହୋଇ ସେ ଅଚିରେ ଅପସରିଗଲା ।

 

ବିମୂଢ଼ ରାଜା ଗୋପନରେ ଅନୁସନ୍ଧାନ ଆରମ୍ଭକଲେ । ପରଦିନ ସନ୍ଧ୍ୟା ସୁଦ୍ଧା ତାଙ୍କ ଆଗରେ ସ୍ପଷ୍ଟ ହେଲା ଘଟଣା ପ୍ରବାହ । ସେ ବିମୂଢ଼ ଥିଲେ, ବର୍ତ୍ତମାନ ହେଲେ ହତବମ୍ବ !

 

ରାଣୀଙ୍କୁ ଅତ୍ୟଧିକ ଭଲପାଉଥିବାରୁ ନିଜକୁ ବଞ୍ଚିତ କରି ସେ ଫଳଟିକୁ ତାଙ୍କୁ ଦେଇଥିଲେ । ରାଣୀ ଭଲପାଉଥିଲେ ଜଣେ ଅମାତ୍ୟଙ୍କୁ । ଫଳଟି ସେ ତାଙ୍କୁ ହସ୍ତାନ୍ତର କରିଥିଲେ । ଅମାତ୍ୟ ଭଲପାଉଥିଲେ ନର୍ତ୍ତକୀକୁ–ଫଳଟି ତେଣୁ ପଡ଼ିଥିଲା ନର୍ତ୍ତକୀ ହାତରେ ।

 

ରାଜା ଭର୍ତ୍ତୃହରିଙ୍କ ମନକୁ କେତେ ମାତ୍ରାରେ ଆକ୍ରାନ୍ତ କଲା ବିଦ୍ରୋହ, କ୍ରୋଧ, ଘୃଣା, ଅପମାନ ବା ଆତ୍ମଗ୍ଳାନି, ସେକଥା କହିବା ସମ୍ଭବପର ନୁହେଁ; କିନ୍ତୁ ସେ ସବୁ ଭାବଠାରୁ ବହୁଗୁଣ ଶକ୍ତିଶାଳୀ ଯେଉଁ ଭାବନା ତାଙ୍କୁ ଆଚ୍ଛନ୍ନ, ଅଭିଭୂତ ଓ ଅଥୟ କଲା ତାହା ଏକ ବା ଏକାଧିକ ପ୍ରଶ୍ନ: ସେ ଯେଉଁ କଥାକୁ ସତ୍ୟ ବୋଲି ଧରିନେଇଥିଲେ ତାହା ସତ୍ୟ ନୁହେଁ; ରାଣୀ ଯେଉଁକଥାକୁ ସତ୍ୟ ବୋଲି ଭାବିଥିଲେ ତାହା ସତ୍ୟ ନୁହେଁ । ଅର୍ଥାତ୍, ବ୍ୟକ୍ତିଗତ ଧ୍ୟାନ ଧାରଣା ସହିତ ସତ୍ୟର ସମ୍ପର୍କ କ୍ଷୀଣ । ତେବେ ସତ୍ୟ ଜାଣିବାର ଉପାୟ କ’ଣ ?

 

ରାଜମୁକୁଟ ବିକ୍ରମାଦିତ୍ୟଙ୍କୁ ସମର୍ପି ଭର୍ତ୍ତୃହରି ଆସି ଏହି ଗୁମ୍ଫାରେ, ଏହି ପ୍ରଶ୍ନ ଉପରେ ଧ୍ୟାନମଗ୍ନ ହୋଇଥିଲେ ।

 

“ନିଗମ୍‌ଜୀ ! ଟିକିଏ ଚୁପ୍‌ଚାପ୍ ଏଠି ବସିବାକୁ ଚାହେଁ ।’’ ପାଷାଣ କୁଟୀର ଭଳି ଦିଶୁଥିବା ସେ ଭୂଗର୍ଭ ଘର କେତୋଟି ପର୍ଯ୍ୟବେକ୍ଷଣ କରିବା ଅବସରରେ କହିଲି ।

 

ଅଧ୍ୟାପକ ନିଗମ ଇତସ୍ତତଃ କଲେ । ଅଗତ୍ୟା କହିଲେ, “ମୁଁ ବାହାରେ ଅଛି–ଅଧିକ ବିଳମ୍ବ କରିବେନାହିଁ ।’’

 

କିଛି ସମୟ ଉତ୍ତାରୁ ମୁଁ ବାହାରିଆସନ୍ତେ ସେ ଆଶ୍ଵସ୍ତ ଦେଖାଗଲେ । ‘‘ଲୋକେ କହନ୍ତି, ଏଠି ଏକୁଟିଆ ବେଶି ସମୟ ରହିଲେ ମୁଣ୍ଡ ବିଗିଡ଼ିଯିବାର ସମ୍ଭାବନା ଥାଏ ।” ସେ କହିଲେ ଓ ପରେ ପରେ ସଂଶୋଧନୀ ବାକ୍ୟଟିଏ ଯୋଗକଲେ, ‘‘ଅବଶ୍ୟ ଆପଣଙ୍କ ପ୍ରତି ସେଭଳି ଆଶଙ୍କା ପ୍ରଯୁଜ୍ୟ ନୁହେଁ ।”

 

–“ଧନ୍ୟବାଦ ।”

 

–“ଆଚ୍ଛା, ଭର୍ତ୍ତୃହରିଙ୍କ ଜୀବନ ସମ୍ପର୍କରେ ଆପଣ କିଛି ବିଶେଷ ତ‌ଥ୍ୟ ପାଉଛନ୍ତି ?” ସେ ପ୍ରଶ୍ନକଲେ ।

 

–“ନିଗମ୍‌ଜୀ ! ଏ ପ୍ରଶ୍ନଟି ମୁଁ ଆପଣଙ୍କୁ ନୈଶାହାର ଅବସରରେ କରିବି ବୋଲି ସାଇତି ରଖିଥିଲି । ଆପଣ ଉଜ୍ଜୟିନୀ ଉପରେ ବିଶେଷଜ୍ଞ–ତ‌ଥ୍ୟ ସିନା ଆପଣ ଯୋଗାଇବେ ।”

 

–“କିଛି ପାଇନାହିଁ–କିମ୍ବଦନ୍ତୀ କେତୋଟି ଛଡ଼ା ।”

 

ଅଧ୍ୟାପକ ନିଗମ ଯାହା କହିଲେ, ଊଣା ଅଧିକ ମୁଁ ସେତକ ଜାଣିଥିଲି । ଭର୍ତ୍ତୃହରି ଉଜ୍ଜୟିନୀର ଏ ଗୁମ୍ଫା ତ୍ୟାଗକରି ବର୍ଷ ବର୍ଷ ଧରି ତୀର୍ଥତୀର୍ଥାନ୍ତର ବୁଲିଲେ; ତତ୍କାଳୀନ ଭାରତର ବିଶେଷ ଆଧ୍ୟାତ୍ମିକ ଧାରାମାନ ପ୍ରଣିଧାନକଲେ; ହରିଦ୍ଵାରଠାରେ ବାରବର୍ଷ କାଳ ଏକ ଗୁମ୍ଫାରେ ତପସ୍ୟା କଲେ, ଏକାଧିକବାର ଉଜ୍ଜୟିନୀ ପ୍ରତ୍ୟାବର୍ତ୍ତନ କରି ପୁଣି ଦ୍ଵାରଦେଶରୁ ବାହୁଡ଼ିଯାଇଥିଲେ-

 

–‘‘ନିଗମ୍‌ଜୀ, ବୋଧହୁଏ ଭର୍ତ୍ତୃହରି କାହାଣୀର ତାତ୍ପର୍ଯ୍ୟ ଆମକୁ ଆମ ଚେତନାର ଗହନରେ ସନ୍ଧାନ କରିବାକୁ ହେବ–ଐତିହାସିକ ତଥ୍ୟରେ ନୁହେଁ ।”

 

“ହୋଇପାରେ ।’’ –ଅଧ୍ୟାପକ ଦୀର୍ଘନିଃଶ୍ଵାସ ଛାଡ଼ି କହିଲେ ।

 

ଭର୍ତ୍ତୃହରି କାହାଣୀ ତଥା ତାଙ୍କର ତିନି ଶତକ–ଶୃଙ୍ଗାରଶତକ, ନୀତି ଶତକ ଏବଂ ବୈରାଗ୍ୟଶତକ–ଏ ଲେଖକ‌କୁ ତା’ର ଛାତ୍ରଜୀବନରୁ ଆଲୋଡ଼ିତ କରିଛି । ହରିଦ୍ଵାରଠାରେ ତାଙ୍କ ସାଧନାସ୍ଥଳ ଦର୍ଶନ ପରେ ତାଙ୍କ ସମ୍ପର୍କରେ କୌତୂହଳ ଆହୁରି ଗାଢ଼ ହୋଇଥିଲା । ଆଜି ତାଙ୍କ ଜନ୍ମସ୍ଥାନ ଉଜ୍ଜୟିନୀ ଓ ତାଙ୍କ ସନ୍ଧାନ ଓ ସାଧନାର ପ୍ରଥମ କ୍ଷେତ୍ର ସନ୍ଦର୍ଶନ ପରେ ପରେ ତାହା ପ୍ରଶମିତ ହେଲାଭଳି ମନେହେଲା । (ଲେଖକର ଏହି କୌତୂହଳର ଫଳ–ତା’ର ଉପନ୍ୟାସ ‘ଅମୃତ ଫଳ’ ।)

 

ଭର୍ତ୍ତୃହରି ଗୁମ୍ଫା ପରେ ପରେ, ଗୁଳ୍ମଲତା ପରିପୂର୍ଣ୍ଣ ଉଚ୍ଚ ନୀଚ ବ୍ୟାପକ ପ୍ରାନ୍ତର । ଏହାହିଁ ଅବଲୁପ୍ତ ଉଜ୍ଜୟିନୀ । ‘‘ଏହାରି ଭିତରେ ଥାଇପାରେ ବିକ୍ରମାଦିତ୍ୟଙ୍କ ସ୍ମୃତି !” ସିପ୍ରା ତୀରବର୍ତ୍ତୀ ଅଞ୍ଚଳଆଡ଼େ ବାହୁ ବିସ୍ତାର କରି କହିଲେ ଅଧ୍ୟାପକ ନିଗମ ।

 

‘‘ସ୍ତର ପରେ ସ୍ତର ଧ୍ଵଂସାବଶେଷ ଭିତରୁ ବିକ୍ରମାଦିତ୍ୟଙ୍କ ସ୍ମୃତିବାହକ ଅବଶେଷ ଚିହ୍ନଟ କରିବା ସମ୍ଭବପର ହେବ କି ?” –ପ୍ରଶ୍ନକଲି ଏବଂ ମନ୍ତବ୍ୟ ଦେଲି, “କିମ୍ବଦନ୍ତୀ ତ ଆଉ ଇତିହାସ ନୁହେଁ ?”

 

‘‘ସ୍ଥଳବିଶେଷରେ କିମ୍ବଦନ୍ତୀ ହିଁ ଇତିହାସ ।” ମୋର ଭ୍ରମ ସଂଶୋଧନ କଲାଭଳି ଜୋର୍ ଦେଇ କହିଲେ ଅଧ୍ୟାପକ ନିଗମ । ‘‘ସାନ୍ଦୀପନି ମୁନିଙ୍କୁ ଆପଣ ପ୍ରାଗୈତିହାସିକ ବା ପୌରାଣିକ ଚରିତ୍ର ବୋଲି କହିବେ । କିନ୍ତୁ ଶ୍ରୀକୃଷ୍ଣଙ୍କର ସେହି ଶିକ୍ଷକବଂଶ ଅଦ୍ୟାବଧି ଅବ୍ୟାହତ । ସେ ପରମ୍ପରା ଉପରେ କେହି କେବେ ପ୍ରଶ୍ନ ଉଠାଇନାହାନ୍ତି । ସେ ବଂଶଧାରାର ବର୍ତ୍ତମାନ ପୁରୁଷଙ୍କ ନାମ ଆପଣ ଶୁଣିଥାଇପାରନ୍ତି–ମହାନ୍‌ ବିଦ୍ଵାନ୍ ପଣ୍ଡିତ ସୂର୍ଯ୍ୟନାରାୟଣ ବ୍ୟାସ । କିମ୍ଵଦନ୍ତୀ ଓ ଇତିହାସ ଭିତରେ ସୀମାନ୍ତ ରେଖା ଚିହ୍ନଟ ଏ କ୍ଷେତ୍ରରେ ସମ୍ଭବ ନୁହେଁ–ପ୍ରୟୋଜନ ବି ନୁହେଁ ।”

ସୂର୍ଯ୍ୟ ଅସ୍ତଯାଉଥିଲେ । ଖଣ୍ଡିଏ ପଥର ଉପରେ ବସି ଭୂଗର୍ଭ-ବିଲୀନ ଉଜ୍ଜୟିନୀଆଡ଼େ ଅନାଇରହିବା ଭିତରେ ଅନୁଭବ କରୁଥିଲି ଅଧ୍ୟାପକଙ୍କ ବକ୍ତବ୍ୟ କେଡ଼େ ମର୍ମସ୍ପର୍ଶୀ । ଯେମିତି ଆଲୁଅ ଓ ଅନ୍ଧକାର ଅବିଚ୍ଛିନ୍ନ ରହିଥିଲେ ଆଦିଗନ୍ତ ଏ ଗୋଧୂଳି ଭିତରେ, ସେ ମୁହୂର୍ତ୍ତରେ, ସେହି ଗୋଧୂଳି ଭଳି ବାସ୍ତବ ମନେହୋଇଥିଲା କିମ୍ବଦନ୍ତୀ ଓ ଇତିହାସର ରହସ୍ୟଘନ ସଙ୍ଗମ ।

☆☆☆

 

(ସତର)

ରହସ୍ୟମୟୀ ‘ରାଣୀ’

 

“ଭାବିଥିଲି, ଆପଣ ଜଣେ ବଢ଼ିଆ ଫୁଟ୍‌ବଲ୍‌ ଖେଳାଳୀ । ଆମ ଜେନ୍‌ରାଲ୍ ମ୍ୟାନେଜର୍ କାନୁଗା ସାହେବ ମାରାତ୍ମକ ଖେଳଭକ୍ତ । ମଧ୍ୟେ ମଧ୍ୟେ କଲିକତାରୁ ଖେଳାଳୀ ନେଇ ଯା’ନ୍ତି ।’’

 

ଷଷ୍ଠ ଦଶକର ମଝାମଝି ସମୟରେ କଲିକତା ଉପକଣ୍ଠର ଦମ୍‌ଦମ୍ ବିମାନବନ୍ଦରରେ ଜଣେ ସହଯାତ୍ରୀଙ୍କୁ ଏ ଲେଖକ ଅଭିବାଦନ ସହକାରେ ନିଜ ପରିଚୟ ଦିଅନ୍ତେ ସେ ଏହି ସବିନୟ ସହାସ୍ୟ ଉକ୍ତି ଯୋଗେ ପ୍ରତ୍ୟଭିବାଦନ କରିଥିଲେ ।

 

ଉଦାର ମଣିଷମାନେ ଏକାଧିକବାର ଏ ଲେଖକ ଉପରେ ତା’ର ଅନୁପାର୍ଜିତ ଗୌରବ ଅଜାଡ଼ି ଦେଇଛନ୍ତି । ଦୃଷ୍ଟାନ୍ତ ସ୍ଵରୂପ : ଆଇନ୍ କଲେଜରେ ପଢ଼ିବାବେଳେ ଥରେ ଅପକ୍ଷାକୃତ ଅଧିକ ରାତିରେ କଟକର ରାଣୀହାଟ ବଜାର ରାସ୍ତାରେ ଜଣେ ଅପରିଚିତ ଯୁବକ ବ୍ୟବସାୟୀ ନିଜ ଜୀବନକୁ ପାଣିଛଡ଼ାଇ କାମଟିଏ କଲା ଭଙ୍ଗୀରେ ହଠାତ୍ ମୋ ଆଗକୁ ଡେଇଁପଡ଼ି ପ୍ରାୟ ପାଦଛୁଇଁ କହିଥିଲେ, ସୁଖର ସନ୍ଧାନରେ ସେ ସଦ୍ୟବିବାହିତ ଏବଂ ସବୁ କଥା ନ ଶୁଣି ମୁଁ ଯେପରି ମୋ ସାଥିରେ ଥିବା ଭୟଙ୍କର ଗୁଣ୍ଡାଟିକୁ ତା’ ଉପରେ ପ୍ରୟୋଗ କରି ତା’ ସ୍ଵପ୍ନ ଧୂଳିସାତ୍ କରିନଦିଏଁ ! ବିସ୍ମୟରୁ ଉତ୍ତୀର୍ଣ୍ଣ ହେବା ପରେ ନିଜକୁ ଜଣେ ଗୁଣ୍ଡାଦାର୍ ଭାବରେ ଦେଖି ହୁଏତ କିଞ୍ଚିତ୍ ଆତ୍ମପ୍ରସାଦ ଅନୁଭବ କରିଥିଲି, କିନ୍ତୁ ମୋ ସାଥୀ ଜଣଙ୍କୁ ଯେ ସେ ଭଦ୍ରଲୋକ ମୋ ପ୍ରତିପାଳିତ ଜଣେ ଦୁର୍ଦ୍ଧର୍ଷ ଗୁଣ୍ଡା ବୋଲି ଠଉରାଇପାରିଲେ, ତାହା ସେଦିନ ମଣିଷର ଧାରଣାର ବ୍ୟାପକତା ସମ୍ପର୍କରେ ମୋତେ ଶିକ୍ଷିତ କରିଥିଲା । କାରଣ ସେ ବନ୍ଧୁଟି ବିଂଶଶତାବ୍ଦୀର ପଞ୍ଚମ ଦଶକରେ ଥିଲେ ଲଳିତଲବଙ୍ଗଲତାର ଧୋତି ପଞ୍ଜାବୀ ପରିହିତ ଏକ ତରୁଣ ସଂସ୍କରଣ । (ତାଙ୍କୁ ଚିହ୍ନିଥିବା ଲୋକଙ୍କ ଆମୋଦାର୍ଥେ: ସେ ହେଲେ ଶ୍ରୀ ବିଶ୍ୱମ୍ଭର ସାମନ୍ତ !)

 

ବିଶିଷ୍ଟ ଫୁଟ୍‌ବଲ୍‌ ଖେଳାଳୀ ଭଳି ଦିଶୁଥିବା ଦୃଷ୍ଟିରୁ ଆତ୍ମପ୍ରସାଦ ଅନୁଭବ କରିଥିଲି କି ନା ମନେପକାଇପାରୁନାହିଁ, କିନ୍ତୁ ଅଚିରେ ସେ ସହଯାତ୍ରୀଙ୍କ ସୌଜନ୍ୟ ଓ ସ୍ଵତଃସ୍ଫୂର୍ତ୍ତ ସୌଖ୍ୟ ମୋତେ ଚମତ୍କୃତ କଲା । ଅଦୂର ଭବିଷ୍ୟତରେ ସେ ମୋର ବିଶିଷ୍ଟ ବନ୍ଧୁ ହେବା ତଥା ମୋଠୁଁ ଦୁଇବର୍ଷ ବଡ଼ ହୋଇଥିବା ଦୃଷ୍ଟିରୁ ଅଗ୍ରଜର ସମ୍ମାନ ପାଇବା ଥିଲା ବିଧିନିର୍ଦ୍ଦିଷ୍ଟ । ସେ ହେଲେ ଡାକ୍ତର ଦିଲୀପ୍‍ ଦତ୍ତ; ପରବର୍ତ୍ତୀକାଳରେ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମର ଆରୋଗ୍ୟ ସଂଗଠନର ମୁଖ୍ୟ ପରିଚାଳକ ।

 

କଲିକତାରୁ ଯାଉଥିଲି ଆସାମ । ମୋ କାର୍ଯ୍ୟକ୍ରମର ଆୟୋଜକମାନେ ମୋତେ ସେତେବେଳର ବ୍ରିଟିଶ୍ ସଂସ୍ଥା ‘ଆସାମ୍ ଅଏଲ୍‌ କମ୍ପାନୀ’ର ଅତିଥି ବନାଇ ନେଉଥିଲେ । କମ୍ପାନୀର ଡ୍ରାଇଭର୍ ମୋତେ କାରରେ ବସାଇବାବେଳେ କହିଥିଲେ, “ଆଉ ଦୁଇଜଣଙ୍କୁ ବାଟରୁ ଉଠାଇନେବି–କିଛି ଅସୁବିଧା ହେବନାହିଁ ତ ?’’

 

ସେ ଅନାଗତଦ୍ଵୟଙ୍କ ସୁବିଧା ନିମନ୍ତେ ମୁଁ ଡ୍ରାଇଭର୍ ପାଖରେ ହିଁ ବସିଲି । ଯଥା ସ୍ଥାନରେ ସେ ଦୁହେଁ ଗାଡ଼ିକୁ ଉଠି ଗପସପରେ ମଜ୍ଜିଗଲେ । ତାଙ୍କ ଭିତରୁ ଜଣେ ପଣ୍ଡିଚେରୀ ଶବ୍ଦ ଉଚ୍ଚାରଣ କରନ୍ତେ ମୁଁ ଥରେ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ପଛକୁ ଅବଶ୍ୟ ଅନାଇଥିଲି, କିନ୍ତୁ ଫୁଟ୍‌ବଲ୍‌ ଖେଳାଳୀ ପଣ୍ଡିଚେରୀରୁ କ’ଣ ପାଇବ ବୋଲି ଡାକ୍ତର ଦତ୍ତ ସେତେବେଳେ ମୋ ଦୃଷ୍ଟିପାତ ଉପରେ ଗୁରୁତ୍ୱ ନ ଦେବା ସ୍ଵାଭାବିକ ।

 

ବିମାନବନ୍ଦରରେ ତାଙ୍କୁ ଏକୁଟିଆ ଦେଖି ଗପସପ ଆରମ୍ଭ କରିବାମାତ୍ରେ ସେ ମୋ ଟିକେଟ୍ ନେଇ ତାଙ୍କ ଟିକେଟ୍ ସହ ପାଖାପାଖି ଦୁଇଟି ସିଟ୍ କରାଇ ଆଣିଲେ । ପରେ କେତେଥର ଆସାମ ଯାଇଛି, କିନ୍ତୁ ଆଉ କେବେ ଯାତ୍ରା ସେଦିନ ଭଳି ଚମତ୍କାର ହୋଇ‌ନାହିଁ । ସେତେବେଳେ ଡିଗ୍‌ବୟରେ ଅବସ୍ଥିତ ବ୍ରିଟିଶ୍ ସଂସ୍ଥାର ଆରୋଗ୍ୟ ନିକେତନର ଜଣେ ଚିକିତ୍ସକ (ତ‌ଥା ବର୍ଷକ ଭିତରେ ସେ ପ୍ରତିଷ୍ଠାନର ପ୍ରଥମ ଭାରତୀୟ ମୁଖ୍ୟ) ଡାକ୍ତର ଦିଲୀପ୍‍ ଦତ୍ତ କେଇ ମିନିଟ୍ ଭିତରେ ବନିଗଲେ ଦିଲୀପ୍‍ଦା’ । ମୋତେ ଝରକା ପାଖରେ ବସାଇ ସେ ଦିଗନ୍ତପ୍ରସାରୀ ପ୍ରକୃତି ଓ ତୁଷାରାବୃତ ପର୍ବତମାଳା ସହ ପରିଚୟ କରାଇ ଚାଲିଲେ ।

 

ଗୌହାଟି ପାରିହୋଇ ମୋହନବୋଡ଼ି ବିମାନ ବନ୍ଦରରେ ପହଞ୍ଚିଲୁ ଦ୍ଵିପ୍ରହରବେଳେ । ମୋତେ ଡିବ୍ରୁଗଡ଼ରେ ଦୁଇଦିନ ରହିବାକୁ ହେବ । ଡିଗ୍‌ବୟରେ ସାକ୍ଷାତର ପ୍ରତିଶ୍ରୁତି ଦେଇ ଦିଲୀପ୍‍ଦା’ ବିଦାୟନେଲେ । ମୋତେ ପାଛୋଟିନେବାକୁ ଆସିଥିବା ବନ୍ଧୁମାନେ ମୋତେ ନେଇ ଏକ ସ୍ଥାନୀୟ ଆଶ୍ରମର ଛୋଟିଆ ଅତିଥି ଭବନରେ ଥଇଥାନ କଲେ । ଚାହାପାନ ଓ କିଞ୍ଚିତ୍ ବିଶ୍ରାମ ଅନ୍ତେ ମୋତେ ଡିବ୍ରୁଗଡ଼ ବୁଲାଇବାକୁ ନେଇଗଲେ ସଦ୍ୟପରିଚିତ କେତେଜଣ ସ୍ଥାନୀୟ ଅହମୀୟା ଏବଂ ବଙ୍ଗୀୟ ଭଦ୍ରଲୋକ । ଭାରତର ଏ ସୁଦୂର ପୂର୍ବାଞ୍ଚଳର ବାତାବରଣ ଦେଶର ଅନ୍ୟାନ୍ୟ ମୁଲକଠୁଁ ଆପାତ ଦୃଷ୍ଟିରେ କେତେ ଭିନ୍ନ ! କିନ୍ତୁ ସେ ଭିନ୍ନତାର ଅନୁଭବରୁ ଉତ୍ତୀର୍ଣ୍ଣ ହେବାକୁ ଅଧ‌ିକ ସମୟ ଲାଗେନାହିଁ । ପୌରାଣିକ ଯୁଗର ପ୍ରାଗଜ୍ୟୋତିଷପୁର ଏବଂ କାମରୂପ–ଆଜିର ଆସାମ–ପ୍ରାଚୀନକାଳରେ ଯେମିତି ଇତିହାସ, ମହାକାବ୍ୟ ଇତ୍ୟାଦିରେ ଯଥୋଚିତ ଉଲ୍ଲେଖ ଲାଭକରିଛି, ଆସାମର ଆଧୁନିକ ସଂସ୍କୃତି ଓ ସାହିତ୍ୟ ବି ସେମିତି ଭାରତୀୟ ପରମ୍ପରାର ମାଧୁର୍ଯ୍ୟ ଏବଂ ଔଦାର୍ଯ୍ୟ ଅବ୍ୟାହତ ରଖିଛି । ପୌରାଣିକ ରାଜାମାନଙ୍କ ତାଲିକାର ଅନ୍ତର୍ଭୁକ୍ତ ନରକ ଓ ଭଗଦତ୍ତ; ଇତିହାସର ତାଲିକାରେ ପ୍ରାଚୀନ ନରପତିମାନଙ୍କ ଭିତରେ ବିଖ୍ୟାତ ଭାସ୍କର ବର୍ମା ।

 

ଏକଦା ଆସାମ ଥିଲା ଏକ ବୃହତ୍ ପ୍ରଦେଶ । ସ୍ଵାଧୀନତା ପରେ ପରେ ତା’ର ଉତ୍ତର-ପୂର୍ବ ସୀମାନ୍ତକୁ ନର୍ଥ ଇଷ୍ଟ ଫ୍ରଣ୍ଟିଅର୍ ଏଜେନ୍ସି (NEFA) ବୋଲି ନାମିତ କରି, ଦେଶରକ୍ଷା ନୀତି ଦୃଷ୍ଟିରୁ ଗୋଟିଏ ବିଶେଷ ଶାସନକଳ ଅକ୍ତିଆରରେ ରଖାଗଲା । ବହୁ ପାର୍ବତ୍ୟ ଉପଜାତିଙ୍କ ସମାହାରରେ ଆସାମର ଯେଉଁ ବ୍ୟାପକ ବୈଚିତ୍ର୍ୟ ଥିଲା, ତା’ର ଗୌରବ, କ୍ରମେ ତାହାର ଉପଜାତୀୟ ସମଷ୍ଟିଗତ ଅହଂ ଯୋଗୁ ବ୍ୟାହତ ହୋଇଛି । ଉପଜାତିମାନଙ୍କ ପ୍ରାଧାନ୍ୟ ଅନୁସାରେ ସେ ଅଞ୍ଚଳର ପର୍ବତମାଳାସମୂହ ନାମିତ: ନାଗା ପର୍ବତ, ମିଜୋ ପର୍ବତ, ଜୈନ୍ତିଆ ପର୍ବତ, ଖାସି ପର୍ବତ, ଗାରୋ ପାହାଡ଼ ଇତ୍ୟାଦି । ନାଗାବହୁଳ ଅଞ୍ଚଳରୁ ଆସାମକୁ ଅଲଗାକରି ୧୯୬୧ରେ ନାଗାଲାଣ୍ଡ ରାଜ୍ୟରେ ପରିଣତ କରାହେଲା । ନେଫା ୧୯୭୨ରେ ଅରୁଣାଚଳ ପ୍ରଦେଶରେ ପରିଣତହେଲା । ଅଷ୍ଟମ ଦଶକର ଶେଷଆଡ଼କୁ ମିଜୋରାମ ସୃଷ୍ଟିହେଲା । ସାଂସ୍କୃତିକ ସୁରକ୍ଷା ଓ ଶାସନର ସୁବିଧା ଦୃଷ୍ଟିରୁ ଏଭଳି ରାଜ୍ୟ ଗଠନରେ ଅସଙ୍ଗତି କିଛି ନାହିଁ, କିନ୍ତୁ ଦୁର୍ଭାଗ୍ୟକୁ ଏ ବିଭାଜନ ପ୍ରକ୍ରିୟା ପଛରେ ଯାହା କାମ କରୁଛି ତାହା ସେଭଳି ସୁସ୍ଥ, ଗଠନମୂଳକ ମନୋଭାବ ନୁହେଁ, ବରଂ ରହିଛି ଶାସନକଳର ଅବହେଳା ଏବଂ ଉପଜାତି ଉପଜାତି ଭିତରେ ଭୀଷଣ ଶତ୍ରୁତା ତଥା କେତେକ ବିଦେଶୀ ସଂଗଠନଙ୍କ ପ୍ରରୋଚନା ।

 

ବିମାନ ବନ୍ଦରରେ ମୋତେ ପାଛୋଟି ନେବା ବ୍ୟକ୍ତିବର୍ଗଙ୍କ ଭିତରେ ଥିଲେ ଡିବ୍ରୁଗଡ଼ ବିଶ୍ଵବିଦ୍ୟାଳୟର ଇତିହାସ ଅଧ୍ୟାପକ ମଣିଲାଲ ବୋଷ୍ । ଅତିଥି ଭବନରେ ପହଞ୍ଚି ଚାହାପାନ ଅବସରରେ ତାଙ୍କୁ ପଚାରିଲି, “ଅହମ୍ ଜାତିର ଲୋକେ ବ୍ରହ୍ମଦେଶରୁ ତ୍ରୟୋଦଶ ଶତାବ୍ଦୀରେ ଭୂଖଣ୍ଡକୁ ମାଡ଼ିଆସି କ୍ରମେ ରାଜୁତି ସ୍ଥାପନ କରିଥିବାରୁ ଏହାର ନାମ ଆସାମ; କିମ୍ଵା ଅସମତଳ ମୁଲକ ବୋଲି ଅସମରୁ ଆସାମ—ଏଭଳି ଦୁଇଟି ତତ୍ତ୍ଵ ପଢ଼ିଥିଲି । ଏବେ ପୁଣି ପଢ଼ିଲି ଆସାମ ଯେଉଁ ଅସମ ଶବ୍ଦରୁ ଆହୃତ, ସେ ଆସାମର ଅର୍ଥ ଯାହାର ସମାନ କେହି ନୁହେଁ–ଅର୍ଥାତ୍ ଅଦ୍ଵିତୀୟ-। କେଉଁ ତତ୍ତ୍ଵ ଆପଣଙ୍କ ଦ୍ଵାରା ସମର୍ଥିତ ?”

 

“ଅହମ୍‍ରୁ ଆସାମ ଅଧିକ ବାସ୍ତବ ମନେହୁଏ ।” –କହିଲେ ଅଧ୍ୟାପକ ବୋଷ । ତେବେ, ପରେ ପରେ ବୋଷ କିମ୍ବା ପାଖରେ ଥିବା ଅନ୍ୟଜଣେ ପଣ୍ଡିତ ମୃଦୁ ଭାବରେ ଏହା କହିଲେ, “ହୁଏତ ଏକହିଁ ପ୍ରାଚୀନ ଶବ୍ଦରୁ ସିଆମ (ଥାଇଲାଣ୍ଡ) ଏବଂ ଆସାମ ଆସିଥାଇପାରେ ।”

 

ଅଧ୍ୟାପକ ବୋଷଙ୍କୁ କେଇ ବର୍ଷ ପରେ ପ୍ରଚଣ୍ଡ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କ ପ୍ରଣୀତ ଉତ୍ତର-ପୂର୍ବ ଭାରତର ଇତିହାସରେ ଭଦ୍ରଲୋକ ଅହମିୟାମାନଙ୍କ ସମ୍ପର୍କରେ ଏମିତି କେତୋଟି କଥା ଲେଖିଲେ, ଯାହା ଯୋଗୁଁ ଆସାମ ବ୍ୟାପି ବିଶ୍ଵବିଦ୍ୟାଳୟମାନଙ୍କରେ ଧର୍ମଘଟ ହେଲା ଏବଂ ସେତିକି ନୁହେଁ, ଦିନେ ନିଶାର୍ଦ୍ଧରେ ଉତ୍ତ୍ୟକ୍ତ ଯୁବକ କେତେଜଣ ଆସି ଅଧ୍ୟାପକଙ୍କ ବସା ଉପରେ ଚଢ଼ାଉ କଲେ । କ୍ଷୀଣକାୟ, ଖର୍ବକାୟ, ଐତିହାସିକଟି ବିରଳ ଆତ୍ମବିଶ୍ଵାସକୁ ପୁଞ୍ଜିକରି ସେମାନଙ୍କୁ ବୁଝାଇଲେ, ସେ ନିଜେ କିଛି ଲେଖିନାହାନ୍ତି, ପ୍ରାଚୀନ ଅହମିୟା ନଥିପତ୍ରରୁ ଉଦ୍ଧୃତି ଦେଇଛନ୍ତି ମାତ୍ର । ସେସବୁ ବହୁ ଅତୀତର କେତୋଟି ଝଲକ । ସେସବୁକୁ ‘ଆଜି’ର ଆସାମ ତା’ ଉପରେ ମନ୍ତବ୍ୟ ବୋଲି ଗ୍ରହଣ କରିବାର ଅର୍ଥ ନାହିଁ ।

 

ନିଜ ଯୁକ୍ତିର ପ୍ରଖରତା ଯୋଗୁଁ ଯେ ସେଦିନ ଐତିହାସିକ ନିଜ ପ୍ରାଣ ରକ୍ଷାକରିପାରିଲେ ତାହା ନୁହେଁ, ତାଙ୍କ ନିର୍ଭୟ ଓ ଅନୁତ୍ତେଜଭାବ ସେ ‘ଦେଶପ୍ରେମୀ’ ବର୍ଗଙ୍କୁ ପ୍ରଭାବିତକଲା ।

 

ସେଦିନ ଦିବାହାର ପରେ ବିଶ୍ରାମ କରୁଛି, କବାଟରେ ହେଲା ମୃଦୁ କରାଘାତ । ଦିନ ଚାରିଟା ପର୍ଯ୍ୟନ୍ତ ମୋ ବିଶ୍ରାମ ଅବ୍ୟାହତ ରହିବ ବୋଲି ସଦିଚ୍ଛୁମାନେ ପ୍ରତିଶ୍ରୁତି ଦେଇଯାଇଥିଲେ । କିଏ ତେବେ ଏ କରାଘାତକାରୀ ?

 

କବାଟ ଖୋଲିବାମାତ୍ରେ ଯିଏ ଦୁର୍ବାର ରୀତିରେ ପଶିଆସିଲେ, ତାଙ୍କ ଚେହେରାରେ ବିଶେଷତ୍ଵ ଥିଲା । ଅଙ୍ଗପ୍ରତ୍ୟଙ୍ଗମାନ ଯେମିତି ଭିନ୍ନ ଭିନ୍ନ ଉତ୍ସରୁ ଆସି କୌଣସି ଷଡ଼ଯନ୍ତ୍ରମାନସରେ ଏକ‌ତ୍ର ହୋଇଥିଲେ ।

 

ମୁଁ ବସିବାକୁ କହିବା ସତ୍ତ୍ଵେ ସେ ଠିଆହୋଇରହିଲେ ।

 

‘‘ଆପଣ ଜଣେ ଲେଖକ ?’’ –ସେ ପ୍ରଶ୍ନଟି ପଚାରୁଥିଲେ ଗୋଟିଏ ଦୋକାନକୁ ଉଠି ସେଠି ଫିନାଇଲ୍ ଅଥବା କାର୍ବୋଲିକ୍ ସାବୁନ୍ ଅଛି କି ନାହିଁ ଜାଣିବା ଶୈଳୀରେ । “ହଁ” ଉତ୍ତର ଦେଲି କୁଣ୍ଠିତଭାବରେ ଏବଂ ପୁଣି କହିଲି, ‘‘ବସୁନାହାନ୍ତି କାହିଁକି ?”

 

ଆଗନ୍ତୁକ ବି କୁଣ୍ଠିତଭାବରେ ବସିଲେ ।

 

କହିବା ବାହୁଲ୍ୟ, କଥାବାର୍ତ୍ତା ଇଂରାଜୀରେ ହେଉଥିଲା । ଆଗନ୍ତୁକଙ୍କ ବେଶଭୂଷା, ଚାଲିଚଳଣ, କେଶସଜ୍ଜା ସେହି ଅଞ୍ଚଳର କୌଣସି ଏକ ଧାରାରେ ପଡ଼ୁଥିଲା, କିନ୍ତୁ ତାଙ୍କ ଇଂରାଜୀ ଉଚ୍ଚାରଣ ଥିଲା ପକ୍‌କା ।

 

–‘‘ରାଣୀ ଗାଇଦେଲୁ ସମ୍ପର୍କରେ କିଛି ଜଣାଅଛି ?’’

 

ଚମକିପଡ଼ିଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏ ତଥାକଥିତ ରାଣୀ ସେତେବେଳେ ଥିଲେ ନାନାଦି ଚାଞ୍ଚଲ୍ୟର କାରଣ ।

 

–‘‘ସମ୍ବାଦପତ୍ରମାନଙ୍କରୁ ଯେତିକି ସମ୍ଭବ ଜାଣିଛି ।”

 

–‘‘କିଛି ଜାଣନ୍ତିନାହିଁ ।”

 

–‘‘ରାଣୀ ନାଗାମାନଙ୍କ ନେତ୍ରୀ ।”

 

–‘‘କିଛି ଜାଣନ୍ତିନାହିଁ ।”

 

–‘‘ରାଣୀ ନାଗା ରାଜ୍ୟ ଗଠନପାଇଁ ଉଦ୍ୟମୀ ।”

 

–‘‘କିଛି ଜାଣନ୍ତିନାହିଁ ।”

 

ଅଗତ୍ୟା ଚୁପ୍‌ରହିଲି । ଆଗନ୍ତୁକ ଏତେବେଳେ ଯାଇ ଟିକିଏ ହସିଲେ । ବାତାବରଣ ତତ୍‌କ୍ଷଣାତ୍ ବଦଳିଗଲା । ମୋର ମନେହେଲା, ତାଙ୍କର ଯେଉଁ ବଚନଭଙ୍ଗୀ ମୋତେ ରୁକ୍ଷ ନହେଲେ ବି ଅଖାଡ଼ୁଆ ଲାଗୁଛି, ତାହା ତାଙ୍କର ସ୍ଵାଭାବିକ ସରଳତାର ହିଁ ଅଭିବ୍ୟକ୍ତି ।

 

–‘‘ଆପଣ ଯଦି ଭାବୁଛନ୍ତି, ମୁଁ ରାଣୀଙ୍କ ବିଷୟରେ କିଛି ଜାଣିବା ଉଚିତ, ବହିପତ୍ର ଦେଲେ ପଢ଼ିବି ।”

 

–“ବହିପତ୍ରରେ ଯେତେ ଯାହା ଲେଖାହୋଇଛି ସବୁ ବାଜେ । ରାଣୀ ନେତ୍ରୀ ନୁହନ୍ତି, ଠାକୁରାଣୀ । ନାଗା ରାଜ୍ୟ ନୁହେଁ, ନାଗା ମୁକ୍ତି ତାଙ୍କର ଉଦ୍ଦେଶ୍ୟ ।”

 

–“ଓଃ ଏମିତି କଥା ।’’

 

–“ଆପଣ ଥଟ୍ଟାଳିଆ ଭାବରେ ମନ୍ତବ୍ୟ ଦେଉଛନ୍ତି ବୁଝିପାରୁଛି, କିନ୍ତୁ କଥା ବାସ୍ତବିକ ଏମିତି । ଲେଖିବେ ତାଙ୍କ ବିଷୟରେ ? ତା’ହେଲେ ଆପଣଙ୍କୁ ଆମେ ନେଇଯିବୁ । ସବୁ ଶୁଣିବେ । ବସି ଲେଖିବେ । ଆପଣଙ୍କୁ ଆଣି ଏଠି ଛାଡ଼ିଦେଇଯିବୁ । ରାଜି ?’’

 

–“ନୀତିଗତଭାବରେ ଆପତ୍ତିନାହିଁ । କେତେ ସମୟ ଲାଗିବ ?’’

 

–‘‘ସପ୍ତାହେ । ଆପଣ ମନକଲେ ଅଧିକଦିନ ରହିପାରନ୍ତି ।”

 

–“ଓଃ, ସମ୍ଭବ ନୁହେଁ । ମୁଁ ଭାବିଥିଲି ଘଣ୍ଟେ ଦୁଇଘଣ୍ଟା...’’

 

ଆଗନ୍ତୁକ ଉଠିପଡ଼ିଲେ । ‘‘ପାଞ୍ଚଦିନ ପାଇଁ ପ୍ରସ୍ତୁତ ?’’ –ସେ ଅଣ୍ଟାରେ ହାତ ରଖି, ତୀବ୍ର ଦୃଷ୍ଟି ନିକ୍ଷେପ କରି ଧମକଦେଲେ ।

 

–“ଦୁଃଖିତ, ଆଗାମୀ କାଲି ଉପରଓଳି ଏଠାରୁ ଡିଗ୍‌ବୟ ଯିବାକୁ ହେବ । ସେଠାକାର କାର୍ଯ୍ୟକ୍ରମ ପରେ କଲିକତା ପ୍ରତ୍ୟାବର୍ତ୍ତନ ଜରୁରୀ ।”

 

–“ବେଶ୍, ମୁଁ ଆପଣଙ୍କୁ ଭେଟିଥିଲି, ଏକଥା କାହାକୁ କହିବା ଦରକାର ନାହିଁ ।”

 

–“ମୋତେ କିଏ ଭେଟିଥିଲେ, ସେତିକି ତ ଏଯାଏଁ ମୁଁ ନିଜେ ଜାଣିନାହିଁ ।”

 

–“ଜାଣିବା ଦରକାର ନାହିଁ ଆଉ ?”

 

–‘‘ଆପଣ ଜଣେ ନାଗା ? କିନ୍ତୁ ଆପଣ ତ କିଛି ଅନ୍ୟାୟ କଥା କହିନାହାନ୍ତି... ’’

 

ମୋ କଥା ଶୁଣିବାଭଳି ଧୈର୍ଯ୍ୟ ତାଙ୍କର ନଥିଲା–ସେ ବାହାରିଗଲେ । ଅଧଫର୍ଲଙ୍ଗ ଦୂରରେ ମୋଟର୍ ସାଇକେଲ୍‌ ରହିଥିଲା । କିଛି ଦୂର ଠେଲିନେଇ ଯାଇ ଷ୍ଟାର୍ଟ ଧରନ୍ତେ ଘୋଡ଼ା ଚଢ଼ିବା ରୀତିରେ ତହିଁ ଉପରକୁ ଲମ୍ଫଦେଇ ସେ ଅଦୃଶ୍ୟ ହୋଇଗଲେ ।

 

ସେତେବେଳେ ପଢ଼ିନଥିଲି, ପରେ ଉର୍ସୁଲା ଗ୍ରାହାମ୍ ବାଓ୍ୱାର୍‌ଙ୍କ ‘‘ନାଗାପାଥ୍’’ ନାମକ ବହିରେ ଏବଂ ଯେଉଁ ନିଷ୍ଠାବାନ୍, ସାହସୀ ରାଜକର୍ମଚାରୀଙ୍କ ଉଦ୍ୟମରେ ରାଣୀ ଗାଇଦେଲୁ ଆତ୍ମସମର୍ପଣ କଲେ–ବହୁ ପରେ ପ୍ରକାଶିତ ସେହି ସୁବୋଧଚନ୍ଦ୍ର ଦେବଙ୍କ ‘Nagaland: the Untold Story’ ବହିରେ ସେ ଅପୂର୍ବାଙ୍କ କାହାଣୀ ପଢ଼ିଲି ।

 

ଉର୍ସୁଲା ଗ୍ରାହମ୍‍ ବାଓ୍ଵାର୍‍ ୧୯୩୭ମସିହାରେ ସେତେବେଳର ଦୁର୍ଗମ-ପ୍ରାୟ ଉତ୍ତର-ପୂର୍ବ ସୀମାନ୍ତରେ ଯାଇ ପହଞ୍ଚିଥିଲେ । ୧୯୫୨ରେ ପ୍ରକାଶିତ ତାଙ୍କର ଅଧୁନା ଅମିଳକ ବହିକୁ ଆଧାରକରି ସାମାନ୍ୟ ତଥ୍ୟ ପରିବେଶଣ କରୁଛି ।

 

ନାଗାମାନଙ୍କ ଭିତରେ କାହିଁ କେତେବର୍ଷ ଧରି ସଚଳ ଥିଲା ଗୋଟାଏ ଭବିଷ୍ୟତ୍‌ବାଣୀ–ଯେ ଦିନେ ତାଙ୍କ ଭିତରେ ଉଦ୍‌ଭୁତ ହେବେ ଜଣେ ରାଜା, ସେ ଇଂରେଜମାନଙ୍କୁ ତଡ଼ି ନାଗାଜାତିକୁ ସ୍ୱାଧୀନତା ଆଣିଦେବେ । ୧୯୨୯ରେ ଜାଡ଼ୁ ନାମକ ଜଣେ ନାଗା ଘୋଷଣା କଲେ କି ସେ ଭବିଷ୍ୟତ୍‌ବାଣୀ ଫଳିବାକୁ ଆରମ୍ଭ କଲାଣି । ସେ ନିଜେ ସେହି ରାଜା । ବାକି ରହିଲା ଇଂରେଜ ବିତାଡ଼ନ । ସେ ପାଇଁ ଲୋଡ଼ା ଟଙ୍କାପଇସା, ସୁନାରୁପା । ହିନ୍ଦୁ, ଖ୍ରୀଷ୍ଟଧର୍ମ ତଥା ନିଜ ଉପଜାତିର ସଂସ୍କାର ସବୁର ସମାହାରରେ ଏ ‘ରାଜା’ ଗୋଟାଏ ନୂଆ ଧର୍ମ ବି ପ୍ରବର୍ତ୍ତନ କଲେ ।

 

‘ରାଜା’ଟି ନିରାପଦରେ ‘ରାଜୁତି’ କରୁଥାନ୍ତି । ଆହୁରି କିଛି କାଳ କରିଥାନ୍ତେ । କିନ୍ତୁ ଦିନେ ମଣିପୁରର ଚାରିଜଣ ସମୃଦ୍ଧ ବେପାରୀ ତାଙ୍କ ମୁଲକରେ ପଶିବା ପରେ ନିରୁଦ୍ଦିଷ୍ଟ ହୋଇଗଲେ । ସେକଥା ବି କ୍ରମେ କର୍ତ୍ତୃପକ୍ଷ ପାସୋରି ଦେଇଥାନ୍ତେ । ତେବେ, ବିଧିର ବିଧାନ କେ କରିବ ଆନ । ରାଜାଙ୍କର ଜଣେ କଟୁଆଳ ବର୍ଷକ ପରେ ଅନ୍ୟ ଏକ ଉପଜାତି ବସତିରେ ମଦ ପିଇ ଜଣଙ୍କସହ ଝଗଡ଼ା ଉପୁଜାଇ ଧମକଦେଲା, “ଦେଖ୍‍, ମୋ ସହ ବିବାଦ କଲେ ସେହି ମଣିପୁରୀଙ୍କ ଭଳି ଦଶା ଭୋଗିବୁ ।” ଏହା କହିବାବେଳେ ସେ ନିଜ ପୋଷାକରୁ ଝୁଲୁଥିବା କେତେକେରା କେଶ ପ୍ରତି ପ୍ରତିପକ୍ଷର ଦୃଷ୍ଟି ଆକର୍ଷଣ କଲା ।

 

ଶତ୍ରୁ ବା ପ୍ରତିଦ୍ଵନ୍ଦ୍ୱୀ ବା ଯାହାସହ ବଳ କଷାକଷି ହୋଇଥିବ, ସେ ନିହତ ହେଲେ ତା’ର କେଶଗୁଚ୍ଛଦ୍ଵାରା ନିଜ ପୋଷାକ ବା ଢାଲ ଅଳଙ୍କୃତ କରିବା ଥିଲା ନାଗା ପରମ୍ପରା । କଟୁଆଳର ଘୋଷଣା ଅଚିରେ କର୍ତ୍ତୃପକ୍ଷଙ୍କ ଗୋଚରକୁ ଆସିଲା । ତଦନ୍ତ ଆରମ୍ଭହେଲା । ମଣିପୁରୀମାନଙ୍କୁ ହତ୍ୟା କରାଯାଇଥିବା ପ୍ରମାଣିତ ହେଲା । ହତ୍ୟାକାଣ୍ଡର ପୁରୋଧା ଭାବରେ ରାଜା ଜାଡ଼ୁନାଙ୍ଗ ଅଭିଯୁକ୍ତ ହୁଅନ୍ତେ ତାଙ୍କୁ ଧରିବାକୁ ଯାଇ ପୁଲିସ୍‌ବାହିନୀ ପ୍ରବଳ ପ୍ରତିରୋଧର ସାମ୍‌ନା କଲେ । ଗୁଳିଚାଳନାରେ ସମ୍ଭବତଃ ପ୍ରାଣ ଦେଲେ ‘ରାଜା’ଙ୍କ କେତେଜଣ ସହଚର, ମଲା ତାଙ୍କ ପ୍ରତିପାଳିତ ଗୋଟାଏ ବିଶାଳକାୟ ଅଜଗର । ‘ରାଜା’ ଧରାହେଲେ ଓ ଫାଶୀ ପାଇଲେ ।

 

ଧରା ମଧ୍ୟ ହୋଇଥିଲେ ତରୁଣୀ ‘ରାଣୀ’ ଗାଇଦେଲୁ । କିନ୍ତୁ ତାଙ୍କ ବିରୁଦ୍ଧରେ କିଛି ପ୍ରତ୍ୟକ୍ଷ ଅଭିଯୋଗ ନଥିବା ଦୃଷ୍ଟିରୁ ତାଙ୍କୁ ତାଙ୍କ ବାପଘରକୁ ପଠାଇଦିଆଗଲା । ସେ ବାପଘରକୁ ନଯାଇ ନିଜ ଅନୁଗତମାନଙ୍କ ଗାଁରେ ଯାଇ ରହିଲେ । କର୍ତ୍ତୃପକ୍ଷ ଜାଣିନଥିଲେ ଯେ ଜାଡ଼ୁତାଙ୍ଗ ଦେବତା ଭାବରେ ଏବଂ ଗାଇଦେଲୁ ଦେବୀ ଭାବରେ ଅବଲୋକିତ ହେଉଥିଲେ । ଦେବତା ସିନା ସେମାନଙ୍କୁ ଛାଡ଼ି ଚାଲିଗଲେ, ଦେବୀ ତ ଅଛନ୍ତି । ଅତଏବ ଦେବୀଙ୍କୁ ନିରବଧି ପୂଜାକରାଗଲା, ଭେଟିଦିଆଗଲା । ତାଙ୍କ ଅଭିମନ୍ତ୍ରିତ ପାଣି ବହୁ ମୂଲ୍ୟରେ ବିକ୍ରିହେଲା । ତାଙ୍କ ବିରୋଧୀମାନଙ୍କୁ ନିର୍ମମ ଭାବରେ ହତ୍ୟାକରାଯିବାର ଅଭିଯୋଗ ହେଉଥାଏ ।

 

କୁକୀମାନେ ନାଗାମାନଙ୍କ ପାରମ୍ପରିକ ଶତ୍ରୁ । ନାଗାମାନେ କୁକୀମାନଙ୍କ ଘରଦ୍ଵାର ଜାଳିପୋଡ଼ି ଛାରଖାର କରନ୍ତେ ଇଂରେଜ ଶାସନ ନାଗାମାନଙ୍କୁ ବାଧାଦେଲା । ନାଗାମାନେ ତେଣୁ ହେଲେ ଇଂରେଜବିରୋଧୀ । ନେତ୍ରୀ ଗାଇଦେଲୁଙ୍କୁ ଗିରଫ କରିବାପାଇଁ ଅଭିଯାନ ଆରମ୍ଭହେଲା ।

 

ତାହା କିନ୍ତୁ ସହଜ ହେଲାନାହିଁ । ରାଣୀ ପ୍ରତିଦିନ ତାଙ୍କ ଶିବିର ପରିବର୍ତ୍ତନ କରୁଥିଲେ । ତାଙ୍କ ଗୁପ୍ତଚରମାନେ ଚତୁର୍ଦ୍ଦିଗ ବ୍ୟାପି ରହିଥଲେ ଓ ପୁଲିସ୍‌ର ଗତିବିଧ‌ି ଲକ୍ଷ୍ୟ କରି ତାଙ୍କୁ ଖବର ଦେଉଥିଲେ । ତାଙ୍କ ସହ ଥିଲେ ଦୁର୍ଦ୍ଦାନ୍ତ ଦେହରକ୍ଷୀଦଳ ।

 

ଦିନେ ପୁଲିସ୍‌ ହାକିମଙ୍କୁ ଜଣେ କୁକୀ, ରାଣୀଙ୍କ ସାମ୍ପ୍ରତିକ ଠିକଣା ଜଣାଇଦେଲା । (ପରେ ପରେ ବିଚରା ପରିବାରର ସମସ୍ତଙ୍କ କଣ୍ଠରୋଧକରି ହତ୍ୟା କଲେ ରାଣୀଙ୍କ ଲୋକ ।) ପୁଲିସ୍‌ବାହିନୀ ଦିବାଲୋକରେ ବିପରୀତ ଦିଗକୁ ଶୋଭାଯାତ୍ରା କରିଗଲେ–ରାଣୀଙ୍କ ଗୁପ୍ତଚରମାନଙ୍କ ଆଖିରେ ଧୂଳିଦେବାପାଇଁ । ପୁଲିସ୍‌ ତାଙ୍କୁ ଭୁଲ୍‍ ଠାବରେ ଖୋଜୁଛି ଜାଣି ରାଣୀ ସତର୍କତା କୋହଳ କରିଦେଲେ । ନିଶାର୍ଦ୍ଧରେ ଅନ୍ୟ ଏକ ବାହିନୀ ରାଣୀଙ୍କ ଶିବିର ଘେରିଗଲେ । ଦେହରକ୍ଷୀମାନେ ମଦପିଇ ଅର୍ଦ୍ଧଚେତନ ଅବସ୍ଥାରେ ଥିଲେ । ରାଣୀ ଧରାହେଲେ । ଅନେକ ଅଭିଯୋଗରେ ତାଙ୍କୁ ଯାବଜ୍ଜୀବନ କାରାଦଣ୍ଡ ମିଳିଲା । ଏହା ୧୯୩୫ର ଘଟଣା ।

 

ଉର୍ସୁଲା କହନ୍ତି, ଧରା ହୋଇ ଆସିବାପରେ ‘ରାଣୀ’ ପୁଲିସ୍‌ ହାକିମଙ୍କ କୋଠିରେ ଶାନ୍ତିରେ ଗାଧୋଇପାଧୋଇ ନିଦ୍ରାଗଲେ । ସେ କହିଥିଲେ, ଦେବୀରୂପେ ଜୀବନ ଯାପନ ବଡ଼ କଷ୍ଟକର । ଭକ୍ତମାନଙ୍କ କବଳରୁ ମୁହୂର୍ତ୍ତକପାଇଁ ମଧ୍ୟ ସେ ନିସ୍ତାର ପାଉନଥିଲେ । ବ୍ୟକ୍ତିଗତ ଜୀବନ, ବ୍ୟକ୍ତିଗତ ସମୟ ବା ବିଶ୍ରାମ ବୋଲି ସେ କିଛି ଜାଣୁନଥିଲେ ।

 

ଏଥିର ସୁବୋଧଚନ୍ଦ୍ର ଦେବଙ୍କ ସ୍ମୃତିଚାରଣକୁ ଆସୁଛି ।

 

ବୃହତ୍ତର ଭାରତରେ ରାଣୀ ଗାଇଦେଲୁ ଜଣେ ଇଂରେଜ-ବିରୋଧୀ ବିପ୍ଳବିଣୀ ଭାବରେ ପ୍ରତିଭାତ ହେଉଥିଲେ । ୧୯୩୬ରେ ତାଙ୍କ ମୁକ୍ତି ଦାବି କରି କଂଗ୍ରେସ ଅଧିବେଶନ ପ୍ରସ୍ତାବ ଗ୍ରହଣକଲା ।

 

ଉର୍ସୁଲା ଔପନିବେଶିକ ଦୃଷ୍ଟିକୋଣରୁ ରାଣୀ ଗାଇଦେଲୁଙ୍କ ଚିତ୍ରଣ କରିଥିବା ସ୍ଵାଭାବିକ-। ସେ ଯାହାହେଉ, ଭାରତ ସ୍ଵାଧୀନ ହେବା ମାତ୍ରେ ରାଣୀ ଖଲାସ ହେଲେ । ବସ୍ତୁତଃ ଜବାହରଲାଲ୍‌ହିଁ ପ୍ରଥମେ ତାଙ୍କୁ ‘ରାଣୀ’ ଆଖ୍ୟା ଦେଇଥିଲେ ବୋଲି କୁହାଯାଏ ।

 

୧୯୬୦ରେ ରାଣୀ ପୁଣି ଦୁର୍ଗମ ପର୍ବତ ଅରଣ୍ୟ ଭିତରକୁ ପଳାଇଯାଇ ତାଙ୍କ ଗୋଷ୍ଠୀର ନାଗାମାନଙ୍କୁ (ସମଗ୍ର ନାଗା ସମ୍ପ୍ରଦାୟ ନୁହେଁ) ଏକ ବ୍ୟାପକ ଆନ୍ଦୋଳନରେ ସାମିଲ କଲେ । ତାଙ୍କ ଗୋଷ୍ଠୀ ଅଧ୍ୟୁଷିତ ମୁଲକ ସ୍ଵତନ୍ତ୍ର ହେବା ଚାହି । ତାଙ୍କ ଅନୁଚରମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଥିଲେ । ଥରେ ତାଙ୍କ ବିରୋଧୀ ନାଗାଗୋଷ୍ଠୀର ନଅଜଣ ନେତୃସ୍ଥାନୀୟ ବ୍ୟକ୍ତି ସେମାନଙ୍କ ସହ ମିଶି ନାଗା ରାଜ୍ୟ ସ୍ଵାଧୀନ କରିବା ଦିଗରେ ବିପ୍ଳବପାଇଁ ତାଙ୍କୁ ଆହ୍ୱାନ ଜଣାଇବାକୁ ଯାଇ ପ୍ରାଣଦେଲେ । ରାଣୀ କୁଆଡ଼େ ସେମାନଙ୍କ ରକ୍ତ ପିଇଥିଲେ । ଏହା ଅବଶ୍ୟ ମିଥ୍ୟା ଜନରବ ବୋଲି ସୁବୋଧଚନ୍ଦ୍ର ଦେବଙ୍କ ଧାରଣା । ବହୁ ପ୍ରଚେଷ୍ଟା ପରେ କମିଶନର ଦେବସାହେବ ନିରସ୍ତ୍ର ଭାବରେ ଚାରିଦିନକାଳ ଚାଲି ଚାଲି ଯାଇ ଶେଷକୁ ରାଣୀଙ୍କୁ ସାକ୍ଷାତ୍ କରିଥିଲେ ଓ ଆନ୍ଦୋଳନ ଇତି କରିବାକୁ ସମ୍ମତ କରାଇପାରିଥିଲେ । ରାଣୀ ଦିଲ୍ଲୀ ଆସିଲେ ଏବଂ ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କ ସହ ହେଲା ତାଙ୍କ ସାକ୍ଷାତ । ସେ ହୃଷ୍ଟ ଚିତ୍ତରେ କୋହିମା ପ୍ରତ୍ୟାବର୍ତ୍ତନକଲେ ।

 

ମୋର ଡିବ୍ରୁଗଡ଼ ଯାତ୍ରାର କେଇମାସ ପୂର୍ବରୁ ବୋଧହୁଏ ଏସବୁ ଘଟିଥାଏ । ମନେହେଉଥାଏ, ରାଣୀଙ୍କ ଶାନ୍ତିମାର୍ଗ ଅବଲମ୍ବନ ପରେ ବି ତାଙ୍କ ବିଷୟରେ ଭାରତବର୍ଷ ଯଥାର୍ଥ ଧାରଣା ଲାଭ କରିନାହିଁ ବୋଲି ତାଙ୍କର ବିଶ୍ଵସ୍ତ ଅନୁଗତମାନେ ଅନୁଭବ କରୁଥିଲେ । ଲୋଡ଼ୁଥିଲେ କିଛି ସହାନୁଭୂତିସୂଚକ ଲେଖା । ଗାଇଦେଲୁ ବର୍ତ୍ତମାନ ଆଉ ନାହାନ୍ତି । କିନ୍ତୁ ତାଙ୍କ ଜୀବନ ନିଶ୍ଚୟ ଏକ କ୍ଲାସିକ୍ ଉପନ୍ୟାସର ବିଷୟବସ୍ତୁ । ଘଟଣାଚକ୍ର ଗୋଟିଏ ତରୁଣୀକୁ ରାଣୀ କରିପାରେ, ଦେବୀ କରିପାରେ–ପୁଣି ଜନଶ୍ରୁତି ତାକୁ ରକ୍ତପିପାସୁ ଭୟଙ୍କରୀ ଭାବରେ ଚିତ୍ରଣ କରିପାରେ–କିନ୍ତୁ ପ୍ରକୃତ ଚରିତ୍ରଟି ହୋଇପାରେ ଏସବୁଠୁଁ ବହୁତ ପୃଥକ୍ । ଅନ୍ତତଃ ସୁବୋଧଚନ୍ଦ୍ର ତାଙ୍କର ଯେଉଁ ବର୍ଣ୍ଣନା ଦେଇଛନ୍ତି, ତାହା ଜଣେ ଆଦର୍ଶବାଦୀ, ଶ୍ରଦ୍ଧାଶୀଳାର ଚରିତ୍ରର କେତୋଟି ଝଲକ ।

 

ସେ ଆଗନ୍ତୁକଙ୍କ ଅନୁରୋଧ ଅଥବା ଆବ୍‌ଦାର ରକ୍ଷା କରିପାରିଥିଲେ କିଛି ନୂଆ ଅଭିଜ୍ଞତା ହୋଇଥାନ୍ତା ହୁଏତ !

☆☆☆

 

(ଅଠର)

ପୂର୍ବ-ସୀମାନ୍ତର ଏକ ପାର୍ବତ୍ୟ ବସତି

 

ସେଦିନ ସୂର୍ଯ୍ୟାସ୍ତକାଳୀନ ପଶ୍ଚିମ ଦିଗନ୍ତ ଟିକିଏ ମାତ୍ରାଧିକ ଲାଲ ଦିଶୁଥିଲା । ଡିବ୍ରୁଗଡ଼ ଉପକଣ୍ଠରେ ପ୍ରଶସ୍ତ ତଥା ଭରପୂର ବ୍ରହ୍ମପୁତ୍ରର ପ୍ରାକାର-ପ୍ରାୟ ବନ୍ଧ ଉପରେ ବୁଲୁଥିବାବେଳେ ସୂର୍ଯ୍ୟାସ୍ତର ଉଚ୍ଛଳ ପ୍ରତିଫଳନ ଯୋଗୁଁ ବିଷାଦ ସହ ବ୍ୟାପ୍ତି ମିଶି ପରିବେଶକୁ ବେଶ୍ ଭାବଗମ୍ଭୀର କରିଥାଏ ।

 

ପ୍ରାୟ ନୀରବରେହିଁ ଆମେ ପଦଚାରଣା କରୁଥିଲୁ । ମୋତେ ସାହଚର୍ଯ୍ୟ ଦେଉଥିବା ସେ ଅତିଥିବତ୍ସଳମାନଙ୍କର ଅନ୍ତର୍ଭୁକ୍ତ ଥିଲେ ଦୁଇଜଣ ଅଧ୍ୟାପକ, ଜଣେ ବିଶ୍ଵବିଦ୍ୟାଳୟର କର୍ମଚାରୀ ଏବଂ ଜଣେ ପ୍ରବୀଣ ପଣ୍ଡିତ–ବହୁଦିନରୁ ଅବସରପ୍ରାପ୍ତ ଅଧ୍ୟାପକ । ସହଚରମାନେ ଟିକିଏ ଦୂରେଇଯାଇଥିବାବେଳେ ବୃଦ୍ଧ ମୋତେ କହିଲେ, ‘‘ଅବସର ନେବା ପରେ କୋଡ଼ିଏବର୍ଷରୁ ଅଧିକ କାଳ ବିତିଗଲାଣି । କ୍ୱଚିତ୍‌ କେବେ ଡିବ୍ରୁଗଡ଼ ବାହାରକୁ ଯାଇଥିବା ଦିନତକ ବା ଦେହ ଖରାପ ଯୋଗୁଁ ଶଯ୍ୟାଶାୟୀ ଥିବା ସମୟ କଥା ବାଦଦେଲେ ମୁଁ କେବେ ବି ନଦୀକୂଳରୁ ସୂର୍ଯ୍ୟାସ୍ତ ଦେଖିବାର ସୁଯୋଗ ଛାଡ଼ିନାହିଁ ।”

 

‘‘ସୂର୍ଯ୍ୟୋଦୟ ଅପେକ୍ଷା ସୂର୍ଯ୍ୟାସ୍ତ ଆପଣଙ୍କୁ ଅଧିକ ଆକୃଷ୍ଟ କରେ ପରା !” –ମୁଁ କିଛି କହିବାପାଇଁ କହିଲି ।

 

‘‘ଆପଣ ଠିକ୍ ଶବ୍ଦ ବ୍ୟବହାର କରିଛନ୍ତି–ଆକୃଷ୍ଟ କରେ, କ୍ରମେ ଅଧିକରୁ ଅଧିକ ଆକୃଷ୍ଟ କରିଛି । କାରଣ ବି ମୁଁ ଜାଣେ–ଜୀବନର ସୂର୍ଯ୍ୟାସ୍ତରେ ମୁଁ ଉପନୀତ ।”

 

ଏହାର ଦୁଇବର୍ଷ ପରେ, ଦ୍ଵିତୀୟଥର ଡିବ୍ରୁଗଡ଼ରେ ଦିନଟିଏ ବିତାଇବା ଅବସରରେ ମଧ୍ୟ ବୃଦ୍ଧଙ୍କ ସହ ବ୍ରହ୍ମପୁତ୍ର କୂଳେ କୂଳେ ସୂର୍ଯ୍ୟାସ୍ତ ବିତାଇବାର ସୁଯୋଗ ହୋଇଥିଲା । ଗତି ତାଙ୍କର ଅପେକ୍ଷାକୃତ ମନ୍ଥର ଏବଂ କଣ୍ଠ କ୍ଷୀଣ ହୋଇଥାଏ । ବିଦାୟନେବାବେଳେ ମୁଁ ତାଙ୍କୁ କହିଲି, “ଆଗାମୀକାଲି ସକାଳେ ଡିଗ୍‌ବୟ ଯାଉଛି । ଫେରିବାବେଳେ ଏଠାରେ ରହିବାର ନାହିଁ । ପୁଣି କେବେ ଆସିଲେ ଦେଖାହେବ ।’’

 

ସେ ବାଡ଼ି ଖଣ୍ଡିକ ସମେତ ଦୁଇହାତ କପାଳରେ ଛୁଇଁ ଏକ ଦୀର୍ଘ ନମସ୍କାର ଅନ୍ତେ କହିଲେ, ‘‘ଆଉ ଦେଖାହେବ ? ନା ।” ସେ ସେମିତି ସୂର୍ଯ୍ୟାସ୍ତ ଉପରେ ଦୃଷ୍ଟି ନିବଦ୍ଧ କରି ଠିଆହୋଇଥିବା ଅବସ୍ଥାରେ ମୁଁ ଚାଲିଆସିଥିଲି ।

 

ତୃତୀୟଥର ଡିବ୍ରୁଗଡ଼ ଯାଇ ବୁଝିଲି, ବାସ୍ତବିକ୍ ଆଉ ଦେଖା ହେବାର ନଥିଲା । ‘‘ଦିନେ ନଈକୂଳରୁ ଆସି ଆରାମ ଚୌକିରେ ବସି ପୁଣି ସେ ଚୁପ୍‌ଚାପ୍ ଚାଲିଗଲେ ।” ଜଣେ ବନ୍ଧୁ ମୋତେ ଜଣାଇଲେ ।

 

–‘‘ଅର୍ଥାତ୍, ସୂର୍ଯ୍ୟାସ୍ତବେଳେ ?”

 

–‘‘ଠିକ୍ ।’’

 

ମନେହୋଇଥିଲା, ବୃଦ୍ଧ ଖାଲି ମୃତ୍ୟୁପାଇଁ ପ୍ରସ୍ତୁତ ହୋଇ ରହିଥିଲେ, ସେତିକି ନୁହେଁ, ସୂର୍ଯ୍ୟାସ୍ତ ପ୍ରତି ଦୁରନ୍ତ ଆକର୍ଷଣ ଭିତରେ ସେ ଦିଗରେ ଏକ ବ୍ୟବସ୍ଥା ବି କରିନେଇଥିଲେ ।

 

ତୃତୀୟ ଥରରୁ ପୁଣି ପ୍ରଥମ ଥରକୁ ଫେରୁଛି । ସେଥର ଡିବ୍ରୁଗଡ଼ ଛାଡ଼ିବାବେଳକୁ ଅପରାହ୍‍ଣ ଶେଷ ପ୍ରାୟ । ତେବେ, ସେଠାରୁ ଡିଗ୍‌ବୟ ମାତ୍ର ଅଶୀ କିଲୋମିଟର । କାର୍ ଧରି ମୋତେ ନେବାକୁ ଆସିଲେ ଡିଗ୍‌ବୟ ଶ୍ରୀଅରବିନ୍ଦ କେନ୍ଦ୍ରର ସେକ୍ରେଟାରୀ ଅନିଲ୍ ଭଟ୍ଟାଚାର୍ଯ୍ୟ । କଲିକତାରେ ବିମାନ ଆରୋହଣର ଅବ୍ୟବହିତ ପୂର୍ବରୁ ମୁଁ ଭେଟିଥିବା ଡାକ୍ତର ଦିଲୀପ୍ ଦତ୍ତଙ୍କୁ ଛାଡ଼ିଦେଲେ ଡିଗ୍‌ବୟରେ ଏହି ଅନିଲଦା’ ହିଁ ମୋର ଏକମାତ୍ର ପରିଚିତ ବ୍ୟକ୍ତି ।

 

ଷଷ୍ଠ ଦଶକର ଆସାମ ନିରୀହତା, ନିର୍ଜନତା ଓ ଶାନ୍ତିର ଅନ୍ୟ ଏକ ନାମ । ସେହି ଆସାମର ସୁଦୂର ସୀମାନ୍ତ ଅଭିମୁଖେ ଚାଲିଥିବାରୁ ମୁଁ ବେଶ୍ ଆନନ୍ଦିତ । ପଥର ଦୁଇ ଦିଗରେ ଶସ୍ୟକ୍ଷେତ୍ର; କ୍ଷେତମାଳା ସେ ପାରିରେ ପାହାଡ଼ ପର୍ବତ । ବଡ଼ କୋମଳ ସନ୍ଧ୍ୟା ।

 

“ଆମେ କାରରେ ଯାଉଛୁ, ତେଣୁ ନିରାପଦ । ନହେଲେ ମଧ୍ୟେ ମଧ୍ୟେ ଏପାଖ ପାହାଡ଼ରୁ ହାତୀପଲ ବାହାରି ସେପାରି ପାହାଡ଼କୁ ଯିବାବେଳେ କେହି ବାଟୋଇ ସେମାନଙ୍କ ହାବୁଡ଼ରେ ପଡ଼ିଗଲେ ତା’ର ବାଟଚଲା ସେଇଠି ଶେଷହୁଏ । ଏଇ ଯେଉଁ ଅଞ୍ଚଳ ଆମେ ଅତିକ୍ରମ କରୁଛୁ ଏଇଟା ବିଶେଷକରି ହାତୀ-ଉପଦ୍ରୁତ ଅଞ୍ଚଳ ।”

 

ଅନିଲ୍‌ଦା’ ମୋତେ ଏତିକି ଜ୍ଞାନ ଦେଇସାରିବା ସଙ୍ଗେ ସଙ୍ଗେ ଗାଡ଼ି ଦୋଦୁଲ୍ୟମାନ ହୋଇ ଅଟକିଲା । ଗୋଟାଏ ଚକ ଫାଟିଛି । ‘‘ଚିନ୍ତା ନାହିଁ ।”–କହିଲା ଚାଳକ । ଆଖପାଖରେ ହାତୀପଲ ନାହାନ୍ତି–ଆମେ ନିଜନିଜକୁ ଏହି ଆଶ୍ୱାସନା ଦେଇ ସନ୍ଧ୍ୟା ସମୀରଣ ଉପଭୋଗ କରିବା ଭିତରେ ଚାଳକ ଚକା ବଦଳାଇଦେଲା । ଗାଡ଼ି ଚାଲିବାକୁ ଆରମ୍ଭ କରନ୍ତେ ନିର୍ମଳ ହସ ହସି ଅନିଲ୍‌ଦା କହିଲେ, “ହାତୀପଲ କିନ୍ତୁ ଆଖପାଖରେ କେଉଁଠି ଥିଲେ ବୋଲି ମୋର ମନେହେଉଥିଲା ।” ସେ ପୁଣି ହସିଲେ ଓ ଗାଡ଼ି ଗୋଟିଏ ବଜାର ଭିତରେ ପ୍ରବେଶ କରନ୍ତେ ଚାଳକକୁ କହିଲେ, ‘‘ଦେଖ୍ ବାବୁ, ଏଠାରୁ ବାହାରିଗଲେ ଡିଗ୍‌ବୟଯାଏ ବାଟରେ ଆଉ ଆଶ୍ରା ନାହିଁ-। ପୁଣି କିଛି ଅସୁବିଧା ହେବାର ଆଶଙ୍କା ନାହିଁ ତ ?”

 

–“ନାହିଁ ଆଜ୍ଞା !” ଅଭୟ ଦେଲା ଚାଳକ ।

 

ବଜାର ଅତିକ୍ରମ କରି ତିନି-ଚାରି କିଲୋମିଟର ଯାଇଛୁ, ଗାଡ଼ି ରାସ୍ତାତଳକୁ ପ୍ରାୟ ଗଡ଼ିଯାଉଯାଉ ରହିଗଲା ।

 

–“କ’ଣ ହେଲା ?” ଉଦ୍‌ବିଗ୍ନ ଭାବରେ ପ୍ରଶ୍ନ କଲେ ଅନିଲ୍‌ଦା ।

 

ଚାଳକ ବାହାରିଯାଇ ସନ୍ଧାନର ଫଳ ଜଣାଇଲା, ‘‘ଆଉ ଗୋଟାଏ ଚକା ଫାଟିଲା ।’’

 

–‘‘ତେବେ ?”

 

“ଆଉ ଅଧିକା ଚକା ନାହିଁ । ମରାମତି ପାଇଁ ଚିଜ ନାହିଁ ।”

 

–‘‘ତେବେ ?”

 

–‘‘ମୁଁ ପଛ ବଜାରକୁ ଯାଇ ଲୋକ ନେଇଆସି ମରାମତି କରାଇବି । କିନ୍ତୁ ରାତିରେ କେହି ନ ଆସିପାରନ୍ତି ।”

 

–‘‘ତେବେ ?”

 

–“ଗାଡ଼ି ଏଇଠି ରହିବ–ମୁଁ ବଜାରରେ ରହିଯିବି ।”

 

ସ୍ଵଳ୍ପଭାଷୀ ଚାଳକ ତା’ ନିଜ ସମ୍ପର୍କରେ ପ୍ରସ୍ତାବିତ ବ୍ୟବସ୍ଥା ଜଣାଇଦେଲା । ନିଜ ସମ୍ପର୍କରେ ତା’ର ସେ ନିରୁଦ୍‌ବିଗ୍ନତା ଏବଂ ଆମ ସମ୍ପର୍କରେ ଉଦାସୀନତା ଅବିସ୍ମରଣୀୟ ।

 

“ହାତୀ ଉପଦ୍ରୁତ ଅଞ୍ଚଳ କିନ୍ତୁ ଆମେ ଅତିକ୍ରମ କରିଆସିଛୁ ।”–ଅନିଲ୍‌ଦା ଆପାତତଃ ଏତିକି ଆଶ୍ଵାସନା ଦେଲେ । ଅଧଘଣ୍ଟାଏ ଅପେକ୍ଷା କରିବା ପରେ କାର୍‍ଟିଏ ଆସୁଥିବାର ଦେଖାଗଲା । ଅନିଲ୍‌ଦା ହାତ ଦେଖାଇ ତାହା ଅଟକାଇଲେ । କାର୍ ମାଲିକ ଅନିଲ୍‍ଦାଙ୍କ ପରିଚିତ ସର୍ଦ୍ଦାରଜୀ, ଡିଗ୍‌ବୟର ସିନେମା ହଲ୍‌ର ମାଲିକ । ସେ ଆମକୁ ସ୍ଵାଗତକଲେ । ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିରେ ଆମ ଚାଳକ ମଧ୍ୟ ନିଜପାଇଁ ସ୍ଥାନ କରିନେଇ ବଜାର ଅଭିମୁଖେ ପ୍ରସ୍ଥାନକଲା ।

 

ସର୍ଦ୍ଦାରଜୀ ଆମକୁ ପଛ ଅଂଶ ଛାଡ଼ିଦେଇ ନିଜେ ଚାଳକ ପାଖରେ ବସିଲେ ଏବଂ ମୁହଁ ବୁଲାଇ ଅନିଲ୍‌ଦାଙ୍କୁ କହିଲେ, ‘‘ଆପଣ ବଙ୍ଗାଳୀମାନେ କାର୍ କିଣନ୍ତି, କିନ୍ତୁ ତା’ର ହେପାଜତ୍ କରନ୍ତିନାହିଁ ।”

 

“ସେକଥା ଠିକ୍”–ବିକଳ ହସ ହସି ଅନିଲ୍‌ଦା କହିଲେ । ଗାଡ଼ିର ଗତି ତୀବ୍ର ହେଲା ।

 

–“ଏଇ ଧରନ୍ତୁ ମୋ ଗାଡ଼ି କଥା । କୋଡ଼ିଏ ବର୍ଷ ହୋଇଗଲାଣି… ଥରୁଟିଏ...’’

 

ଧଡ଼୍‍ ଧକ୍-ଧଡ଼ ଧକ୍-ଧଡ଼ ଧକ୍ ... ଗୋଟାଏ ବିଷମ ଆବାଜ୍‌ ଆମକୁ ଚମକାଇଦେଲା ।

 

‘‘ହେଇ ଟୋକା, ରଖ୍ ରଖ୍ ।” ସର୍ଦ୍ଦାରଜୀ ଚିତ୍କାରକଲେ । ଗାଡ଼ି ଅଟକିଗଲା । ସମସ୍ତେ ଓହ୍ଲାଇପଡ଼ିଲୁଁ । ଏକସେଲ୍‌ ଭାଙ୍ଗିଯାଇଛି ।

 

“କୋଡ଼ିଏ ବର୍ଷରେ ଏଇ ପ୍ରଥମ ।’’ –ସର୍ଦ୍ଦାରଜୀ ଗମ୍ଭୀରଭାବରେ କହିଲେ । ଯାହା ସେ କହିଲେ ନାହିଁ, କିନ୍ତୁ କହିପାରିଥାନ୍ତେ, ତାହା ହେଲା, “ଅନିଲ୍‍ଜୀ, ତମେ ଏଇ କିଭଳି ମାଲ୍‍ଟାଏ ଧରି ଆମ ସହରମୁହାଁ ଚାଲିଛ ?”

 

ଟ୍ରକ୍‌ଟିଏ ଅଟକାଇ ସର୍ଦ୍ଦାରଜୀ ମୋତେ ଓ ଅନିଲ୍‌ଦା’ଙ୍କୁ ତା’ ଡ୍ରାଇଭର୍ ପାଖରେ ବସାଇଦେଲେ ଓ ନିଜପାଇଁ ପରବର୍ତ୍ତୀ କୌଣସି ଗାଡ଼ିକୁ ଅପେକ୍ଷାକଲେ । କିଛି ସମୟ ପରେ, ଡିଗ୍‌ବୟ ଉପକଣ୍ଠରେ ଆମେ ଟ୍ରକରୁ ଓହ୍ଲାଇପଡ଼ିଲୁ । ପାଖ ଦୋକାନରୁ ଅନିଲ୍‌ଦା ଫୋନ୍‌କଲେ । ମୁଁ ଯାହାଙ୍କ ଅତିଥି ହେବା କଥା ସେ ସରକାର ମହୋଦୟ ଗାଡ଼ିଧରି ପହଞ୍ଚିଗଲେ ।

 

କେଡ଼େ ସୁନ୍ଦର ପାର୍ବତ୍ୟ ବସତି ଡିଗ୍‌ବୟ ସେକଥା ବୁଝିଲି ପ୍ରଭାତରେ । ଦିଗନ୍ତବ୍ୟାପି ତୁଷାରମଣ୍ଡିତ ଶିଖରଶ୍ରେଣୀ । ସହରର ଚତୁର୍ଦ୍ଦିଗରେ ଅରଣ୍ୟ । ଅସମତଳ, ଅପର୍ଯ୍ୟାପ୍ତ ପାହାଡ଼ ସବୁ ଉପରେ, କେଉଁଠି ବା ପାହାଡ଼ କଟାକଟିକରି ବସତିକୁ ଗଢ଼ାଯାଇଛି ଏକ ଉଦ୍ୟାନଭଳି । କହିବା ବାହୁଲ୍ୟ, ଏ ସହରର ଅଭ୍ୟୁଦୟ ସ୍ଵତଃସ୍ଫୂର୍ତ୍ତ ନୁହେଁ । ଭୂଗର୍ଭ-ନିହିତ ତୈଳସନ୍ଧାନୀ ଇଂରେଜମାନେ ଏହାର ପ୍ରତିଷ୍ଠାତା ।

 

ଊନବିଂଶ ଶତାବ୍ଦୀର ଶେଷ ଦୁଇ-ତିନି ଦଶକ ସମ୍ଭବତଃ ଭାରତରେ ଇଂରେଜ ଶାସନର ସୁବର୍ଣ୍ଣଯୁଗ–ଅବଶ୍ୟ ଶାସକମାନଙ୍କ ପାଇଁ । ସିପାହୀବିଦ୍ରୋହ ଅନ୍ତେ ଉପନିବେଶ କୋମ୍ପାନୀ ହାତରୁ ଖସିଯାଇ ମହାରାଣୀ ଭିକ୍ଟୋରିଆଙ୍କର, ଅର୍ଥାତ୍ ଇଂରେଜର ଜାତୀୟ ସମ୍ପତ୍ତିରେ ପରିଣତ ହୋଇଛି । ଆଗାମୀ ବହୁ ବର୍ଷ ପର୍ଯ୍ୟନ୍ତ କୌଣସି ବିଦ୍ରୋହ ବା ଅଭ୍ୟୁତ୍‌ଥାନର ଆଶଙ୍କା ନାହିଁ । ଶାସନ ସଂସ୍ଥା ଦୃଢ଼ କରିବାର ସମୟ; ବିଶାଳ ଭାରତ ଓ ଭୂଖଣ୍ଡର ଦୂର ସୁଦୂର ସୀମାନ୍ତମାନଙ୍କରେ ଆବହମାନକାଳ ଅବାଧ୍ୟ ହୋଇ ରହିଥିବା ଜାତି ଉପଜାତିମାନଙ୍କୁ ଶୃଙ୍ଖଳା ଭିତରକୁ ଆଣିବାର ସମୟ ।

 

ସେହିଭଳି ଉଦ୍ଦେଶ୍ୟ ନେଇ ଡିଗ୍‌ବୟ ମୁଲକରେ ପହଞ୍ଚିଥିବା ଜଣେ ଦୁଇଜଣ ଇଂରେଜ କର୍ମଚାରୀ ପ୍ରଥମେ ମାଟିତଳୁ କଦବା ଫୁତ୍କାରିତ, କଦବା ବିମ୍ଵିତ ତୈଳାଶୟର ସନ୍ଧାନ ପାଇଥିଲେ । (କେହି କେହି ପାଠକଙ୍କର ମନେଥିବ ଆସାମ ଅଏଲ୍‌ର ପୁରୁଣା ବିଜ୍ଞାପନ: ହାତୀଛୁଆଟିଏ ଦୁଇଗୋଡ଼ରେ ଠିଆହୋଇ ଶାବଳ ଯୋଗେ ମାଟି ଖୋଳୁଛି । ଶିରୋନାମା ହେଲା–Dig, boy, dig ! ସ୍ଥାନୀୟ ଭାଷାରେ ‘ଡି’ ବୋଇଲେ ନଦୀ । ଡିଗ୍‌ବୟ ସେମିତି ନଦୀଗତ ନାମ ବୋଲି ଜଣେ ଗବେଷକ ମନେକରନ୍ତି ।)

 

ବ୍ୟବସାୟୀ ଯୋଜନା ମୁତାବକ ପ୍ରଥମ ତୈଳକୂପ ଖନନ ହେଲା ୧୮୮୯ ମସିହାରେ-। 'A Hundred Years of Oil ନାମକ ବହିରେ ଭୂତତ୍ତ୍ଵବିଦ୍ ଡକ୍ଟର ଏସ୍.ଏନ୍. ବିଶ୍ଵନାଥ ଲେଖିଛନ୍ତି: “ସେହି ବର୍ଷ ପ୍ୟାରିସ୍ ନଗରୀରେ ତିନିଶହ ମିଟର୍ ଉଚ୍ଚ, ଯାନ୍ତ୍ରିକବିସ୍ମୟ ଇଫେଲ୍‌ ଟାଓ୍ୱାର ନିର୍ମାଣ ଶେଷହେଲା । ମଣିଷର ହାତଗଢ଼ା ଏ ଗମ୍ବୁଜକୁ ପ୍ରଥମବର୍ଷ ହିଁ କୋଡ଼ିଏ ଲକ୍ଷ ଦର୍ଶକ ଆସି ଦେଖିଗଲେ । ଏଣେ ଛଅ ହଜାର ମାଇଲ୍ ଦୂରରେ, ଭାରତର ଦୂରତମ ଉତ୍ତର-ପୂର୍ବ କୋଣ ଡିଗ୍‌ବୟ ନାମକ ଏ ସ୍ଥାନରେ ଠିଆହେଲା ଆଉ ଏକ ଗମ୍ବୁଜ । ଏହାର ଉଚ୍ଚତା ମାତ୍ର କୋଡ଼ିଏ ମିଟର । ଏଥିରେ ଯାନ୍ତ୍ରିକ ବିସ୍ମୟ ନଥିଲା କି ସୌନ୍ଦର୍ଯ୍ୟ ନଥିଲା । ଦର୍ଶକ ଭାବରେ ଏହା ଚାରିପଟେ ବିଚରଣ କରୁଥିଲେ ହାତୀପଲ, ଶୃଗାଳଦଳ, ସାପ ଏବଂ ଅଗଣିତ ଜୋକ । ଏ ଗମ୍ବୁଜ କୌଣସି ଆବେଗ, କୌଣସି କବିତାର ଉଦ୍ରେକ କରିନାହିଁ । ଏହାହିଁ ଡିଗ୍‌ବୟର ପ୍ରଥମ ତୈଳକୂପ ସଂପୃକ୍ତ ଗମ୍ବୁଜ ।”

 

ଅକଥନୀୟ କଷ୍ଟ ସହିଥିଲେ ଇଂରେଜମାନେ । ସଙ୍ଗେ ସଙ୍ଗେ, ନିଜନିଜପାଇଁ, ପରିବାରପାଇଁ ଆରାମଦାୟକ ବ୍ୟବସ୍ଥାମାନ କରିନେଇଥିଲେ ମଧ୍ୟ । ଆସାମ ଅଏଳ କୋମ୍ପାନୀର ବଡ଼ ବଡ଼ କର୍ମଚାରୀମାନଙ୍କ ନିମନ୍ତେ ନିର୍ମିତ ବଙ୍ଗଳାଗୁଡ଼ିକ–ପ୍ରାୟ ପ୍ରତି ବଙ୍ଗଳାକୁ ମୁଣ୍ଡାଇ ଠିଆହୋଇଛି ଗୋଟାଏ ଗୋଟାଏ ପାହାଡ଼–ଦୂରରୁ ମେଘର କାନ୍‌ଭାସ୍ ଉପରେ ଅଙ୍କିତ ଏକ ଏକ ଚିତ୍ର ଭଳି ଦିଶୁଥାଏ । କ୍ରମେ ସାହେବମାନେ ଅପସରିଯାଇଥିଲେ । ସେମାନଙ୍କ ସ୍ଥାନ ନେଉଥିଲେ ଭାରତୀୟମାନେ । ମୁଁ ଡିଗ୍‌ବୟ ଯିବାର ଅଳ୍ପଦିନ ଉତ୍ତାରୁ, ଅଏଲ୍‌ କୋମ୍ପାନୀ ପ୍ରତିଷ୍ଠିତ ଅତ୍ୟାଧୁନିକ ହାସ୍‌ପାତାଲ୍‌ର ଶେଷ ଇଂରେଜ ମୁଖ୍ୟ ବିଦାୟ ନେଇଗଲେ ଏବଂ ଯେଉଁ ପ୍ରଥମ ଭାରତୀୟ ଡାକ୍ତର ସେ ଆସନଟି ଅଳଙ୍କୃତ କଲେ ସେ ଦିଲୀପ୍‌ଦା ।

 

ଦୁଲିଆଜାନ୍‌ଠିଁ ଏ ଲେଖକକୁ ସଙ୍ଖୋଳିଥିଲେ କୋମ୍ପାନୀର ଭାରତୀୟ ଜେନେରାଲ୍ ମ୍ୟାନେଜର କାନୁଗା, ସେଠାକାର ପ୍ରଥମ “କାଲାସାହେବ” । ଅର୍ଥାତ୍, ସେ ଯେତେବେଳେ କୌଣସି ଉଲ୍ଲେଖଯୋଗ୍ୟ ଆସନକୁ ଉନ୍ନୀତ ହେଲେ ଏବଂ ଦିନେ (ସେ’ଟା ଅନେକ ବର୍ଷ ତଳର କଥା) ତାଙ୍କ ହାକିମ ପିଅନକୁ କହିଲେ, “କାନୁଗା ସାହେବକୋ ବୋଲାଓ”, ପିଅନ ହତ୍‌ଚକିତ ହେଲା । ସେଯାଏ ଭାରତୀୟଟିଏ ‘ସାହେବ’ ସମ୍ବୋଧିତ ହେଉନଥିଲା । ଅତଏବ ତଳିଆମାନେ ନିଜ ନିଜ ଭିତରେ ସାହେବ ସ୍ତରର ଏକ ଶ୍ରେଣୀ ବିଭାଗ କରିନେଲେ: ଇଂରେଜମାନେ ତୁଚ୍ଛା ବା ଖାଣ୍ଟି ‘ସାହେବ’ ରହିଲେ । କ୍ରମେ ଓଜନଦାର୍ ଆସନ ଅଧିକାର କରୁଥିବା ଭାରତୀୟମାନେ ହେଲେ କାଲାସାହେବ ।

ତେବେ ଡିଗ୍‌ବୟର ଆବିଷ୍କର୍ତ୍ତା ଓ ସେଠାରେ ବସ‌ତିର ପ୍ରତିଷ୍ଠାତା ଇଂରେଜମାନଙ୍କ ଭଳି ସବୁ ସାହେବ ଦୁଃସାହସୀ ନଥିଲେ କି ସାଧାରଣ ପର୍ଯ୍ୟାୟର ସାହସୀ ମଧ୍ୟ ନଥିଲେ । ସଂପ୍ରତି କାନୁଗା ସାହେବଙ୍କ ସ୍ମୃତିକଥା ପ୍ରକାଶିତ ହୋଇଛି । ଡିଗ୍‌ବୟ ବା ଦୁଲିଆଜାନରେ ତାଙ୍କ ଆଦ୍ୟ ଚାକିରି ଜୀବନରେ ସେ ଯେଉଁ ବଙ୍ଗଳାରେ ଗୋଟାଏ କୋଠରୀ ନେଇ ରହିଥିଲେ, ତହିଁ ଅନ୍ୟ ଏକ କୋଠରୀ ଦଖଲ କରିଥିଲେ ତାଙ୍କ ଇଂରେଜ୍ ହାକିମ । ନିଶାର୍ଦ୍ଧରେ ଥରେ କାନୁଗା ଶୁଣିଲେ ହାକିମଙ୍କ ଆର୍ତ୍ତ ଚିତ୍କାର–“କାନୁଗା ! ଦୌଡ଼ିଆସ । ମୋ ଝରକା ଦେଇ ଗୋଟାଏ ବାଘ ମୋ କୋଠରୀ ଭିତରକୁ ପଶିଆସିଛି ।”

କାନୁଗା ଆଉ କେତେଜଣ କର୍ମଚାରୀଙ୍କୁ ଠୁଳକରି ସାହେବଙ୍କୁ କହିଲେ, “କବାଟ ଖୋଲନ୍ତୁ ।”

ସାହେବଙ୍କ ଉତ୍ତର ଥିଲା ଖୁବ୍ ବସ୍ତୁନିଷ୍ଠ: “ତମେମାନେ ବୋକା ! ମୁଁ ଖଟ ଛାଡ଼ିଲେ ତ କବାଟ ଖୋଲିବି ! କିନ୍ତୁ ବାଘକୁ ଏଡ଼ାଇ କବାଟ ପାଖରେ ପହଞ୍ଚିବା ଅସମ୍ଭବ ବୋଲି ବୁଝୁନାହଁ କେମିତି ? କବାଟ ତାଡ଼ିପକାଇ ଭିତରକୁ ଆସ ।”

 

କବାଟ ତଡ଼ାଗଲା । କାନୁଗା ସାହେବ ଟର୍ଚ୍ଚ ପକାଇ ସର୍‌ଜମିନ୍ ଆରମ୍ଭକଲେ । ଦେଖାଗଲା, ସାହେବଙ୍କ ଖଟତଳେ ବସିଛି ଗୋଟାଏ ଭୂଆ ବିଲେଇ ।

 

କିଛିଦିନ ପରେ ସାହେବ ଇସ୍ତଫା ଦେଇ ଚାଲିଗଲେ–ବାଘ ଭୟରେ ନୁହେଁ, ଜୋକମାନଙ୍କ ଉପଦ୍ରବ ସହିନପାରି ।

 

ଉଲ୍ଲେଖଯୋଗ୍ୟ କଥା ହେଲା, ଉକ୍ତ କାନୁଗାଙ୍କ ପୂର୍ବପୁରୁଷ ଓଡ଼ିଶାରୁ ଯାଇ ସିନ୍ଧୁ ପ୍ରଦେଶରେ ପହଞ୍ଚିଥିଲେ । ସେତେବେଳେ ଅବଶ୍ୟ ସେମାନଙ୍କ ପଦବୀ କାନୁଗା ନଥିଲା । ସେ ପୂର୍ବପୁରୁଷଙ୍କର ଜଣେ ବଂଶଧର ସିନ୍ଧୁର ସେଓ୍ୱାନ୍ (ଶିବସ୍ଥାନ) ରାଜ୍ୟର ରାଜାଙ୍କୁ ନିଜ ବିଚକ୍ଷଣତାରେ ଚମତ୍କୃତ କରି ତାଙ୍କର ମନ୍ତ୍ରୀ ହେଲେ ଓ କାନୁଗା ଉପାଧିରେ ଭୂଷିତହେଲେ ।

 

ମୋର ପ୍ରଥମ ଡିଗ୍‌ବୟ ଯାତ୍ରାର ତିନିବର୍ଷ ପୂର୍ବରୁ, ୧୯୬୩ ଶେଷବେଳକୁ ଭାରତର ନେତୃବର୍ଗଙ୍କୁ ହତଭମ୍ବ ବନାଇ ଚୀନ୍ ଅଚାନକ ଭାରତ ଆକ୍ରମଣ କରିଥିଲା ଦେଶର ଏହି ସୀମାନ୍ତରେ । ମୋତେ ସବୁଦିନ ଅପରାହ୍‌ଣରେ କାର୍ ଯୋଗେ ସହର ଉପକଣ୍ଠ, ତେଲଖଣି, ବଣ ପାହାଡ଼ ଦେଖାଇବାବେଳେ ବନ୍ଧୁମାନେ ସେ ଦୁର୍ଦ୍ଦିନର ସ୍ମୃତି ଗପୁଥାନ୍ତି । ଚୀନାମାନେ ବୋମ୍ଡ଼ିଲା ଦଖଲ କରିନେଲେ । ଭାରତ ସରକାର ତେଜପୁର ସହରରୁ ଲୋକଙ୍କୁ ସ୍ଥାନାନ୍ତର କଲେ । ପ୍ରଧାନମନ୍ତ୍ରୀ ନେହେରୁ ଲୋକସଭାରେ ଘୋଷଣା କରିଦେଲେ–ଆସାମର ଜନସାଧାରଣଙ୍କ କଥା ଭାବି ତାଙ୍କର ହୃଦୟ ଭାରାକ୍ରାନ୍ତ । ଏହାର ଅର୍ଥ, ଚୀନାମାନେ ସେମିତି ଗତିରେ ମାଡ଼ିଆସିଲେ ଆସାମ ରକ୍ଷା କରାଯାଇପାରିବନାହିଁ । ଦିନେ ସକାଳେ ଡିଗ୍‌ବୟର ଭାରତୀୟ କର୍ମଚାରୀମାନେ ଦେଖିଲେ, ରାତାରାତି ସବୁ ଇଂରେଜମାନେ ସେମାନଙ୍କ ସ୍ତ୍ରୀ ଓ ପିଲାପିଲିଙ୍କୁ ବିମାନ ଯୋଗେ ବିଦାକରିଦେଇଛନ୍ତି । ଭାରତୀୟମାନଙ୍କ ଅସନ୍ତୋଷ ଲକ୍ଷ୍ୟକରି ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ବିମାନ ଯୋଗେ କଲିକତା ଏବଂ ଦିଲ୍ଲୀ ପଠାଇଦିଆଗଲା । ଚୀନାମାନେ ଡିଗ୍‌ବୟ ଉପକଣ୍ଠରେ ପହଞ୍ଚିବାମାତ୍ରେ ସମଗ୍ର ତୈଳଖଣି କିପରି ବିସ୍ଫୋରଣ ଯୋଗେ ଉଡ଼ାଇଦିଆଯିବ, ସେ ଯୋଜନା ପକ୍‌କା ହୋଇଗଲା ।

 

ବିମର୍ଷତା ଓ ଆତଙ୍କର ସେହି ବାତାବରଣ ଭିତରେ ଅନିଲ୍ ଭଟ୍ଟାଚାର୍ଯ୍ୟ ଶ୍ରୀମାଙ୍କୁ ଜଣାଇଥିଲେ : ‘‘ମୋ ଚେତନାରେ ଦିବ୍ୟଜନନୀ ଓ ଭାରତଜନନୀ ଏକ । ଭାରତ ସୀମାନ୍ତ ବିପଦାପନ୍ନ । ତେଣୁ ମୁଁ ବା ମୋ ପରିବାର ଏ ସ୍ଥାନ ଛାଡ଼ି ଚାଲିଯିବା ଠିକ୍ ହେବ କି ? ଚାଲିଯିବାକୁ ହୃଦୟରୁ ସମର୍ଥନ ମିଳୁନାହିଁ ।”

 

ନିର୍ଦ୍ଦେଶ ଗଲା–ସେଇଠି ରହିଥାଆ, ତମ ପ୍ରେରଣା ଯଥାର୍ଥ ।

 

ଏହା ପରେ ପରେ, ଅହେତୁକୀ ଭାବରେ ଚୀନ ତା’ ଆଗୁଆ ସୈନ୍ୟବାହିନୀ ପ୍ରତ୍ୟାହାର କରିନେଲା ।

 

ଅସାଧାରଣ ଏହି ଅନିଲ୍‌ଦା ମଣିଷଟି । ସେ କୋମ୍ପାନୀର ଜଣେ ବରିଷ୍ଠ କର୍ମଚାରୀ ଭାବରେ ଭଲ ଦରମା ପାଉଥିଲେ । ତାଙ୍କର ସନ୍ତାନ ବୋଇଲେ ମାତ୍ର କନ୍ୟାଟିଏ । ତାଙ୍କୁ ବଡ଼ଭାଇ ଭଳି ଦେଖୁଥିବା ତାଙ୍କର ଦୁଇ ପ୍ରତିବେଶୀ କିନ୍ତୁ କମ୍ ଦରମାର କର୍ମଚାରୀ ଏବଂ ସେମାନଙ୍କର ଗୁଡ଼ିଏ ସନ୍ତାନ । ଚଳିବାରେ କଷ୍ଟ । ହଠାତ୍ ଅନିଲ୍‌ଦା ଦେଲେ ଉଦାର ଆହ୍ୱାନ–ଆସ ଗୋଟିଏ ପରିବାର ହୋଇ ରହିବା । ସମସ୍ତଙ୍କ ଉପାର୍ଜନ ଗୋଟିଏ ପାଣ୍ଠି ଭାବରେ, ରହିବ; ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ଖର୍ଚ୍ଚ ହେବ ।

 

କହିବା ବାହୁଲ୍ୟ, ଏଥିରେ ଅନିଲ୍‌ଦାଙ୍କର ହିଁ କ୍ଷତି; କିନ୍ତୁ ଗୋଟାଏ ଆଦର୍ଶର ରୂପାନ୍ତର ଦିଗରେ ଅଦମ୍ୟ ତାଙ୍କର ଆଗ୍ରହ ତଥା ଆତ୍ମବିଶ୍ଵାସ । ପରୀକ୍ଷାଟି ସଫଳ ଭାବରେ ଚାଲିବାର ମୁଁ ଦେଖିଥିଲି । କେଇବର୍ଷ ପରେ ଅବଶ୍ୟ ଅନିଲ୍‌ଦା ଚାଲିଆସିଲେ ପଣ୍ଡିଚେରୀ ।

 

ଏହାର ଦୁଇ ବର୍ଷ ପରେ, ଯେତେବେଳେ ଦ୍ଵିତୀୟଥର ପାଇଁ ଆସାମ ଆସି ମୋହନବାଡ଼ି ବିମାନବନ୍ଦରରେ ପହଞ୍ଚିଲି, ଦେଖିଲି ମୋତେ ପାଛୋଟି ନେବା ସକାଶେ କେହି ନାହାନ୍ତି । ସେତେବେଳେ ଆସାମର ବାତାବରଣ ଉତ୍ତପ୍ତ । ଜଳାପୋଡ଼ା, ଗୁଳିଲାଠି, ଶହେଚଉରାଳିଶ ଏବଂ କର୍ଫ୍ୟୁ–ଏଭଳି ପରିସ୍ଥିତିରେ ବିମାନରେ ଯେ ଯାତ୍ରୀ ଚାରି-ପାଞ୍ଚଜଣ ମାତ୍ର ଥିଲେ, ସେଥିରେ ବିସ୍ମୟ ନଥିଲା ; ବରଂ ମୁଁ କେଉଁ ସାହସରେ ଯାଉଛି, ତାହାହିଁ ଥିଲା ଜଣେ ସହଯାତ୍ରୀଙ୍କ ବିସ୍ମୟ ।

 

ସତକହିଲେ, ମୁଁ ନିଜେ ବି କମ୍ ବିସ୍ମିତ ନଥିଲି । କଥା ହେଲା, ଡିଗ୍‌ବୟର ଶ୍ରୀଅରବିନ୍ଦ କେନ୍ଦ୍ର ସରକାରଙ୍କଠାରୁ ହାସଲ କରିଥିଲେ, ସହର ଉପକଣ୍ଠରେ ଅବସ୍ଥିତ ଏକ ସୁନ୍ଦର ସୁଠାମ ପାହାଡ଼ । ତହିଁ ଉପରେ ଗୃହଟିଏ ତୋଳିବେ । ଶ୍ରୀମାଙ୍କଠାରୁ ସେମାନେ ଖଣ୍ଡିଏ ମାର୍ବଲ ସ୍ପର୍ଶ କରାଇ ନେବାର ବ୍ୟବସ୍ଥା କରିଥିଲେ । ସେ ଖଣ୍ଡିକ ମୁଁ ନେଇଯାଇ ଭିତ୍ତି ଭାବରେ ସ୍ଥାପନ କରିବି, ଏହା ଥିଲା ସେମାନଙ୍କର ନିବେଦନ ।

 

ତାରିଖ ସ୍ଥିରହୋଇଯାଇଥାଏ । ହଠାତ୍ ଅହମିୟାକୁ ସବୁ ସ୍ତରରେ ସରକାରୀ ଭାଷା ରୂପେ ଚାଲୁକରିବାର ଦାବି ନେଇ ଆନ୍ଦୋଳନ ଆରମ୍ଭ ହେଲା । କ୍ରମେ ସେ ଆନ୍ଦୋଳନ ଭାଷା ନୀତିରେ ସୀମିତ ନରହି ଅଣ-ଅହମିୟାମାନଙ୍କ ବିରୋଧରେ ପ୍ରବଳରୁ ପ୍ରବଳତର ହେଲା ।

 

ମୋର ବନ୍ଧୁମାନେ ଶ୍ରୀମାଙ୍କ ପାଖକୁ ଚିଠି ଲେଖିଲେ–ଏଭଳି ପରିସ୍ଥିତିରେ ଭିତ୍ତି ସ୍ଥାପନ ଅନୁଷ୍ଠାନ ନିର୍ବାହିତ ହୋଇପାରିବା ଅସମ୍ଭବ ମନେହୁଏ ।

ସମସ୍ତେ ଆଶା କରୁଥିଲେ–ଶ୍ରୀମା ଅନ୍ୟ ଏକ ତାରିଖ ଦେବେ ।

ଶ୍ରୀମା କିଛି କହିଲେ ନାହିଁ, ଖାଲି ନୀରବରେ ଏକ ଆଶୀର୍ବାଦ ପୁଷ୍ପ ପତ୍ର-ପାଠକଙ୍କୁ ଧରାଇଦେଲେ । ଏହାର ବ୍ୟାଖ୍ୟା ହେଲା–ପୂର୍ବ ନିର୍ଦ୍ଦିଷ୍ଟ ତାରିଖରେ ହିଁ ଅନୁଷ୍ଠାନ ହେବ ।

ଅତଏବ ଖାଲି କଲିକତାରୁ ଫୋନ୍ ଯୋଗେ ଦିଲୀପ୍‍ଦାଙ୍କ ସହ କଥା ହେଲା । କିନ୍ତୁ ଗଳା ଫଟାଇ ଚିତ୍କାର କରିବା ସତ୍ତ୍ଵେ କେହି କାହା କଥା ଭଲଭାବରେ ଶୁଣିପାରୁନଥିଲେ । ଦିଲୀପ୍‌ଦା ଓ ଅନ୍ୟ ବନ୍ଧୁମାନଙ୍କର ଧାରଣା ହେଲା, ମୁଁ ପରଦିନ ପହଞ୍ଚୁଛି । ତେଣୁ ଡିଗ୍‌ବୟରୁ ଏତେ ଦୂର ବିମାନ ବନ୍ଦରକୁ ସେଦିନ କେହି ଆସିବାର ପ୍ରଶ୍ନ ନଥିଲା ।

ସେତେବେଳେ ଦ୍ଵିପ୍ରହର । ରାସ୍ତାଘାଟ ଜନଶୂନ୍ୟ । ଡିବ୍ରୁଗଡ଼ ସହରରେ ଯେଉଁ ଦୁଇଚାରିଜଣ ପରିଚିତ ବ୍ୟକ୍ତି ଥିଲେ, ସେମାନଙ୍କ ଭିତରୁ କାହାରି ଠିକଣା ପାଖରେ ନାହିଁ ।

ଅଧଘଣ୍ଟାଏ ପରେ ଗୋଟାଏ ଅଟୋ ଠାବକଲି । ଇତିହାସ ଅଧ୍ୟାପକ ମଣିଲାଲ୍ ବୋଷ ବିଶ୍ୱବିଦ୍ୟାଳୟ ପରିସର ଆଖପାଖରେ ରହୁଥ‌ିବେ । ବହୁ କୁଣ୍ଠା ପରେ ଅଟୋଚାଳକ ସେ ଅଞ୍ଚଳରେ ପଶିବାପାଇଁ ରାଜିହେଲା, କିନ୍ତୁ କହିଲା, ‘‘ବାବୁ, ତମେ ତ ମାଡ଼ଖାଇବ, ମୋତେ ବି ଖୁଆଇବ ।”

ଗାଡ଼ି-ଶୂନ୍ୟ ପଥଘାଟ । ପ୍ରାୟ ଅଧଘଣ୍ଟାଏ ପରେ ଅଟୋ ଚାଳକ କହିଲା, “ବାବୁ, ଦୁଇ ଚାରିଟା ଟୋକା କଟମଟକରି ମୋତେ ଅନାଇଲେଣି । ତମେ ଓହ୍ଲାଇପଡ଼, ମୁଁ ପଳାଏଁ ।”

ସୁଟକେଶ୍ ଧରି ଓହ୍ଲାଇଲି । ସଙ୍ଗେ ସଙ୍ଗେ ଶୁଣିଲି ଏକ ଉଲ୍ଲସିତ, ଉଚ୍ଛ୍ଵସିତ ସମ୍ବୋଧନ-। ଠିକ୍ ଅଧ୍ୟାପକ ବୋଷଙ୍କ ଘର ସାମ୍‍ନାରେ ଅଟୋ ଅଟକିଥିଲା । ସେ ବାରନ୍ଦାରେ ଠିଆହୋଇଥିଲେ ।

ରାତିରେ ଡିଗ୍‌ବୟକୁ ଫୋନ୍‌କରାଗଲା । ସେଦିନ ଧରନ୍ତୁ ଶୁକ୍ରବାର । ରବିବାର ସନ୍ଧ୍ୟାରେ ପ୍ରସ୍ତାବିତ ଭିତ୍ତି-ସ୍ଥାପନ ଉତ୍ସବ । ଅଥଚ ଆନ୍ଦୋଳନକୁ ଆହୁରି ଜୋର୍‌ଦାର୍ କରିବା ନିମନ୍ତେ ପରଦିନ ଦ୍ଵିପ୍ରହରଠୁଁ ସମଗ୍ର “ଆସାମ ବନ୍ଦ” ଘୋଷଣା କରିଛନ୍ତି ଆନ୍ଦୋଳନକର୍ତ୍ତାମାନେ ।

ଖୁବ୍ ସକାଳେ କାର୍ ଧରି ଆସି ପହଞ୍ଚିଲେ ଦିଲୀପ୍‌ଦା ଓ ଡିଗ୍‌ବୟର ଅନ୍ୟ ଜଣେ ତୁଙ୍ଗ ବାସିନ୍ଦା ବିଜୟ ଦେଶମୁଖ ।

‘‘ବନ୍ଦ ଆରମ୍ଭର ଯଥେଷ୍ଟ ପୂର୍ବରୁ ଆମେ ତେବେ ପହଞ୍ଚିଯିବା ।” –ମୁଁ କହିଲି ।

‘‘ଅବଶ୍ୟ, ଯଦି କେହି ଅତ୍ୟୁତ୍ସାହୀ ବନ୍ଦକାରୀର ମନର ଘଣ୍ଟା ହଠାତ୍ କ୍ଷିପ୍ର ହୋଇନଯାଏ ।’’ –କହିଲେ ଦେଶମୁଖ । ତା’ପରେ ସେ ପ୍ରକାଶ କଲେ ତାଙ୍କ ବେଦନା : ‘‘ପହଞ୍ଚି ତ ଯିବା–ତା’ପରେ ? ଅନୁଷ୍ଠାନ ହେବ କେମିତି ?’’

“ଗୋଟାଏ ମଜାର କଥା,”–କହିଲେ ଦିଲୀପ୍‌ଦା । ‘‘ପୁଲିସ୍‌ ମୁଖ୍ୟଙ୍କ ପାଖକୁ ସଭାପାଇଁ ଅନୁମତି ଆଣିବାକୁ ଯାଇଥିବା ଅନିଲ୍‌ଦାଙ୍କ ମୁହଁକୁ ବଲବଲ ଅନାଇ ପୁଲିସ୍‌ ମୁଖ୍ୟ ତାଙ୍କ ମୁଣ୍ଡ ଠିକ୍ ଅଛି କି ନାହିଁ କହିବାକୁ ସବିନୟ ଅନୁରୋଧ କରନ୍ତେ ଅନିଲ୍‌ଦା ହଠାତ୍ ଟେବୁଲ୍ ବାଡ଼େଇଦେଇ ଉଚ୍ଚକଣ୍ଠରେ କହିଲେ–ଶ୍ରୀମା କହିଛନ୍ତି, ଅନୁଷ୍ଠାନ ହେବ–ଅତଏବ ହେବ । ଆପଣ ଅନୁମତି ଦେଇଦିଅନ୍ତୁ–ତେଣିକି ଦେଖାଯିବ । ମନ୍ତ୍ରଚାଳିତବତ୍ ମୁଖ୍ୟ ଅନୁମତି ଦେଇଦେଲେ ।”

ସାମୟିକ ଭାବରେ ଅନିଲ୍‌ଦା-ପୁଲିସ୍‌ମୁଖ୍ୟ ସଂଳାପର ସମାଚାର ଆମକୁ ଉତ୍ସାହ ଦେଲା ଠିକ୍ ଏବଂ ଆମେ ଡିଗ୍‌ବୟରେ ମଧ୍ୟ ନିରାପଦରେ ପହଞ୍ଚିଲୁ ଠିକ୍, କିନ୍ତୁ ସନ୍ଧ୍ୟା ଘୋଟିଆସନ୍ତେ ଦେଶମୁଖ ସାହେବଙ୍କ ବଙ୍ଗଳା ଭିତରେ ସମବେତ ଆଠ-ଦଶଜଣ ଉଦ୍ୟୋକ୍ତାଙ୍କ ମୁହଁରେ ଘୋଟିଗଲା ବିଷଣ୍ଣତା । ଏମାନେ ସମସ୍ତେ ଭାରତୀୟ; ଅଥଚ ଭାରତର ଏକ ନିଘଞ୍ଚ ଅଞ୍ଚଳରେ ବସିରହି ଏମାନେ ନିଜନିଜକୁ ବିଦେଶୀ ମଣିବାକୁ ବାଧ୍ୟହେଉଛନ୍ତି ।

କେହି ଜଣେ ରେଡ଼ିଓ ଖୋଲିଦେଲେ । ଦିଲ୍ଲୀରୁ ପ୍ରଚାରିତ ହେଉଥିଲା ମୁଖ୍ୟ ସମାଚାର–ଆସାମ ଆନ୍ଦୋଳନର ନେତୃବର୍ଗ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା ଅନ୍ତେ ଆନ୍ଦୋଳନ ପ୍ରତ୍ୟାହାର କରିନେଲେ । ଆସାମବାସୀଙ୍କୁ ସେମାନେ ନିବେଦନ କରୁଛନ୍ତି, ବନ୍ଦ ପରିବର୍ତ୍ତେ ଜୀବନଯାତ୍ରା ଯେପରି ସ୍ଵାଭାବିକ ରହିବ !

ମୋର ମନେଅଛି ଉତ୍ସାହ ଆତିଶଯ୍ୟରେ ଜଣେ ଦୁଇଜଣ ବନ୍ଧୁ ଉଠିପଡ଼ି ସେ ପ୍ରଶସ୍ତ କୋଠରୀର ସବୁତକ ଝରକା ଖୋଲିପକାଇଲେ–ସାଇଁ ସାଇଁ ଶୀତଳ ପବନର ପ୍ରାଚୁର୍ଯ୍ୟ ସତ୍ତ୍ୱେ ।

ପରଦିନ ଯଥା ସମୟରେ ଏକ ସୁନ୍ଦର ସମ୍ଭ୍ରାନ୍ତ ସମାବେଶ ଭିତରେ ଭିତ୍ତି ସ୍ଥାପନ ଉତ୍ସବ ସମାହିତ ହେଲା । ବସ୍ତୁତଃ ଶ୍ରୀମା ସେ ଆଶୀର୍ବାଦ ଦେବା ମୁହୂର୍ତ୍ତରେ ହିଁ ଏହା ଅନିବାର୍ଯ୍ୟ ଭାବରେ ନିର୍ଦ୍ଧାରିତ ହୋଇଯାଇଥିଲା ବୋଲି ସେତେବେଳେ ମୋର ହୃଦବୋଧ ହୋଇଥିଲା ।

ଶାନ୍ତି ଓ ସ୍ଵସ୍ତି ପ୍ରତ୍ୟାବୃତ୍ତ ବାତାବରଣର ସୁଯୋଗ ନେଇ ତହିଁ ପରଦିନ ପ୍ରଭାତରେ ଦିଲୀପ୍‌ଦା ନିଜେ ଗାଡ଼ି ଚଳାଇ ଅନତିପ୍ରଶସ୍ତ ପାର୍ବତ୍ୟ ଓ ଆରଣ୍ୟକ ପଥ ଦେଇ ମୋତେ ନେଇଗଲେ ନେଫା–ବର୍ତ୍ତମାନ ଯାହା ଅରୁଣାଚଳ ପ୍ରଦେଶ । ସାମରିକ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇଥିଲା ରାତିରେ, କାରଣ ଆମର ଗନ୍ତବ୍ୟ ଯେଉଁ ବର୍ମା ସୀମାନ୍ତବର୍ତ୍ତୀ ପାଙ୍ଗ୍‍ସୁ ଗିରିସଙ୍କଟ, ତାହା ସାଧାରଣଙ୍କ ପାଇଁ ନିଷିଦ୍ଧ ଅଞ୍ଚଳ । ଏହି ଗିରି ସଙ୍କଟ ଦେଇ, ଦ୍ଵିତୀୟ ମହାଯୁଦ୍ଧବେଳେ, ମାଡ଼ି ଆସୁଥିବା ଭୟାବହ ଜାପାନୀ ସୈନ୍ୟଦଳ କବଳରୁ ତ୍ରାହି ପାଇବା ନିମନ୍ତେ ବର୍ମାରୁ ପଳାଇଆସିଥିଲେ ହଜାର ହଜାର ଭାରତୀୟ ଏବଂ ଶହ ଶହ ୟୁରୋପୀୟ । ଲର୍ଡ଼ ଓ୍ୱାଭେଲ୍‌ଙ୍କ ଭାଷାରେ, ଯେଉଁ ଦୁର୍ଦ୍ଦଶା, ଝଡ଼ ତୋଫାନ୍ ଓ ଦୁର୍ଗମତା ସହିଥିଲେ ସେ ଶରଣାର୍ଥୀ ଦଳ, ଇତିହାସରେ ତା’ର ଦ୍ଵିତୀୟ ଉଦାହରଣ ନାହିଁ । ପଥହୀନ ଅରଣ୍ୟ ବା ରୁକ୍ଷ ଶିଳାଖଣ୍ଡ–ଚାରିଶହ ମାଇଲ୍ ବ୍ୟାପି । ତହିଁ ଭିତରେ ଗାଁଗଣ୍ଡା ନାହିଁ, ଖାଦ୍ୟପେୟର ପ୍ରତିଶ୍ରୁତି ନାହିଁ । ବିଷାକ୍ତ ମଶା ଓ ପୋକଜୋକଙ୍କ ଆକ୍ରମଣରେ ତଥା ଅନାହାର ଓ ରୋଗକ୍ଳିଷ୍ଟ ହୋଇ ଅପନ୍ତରା ଭିତରେ ପଡ଼ି ମରିଥିଲେ ହଜାର ହଜାର ଦୁର୍ଗତ । ଦିଲୀପ୍‌ଦାଙ୍କ ସହଧର୍ମିଣୀ, ସେ ଦିନର ଶିଶୁକନ୍ୟା ରୀତା, ମା’ଙ୍କ ହାତ ଧରି, ସାମରିକ ବାହିନୀର ଡାକ୍ତର ପିତାଙ୍କ ନିର୍ଦ୍ଦେଶରେ, ସେହି ଭୟଙ୍କର ଗିରିସଙ୍କଟ ଅତିକ୍ରମ କରି ବର୍ମାରୁ ଡିଗ୍‌ବୟରେ ଆସି ପହଞ୍ଚିଥିଲେ ।

ମନେଅଛି ପାଙ୍ଗ୍‍ସୁ ଯିବା ପଥରେ ଛୋଟ ସହର ମାର୍ଗାରିଟାର ଏକ ନିର୍ଜନ-ପ୍ରାୟ ବଙ୍ଗଳାରେ ଦିଲୀପ୍‌ଦାଙ୍କ ପରିଚିତ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ସହ ଚାହାପାନର କେତୋଟି ମୁହୂର୍ତ୍ତ । ତାଙ୍କ ବଙ୍ଗଳା ଆଗରେ ପ୍ରବାହିତ ନଦୀ କାଚ ଭଳି ସ୍ଵଚ୍ଛ । ଦିନେ ସେ ସ୍ଵଚ୍ଛତା ଡାକ୍ତରବାବୁଙ୍କ ପାଇଁ ହୋଇଥିଲା ଭୀଷଣ । ତାଙ୍କର ଏକମାତ୍ର ତରୁଣ ପୁତ୍ର ସନ୍ତରଣ ପାଇଁ ଯାଇ ନିର୍ଦ୍ଦିଷ୍ଟ ସମୟରେ ଲେଉଟି ନଆସନ୍ତେ ସନ୍ଧାନ କରିବାକୁ ବାହାରି ସେ ଓ ଅନ୍ୟମାନେ ଦେଖିଲେ, ସେ ସ୍ଵଚ୍ଛ ଜଳ ତଳେ ତା’ର ପ୍ରାଣହୀନ ଦେହ ପଡ଼ିଛି–ସେ ନିଦରେ ଶୋଇଥିବାଭଳି ।

 

ଡାକ୍ତରବାବୁଙ୍କ ବଦନରୁ ବିମର୍ଷତା ବା ଏକପ୍ରକାର ବିହ୍ଵଳତାର ପ୍ରଭାବ ସେଯାଏ ପ୍ରଶମିତ ହୋଇନଥିଲା–ଆମ ସହ ସେ ଏକାନ୍ତ ସୌଜନ୍ୟପୂର୍ଣ୍ଣ କ‌ଥାବାର୍ତ୍ତା କରୁଥିବା ସତ୍ତ୍ଵେ ।

 

ପାଙ୍ଗସୁର୍ ମନୋରମ ପଟ୍ଟଭୂମିରେ ସାମରିକ ଛାଉଣୀ । ସେନାଧ୍ୟକ୍ଷ ଅତ୍ୟନ୍ତ ଆନ୍ତରିକତା ସହକାରେ ଆମକୁ ସ୍ଵାଗତ କଲେ । –“କେମିତି ଲାଗୁଛି ?” ସେ ପ୍ରଶ୍ନ କଲେ । “ଚମତ୍କାର” । ଉତ୍ତର ଦେଲି । ସେ ବିଷଣ୍ଣ ଭାବରେ ହସିଲେ । “ହଁ, ଯିଏ ଏଠାକୁ ପ୍ରଥମଥର ପାଇଁ ଆସେ–ଏବଂ ଅଳ୍ପ ସମୟ ପାଇଁ–ତାକୁ ଏହା ଚମତ୍କାର ଲାଗେ–କିନ୍ତୁ ତା’ପରେ ?’’

 

ବାସ୍ତବିକ, ପୁରପରିଜନଠୁ ବିଚ୍ଛିନ୍ନ, ଆମୋଦ ପ୍ରମୋଦ, ଏପରିକି ସ୍ୱଚ୍ଛନ୍ଦ ବିଚରଣର ସୁଯୋଗ-ବିରହିତ ସେ ମୁଲକରେ, କିଛି ଧୂମାଭ, କିଛି ତୁଷାରାବୃତ ପର୍ବତ ଶୃଙ୍ଗର ଚମତ୍କାରିତା କେତେଦିନ ଜଣକୁ ମୁଗ୍ଧ କରି ରଖିପାରିବ ? ଯୋଗୀ ମୁନିଙ୍କ କଥା ଅଲଗା ।

 

ଦୁଇ ବର୍ଷ ଭିତରେ ଡିଗ୍‌ବୟ ଉପକଣ୍ଠବର୍ତ୍ତୀ ପାହାଡ଼ଟି ଉପରେ ସୁନ୍ଦର ଧ୍ୟାନମନ୍ଦିରଟିଏ ନିର୍ମିତ ହୋଇଗଲା । ସହରର ପଶ୍ଚିମ ପ୍ରାନ୍ତରେ ତାହା ହିଁ ଶେଷ ଘର । ସେଠାରୁ ବ୍ୟାପ୍ତ ଗହନ ଅରଣ୍ୟ ଭାରତର ସୀମାରେଖାଯାଏ ।

 

ଯେହେତୁ ଭିତ୍ତିସ୍ଥାପନରେ ଏ ଲେଖକ ଅଂଶ ଗ୍ରହଣ କରିଥିଲା, ମାତୃମନ୍ଦିର ବୋଲି ନାମିତ ସେ ପ୍ରତିଷ୍ଠାନର ଉଦ୍‌ଘାଟନରେ ବି ଏହାର ଉପସ୍ଥିତି ଅପରିହାର୍ଯ୍ୟ ବୋଲି ଧରିନେଲେ ବନ୍ଧୁମାନେ । ଅତଏବ ଗଲି । ପୁନର୍ବାର ଆସାମ ବ୍ୟାପି ବିଭ୍ରାଟ, ଅଣଅହମିୟାଙ୍କ ବିରୁଦ୍ଧରେ ପ୍ରବଳ ବିକ୍ଷୋଭ । ପୁଣି ଶହେଚଉରାଳିଶ ।

 

ଏବଂ ସର୍ବୋପରି–ପୁନଶ୍ଚ ବିସ୍ମୟ ! ଠିକ୍ ଉଦ୍‌ଘାଟନ ପୂର୍ବଦିନ ସବୁ ଶାନ୍ତ । ପ୍ରତ୍ୟୁଷରେ ଏ ଲେଖକକୁ ଅନୁସରଣ କରି ଶତାଧିକ ନରନାରୀ ପ୍ରଦୀପ ହସ୍ତେ ମାତୃମନ୍ଦିର ଭିତରେ ପ୍ରବେଶକଲେ । ତାହା ହିଁ ହେଲା ଏକ ଅଭିନବ ରୀତିରେ ଉଦ୍‌ଘାଟନ ।

 

ସେ ଅନୁଷ୍ଠାନର ଆୟୋଜନରେ ଅତି ଧୀର ସ୍ଥିର ଢଙ୍ଗରେ ସ୍ୱତଃସ୍ଫୂର୍ତ୍ତ ସହଯୋଗ ଦେଉଥାନ୍ତି ସ୍ଥାନୀୟ ତୁଙ୍ଗ ସେନାଧ୍ୟକ୍ଷ ଜେନ୍‌ରାଲ ନାଗ୍ରା । ଟ୍ରକ୍ ବୋଝେଇ ଫୁଲକୁଣ୍ଡମାନ ଆଣି ଥୋଇବା ଏବଂ ନିଜେ ସଜାଇବା ଥିଲା ତାଙ୍କର ବିଶେଷ ଅବଦାନ । ଜେନ୍‌ରାଲ୍ ଗନ୍ଧର୍ବ ନାଗ୍ରାଙ୍କ ସହ ପରିଚୟ ହେଲା । ଏହାର କିଛି ଦିନ ପରେ ସେ ହେଲେ ବିଖ୍ୟାତ । ବାଂଲାଦେଶ ମୁକ୍ତିଯୁଦ୍ଧର ଶେଷ ପର୍ଯ୍ୟାୟରେ ଜେନ୍‌ରାଲ୍ ନାଗ୍ରାହିଁ ଭାରତୀୟ ସୈନ୍ୟଦଳର ନେତା ରୂପେ ଢାକାରେ କଲେ ସଗର୍ବ ପ୍ରବେଶ । ମଜା କଥା ହେଲା, ପାକିସ୍ଥାନ ବାହିନୀର ନେତା ଜେନ୍‌ରାଲ୍ ନିଆଜି ଥିଲେ ଅବିଭକ୍ତ ଭାରତରେ ତାଙ୍କ ସ‌ହ‌ପାଠୀ ।

 

‘‘ଖେଳ ଶେଷହେଲା, ବନ୍ଧୁ ! (The game is off) ଥିଲା ଜେନ୍‌ରାଲ ନାଗ୍ରାଙ୍କର ଐତିହାସିକ ବାର୍ତ୍ତା–ତାଙ୍କ ସହପାଠୀଙ୍କ ଉଦ୍ଦେଶ୍ୟରେ । ଜେନ୍‌ରାଲ ନିଆଜି ଆତ୍ମସମର୍ପଣ କଲେ ।’’

 

ପରବର୍ତ୍ତୀ ଥର ଡିଗ୍‌ବୟ ଯାଇ ଦେଖିଲି, ଜେନ୍‌ରାଲ ନାଗ୍ରା ସେଠି ନାହାନ୍ତି, କିନ୍ତୁ ତାଙ୍କ ପ୍ରବର୍ତ୍ତିତ ବଗିଚା ବନ୍ଧୁମାନଙ୍କ ଯତ୍ନରେ ଦିଶୁଛି ଆଶୀର୍ବାଦ ଭଳି ମହନୀୟ, ସୁନ୍ଦର ।

☆☆☆

 

(ଊଣେଇଶ)

ନକ୍ଷତ୍ର ଓ ଲଣ୍ଠନଚିହ୍ନିତ ଏକ ସନ୍ଧ୍ୟାର ସନ୍ଧାନରେ

 

“ଜଣେ ମିଷ୍ଟର–ବଡ଼ ଅମିଳକ ସେ ନାମଟି–ହଁ–ମନେପଡ଼ିଲା–ମିଷ୍ଟର ଏଲିଗାଣ୍ଟ୍‍–ତମକୁ ଖୋଜୁଥିଲେ ।’’ ପୂରା ବାକ୍ୟଟି ଅବଶ୍ୟ ଇଂରାଜୀରେ କହି ମୋତେ ସାମାନ୍ୟ ଚମକାଇଦେଲେ ଜଣେ ବିଦେଶୀ ବନ୍ଧୁ ।

 

“ମିଷ୍ଟର ଏଲିଗାଣ୍ଟ୍ ? ବାସ୍ତବିକ ଦୁର୍ଲଭ ନାମର ଅଧିକାରୀ ତ ! ଇଂରେଜ ନା ଆମେରିକାନ୍ ?’’

 

‘‘ଆରେ, ସେ ତମ ଭାରତୀୟ ! କିନ୍ତୁ ନାମଟି ତ ଏଲିଗାଣ୍ଟ୍ ନୁହେଁ–ସେମିତି ପାଖାପାଖି କିଛି । ବାଃ, ମନେପଡ଼ିଗଲା–ମିଷ୍ଟର ସ୍ମାର୍ଟ ! ଅପରାଧଯୋଗ୍ୟ ଭୁଲ୍ ମୁଁ କିଛି କରିନାହିଁ ନିଶ୍ଚୟ ।’’

 

“ମୋଟେ ନୁହେଁ, ଯେତିକି କରିଛ ସେ ପାଇଁ ତମେ ନିଜେହିଁ ନିଜକୁ କ୍ଷମା କରିଦେଇପାର ।” ହସ ରୋକି କହିଲି । ହସର ହେତୁ ତାଙ୍କର ଭୁଲ୍‍ଟି ମାତ୍ର ନୁହେଁ, ଅବସ୍ଥାଚକ୍ରରେ ‘ସ୍ମାର୍ତ୍ତ’ (ସ୍ମୃତିଶାସ୍ତ୍ରଜ୍ଞ) ଇଂରାଜୀରେ Smartରେ ପରିଣତ ହେବା ଯୋଗୁହିଁ ତ ତା’ର ଅନ୍ୟତମ ପ୍ରତିଶବ୍ଦ Elegantର ସ୍ଫୁରଣ ବନ୍ଧୁଙ୍କ ସ୍ମୃତିରେ ।

 

ସୁରତ ନଗରୀର ଅନ୍ୟତମ ତୁଙ୍ଗ ଆଇନ ବିଶାରଦ ଶ୍ରୀ ଅନିରୁଦ୍ଧ ସ୍ମାର୍ତ୍ତ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିମନ୍ତ୍ରଣ ଧରି ଆସିଥିଲେ ଏକସଟେନ୍‌ସନ ବକ୍ତୃତାପାଇଁ । ପୂର୍ବରୁ ଅବଶ୍ୟ ସମ୍ମତି ଦେଇସାରିଥିଲି । କାରଣ ସୁରତ ଦର୍ଶନପାଇଁ ଏକ ବିଶେଷ ଅଭିଳାଷ ଥିଲା । ୧୬୦୯ ମସିହାରେ ଜାହାଙ୍ଗୀରଙ୍କ ଆନୁକୂଲ୍ୟରେ ଏଇଠାରେ ଇଷ୍ଟ ଇଣ୍ଡିଆ କୋମ୍ପାନୀ ପ୍ରଥମ ସାମ୍ରାଜ୍ୟର ଭିତ୍ତି ସ୍ଥାପନ କରିଥିବା ଯୋଗୁଁ ନୁହେଁ କି ଡଚ୍ ଓ ପର୍ତ୍ତୁଗୀଜମାନେ ମଧ୍ୟ ଏଇଠାରେ ପ୍ରଥମେ ଡେରା ପକାଇଥିବା ଯୋଗୁଁ ନୁହେଁ, ବହୁ ପରବର୍ତ୍ତୀ କାଳର ଅନ୍ୟ ଏକ ଘଟଣା ଯୋଗୁଁ ।

 

ବୋମ୍ବେ ଯାଏ ବିମାନଯାତ୍ରା ଅଧିକାଂଶ ବିମାନ ଯାତ୍ରା ଭଳି ମାମୁଲି, ସଂକ୍ଷିପ୍ତ ତଥା ରସହୀନ ଥିଲା: କିନ୍ତୁ ବୋମ୍ବେରୁ ସୁରତ ରେଳଯାତ୍ରା ଅନ୍ତତଃ ଏ ଲେଖକ ଜୀବନରେ ଅଧିକାଂଶ ରେଳଯାତ୍ରା ଭଳି ବେଶ୍ ରସଘନ ହୋଇଥିଲା । ଅବଶ୍ୟ ମୋ ଅନୁଭୂତି ରସଶାସ୍ତ୍ର-ସମ୍ମତ ନବରସର ଅନ୍ତର୍ଭୁକ୍ତ ନଥିଲା ।

 

ମୋତେ ଗାଡ଼ିରେ ଉଠାଇଦେବାକୁ ଆସିଥିବା ବନ୍ଧୁମାନଙ୍କୁ ବିଦାୟ ଦେଇସାରି ବର୍ଥ ଉପରେ ବସିବାମାତ୍ରେ ଆଗରେ ଚକାପାରି ଉପବିଷ୍ଟ ମଧ୍ୟବୟସ୍କ ଭଦ୍ରଲୋକଟି–ରସାଳ ହସ ହସି ମୋତେ ସ୍ଵାଗତ କଲେ ଓ ତତ୍‌କ୍ଷଣାତ୍‌ ନିଜର ପରିଚୟ ଦେଲେ: ସେ ଅମକ ରାବଡ଼ିବାଲା ଏବଂ ଆହମଦାବାଦର ଜଣେ “ବିଜନେସ୍‌ ମାଗନେଟ୍।” ବସ୍ତୁତଃ, ସେ ଥିଲେ ଜଣେ ସାଧାରଣ ବେପାରୀ-। କିନ୍ତୁ ମାଗନେଟ୍ ଶବ୍ଦଟି ତାଙ୍କୁ ଭଲଲାଗୁଥିଲା; ତାଙ୍କ ପ୍ରତି ପ୍ରଯୁଜ୍ୟ କି ନୁହେଁ ସେ ନେଇ ମୁଣ୍ଡ ବୁଲେଇ ନଥିଲେ । ପ୍ରଥମେ ସେ ତାଙ୍କ ମାତୃଭାଷାରେ କଥା କହିବାକୁ ଆରମ୍ଭ କରିଥିଲେ-। ମୁଁ ସେଥରେ ନିରକ୍ଷରପ୍ରାୟ ବୁଝି ହିନ୍ଦୀ ଓ ଇଂରାଜୀ ମିଶାଇ ମୋତେ ବଧେଇଦେବା ସମେତ ପ୍ରଶ୍ନକଲେ: ‘‘ଆପଣ ତ ଭଲ ଇଂରାଜୀ ଜାଣିଛନ୍ତି, ମନେହୁଏ । ଆଚ୍ଛା, Childର ବହୁବଚନ କ’ଣ-?’’

 

–‘‘Children ଛଡ଼ା ଆଉ କ’ଣ ହୋଇପାରେ ଆଜ୍ଞା !”

 

ସେ ଅଟ୍ଟହାସ୍ୟ କଲେ । “ହୋଇପାରେ, ହୋଇପାରେ–Childs, ବୁଝିଲେ ? ରେଲଓ୍ୱେବାଲାଙ୍କ ଇଂରାଜୀରେ ସବୁ ସମ୍ଭବ । ଡବା ଆଗରେ ଲଟକିଥିବା ନାମସବୁ ପଢ଼ିନାହାନ୍ତି-? ବର୍ତ୍ତମାନ ଆସିଯିବେ Mrs. Childs ଏବଂ ଦୁଇଜଣ ମିସ୍ ।’’

 

ରେଲଓ୍ୱେ ଇଂରାଜୀରେ ଭୁଲ୍ ଦେଖାଇବାରେ ତାଙ୍କର ସେ ଅନାବିଳ ଉତ୍ସାହ ଭାଙ୍ଗିଦେଇ କିପରି କହିଥାନ୍ତି ଯେ Childs ଗୋଟାଏ ଇଂରାଜୀ ବଂଶାନୁକ୍ରମିକ ପଦବୀ ?

 

“ବୁଝିଲେ–ଦୁଇଜଣ ମିସ୍ ନିଶ୍ଚୟ ମିସେସ୍‌ଙ୍କର Children; ରେଲଓ୍ଵେବାଲା ଏଣେ ମିସେସ୍‌ଙ୍କ ନାମ ଦେବାକୁ ଭୁଲିଗଲେ, ତେଣେ Children କୁ Childs ବନାଇଦେଲେ ।’’

 

ସହଯାତ୍ରୀ ତାଙ୍କ ସିଦ୍ଧାନ୍ତ ଘୋଷଣା ସମାପ୍ତ କରିବା ସଙ୍ଗେ ସଙ୍ଗେ ଜଣେ ମହିଳା ଏବଂ ଦୁଇଟି ବାଳିକା ପଶିଆସିଲେ । ସହଯାତ୍ରୀ ଉଠିପଡ଼ି ନିଜ ନାମ ଉଚ୍ଚାରଣ କରି (ଠିକ୍ ଶୁଣିଥିଲି କି ନା କହିପାରିବିନାହିଁ–ମନେହୁଏ ରାବଡ଼ିବାଲା) କର ମର୍ଦ୍ଦନ ପାଇଁ ହାତ ବଢ଼ାଇଲେ। କିନ୍ତୁ ଭଦ୍ରମହିଳାଙ୍କର ଦୁଇ ହାତରେ ସେ ଯାଏଁ ଜିନିଷପତ୍ର ଥିବା ଯୋଗୁଁ ରାବଡ଼ିବାଲା ନମସ୍କାର କରି ସନ୍ତୁଷ୍ଟ ରହିଲେ ।

 

‘‘I’m Mrs, Childs I’’

 

–‘‘Are you really Mrs. Childs ?” ସହଯାତ୍ରୀ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ-

 

ଭଦ୍ରମହିଳା ପ୍ରଶ୍ନଟିର ତାତ୍ପର୍ଯ୍ୟ ଠଉରାଇ ପାରିଲେନାହିଁ । ‘‘Have we met earlier ?’’ ସେ ବି ସାମାନ୍ୟ ବିସ୍ମୟ ପ୍ରକଟ କଲେ ।

 

–‘‘No, No. I respect England ladies. These girls are beautiful. Your daughters ?’’

 

–‘‘Right... Lucy and Tiny’’ ।

 

–‘‘ବାଃ, But if you are Childs, how Lucy became Hudson-? Already married ?’’ ଗୋଟିଏ ବ୍ୟାଗ୍ ଉପରେ ଲୁସିର ପୂରା ନାମଟି ଭଦ୍ରଲୋକ ପଢ଼ିପକାଇଥିଲେ । (A Pasage to Indiaରେ ଆଜିଜ୍ ମିସେସ୍ ମୁର୍‌ଙ୍କୁ ବୋଧହୁଏ ଏହି ଧରଣର ପ୍ରଶ୍ନଟିଏ ପଚାରିଥିଲା ।)

 

–‘‘Her father, my first husband, was Hudson’’ ।

 

–‘‘ବାଃ ! Divorce ? In India we also divorce’’ ।

 

–‘‘No, he died’’ ।

 

ବାଃ Widow marriage ! ବାଃ In India also we like widow marriage । ବାଃ ! We are no orthodox in 20th century’’ ।

 

ଲଜ୍ଜା ଓ ବିରକ୍ତିର ସମାହାରରେ ଯଦି ବିକଳରସ ବୋଲି କିଛି ଥା’ନ୍ତା, ତେବେ ସେହି ରସାଧିକ୍ୟରେ ମୋତେ ଯେମିତି ସନ୍ନିପାତ ଘୋଟିଆସୁଥିଲା । ଅନ୍ୟ ଡବାକୁ ଚାଲିଯିବା ସମ୍ଭବ ହେବ କି ? ତେବେ ତା’ର ପ୍ରୟୋଜନ ହେଲାନାହିଁ । ମିସେସ୍ ଚାଇଲ୍‌ଡ୍‌ସ ‘ଆମେ ବାସ୍ତବିକ କ୍ଳାନ୍ତ’ ବୋଲି କହି ଶେଯ ପ୍ରସ୍ତୁତି ଆରମ୍ଭକଲେ ।

 

ନିକଟ ଅତୀତରେ ସୁରତରେ ଯେଉଁ ଆତଙ୍କ ଖେଳାଇଦେଇଥିଲା ପ୍ଲେଗ୍ ବୋଲି ଅନୁମାନିତ ରୋଗ, ସେଦିନ ତାପ୍ତି ନଦୀ ତୀରରେ ଠିଆହୋଇ ଯେମିତି ସେ ଅନାଗତ ଦୁର୍ଯୋଗର ସଙ୍କେତ ପାଇଥିଲି । ସରତବାସୀଙ୍କ ଐଶ୍ଵର୍ଯ୍ୟର ଇୟତ୍ତା ନାହିଁ । ବୟନ ଶିଳ୍ପରେ ଏ ନଗରୀର ଚମତ୍କାରିତା ଅତୀତରେ ତଥା ସମକାଳୀନ ବାଣିଜ୍ୟ ଜଗତରେ ଅବିସମ୍ବାଦିତ । କିନ୍ତୁ ଯେଉଁ ପ୍ରକୃତି ନାଗରିକମାନଙ୍କୁ ଏତେ ସୁଖ ସମ୍ଭୋଗ ଦେଇଛି, ତା’ର ଅପମାନ ହୃଦୟବିଦାରକ । ପାହାଡ଼ ପ୍ରମାଣ ଆବର୍ଜନାରେ ତାପ୍ତି ଭାରାକ୍ରାନ୍ତ; ଏକାନ୍ତ ସ୍ଵଚ୍ଛ ତା’ର କରୁଣାଧାରା ଆଜି କାରୁଣ୍ୟ ଉଦ୍ରେକକରେ । ସୁରତ ଏକ ଭଦ୍ର ଓ ସହୃଦୟ ସମାଜସମୃଦ୍ଧ ସହର । କିନ୍ତୁ ଭାରତର ଅନ୍ୟାନ୍ୟ ବହୁ ସହରଭଳି ଏ ସମାଜ ମଧ୍ୟ ପରିବେଶ ପ୍ରତି ବେପରୁଆ–ବରଂ ନିର୍ମମ । (ଆଜି, ଡିସେମ୍ବର, ୧୯୯୬ରେ ଖବର ପାଉଛି, ସୁରତବାସୀମାନେ ପ୍ଲେଗ୍ ପରେ ସେମାନଙ୍କ ସହରକୁ ସୁନ୍ଦର, ପରିଚ୍ଛନ୍ନ କରିପାରିଛନ୍ତି ।)

 

ସହର ସୀମାନ୍ତରେ, ବ୍ୟାପକ ବେଳାଭୂମିରେ ପରିଣତ ନଦୀଶଯ୍ୟାକୁ ଲାଗି ଦୃଶ୍ୟମାନ ପ୍ରଥମ ଇଂରେଜ ବାଣିଜ୍ୟ ଦୁର୍ଗର ଭଗ୍ନାବଶେଷ । ସମ୍ଭାବନାମୟ ବିଶାଳ ଭାରତ ଭୂଖଣ୍ଡ ଉପରକୁ ବିସ୍ମୟବିଷ୍ଫାରିତ ଦୃଷ୍ଟିପାତ କରି ଏ ଗଡ଼ର ଆଦି ଅନ୍ତେବାସୀମାନେ ଦେଖିଥିବେ କେତେ ସ୍ଵପ୍ନ । ଭାରତବର୍ଷ ସହ ପରିଚୟର ସେ ପ୍ରଥମ ପର୍ଯ୍ୟାୟରେ କେତେ ବିଚିତ୍ର ଅଭିଜ୍ଞତା ବି ହୋଇଥିବ । ଗୋଟାଏ ପ୍ରକାଣ୍ଡ ମାଙ୍କଡ଼କୁ ଏମାନେ ଦୁର୍ଗ ଭିତରେ ବନ୍ଦୀକରି ରଖିଥିଲେ । ଦିନେ ମାଙ୍କଡ଼ଟି ଖସି ପଳାଇଲା ଏବଂ ଏଣେତେଣେ ଦୋକାନ ବଜାରରେ ପଶି ମୂଲ୍ୟବାନ୍ ଜିନିଷପତ୍ର କଚଡ଼ାକଚଡ଼ିକରି, ଏପରିକି ଜଣେ ଦୁଇଜଣ ସଜ୍ଜନଙ୍କୁ ରାମ୍ପୁଡ଼ି କାମୁଡ଼ି ଖଣ୍ଡିଆ ଖାବରା ବି କଲା । ତଥାପି ମାଙ୍କଡ଼ଟିକୁ ମାରିବା ନିମନ୍ତେ ସାହେବମାନଙ୍କର ଉଦ୍‍-ଯୋଗରେ କୌଣସି ନଗରବାସୀ ସହଯୋଗ ଦେଲେନାହିଁ । କାରଣ ଅନୁସନ୍ଧାନ କରୁଁ କରୁଁ ସେମାନେ ଅବଗତ ହେଲେ ରାମାୟଣର କାହାଣୀ । ଯେଉଁ ଅପୂର୍ବ ମଜାଦାର ଶୈଳୀରେ John Orington ଆମ ମହାକାବ୍ୟର ସାରାଂଶ ତାଙ୍କର (ଦୁଷ୍ପ୍ରାପ୍ୟ) ‘A Voyage to Surat in the Year 1689’ରେ ଲିପିବଦ୍ଧ କରିଛନ୍ତି, ତାହାର ଅନୁବାଦ ସହଜ ନୁହେଁ । (ତାଙ୍କ ଧାରଣାରେ ରାବଣ ନ ମରି ବାବାଜି ହୋଇଯାଇଥିଲା !)

 

ସୁରତ ବିଶ୍ୱବିଦ୍ୟାଳୟ ପରିସର ସହରଠାରୁ ବେଶ୍ ଦୂରରେ । ମୋର ରହିବାର ବ୍ୟବସ୍ଥା ହୋଇଥିଲା ସହର ଭିତରେ ଏକ ଅତିଥିଭବନରେ । ଅଦୂରରେ, ଚେମ୍ବର୍ ଅଫ୍ କମର୍ସର ପ୍ରେକ୍ଷାଳୟରେ ସଭାର ବ୍ୟବସ୍ଥା ହୋଇଥିଲା । ଶ୍ରୀଯୁକ୍ତ ସ୍ମାର୍ତ୍ତ, ତାଙ୍କର ସୁଯୋଗ୍ୟ ପୁତ୍ର କୈବଲ୍ୟ ମୋର ସମସ୍ତ ତତ୍ତ୍ଵ ନେଉଥିଲେ ଜାଣି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିଶ୍ଚିନ୍ତ ଥିଲେ ବୋଲି କୁହାଯାଇପାରେ । ତେବେ, କେହି କେହି କହୁଥିଲେ, ନିଶ୍ଚିନ୍ତ ରହିବାହିଁ ଅଧିକାଂଶ ବିଶ୍ଵବିଦ୍ୟାଳୟ ପରିଚାଳକମାନଙ୍କର ସ୍ୱଭାବ । ସେମାନଙ୍କ ନୈଶ୍ଚିନ୍ତ୍ୟ ମୋତେ ଖୁବ୍ ସୁହାଇଥିଲା । ବହୁ ସ୍ଥାନୀୟ ବନ୍ଧୁଙ୍କ (ଅଧିକାଂଶ ସଦ୍ୟଉପାର୍ଜିତ) ଦାବି ପୂରଣ କରିପାରୁଥିଲି । ତେବେ, ମାତ୍ର ଅଢ଼େଇଦିନ ବା ତିନିଦିନ ରହଣି ସେମାନଙ୍କ ପ୍ରତି ସୁବିଚାର କରିବା ଦିଗରେ ଯଥେଷ୍ଟ ନୁହେଁ ବୋଲି ସେମାନଙ୍କ ଅତିଥିବତ୍ସଳତାର ପ୍ରାଚୁର୍ଯ୍ୟ ମୋର ହୃଦବୋଧ କରାଇଥିଲା । ଏକାଧିକ ବନ୍ଧୁ ମୋତେ ପ୍ରତ୍ୟେକେ ଏକାଧିକବାର ଶୁଣାଇଥିଲେ ଗୋଟାଏ ଜନପ୍ରିୟ ପ୍ରବାଦ: “ସୁରତ ନୁ ଯମନ, କାଶୀ ନୁ ମରନ।”–ଅର୍ଥାତ୍‌, ସୁରତରେ ଭୋଜନପକାଇବ କାଶୀରେ ମରିବ, ଏହାହିଁ ସୌଭାଗ୍ୟ । କେବଳ ବର୍ଷାକାଳରେ ପ୍ରସ୍ତୁତ ହୁଏ ‘ସରସିଆ ଖଜା’ । ସେ ଲୋଭନୀୟ ଚିଜ ପରିବେଷଣରେ ଯେଉଁ ଦୋକାନଟି ବିଖ୍ୟାତ, ତା’ ଆଗରେ ବର୍ଷାତି ପିନ୍ଧି, ଛତାଧରି ଧାଡ଼ିଲଗାଇଥିବେ ସାନ ବଡ଼ ବହୁ ପର୍ଯ୍ୟାୟର ଲୋକ; ତହିଁ ଭିତରେ ଚିହ୍ନାପଡ଼ିଯାଉଥିବେ ସଦ୍ୟ ସାତବର୍ଷ ସଶ୍ରମ କାରାଦଣ୍ଡ ହୁକୁମ ଶୁଣାଇସାରି ଗୃହପ୍ରତ୍ୟାବର୍ତ୍ତନରତ ଜଜ୍‌ସାହେବଟିଏ, ମୁଖ୍ୟମନ୍ତ୍ରୀଙ୍କ ସମୁଧିଟିଏ, ଏମନ୍ତ ଇତ୍ୟାଦି ।

 

ଏକାକୀ କିଛି ସମୟ ନବୁଲିଲେ କିମ୍ବା କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ସ୍ଥାନରେ ଏକାକୀ କିଛି ସମୟ ନବସିଲେ, ଗୋଟାଏ ପ୍ରାଚୀନ ସ୍ଥାନର ହୃତ୍‌ସ୍ପନ୍ଦନ ଶୁଣି ହୁଏନା । ମୋ ଅନୁରୋଧରେ ତେଣୁ ଶ୍ରୀମାନ୍ କୈବଲ୍ୟ ତାପ୍ତି ତୀରରେ ମୋତେ କାର୍‍ରୁ ଓହ୍ଲାଇଦେଇଗଲେ । ସେଠାରୁ ଚେମ୍ବର୍ ଅଫ୍ କମର୍ସ ଆଠ-ଦଶ ମିନିଟ୍‌ର ଚଲାପଥ । ସଭାର କିଛି ସମୟ ଆଗରୁ ମୁଁ ଏକା ଏକା ସେଠାରେ ପହଞ୍ଚିଯିବି ବୋଲି କଥାଦେଲି ।

 

ପହଞ୍ଚିଗଲି ପନ୍ଦର ମିନିଟ୍ ଆଗରୁ । ଉଙ୍କିମାରି ଦେଖିଲି, ବନ୍ଧୁମାନେ ମଞ୍ଚ ସଜାସଜି, ହଲ୍ ସଜଡ଼ାସଜଡ଼ିରେ ବ୍ୟସ୍ତ । ପାର୍ଶ୍ଵବର୍ତ୍ତୀ ଏକ କୋଠରୀରେ ଖବରକାଗଜମାନ ଥିଲା–ଯାଇ ଓଲଟାଇଲି । ଗୋଟାଏ ଚୌକିରେ ବସିଥିଲେ ଜଣେ ସୁଟ୍-ଟାଇ ପରିହିତ ବ୍ୟକ୍ତି ।

 

ପଶିଆସିଥିଲେ ଜଣେ ଭଦ୍ରଲୋକ । ‘‘ରେଜିଷ୍ଟ୍ରାର ସାହେବ, ଆପଣ ଏ ସଭା ବିଶ୍ଵବିଦ୍ୟାଳୟ ପରିସରରେ ନକରି ସହରରେ କାହିଁକି କଲେ ? ମୋ ପୁଅ ଏବଂ ତା’ ସାଙ୍ଗ ଛାତ୍ରମାନେ ଏ ପ୍ରଶ୍ନ କରୁଛନ୍ତି ।”

 

“ଦେଶାଇଜୀ, ତମେ ବୋଧହୁଏ ତମ ଛାତ୍ରଜୀବନ କଥା ମନେପକାଇ ମୋତେ ଏ ପ୍ରଶ୍ନ କରୁଛ । ତମ ପୁଅକୁ ପଚାର, ଆମେ ଅତିଥିମାନଙ୍କୁ ଆଣୁ କ’ଣ ଫାଙ୍କା ହଲ୍ ଦେଖାଇବାକୁ ? ଛାତ୍ରଛାତ୍ରୀମାନେ ବୌଦ୍ଧିକ ସଭାକୁ ଆସନ୍ତି ? ଗତ ମାସ ଫିଲାଡ଼େଲ୍‍ଫିଆରୁ ଆସିଥିଲେ ପ୍ରୋଫେସର, ସୁବିଖ୍ୟାତ ବୈଜ୍ଞାନିକ । ଏ ସହରରୁ ଯାଇଥିଲେ ସାତ-ଆଠଜଣ; କିନ୍ତୁ ଛାତ୍ରଛାତ୍ରୀ ଥିଲେ ସର୍ବମୋଟ ପାଞ୍ଚଜଣ ।”

 

“ରେଜିଷ୍ଟ୍ରାର ସାହେବ, ଛାତ୍ରଛାତ୍ରୀ ତ ପାଞ୍ଚଜଣ ଥିଲେ, ଅଧ୍ୟାପକ କେତେଜଣ ଥିଲେ-?” –ପଚାରିଦେଲେ ଦେଶାଇ ।

 

ରେଜିଷ୍ଟ୍ରାର ବଡ଼ ଅଡ଼ୁଆରେ ପଡ଼ିଲେ । ଟିକିଏ କାଶିଦେଇ କହିଲେ, “ଏକା କଥା । ଛାତ୍ର ଅଧ୍ୟାପକ କାହାରି ଆଗ୍ରହ ନାହିଁ । ମୋତେ କୁହାଗଲା, ଏ ସଭାଟି ଏଠି ହେଲେ ସହରରୁ କିଛି ଶ୍ରୋତା ଆସିବେ । ମୁଁ ଯେତିକି ଆଶାକରୁଥିଲି, ତାହାଠୁଁ ଅଧିକ ଆସିଲେଣି ମନେହୁଏ । କିନ୍ତୁ ବିଶ୍ୱବିଦ୍ୟାଳୟ ହଲରେ ହୋଇଥିଲେ ଏଯାବତ୍ ଚୌକିସବୁ ଶୂନ୍ୟଥାନ୍ତା ।”

 

‘‘ହୁଏତ ନଥାନ୍ତା ଆଜ୍ଞା ! ଏତେ ଦୂରକୁ ବି କିଛି ଛାତ୍ର ଆସିଛନ୍ତି । କଥା ହେଲା, ଆପଣମାନେ ସବୁବେଳେ ଗୋଟାଏ ଧାରଣା ଆଦରି ନିଅନ୍ତି–ତେଣିକି ଅବସ୍ଥାର ଉନ୍ନତି ଦିଗରେ ଆଉ କିଛି ଚେଷ୍ଟାଚରିତ୍ର କରନ୍ତିନାହିଁ । ଧରନ୍ତୁ ଅଧ୍ୟାପକମାନେ କ୍ଲାସରେ ପିଲାମାନଙ୍କୁ ନିର୍ଦ୍ଦେଶ ଦିଅନ୍ତେ କୌଣସି ସଭାରେ ଯୋଗଦେବାପାଇଁ–ତା’ପରେ ନିଜେ ଆସି ସଭାରେ ଉପସ୍ଥିତ ରହି ଦେଖନ୍ତେ–ସଭାରେ ପରିବେଷିତ ବିଷୟ ଉପରେ ପରଦିନ କ୍ଲାସରେ ପାଞ୍ଚ-ଦଶ ମିନିଟ୍ ଆଲୋଚନା କରନ୍ତେ–ତେବେ ପରିସ୍ଥିତି ବଦଳିବାକୁ ଆରମ୍ଭକରନ୍ତା । ସତ୍ୟ ହେଲା, ଅଧ୍ୟାପକମାନେ ଜ୍ଞାନ ପ୍ରତି ବୀତସ୍ପୃହ । ଛାତ୍ର-ଚରିତ୍ରରେ ପ୍ରତିଫଳିତ ସେହିମାନଙ୍କ ଅନାଗ୍ରହଭାବ-।”

 

ଖବରକାଗଜ ଉପରେ ଆଖି ରଖିଥିଲି; କିନ୍ତୁ ଆଗ୍ରହରେ ଶୁଣୁଥୁଲି ଏ ସଂଳାପ । କିନ୍ତୁ ଆଲୋଚକ ଦୁହିଁଙ୍କୁ ଚମକାଇଦେଲେ କୌଣସି ଜଣେ ବନ୍ଧୁ । ‘‘ଆରେ ! ତେଣେ ଆମ ଅତିଥି କୁଆଡ଼େ ବାଟ ହୁଡ଼ିଲେଣି ବୋଲି ଚହଳ ପଡ଼ିଛି, ତମେ ଆସି ଏଠି ! ଆସ ମନୋଜ, ଆସ । ହଲ୍ ପ୍ରାୟ ଭର୍ତ୍ତି । ଖାଲି କୁଳପତି ଏଯାଏଁ ଆସିନାହାନ୍ତି !”

 

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷହେଲା । ମୋର ସୁରତାଗମନର ଅଭିପ୍ରାୟ ସମ୍ପର୍କରେ ବନ୍ଧୁମାନେ ଅବହିତ ଥିଲେ । ସେମାନେ ମୋତେ ନେଇଗଲେ ଯଥାସ୍ଥାନକୁ–ସଭା ଶେଷ ହେବ ସଙ୍ଗେ ସଙ୍ଗେ । ତାହା ଥାଏ ପୂର୍ଣ୍ଣମୀ ରଜନୀ । ଆଶା ଥାଏ, ମନଭରି ଦେଖିପାରିବି ସେ ପ୍ରାନ୍ତର–ଯେଉଁଠି ଆରମ୍ଭ ହୋଇଥିଲା ଭାରତ ଇତିହାସର ଏକ ନୂତନ ପର୍ଯ୍ୟାୟ ।

 

ଗଭୀର ଆଗ୍ରହରେ ଅପେକ୍ଷା କରିଥାଏଁ ।

 

–‘‘ପହଞ୍ଚିଗଲୁ ।” କହିଲେ କୈବଲ୍ୟ ।

 

–“କାହିଁ ?” ପ୍ରଶ୍ନ କଲି ।

 

–‘‘କ’ଣ କାହିଁ ?’’

 

–“କାହିଁ ସେ ମୈଦାନ ?”

 

‘‘ଓଃ ମୈଦାନ ! ସିଏ ଇତିହାସ ପୃଷ୍ଠାରେ । ଅବଶ୍ୟ ଅଦ୍ୟାବଧି କେତେକଙ୍କ ସ୍ମୃତିରେ ରହିଥ‌ିବ–ତେବେ ସେମାନଙ୍କ ସଂଖ୍ୟା ହ୍ରାସ ହୋଇଆସୁଛି । କାହିଁ କେବେଠୁଁ ମୈଦାନ ହେଲାଣି ବିଲୁପ୍ତ ।” ଚାକଚକ୍ୟମୟ ଅଟ୍ଟାଳିକା, ବିପଣୀମାଳା ଆଡ଼େ ଦୁଇବାହୁ ପ୍ରସାରିତ କରି କହିଲେ ଅନିରୁଦ୍ଧଜୀ ।

 

–“ତେବେ ମୈଦାନର ଅବଶେଷ ଜିଇଁରହିଛି ଏକ ଛୋଟ ପାର୍କରେ ।” ଜଣେ ବନ୍ଧୁ କହିଲେ ।

 

ଆମେ ଯାଇ ସେ ପାର୍କରେ ବସିଲୁଁ ।

 

ଏଇଠି, ୧୯୦୭ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା ଜାତୀୟ କଂଗ୍ରେସର ଐତିହାସିକ ସୁରତ ଅଧିବେଶନ । ଶ୍ରୀଅରବିନ୍ଦ (ସେତେବେଳେ ଅରବିନ୍ଦ ଘୋଷ) ଏବଂ ଲୋକମାନ୍ୟ ତିଳକଙ୍କ ବିଦ୍ରୋହୀ ନେତୃତ୍ୱରେ ନରମପନ୍ଥୀ ଆଦର୍ଶ ବିସର୍ଜନ ଦେଇ ଜାତୀୟ କଂଗ୍ରେସ ଗ୍ରହଣ କରିଥିଲା ପୂର୍ଣ୍ଣ ସ୍ଵରାଜ୍ୟର ଆଭିମୁଖ୍ୟ ।

 

ବସ୍ତୁତଃ ଶ୍ରୀ ଦାଦାଭାଇ ନାଓରୋଜୀଙ୍କ ସଭାପତିତ୍ୱରେ ୧୯୦୬ରେ ଅନୁଷ୍ଠିତ କଂଗ୍ରେସର କଲିକତା ଅଧିବେଶନ ହିଁ ସ୍ୱଦେଶୀ, ବୟକଟ୍ ଏବଂ ଜାତୀୟ ଶିକ୍ଷା ପ୍ରବର୍ତ୍ତନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରିଥିଲା । ପଟ୍ଟଭୂମିରେ ଥାଇ ଧ୍ୟାନଧାରଣା ଯୋଗାଉଥିଲେ ଶ୍ରୀଅରବିନ୍ଦ; ତାକୁ କାର୍ଯ୍ୟକାରୀ କରିବାରେ ନେତୃତ୍ୱ ନେଉଥିଲେ ତିଳକ, ଲାଲା ଲାଜପତ୍ ରାୟ, ଖାପାର୍ଡ଼େ ଏବଂ ଖାରେ । ନରମପନ୍ଥୀ ନେତାମାନେ–ଫିରୋଜଶାହ ମେହ୍‍ଟା, ଗୋଖଲେ ଏବଂ ସୁରେନ୍ଦ୍ରନାଥ ବାନାର୍ଜୀ ପ୍ରମୁଖ ବଡ଼ ବିଚଳିତ ହେଲେ । କିନ୍ତୁ ସଭାପତି ନାଓରୋଜୀ ଚରମପନ୍ଥୀମାନଙ୍କୁ ସମର୍ଥନ କରନ୍ତେ ବୈପ୍ଳବିକ ପ୍ରସ୍ତାବମାନ ଗୃହୀତ ହୋଇଗଲା ।

 

ପ୍ରମାଦ ଗଣିଲେ ନରମପନ୍ଥୀମାନେ । ପରବର୍ତ୍ତୀ ଅଧିବେଶନ ନାଗପୁରରେ ହେବାର ଥିଲା । କିନ୍ତୁ କୌଶଳକ୍ରମେ ନରମପନ୍ଥୀମାନେ ନାଗପୁର ପରିବର୍ତ୍ତେ ସେମାନଙ୍କ ପ୍ରଭାବଭୂମି ରୂପେ ବିଦିତ ସୁରତକୁ ମନୋନୀତ କରାଇନେଲେ ।

 

ପ୍ରଖ୍ୟାତ ସାମ୍ବାଦିକ ହେନ୍‌ରି ନେଭିନ୍‌ସନ୍‌ ସେତେବେଳେ ଭାରତରେ ରହି ଜାତୀୟ ଆନ୍ଦୋଳନର ଗତି ପ୍ରଗତି ପର୍ଯ୍ୟବେକ୍ଷଣ କରୁଥିଲେ । ଚରମପନ୍ଥୀମାନେ ଲାଲା ଲାଜପତ୍ ରାୟଙ୍କୁ ଅଧିବେଶନର ସଭାପତି ରୂପେ ବରଣ କରିବାକୁ ସ୍ଥିରକଲାବେଳକୁ ନରମପନ୍ଥୀମାନେ ଡକ୍ଟର ରାସବିହାରୀ ଘୋଷଙ୍କୁ ସେ ଆସନରେ ବସାଇଦେଲେ । ସୁରେନ୍ଦ୍ରନାଥ ଓ ମୋତିଲାଲ ନେହେରୁ ପ୍ରତିନିଧିବର୍ଗଙ୍କୁ ଶାନ୍ତିପୂର୍ଣ୍ଣ ଆଚରଣ କରିବାକୁ ଉପଦେଶ ଦେବା ଉତ୍ତାରୁ ରାସବିହାରୀ ଚୌକି ଗ୍ରହଣ କରୁଛନ୍ତି–ମଞ୍ଚ ଉପରକୁ ଉଠିଗଲେ ବାଳଗଙ୍ଗାଧର ତିଲକ ।

 

“ସଭାପତି ନିର୍ବାଚନ ସମ୍ପର୍କରେ ମୋର କିଛି କହିବାର ଅଛି”–ବୋଲି ସେ ପୂର୍ବରୁ ପ୍ରଦତ୍ତ ନୋଟିସ୍ ଅନୁସାରେ ତାଙ୍କ ବକ୍ତବ୍ୟ ଆରମ୍ଭ କରନ୍ତେ ରାସବିହାରୀ ଉତ୍ତେଜିତ ଭାବରେ ତାଙ୍କୁ “ଆଉଟ୍ ଅଫ୍ ଅଡ଼ର୍” ବୋଲି ଘୋଷଣାକଲେ ।

 

“ଆପଣ ଏଯାଏଁ ବିଧିବଦ୍ଧ ଭାବରେ ସଭାପତି ହୋଇନାହାନ୍ତି । ମୋତେ ‘ଆଉଟ୍ ଅଫ୍ ଅଡ଼ର୍” ସାବ୍ୟସ୍ତ କରିବେ କେଉଁ ଅଧିକାରରେ ?” –ପ୍ରଶ୍ନ କଲେ ତିଳକ ।

 

“ମୁଁ କ‌ହୁଛି–ତମେ ଆଉଟ୍ ଅଫ୍ ଅଡ଼ର୍ ।” ରାସବିହାରୀ ପାଟିକଲେ ।

 

ପରବର୍ତ୍ତୀ ଘଟଣାବଳୀ ହେନ୍‌ରୀ ନେଭିନ୍‌ସନ୍‌ଙ୍କଠାରୁ ଶୁଣନ୍ତୁ (ମୁକ୍ତ ଅନୁବାଦ)–

 

“କୋଳାହଳରେ ଭରିଗଲା ବାତାବରଣ । ଛାତିରେ ବାହୁଯୁଗଳ ଛନ୍ଦି ତିଳକ ଶ୍ରୋତୃମଣ୍ଡଳିକୁ ସାମ୍‌ନା କରିଥାନ୍ତି । ଉଭୟ ଦିଗରୁ ନରମପନ୍ଥୀମାନେ ନାଚିକୁଦି ତାଙ୍କୁ ଭୟଭୀତ କରିବାପାଇଁ ମୁଷ୍ଟି ଉଠାଉଥାନ୍ତି, ଚିତ୍କାର କରୁଥାନ୍ତି । ମଞ୍ଚ ଉପରୁ ତାଙ୍କୁ ତଳକୁ ଫୋପାଡ଼ିଦେବାର ଧମକ ଦେଉଥାନ୍ତି । ସଭାପତି ମହୋଦୟ ଟେବୁଲରେ ଚଢ଼ି ଠିଆହୋଇ ପିତ୍ତଳ ଘଣ୍ଟ ବଜାଇଚାଲିଥାନ୍ତି । କଣ୍ଠ ଫଟାଇ ସମସ୍ତଙ୍କୁ ଶାନ୍ତ ହେବାକୁ ନିର୍ଦ୍ଦେଶ ଦେଉଥାନ୍ତି; କିନ୍ତୁ ନା ଶୁଭୁଥାଏ ତାଙ୍କ ଘଣ୍ଟ, ନା ଶୁଭୁଥାଏ ତାଙ୍କ କଣ୍ଠ । ନରମପନ୍ଥୀମାନଙ୍କୁ ସେଭଳି ଗରମ ଓ ଗର୍ଜନରୁ କ୍ଷାନ୍ତ କରିବାକୁ ପ୍ରୟାସ କରୁଥାନ୍ତି ଗୋଖଲେ । ସେ ତାଙ୍କ ରାଜନୈତିକ ବିରୋଧୀ ତିଳକଙ୍କୁ ରକ୍ଷାକରିବା ମାନସରେ ତାଙ୍କ ନିଜ ବାହୁବଳୟ ଭିତରେ ରଖିଥାନ୍ତି । କିନ୍ତୁ ତିଳକ କାହାରି ସୁରକ୍ଷାଦାନକୁ ଅପେକ୍ଷା କରୁନଥିଲେ । ସେ ଠିଆହୋଇଥାନ୍ତି–ସେମିତି ବାହୁଛନ୍ଦି–ପୂରା ବେପରୁଆ ଢଙ୍ଗରେ । ତାଙ୍କ ପ୍ରତି ହିଂସାଚରଣ ହେବ ? ହେଉ ! ତାଙ୍କୁ ଟଳାଇପାରିବନାହିଁ କୌଣସି ଶକ୍ତି । ତାଙ୍କ ଆଗରେ ଧଳାପୋଷାକ ପରିହିତ ଜନତା ଅସ୍ଥିର ସମୂଦ୍ର ଭଳି ଗର୍ଜନ କରୁଥାଏ ।”

 

“ହଠାତ୍ ଶୂନ୍ୟରେ କିଛି ଉଡ୍ଡୀୟମାନ ହେବାର ଦେଖାଗଲା । ସେ ବସ୍ତୁଟି ପଟେ ଯୋତା । ଚମଡ଼ା ତା’ର ଲାଲିଚିଆ, ଗୋଜିଆ ମୁଣ୍ଡ, ତଳେ ସିସା । ସେ ଗୋଟିକ ଯାଇ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଗାଲରେ ମାଡ଼ ବସାଇଲା; ତତ୍ପରେ ଛିଟିକି ଯାଇ ପଡ଼ିଲା ସାର୍ ଫିରୋଜ୍‌ଶାହ ମେହଟାଙ୍କ ଉପରେ । ଆହୁରି ଥରେ ସେ ଉଡ଼ିଲା ଓ ପଡ଼ିଲା । ଯେମିତି କାହା ଇସାରାରେ ହଠାତ୍ ଶୁଭ୍ରବସ୍ତ୍ରପରିହିତ ଜନତାର ବିପୁଳାଂଶ ମଞ୍ଚକୁ ଘେରିଗଲେ; ଉପରକୁ ଚଢ଼ିଗଲେ । ସେ କ୍ରୋଧାନ୍ଧ, ଅଣନିଃଶ୍ଵାସୀ ଜନତା ବାଡ଼ି ବୁଲାଇ ଯେଉଁ ମୁଣ୍ଡଟି ନରମପନ୍ଥୀ ଭଳି ମନେହେଉଥାଏ, ତାକୁ ପକାଉଥାନ୍ତି ପାହାରେ ।’’

 

“ସେହି ମୁହୂର୍ତ୍ତରେ ସେସବୁ ସହସ୍ର ମାଟିଆଗୋଡ଼ ସନ୍ଧିରେ ମୁଁ ଦେଖୁଥିଲି ଭାରତୀୟ ଜାତୀୟ କଂଗ୍ରେସର ବିଲୟ । ଭାଲ୍‍ମି ଯୁଦ୍ଧ ଦେଖିଲାବେଳେ ମହାକବି ଗାଟାଙ୍କ ଉକ୍ତି ମୁଁ ବି ଆଉଡ଼ାଇପାରିଥାନ୍ତି : ଆଜି ଏକ ନୂତନ ଯୁଗର ଆରମ୍ଭ । କହିପାରୁ, ତୁ ତା’ର ସାକ୍ଷୀ ଥିଲୁ ।”

 

ନେଭିନ୍‌ସନ୍‌ ଠିକ୍ କହିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ନବଯୁଗର ସୂତ୍ରପାତ ହିଁ ହୋଇଥିଲା ଆପାତଦୃଷ୍ଟିରେ କଂଗ୍ରେସର ସେହି ‘ବିଲୟ’ ଭିତରେ । ସେଦିନ ଯାହାର ବିଲୟ ହେଲା, ତାହା ଆପୋଷଧର୍ମୀ ନରମ ନୀତି । ଗୋଟିଏ ଦୈନିକ ପତ୍ରିକାର ସମ୍ବାଦ ଶିରୋନାମା ଥିଲା “The Congress is Dead–Long Live the Congress ।” ପରଦିନ ଚରମପନ୍ଥୀ ବା ଜାତୀୟତାବାଦୀମାନେହିଁ ଅଧିବେଶନ ସଂଗଠିତ କଲେ । ନେଭିନ୍‌ସଙ୍କ ଭାଷାରେ :

 

“ଗମ୍ଭୀର ଏବଂ ନୀରବ–ମୋର ମନେହୁଏ, ଗୋଟାଏ ବି ଶବ୍ଦ ଉଚ୍ଚାରଣ ବିନା–ମିଷ୍ଟର୍ ଅରବିନ୍ଦ ଘୋଷ ସଭାପତି ଆସନରେ ବସିଲେ ଏବଂ ବସିରହିଲେ ନିଶ୍ଚଳ–ଆଖି ତାଙ୍କର ବହୁ ଦୂରରେ–ଯେମିତିକି ଭବିଷ୍ୟତ ଉପରେ ନିବଦ୍ଧ । ସ୍ପଷ୍ଟ ଏବଂ ଛୋଟ ଛୋଟ ବାକ୍ୟଯୋଗେ, ବିନା ବାଗ୍ମିତା, ବିନା ଭାବାବେଗରେ ତିଳକ କହିଚାଲିଥାନ୍ତି । ଆକାଶରେ ଦେଖାଦେଲେ ନକ୍ଷତ୍ରମାନେ; କେହି ଜଣେ ତାଙ୍କ କଡ଼ରେ ଥୋଇଲା ଏକ ଲଣ୍ଠନ ।” (୧)

 

(୧) “Grave and silent, I think without saying a single word, Mr. Aurobindo Ghose took the Chair and sat unmoved, with far-off eyes, as one who gazes at futurity. In clear, short sentences, without eloquence or passion, Mr. Tilak spoke till the stars shone out and some one kindled a lantern at his side.”

 

ନେଭିନ୍‌ସନ୍‌ ପ୍ରତିନିଧିମାନଙ୍କ ସହ ରେଳଗାଡ଼ିରେ ଯିବାବେଳେ ଷ୍ଟେସନ ପରେ ଷ୍ଟେସନରେ ଶୁଣୁଥାନ୍ତି ନରମପନ୍ଥୀମାନଙ୍କର ମୁର୍ଦ୍ଦାବାଦ । ଆଉ ଶ୍ରୀଅରବିନ୍ଦଙ୍କୁ ଘୋଡ଼ାଗାଡ଼ିରେ ବସାଇ, ଘୋଡ଼ା ଖୋଲିଦେଇ ଯୁବକମାନେ ଗାଡ଼ି ଟାଣି ଟାଣି ନେଉଥାନ୍ତି । ବର୍ଷକ ପରେ ଆଲିପୁର ଷଡ଼ଯନ୍ତ୍ର ମାମଲାର ବିଚାରବେଳେ ଶ୍ରୀଅରବିନ୍ଦଙ୍କ ବିରୁଦ୍ଧରେ ଯୁକ୍ତିରତ ସରକାରୀ ଓକିଲ ବାରିଷ୍ଟର ନର୍ଟନ ସାହେବ କହିଥିଲେ, ‘‘ଯୁଆଡ଼େ ଗଲେ ଅରବିନ୍ଦ ଏମିତି ଅଭ୍ୟର୍ଥନା ପାଉଥାନ୍ତି, ସତେ ଅବା ସେ ଜଣେ ମହାରାଜ ! ବସ୍ତୁତଃ, ଲୋକେ ତାଙ୍କୁ ଖାଲି ବଙ୍ଗଦେଶର ନୁହେଁ, ସମଗ୍ର ଦେଶର ନେତା ରୂପେ ଦେଖୁଥାନ୍ତି ।”

 

ସେହି ଅଭୁଲା ଅଧିବେଶନର ଆଧାର ସେ ପାର୍କରେ ଆମେମାନେ ବସିଥିଲୁ ଦୀର୍ଘ ସମୟ । ହେନ୍‌ରୀ ନେଭିନ୍‌ସନ୍‌ ପ୍ରଦତ୍ତ ଶ୍ରୀଅରବିନ୍ଦଙ୍କ ଦିଗ୍‌ବଳୟ-ନିବଦ୍ଧ ସେଇ ଦୃଷ୍ଟିର ଚିତ୍ର ମୋତେ ଦେଇଥିଲା ଏ କବିତାର ପ୍ରେରଣା :

 

ଅତନ୍ଦ୍ର ସେ ନୟନରେ ଦେଖୁଥିଲା ସନ୍ଧ୍ୟାର ଆକାଶ

ସୁଗଭୀର ସମୁଦ୍ରର ମୌନ ପ୍ରତିଭାଷ—

ସେ ନୟନେ ଦେଖୁଥିଲା ସେ ସନ୍ଧ୍ୟାର ପ୍ରଥମ ନକ୍ଷତ୍ର,

ନିଜ ପରିଚୟ, ନିଜ ହୃଦ୍‌ସତ୍ତାର ଗୁପ୍ତ ମାନଚିତ୍ର ।

ଯାହା କେହି ଦେବାର ଥିଲା ନାହିଁ କ୍ଷୀଣ ସମ୍ଭାବନା

ଅନ୍ଧକାର ଦେଖୁଥିଲା ସେ ନୟନେ ସେହି ଦୃଶ୍ୟ–

ବିଧାତାର ଉଦ୍ଧତ କଳ୍ପନା ।

ଅନେକ ସୂର୍ଯ୍ୟାସ୍ତ ତଥା ଅନେକ ନକ୍ଷତ୍ର,

ଖୋଜିଥିବେ ତାହା ପରେ ଯତ୍ର ତତ୍ର, ଅଥବା ସର୍ବତ୍ର,

ଅନ୍ତର୍ହିତ ସେ ବେନି ନୟନ

ସମ୍ଭବତଃ ଅଦ୍ୟାବଧି ଅବ୍ୟାହତ ସେ ଅନୁସନ୍ଧାନ ।

☆☆☆

 

(କୋଡ଼ିଏ)

ବରୋଦାର ଦେବଅତିଥି : ଶତାବ୍ଦୀ ସ୍ମରଣ

 

୧୯୯୩ ଫେବ୍ରୁଆରି ୯ ତାରିଖ ଦିନ ବରୋଦା ବା ଭଦୋଦରା ଯେପରି ଭାବରେ ଉତ୍ସବ-ମୁଖର ହୋଇଥିଲା, ତା’ର ତୁଳନୀୟ ଦୃଷ୍ଟାନ୍ତ ସମସାମୟିକ ଭାରତରେ ପାଇବା ଅସମ୍ଭବ । ତାହା କୌଣସି ଧର୍ମଗତ ପର୍ବପର୍ବାଣି ନଥିଲା; ନଥିଲା କୌଣସି ରାଜନୈତିକ ଦଳ-ପ୍ରୟୋଜିତ ସମାବେଶ ବା ଆୟୋଜନ ।

 

ଶହେବର୍ଷ ତଳେ, ନିଃସଙ୍ଗ ଏକୋଇଶ ବର୍ଷ ବୟସ୍କ ଯୁବକଟିଏ ଜାହାଜ ଯୋଗେ ବିଲାତରୁ ଆସି ବୋମ୍ବେରେ ଅବତରଣ ଉତ୍ତାରୁ ରେଳଗାଡ଼ି ଚଢ଼ି ବରୋଦାରେ ଆସି ପହଞ୍ଚିଥିଲେ ସେହି ତାରିଖରେ । ଗଭୀର ଭକ୍ତି ଓ ଶ୍ରଦ୍ଧାଭରେ ସେହି ପଦାର୍ପଣକୁ ସ୍ମରଣ କରୁଥିଲା ବରୋଦା । ଅନ୍ତତଃ ଏକହଜାର ଛାତ୍ରଛାତ୍ରୀ ସମେତ ପ୍ରାୟ ତିନିହଜାର ନରନାରୀଙ୍କର ଏକ ଶୋଭାଯାତ୍ରା ଅପରାହ୍‍ଣରେ ନଗରୀର ମୁଖ୍ୟ ରାଜପଥ ଦେଇ ଯିବାବେଳେ ଦୁଇକଡ଼ର କୋଠା ସବୁ ଉପରୁ ଅଜସ୍ର ପୁଷ୍ପବୃଷ୍ଟି ହେଉଥିଲା ।

 

ପୁଷ୍ପବୃଷ୍ଟି ହେଉଥିଲା ଶ୍ରୀଅରବିନ୍ଦଙ୍କ ଏକ ପ୍ରତିକୃତି ଉପରେ । ଶହେବର୍ଷ ତଳେ ଶ୍ରୀଅରବିନ୍ଦଙ୍କୁ ସେଠାକୁ ଆଣିବାରେ, ରଖାଇବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିଲା ଆଜି ସେମାନଙ୍କର ତୃତୀୟ ପୁରୁଷର ବ୍ୟକ୍ତିବର୍ଗ ଏ ଉତ୍ସବର ଆୟୋଜନରେ ଲାଗିଥିଲେ ବିପୁଳ ଉତ୍ସାହ ସହକାରେ ।

 

ସେଦିନ ଶ୍ରୀଅରବିନ୍ଦ ଆସିଥିଲେ ମହାରାଜା ସୈୟାଜୀ ରାଓ ଗାଏକ୍‍ଓ୍ୱାଡ୍‌ଙ୍କର ଜଣେ କର୍ମଚାରୀ ରୂପେ । ସେ ସୈୟାଜୀ ରାଓଙ୍କ ନାତି, ବରୋଦାର ଶେଷ ମହାରାଜା ରଞ୍ଜିତ୍ ସିଂହ ଗାଏକ୍ଓ୍ଵାଡ୍ ଏବଂ ମହାରାଣୀ, ପିତୃବ୍ୟଙ୍କର ଏହି ମହିମାମୟ ‘ରିକୃଟ’ଙ୍କ ସ୍ମୃତିକୁ ଶ୍ରଦ୍ଧାନିବେଦନ କରୁଥିଲେ ଅକୁଣ୍ଠ ଆନ୍ତରିକତା ସହକାରେ । ମହାରାଜା ରଞ୍ଜିତ୍ ସିଂହ ଜଣେ ସୁଦକ୍ଷ କଣ୍ଠଶିଳ୍ପୀ । ଉତ୍ସବ-ସପ୍ତାହର ଆରମ୍ଭରେ ସେ ଶ୍ରୀଅରବିନ୍ଦ ଭବନକୁ ଆସି ସଙ୍ଗୀତ ପରିବେଷଣ କରିଥିଲେ; ଉତ୍ସବ ଉପଲକ୍ଷ୍ୟେ ଭାରତର ବିଭିନ୍ନ ପ୍ରାନ୍ତରୁ ସମାଗତ ସହସ୍ରାଧିକ ନରନାରୀଙ୍କୁ ପ୍ରାସାଦସଂଲଗ୍ନ ଉଦ୍ୟାନରେ ବିପୁଳ ଭୋଜି ଦେଇଥିଲେ ।

 

ବିଶ୍ଵବିଦ୍ୟାଳୟ, ସରକାର ପୌରସଭା ସେମାନଙ୍କର ସମସ୍ତ ଅତିଥିଭବନକୁ ବହିରାଗତ ଅତିଥିମାନଙ୍କ ପାଇଁ ଛାଡ଼ିଦେଇଥିଲେ । ମହାରାଜାଙ୍କର ଜଣେ ବରିଷ୍ଠ କର୍ମଚାରୀ ଖାସେରାଓ ଯାଦବଙ୍କର ଯେଉଁ ଦ୍ଵିତଳ କୋଠାରେ ଶ୍ରୀଅରବିନ୍ଦ ତାଙ୍କ ତେରବର୍ଷକାଳ ବରୋଦା-ଜୀବନର ଅଧିକାଂଶ କାଳ ଅତିବାହିତ କରିଥିଲେ, ତାହା ଅବଶ୍ୟ ତାଙ୍କ ଜନ୍ମଶତବାର୍ଷିକୀ (୧୯୭୨)ରୁ ସରକାରଙ୍କ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀଅରବିନ୍ଦ ସମିତି ହାତକୁ ଆସିଯାଇ ଶ୍ରୀଅରବିନ୍ଦ ଭବନ ନାମରେ କର୍ମମୁଖର ।

 

୧୮୯୨ରେ କୌଣସି ଏକ ମାହେନ୍ଦ୍ର ମୁହୂର୍ତ୍ତରେ ମହାରାଜା ସୈୟାଜୀ ରାଓ ଲଣ୍ଡନ ଯାଇଥିବାବେଳେ ସାର୍ ହେନ୍‌ରୀ କଟନ୍‍ଙ୍କ ସାନଭାଇ ଜେମ୍‍ସ କଟନ୍‌ ତାଙ୍କ ସହ ଶ୍ରୀଅରବିନ୍ଦଙ୍କର ପରିଚୟ କରାଇଦେଇଥିଲେ । ସେତେବେଳେ ଶ୍ରୀଅରବିନ୍ଦ ଆଇ.ସି.ଏସ୍. ପରୀକ୍ଷାର ସବୁ ବିଭାଗରେ କୃତିତ୍ୱ ହାସଲ କରିବା ସତ୍ତ୍ୱେ ଘୋଡ଼ାଚଢ଼ା ପରୀକ୍ଷାରେ ଯୋଗନଦେଇ ସେ ଗଜଦନ୍ତ-ଶୃଙ୍ଖଳରୁ ଖସିଯାଇଥିଲେ । ମହାରାଜା ତାଙ୍କୁ ତାଙ୍କ ସରକାରରେ ପଦ ଯାଚନ୍ତେ ସେ ତତ୍‌କ୍ଷଣାତ୍ ସମ୍ମତି ଦେଲେ ।

 

ସେତେବେଳେ ଭାରତ ଓ ବିଲାତ ଭିତରେ ଯୋଗାଯୋଗ ସହଜ ନଥିଲା। ପିତା ଡାକ୍ତର କୃଷ୍ଣଧନ ଘୋଷ ବୋମ୍ବେରେ କେଇ ସପ୍ତାହ ଅପେକ୍ଷା କରି ପୁଅ କେଉଁ ଜାହାଜରେ ଆସୁଛି କିଛି ଖବର ନପାଇ, ବଙ୍ଗଦେଶକୁ ଲେଉଟି ଆସି ଜାଣିଲେ ପୁଅ ‘ରୁମାନିଆ’ ନାମକ ଜାହାଜରେ ଆସି ପହଞ୍ଚିବ । ପରେ ପରେ ଜାହାଜର କର୍ତ୍ତୃପକ୍ଷ ଜଣାଇଲେ ଲିସ୍‌ବନ୍ ଉପକୂଳରେ ଭୀଷଣ ଝଡ଼ଯୋଗୁଁ ‘ରୁମାନିଆ’ ଜଳମଗ୍ନ ହୋଇଛି–ସମ୍ଭବତଃ ସମସ୍ତ ଯାତ୍ରୀଙ୍କର ହୋଇଛି ସଲିଳ-ସମାଧି ।

 

ଡାକ୍ତର କୃଷ୍ଣଧନ ‘ଅରବିନ୍ଦ’ ନାମ ଉଚ୍ଚାରଣ କରୁଁ କରୁଁ ଛାତିରେ ହାତଦେଇ ଟଳିପଡ଼ିଲେ । ପୁଅ କିନ୍ତୁ ଶେଷ ମୁହୂର୍ତ୍ତରେ କୌଣସି ଅଜ୍ଞାତ କାରଣରୁ ଜାହାଜ ବଦଳାଇ ପରବର୍ତ୍ତୀ ‘କାର୍ଥେଜ୍’ ଜାହାଜ ଯୋଗେ ଆସୁଥିଲେ । ସେ ଜାହାଜ ବି ଭୟାବହ ତୋଫାନରେ କଲବଲ ହେଲା, କିନ୍ତୁ ବର୍ତ୍ତିଗଲା ।

 

ଆପୋଲୋ ବନ୍ଦରରେ ଶ୍ରୀଅରବିନ୍ଦଙ୍କୁ ସଙ୍ଖୋଳିବାକୁ ସମ୍ଭବତଃ କେହି ମଣିଷ ନଥିଲେ, ଥିଲା କିନ୍ତୁ ଭାରତର ଆତ୍ମା । ଭାରତର ମାଟି ସ୍ପର୍ଶ ମାତ୍ରେ ତାଙ୍କୁ ଆଚ୍ଛନ୍ନ କଲା ଏକ ଅବର୍ଣ୍ଣନୀୟ ଶାନ୍ତି । ସେହି ମୁହୂର୍ତ୍ତରୁ ତାଙ୍କ ଅନ୍ତଃସତ୍ତାରେ ଆରମ୍ଭ ହୋଇଥିଲା ଏକ ପରେ ଏକ କ୍ଷିପ୍ର ଆଧ୍ୟାତ୍ମିକ ତରଙ୍ଗରାଶିର ଅଭ୍ୟୁତ୍‌ଥାନ ।

 

ସେ ଅଭିଜ୍ଞତାର ଆଭାସ ସେ କାହାକୁ ଦେଉନଥିଲେ । ବରୋଦାରେ ତାଙ୍କ ଜୀବନଧାରାର ଏକ ଏକ ଝଲକ ଆମେ ପାଉଁ ତାଙ୍କର ଛାତ୍ର, ପରବର୍ତ୍ତୀ କାଳର ବିଖ୍ୟାତ ରାଜନୀତିବିଦ୍ କେ.ଏମ୍. ମୁନ୍‌ସି ଏବଂ ଆଇନଜ୍ଞ ଆର୍.ଏନ୍. ପାଟକର ପ୍ରମୁଖଙ୍କ ସ୍ମୃତିଚାରଣରୁ ଏବଂ ସର୍ବୋପରି ପ୍ରଖ୍ୟାତ ବଙ୍ଗଳା ଔପନ୍ୟାସିକ ଏବଂ ଏକଦା ବଙ୍ଗଳା ଭାଷାର ସର୍ବୋତ୍ତମ ମାସିକ ପତ୍ରିକା ‘ବସୁମତୀ’ର ସମ୍ପାଦକ ଦୀନେନ୍ଦ୍ର କୁମାର ରାୟଙ୍କ ‘ଅରବିନ୍ଦ ପ୍ରସଙ୍ଗ’ ପୁସ୍ତିକାରୁ । ରାୟ ମହାଶୟ ଶ୍ରୀଅରବିନ୍ଦଙ୍କୁ ବଙ୍ଗଳା ଶିକ୍ଷାରେ ସହାୟତା କରିବା ନିମନ୍ତେ ତାଙ୍କ ପାଖରେ ଯାଇ ରହିଥିଲେ । ପରେ ଯେତେବେଳେ ଶ୍ରୀଅରବିନ୍ଦ ଆଲିପୁର ଷଡ଼ଯନ୍ତ୍ର ମାମଲାରେ ଗିରଫ ହେଲେ, ସେତେବେଳେ ଧୈର୍ଯ୍ୟଧରିନପାରି ରାୟ ମହାଶୟ ପ୍ରଥମେ ସମ୍ଭବତଃ ‘ବସୁମତୀ’ରେ ଏବଂ ପରେ ପୁସ୍ତିକାକାରେ ଲେଖାଟିକୁ ପ୍ରକାଶ କରିଥିଲେ ।

 

ରାୟ ମହାଶୟଙ୍କ ଲେଖାରୁ କିୟଦଂଶ–

 

“ଅରବିନ୍ଦଙ୍କୁ ଦେଖିବା ପୂର୍ବରୁ ତାଙ୍କର ଯେଉଁ ମୂର୍ତ୍ତି କଳନା କରିନେଇଥିଲି ତାହା ଏହି ପ୍ରକାର : ପ୍ରକାଣ୍ଡ ଯୁବାପୁରୁଷ; ଆଖିରେ ଚଷମା, ଆପାଦମସ୍ତକ ହ୍ୟାଟ୍ କୋଟ୍ ବୁଟ୍ ମଣ୍ଡିତ; ତିର୍ଯ୍ୟକ୍ ଚାହାଣି, ମିଜାଜ୍ ଭୟଙ୍କର ରୁକ୍ଷ, ମନେହୋଇଥିଲା ପାନରୁ ଚୂନ ଟିକିଏ ଖସିଗଲେ ବୋଧହୁଏ ସର୍ବନାଶ ହେବ । ବିଲାତ ଦୂରର କଥା, ବୋମ୍ବେ ପର୍ଯ୍ୟନ୍ତ ନଯାଇ ବି ଯେତେବେଳେ ଅନେକେ ‘ହନୁକରଣ’ ମୋହରେ ଉତ୍କଟ ଗୋରାତ୍ଵ ଲାଭକରନ୍ତି, ସେତେବେଳେ ଆବାଲ୍ୟ ବିଲାତରେ ବାସକରି ଅରବିନ୍ଦ କି ବିକଟ ବନିନଥିବେ ଭାବି ହୃତ୍‌କମ୍ପ ହେଲା । ସୁତରାଂ, କହିବା ବାହୁଲ୍ୟ ଅରବିନ୍ଦ ସହିତ ପ୍ରଥମ ସାକ୍ଷାତରେ ବଡ଼ ନିରାଶ ହୋଇଥିଲି । ସେତେବେଳେ କିଏ ଭାବିଥିଲା ଯେ ପାଦରେ ଶୁଣ୍ଢବାଲା ସେକାଳର ନାଗରା ଜୋତା, ପରିଧାନରେ ମୋଟା, ଶ୍ରୀହୀନ ଧଡ଼ିଲଗା ଖଦି…. ଗ୍ରୀବାବଲମ୍ବିତ ପତଳା କେଶ, ଚକ୍ଷୁରେ କୋମଳତାପୂର୍ଣ୍ଣ ସ୍ୱପ୍ନମୟଭାବ, ଶ୍ୟାମବର୍ଣ୍ଣ, କ୍ଷୀଣ ଦେହଧାରୀ ଏହି ଯୁବକ ଇଂରାଜୀ, ଫରାସୀ, ଲାଟିନ୍, ହିବୃ ଓ ଗ୍ରୀକ୍‌ର ସଜୀବ ଝରଣା ଶ୍ରୀମାନ୍ ଅରବିନ୍ଦ ଘୋଷ ! ଯାହାହେଉ, ଦିନେ ଦୁଇଦିନର ବ୍ୟବହାରରେ ବୁଝିଗଲି, ଅରବିନ୍ଦଙ୍କ ହୃଦୟରେ ପୃଥିବୀର ହୀନତା ଓ କଳୁଷତା ନାହିଁ । ତାଙ୍କ ହସ ଶିଶୁର ହସ ଭଳି ସରଳ, ତରଳ ଓ ସୁକୋମଳ । ହୃଦୟର ଅଟଳ ସଂକଳ୍ପ ଓଠ ପ୍ରାନ୍ତରେ ଆତ୍ମପ୍ରକାଶ କଲେ ବି ମାନବର ଦୁଃଖ ମୋଚନ ପାଇଁ ଆତ୍ମବିସର୍ଜନର ଦେବଦୁର୍ଲ୍ଲଭ ଆକାଂକ୍ଷା ଭିନ୍ନ ସେ ହୃଦୟରେ ପାର୍ଥିବ ଉଚ୍ଚାଭିଳାଷର ବା ମନୁଷ୍ୟସୁଲଭ ସ୍ୱାର୍ଥପରତାର ଲେଶମାତ୍ର ନାହିଁ । ଅରବିନ୍ଦ ସେଯାଏ ବଙ୍ଗଳାରେ କଥାକହିପାରୁନଥିଲେ । କିନ୍ତୁ ମାତୃଭାଷାରେ କ‌ଥା କହିବାପାଇଁ ତାଙ୍କର କି ପ୍ରଗାଢ଼ ବ୍ୟାକୁଳତା ! ଦିନରାତି ଏକତ୍ର ବାସକରି କ୍ରମେ ଶ୍ରୀଅରବିନ୍ଦଙ୍କ ହୃଦୟର ଯେତେ ଅଧ‌ିକ ପରିଚୟ ପାଇବାକୁ ଲାଗିଲି, ସେତିକି ବୁଝିଲି ଅରବିନ୍ଦ ଏ ପୃଥ‌ିବୀର ମନୁଷ୍ୟ ନୁହନ୍ତି; ଅରବିନ୍ଦ ଶାପଭ୍ରଷ୍ଟ ଦେବତା । ଭଗବାନ କ’ଣ ଭାବି ତାଙ୍କୁ ଅଭିଶପ୍ତ ଭାରତକୁ ନିର୍ବାସିତ କରିଥିଲେ, ତାହା କେବଳ ସେ ହିଁ କ‌ହିପାରିବେ ।”

 

ପାଟ୍‍କର ଲେଖିଛନ୍ତି: “ସେ କେବେବି ଆମଭଳି କୋମଳ ଶଯ୍ୟାରେ ଶୟନ କରୁନଥିଲେ । ଦୂର୍ବାଗ୍ରଥିତ ଆବରଣ ତଳେ ନଡ଼ିଆକତାରେ ତିଆରି ଶେଯ ତାଙ୍କର ବ୍ୟବହାର୍ଯ୍ୟ ଥିଲା । ମୁଁ ଥରେ ତାଙ୍କୁ ଏପରି ରୁକ୍ଷ ଓ କଠିନ ଶେଯ ବ୍ୟବହାରର କାରଣ ପଚାରିବାରୁ ସେ ତାଙ୍କର ସ୍ୱଭାବସୁଲଭ ସ୍ମିତ ହସ ସହକାରେ ଉତ୍ତରଦେଲେ, “ବତ୍ସ ! ତୁମେ ତ ଜାଣ, ମୁଁ ବ୍ରହ୍ମଚାରୀ-। ଆମ ଶାସ୍ତ୍ରର ନିର୍ଦ୍ଦେଶ, ବ୍ରହ୍ମଚାରୀ ପକ୍ଷରେ କୋମଳ ଶଯ୍ୟା ପରିହାର୍ଯ୍ୟ ।”

 

କେବଳ ଶଯ୍ୟା ନୁହେଁ, ବ୍ୟକ୍ତିଗତ ସ୍ଵାଚ୍ଛନ୍ଦ୍ୟର ସମସ୍ତ ବିଷୟରେ ସେ ଥିଲେ ଉଦାସୀନ-। ଦୀନେନ୍ଦ୍ର କୁମାର ରାୟ ଲେଖୁଛନ୍ତି, “ଅରବିନ୍ଦଙ୍କର ଖଣ୍ଡିଏ ଭିକ୍ଟୋରିଆ ଗାଡ଼ି (ଘୋଡ଼ାଗାଡ଼ି) ଥିଲା-। ଘୋଡ଼ାଟି ଖୁବ୍ ବଡ଼, କିନ୍ତୁ ଚାଲିବା ଗୁଣରେ ଗଧର ଭାଇ । ଚାବୁକରେ ବି ତା’ର ଗତି ବୃଦ୍ଧି ହେଉନଥିଲା । ଗାଡ଼ିଖଣ୍ଡିକ କେତେ ପୁରୁଣା ସେକଥା କେହି କହିପାରୁନଥିଲେ । ଅରବିନ୍ଦଙ୍କର ସବୁ ବିଚିତ୍ର । ….ସଂସାରଜ୍ଞାନହୀନ ଥିଲେ ବୋଲି ବୋଧହୁଏ ସଭିଏଁ ତାଙ୍କୁ ଠକୁଥିଲେ । ଅର୍ଥରେ ଯାହାଙ୍କର ମମତା ନାହିଁ, ଠକିଗଲେ ମଧ୍ୟ ତାଙ୍କର ଅନୁତପ୍ତ ହେବାର ଅବକାଶ ନାହିଁ ।’’

 

ଅର୍ଥ-ମମତା ପ୍ରସଙ୍ଗରେ ପୁନର୍ବାର ପାଟ୍‍କର ମହାଶୟଙ୍କ ଲେଖା ପ୍ରତି ଦୃଷ୍ଟି ଦିଆଯାଇପାରେ: “ତାଙ୍କ ବିଷୟରେ ଆଉ ଏକ କଥା ଲକ୍ଷ୍ୟ କରିଥିଲି–ଟଙ୍କାପଇସା ପ୍ରତି ଦିନେ ବି ଆକର୍ଷଣ ତାଙ୍କର ନଥିଲା । ସେ ଏକାଥରକେ ତିନିମାସର ଦରମା ପାଉଥିଲେ । ଥଳିରେ ଭରି ହୋଇ ଟଙ୍କାତକ ଆସୁଥାଏ । ସେ ତାଙ୍କ ଟେବୁଲ୍ ଉପରେ ଥିବା ଗୋଟାଏ ଖୋଲା ଆଧାରରେ ସେତକ ଓଜାଡ଼ିଦେଉଥିଲେ । ସେ କେବେବି ଟଙ୍କାକୁ ନିରାପଦ ସ୍ଥାନରେ ବା ଚାବିପକାଇ ରଖିବାର ପରିଶ୍ରମ ଟିକକ କରୁନଥିଲେ । ଟଙ୍କାକୁ ସେ ସେମିତି କାହିଁକି ପକାଇ ରଖୁଥିଲେ ବୋଲି ମୁଁ ଦିନେ ପ୍ରଶ୍ନ କରନ୍ତେ ସେ ହସି ଉତ୍ତର ଦେଲେ, ‘ଆମେ ଯେ ସାଧୁ ଓ ସତ୍ ଲୋକଙ୍କ ଗହଣରେ ରହିଛୁଁ ଏହା ତା’ର ଏକ ପ୍ରମାଣ !’ –ମୁଁ କହିଲି, ‘କିନ୍ତୁ ଆପଣ ତ କେବେ ବି ହିସାବ ରଖନ୍ତିନାହିଁ । ଅତଏବ ସାଧୁ ଓ ସତ୍ ଲୋକଙ୍କ ଗହଣରେ ରହିଥ‌ିବାର ପ୍ରମାଣ କେମିତି ପାଇଲେ ?’ ସେ ଶାନ୍ତସ୍ନିଗ୍ଧ କଣ୍ଠରେ ଉତ୍ତର ଦେଲେ, ‘ମୋ’ପାଇଁ ହିସାବ ରଖନ୍ତି ଭଗବାନ ।’

 

ମହାରାଜା ସୈୟାଜୀ ରାଓ ଜଣେ ଅସାଧାରଣ ବ୍ୟକ୍ତି ଥିଲେ । ସେ ବରୋଦା ରାଜ ପରିବାରର ସିଧାସଳଖ ଦାୟାଦ ନଥିଲେ । ପୂର୍ବ ମହାରାଜା ଖାଣ୍ଡେରାଓ ଗାଏକ୍ଓ୍ଵାଡ୍ ନିଃସନ୍ତାନ ଅବସ୍ଥାରେ ପରଲୋକ ଗମନ କରନ୍ତେ ତାଙ୍କ ଅନୁଜ ମାଲହେରାଓ ସିଂହାସନାରୋହଣ କଲେ । ସେ କିନ୍ତୁ ଥିଲେ ଜଣେ ଦୁଃଶାସନ ଓ ଦୁଃଶାସକ । ୧୮୭୫ ମସିହାରେ ରାଜ୍ୟର ସମୁଦାୟ ଆୟ ଥିଲା ୯୪ ଲକ୍ଷ ଟଙ୍କା । କିନ୍ତୁ ମହାରାଜା ଖର୍ଚ୍ଚକରିଥିଲେ ୧୭୧ ଲକ୍ଷ ଟଙ୍କା । ଏଠାରେ ମନେରଖିବାର କଥା, ସେତେବେଳେ ରାଜ୍ୟର ଉନ୍ନତିକଳ୍ପେ ରାଜକୋଷର ଅର୍ଥ ବ୍ୟୟ ହେବ, ଏଭଳି ଦୁରାଶା କେହି ବିଶେଷ ପୋଷଣ କରୁନଥିଲେ । ଉପରୋକ୍ତ ୧୭୧ ଲକ୍ଷର ଚାରିପଞ୍ଚମାଂଶ ମହାରାଜା ଖର୍ଚ୍ଚ କରିଥିଲେ ନିଜ ସଖା, ସଖୀ, ଚାଟୁକାର ଓ ବୟସ୍ୟମାନଙ୍କୁ ଆପ୍ୟାୟିତ କରିବାରେ-! (ଟଙ୍କାର ମୂଲ୍ୟ ସମ୍ପର୍କରେ ମନେରଖିବା ଉଚିତ, ସେତେବେଳେ ଜଣେ ତୁଙ୍ଗ ସରକାରୀ କର୍ମଚାରୀଙ୍କ ମାସିକ ଦରମା ଥିଲା ଦେଢ଼ଶହ ଟଙ୍କା) ବଦ୍‌ଖର୍ଚ୍ଚରେ ତାଙ୍କ ବଡ଼ଭାଇ ଖାଣ୍ଡେରାଓ ଅବଶ୍ୟ କମ୍ ନଥିଲେ । ଅଶିହଜାର ପାଉଣ୍ଡ୍ ( କେତେ ଟଙ୍କା ?) ଦେଇ ସେ ବ୍ରାଜିଲ୍‌ର ଏକ ଖଣିରୁ ସଦ୍ୟପ୍ରାପ୍ତ ହୀରା ଖଣ୍ଡିଏ ହାସଲ କରିଥିଲେ । ଖାଣ୍ଡେରାଓ ଯେହେତୁ ରୁପାରେ ଦୁଇଟି କମାଣ ବନାଇଥିଲେ, ମାଲହେରାଓ ସୁନାରେ ଦୁଇଟି ବନାଇଲେ ।

 

ଇଂରେଜ ସରକାର ରାଜନ୍ୟବର୍ଗଙ୍କର ଏସବୁ କାରବାର ସହିବାରେ ଉଦାର ଥିଲେ । କେବେ କମାଣ ଚଳାଇବା ଦରକାର ହେଲେ ଇଂରେଜ ସରକାର ହିଁ ଚଳେଇବେ । ଅତଏବ ରାଜାମାନେ ସୁନା କମାଣଟିମାନ ବନାଇ ଖୁସିରହନ୍ତୁ । ମାଲହେରାଓ ବି ଖୁସିରେ ରହିପାରିଥାନ୍ତେ-। କିନ୍ତୁ ନିଜେ ସେ ବରୋଦାରେ ଅବସ୍ଥାପିତ ବ୍ରିଟିଶ୍ ଏଜେଣ୍ଟ୍‌ ମହୋଦୟଙ୍କ ପାନୀୟରେ ହୀରାଗୁଣ୍ଡ ଓ କିଞ୍ଚିତ୍ ଆର୍ସେନିକ୍ ମିଶ୍ରଣର ବ୍ୟବସ୍ଥା କରିପକାଇଲେ । ଟିକିଏ ପିଇ ଚମକିପଡ଼ିଲେ ସାହେବ, ତଦନ୍ତ ହେଲା । ମାଲହେରାଓ ଗାଦିଚ୍ୟୁତ ହେଲେ ।

 

ସେତେବେଳକୁ ଖାଣ୍ଡେରାଓଙ୍କ ବିଧବା ରାଣୀ ଦାବିକରୁଥାନ୍ତି, ତାଙ୍କ ସ୍ଵାମୀ ମୃତ୍ୟୁ ପୂର୍ବରୁ ତାଙ୍କୁ ପୋଷ୍ୟପୁତ୍ର ଗ୍ରହଣର ଅଧିକାର ଦେଇଥିଲେ । ବର୍ତ୍ତମାନ ଇଂରେଜ ସରକାର ସେ ଦାବି ଗ୍ରହଣକଲେ । ଗାଏକ୍ଓ୍ଵାଡ୍ ବଂଶର ଏକ ସୁଦୂର ଶାଖା ରାଜ୍ୟ ସୀମାନ୍ତର ଏକ ପଲ୍ଲୀରେ ଚାଷବାସ କରି ଚଳୁଥିଲେ । ସେ ପରିବାରରେ ଥିଲେ ତିନି ବାଳକ । ସେମାନଙ୍କୁ ବରୋଦାକୁ ଅଣାଗଲା । ସେମାନେ ଚକିତ । ପ୍ରାସାଦ ଭିତରେ ମହାରାଣୀଙ୍କ ସମୀପରେ ସେମାନେ ଉପସ୍ଥାପିତ ହେଲେ । ମହାରାଣୀ ସେମାନଙ୍କ ସହ ଖାଇବାକୁ ବସିଲେ । କୁହାଯାଏ ଦୁଇଜଣ ବାଳକ ସେମାନଙ୍କ ଚିରାଚରିତ ଢଙ୍ଗରେ ଖିଆପିଆକଲେ । କିନ୍ତୁ, ତୃତୀୟ ଜଣକ, ଶିଶୁ ଗୋପାଳ ରାଓ, ମହାରାଣୀ କେମିତି ଶୈଳୀରେ ଖାଉଛନ୍ତି ତାହା ଲକ୍ଷ୍ୟକରି ତାଙ୍କୁହିଁ ଅନୁସରଣ କରୁଥାଏ ।

 

ପରଦିନ ପ୍ରତ୍ୟୁଷରେ ରାଜପୁରୋହିତ ଏବଂ ମୁଖ୍ୟ ଅମାତ୍ୟବର୍ଗ ଅତିଥିଭବନକୁ ଯାଇ ନିଦ୍ରିତ ଗୋପାଳ ରାଓଙ୍କୁ ଆକ୍ଷରିକ ଅର୍ଥରେ ଉଠାଇନେଇ ଧୁଆଧୋଇ କରି ରତ୍ନଖଚିତ ପାଗ ଓ ସୁନା ଝରଝର ପୋଷାକ ପିନ୍ଧାଇ ପ୍ରାସାଦ ଭିତରକୁ ନେଇଯାଇ ମହାରାଣୀଙ୍କ କୋଳରେ ଥୋଇଦେଲେ । ସେହି ମୁହୂର୍ତ୍ତରେ ମହାରାଣୀ ହେଲେ ରାଜମାତା; ଗୋପାଳ ରାଓ ହେଲେ ତାଙ୍କ ପୁତ୍ର, ମହାରାଜା ସୈୟାଜୀ ରାଓ ।

 

ସେ ଯେପରି ତାଙ୍କ ପୂର୍ବସୁରିମାନଙ୍କ ଭଳି ଆଚରଣ ନ କରିବେ ସେ ଦିଗରେ ନିଶ୍ଚିତ ହେବା ନିମନ୍ତେ ଇଂରେଜ ସରକାର ଶିକ୍ଷା ଓ ଶୃଙ୍ଖଳା ଦିଗରେ ତାଙ୍କୁ ଯଥାର୍ଥ ତାଲିମ୍ ଦେବାର ବ୍ୟବସ୍ଥା କଲେ । ସେ ବ୍ୟବସ୍ଥାର ମର୍ଯ୍ୟାଦା ଚାଖିବାଠୁଁ ବହୁଗୁଣ ଅଧ‌ିକ କୃତିତ୍ଵର ପରିଚୟ ଦେଲେ ମହାରାଜା ସୈୟାଜୀରାଓ । ସୁଦକ୍ଷ ତଥା ଅସାଧାରଣ ବୁଦ୍ଧିମାନ୍ ଶାସକ ରୂପେ ସେ ଖ୍ୟାତିଲାଭକଲେ । ଆଧୁନିକ ବରୋଦାର ସେ ନିର୍ମାତା କହିଲେ ଅତ୍ୟୁକ୍ତି ହେବନାହିଁ ।

 

ସେ ଯୁଗରେ ବରୋଦା ଭଳି ରାଜ୍ୟର ସାର୍ବଭୌମ ପ୍ରାୟ ନରପତି ବୋଇଲେ ପ୍ରଚଣ୍ଡ ପ୍ରତାପ ଓ କ୍ଷମତାର ନାମାନ୍ତର । ଅଥଚ ଏମନ୍ତ ମହାରାଜା ତାଙ୍କର ବ୍ୟକ୍ତିଗତ ଗାଡ଼ି ପଠାଇ ଶ୍ରୀଅରବିନ୍ଦଙ୍କୁ ତାଙ୍କ ସହ ପ୍ରାତାହାର ବା ନୈଶାହାର ନିମନ୍ତେ ଆମନ୍ତ୍ରଣ କରୁଥିଲେ ଏବଂ ଶ୍ରୀ ଅରବିନ୍ଦ “ବେଳନାହିଁ” କହି ତାକୁ ପ୍ରତ୍ୟାଖ୍ୟାନ କରିପାରୁଥିଲେ । ଆତମ୍ବିତ ଦୀନେନ୍ଦ୍ର କୁମାର ଲେଖିଛନ୍ତି, “କେତେ ସମ୍ଭ୍ରାନ୍ତ ବ୍ୟକ୍ତି ମହାରାଜାଙ୍କ ସହ ଥରୁଟିଏ ସାକ୍ଷାତ୍ ନିମନ୍ତେ ମାସ ମାସ ଧରି ତଦ୍‌ବିର କରିବୁଲୁଥିଲେ । ଅଥଚ ସାମାନ୍ୟ ‘ସ୍କୁଲ ମାଷ୍ଟର’ ଅରବିନ୍ଦ ମହାରାଜାଙ୍କ ପ୍ରାସାଦ ଅପେକ୍ଷା କର୍ତ୍ତବ୍ୟକୁ ଅନେକ ଅଧିକ ମୂଲ୍ୟବାନ୍ ମନେକରୁଥିଲେ ! ...ମୋର ମନେହେଉଥିଲା, ଅରବିନ୍ଦଙ୍କୁ ମହାରାଜାଙ୍କର କିଛିହିଁ ଅଦେୟ ନଥିଲା । ମୁଁ ଥରେ କଥାପ୍ରସଙ୍ଗରେ ଅରବିନ୍ଦଙ୍କୁ କହିଥିଲି, ‘ଆପଣ ଟିକିଏ ଚେଷ୍ଟା କଲେହିଁ ପ୍ରଭୂତ ମାନ ସମ୍ମାନର ଅଧିକାରୀ ହୋଇପାରନ୍ତେ । କେତେ ଲୋକ ତୈଳପାତ୍ର ଧରି ଆପଣଙ୍କ ଦୁଆରେ ବୁଲୁଛନ୍ତି । ଆପଣ ସମ୍ଭ୍ରାନ୍ତ ସମାଜର ଉପେକ୍ଷା ସଞ୍ଚୟ କରି ଏ ଭାବରେ ପଡ଼ିଛନ୍ତି କାହିଁକି ?” ଅରବିନ୍ଦ ହସି କହିଲେ, ‘‘ମାନ, ସମ୍ଭ୍ରମ, କ୍ଷମତା, ପ୍ରତିପତ୍ତିରେ ଯେ ସମସ୍ତେ ସୁଖ ପାଆନ୍ତି ଏପରି ନୁହେଁ । କେତେଗୁଡ଼ିଏ ସ୍ୱାର୍ଥପର ମୂର୍ଖଙ୍କ ତୋଷାମଦିରୁ କେଉଁ ଆନନ୍ଦ ମିଳେ ?’’

 

‘‘କେବଳ ମୂର୍ଖର ତୋଷାମଦ ନୁହେଁ, ପଣ୍ଡିତମାନଙ୍କ ପ୍ରାଣଖୋଲା ପ୍ରଶଂସାରେ ବି ଅରବିନ୍ଦଙ୍କୁ ଆନନ୍ଦ ଉତ୍‌ଫୁଲ୍ଲ ହେବାର ଦେଖିନାହିଁ । ସ୍ୱର୍ଗୀୟ ରମେଶଚନ୍ଦ୍ର ଦତ୍ତ ମହାଶୟ (ଓଡ଼ିଶା ବିଭାଗର କମିଶନର୍, ଆଇ.ସି.ଏସ୍., ପରବର୍ତ୍ତୀ କାଳରେ ବରୋଦା ରାଜ୍ୟର ପ୍ରଧାନମନ୍ତ୍ରୀ ତଥା ଜାତୀୟ କଂଗ୍ରେସର ସଭାପତି–ଲେଖକ) ବୋଧହୁଏ ୧୮୯୯ ମସିହାର ଶେଷଆଡ଼କୁ ମହାରାଜାଙ୍କ ନିମନ୍ତ୍ରଣ କ୍ରମେ ବରୋଦା ଆସିଥାନ୍ତି । ସେ ଅରବିନ୍ଦଙ୍କ କବି-ପ୍ରତିଭା କଥା ପୂର୍ବରୁ ଶୁଣିଥିଲେ । ଦତ୍ତ ମହାଶୟଙ୍କ ରାମାୟଣ ଓ ମହାଭାରତର ସଂକ୍ଷିପ୍ତ ପଦ୍ୟାନୁବାଦ ବିଲାତରେ ପ୍ରକାଶିତ ହୋଇଥିଲା । ଅରବିନ୍ଦ ରାମାୟଣ ଓ ମହାଭାରତ ଆଂଶିକ ଅନୁବାଦ କରିଛନ୍ତି ଶୁଣି ସେ ତାହା ଦେଖିବା ନିମନ୍ତେ ଆଗ୍ରହ ପ୍ରକାଶ କଲେ । କହିବା ବାହୁଲ୍ୟ, ଦତ୍ତ ମହାଶୟ ଥିଲେ ଇଂରାଜୀ ସାହିତ୍ୟରେ ପ୍ରତିଷ୍ଠାବାନ୍ ଲେଖକ । ତାଙ୍କ ଇଂରାଜୀ ରଚନା ଅନେକ ପ୍ରସିଦ୍ଧ ଇଂରେଜ ଲେଖକଙ୍କ ରଚନା ଅପେକ୍ଷା ଅଧ‌ିକ ଉତ୍କୃଷ୍ଟ ଥିଲା । ...ଦତ୍ତ ମହାଶୟ ସ୍ଵତଃପ୍ରବୃତ୍ତ ହୋଇ ଅରବିନ୍ଦଙ୍କ କବିତାଗୁଡ଼ିକ ଦେଖିବାକୁ ଚାହିଁବାରୁ ଅରବିନ୍ଦ କିଞ୍ଚିତ୍‍ କୁଣ୍ଠିତ ଭାବରେହିଁ ତାହାଙ୍କୁ ତାହା ଦେଖାଇଥିଲେ । ଗୁଣ‌ଗ୍ରାହୀ ଦତ୍ତମହାଶୟ ଏପରି ମୁଗ୍ଧ ହେଲେ ଯେ କହିଲେ, ‘ତୁମର ଏସବୁ କବିତା ଦେଖି ମୁଁ କାହିଁକି ରାମାୟଣ ମହାଭାରତ ଅନୁବାଦରେ ପ୍ରଣ୍ଡଶ୍ରମ କଲି, ତାହା ଭାବି ଦୁଃଖ ହେଉଛି । ତୁମାର ଏ କବିତାସବୁ ପୂର୍ବରୁ ଦେଖିଥିଲେ ମୁଁ କଦାପି ମୋ ଲେଖା ଛାପିବାକୁ ଦେଇନଥାନ୍ତି । ବର୍ତ୍ତମାନ ମନେହେଉଛି ମୁଁ ବାଳସୁଲଭ ଚପଳତା କରିଛି । ଅଥଚ ଦତ୍ତମହାଶୟଙ୍କର ସେହି ରାମାୟଣ ମହାଭାରତର ପ୍ରଶଂସାପୂର୍ଣ୍ଣ ସମାଲୋଚନାରେ ଇଂଲଣ୍ଡର ସାପ୍ତାହିକ ଓ ମାସିକ ପତ୍ରିକା ସମୂହର ସ୍ତମ୍ଭ ପୂର୍ଣ୍ଣ ହୋଇଥିଲା । ଦତ୍ତମହାଶୟଙ୍କର ଏହି ପ୍ରଶଂସାରେ ବି ଅରବିନ୍ଦଙ୍କୁ ତିଳେ ମଧ୍ୟ ହର୍ଷୋତ୍‌ଫୁଲ୍ଲ ଦେଖିନାହିଁ । ସୁଖ, ଦୁଃଖ, ବିପଦ ସମ୍ପଦ, ନିନ୍ଦା ପ୍ରଶଂସାରେ ଅରବିନ୍ଦ ଚିରଦିନ ନିର୍ବିକାର । ପରବର୍ତ୍ତୀ କାଳରେ ମହାବିପଦର ପ୍ରଳୟମେଘ ଯେତେବେଳେ ବିଦ୍ୟୁଦ୍ଦନ୍ତ ବିକାଶକରି ଚତୁର୍ଦ୍ଦିଗରୁ ତାଙ୍କ ମସ୍ତକ ଉପରେ ବଜ୍ରନାଦ ଆରମ୍ଭକଲା…ସେ ସମ୍ପୂର୍ଣ୍ଣ ନିର୍ବିକାର ଚିତ୍ତରେ ସବୁ କଷ୍ଟ ସହ୍ୟକରିଛନ୍ତି ।’’

 

ପ୍ରଖ୍ୟାତ ମାରାଠି ଐତିହାସିକ ଗୋବିନ୍ଦ ସଖାରାମ ସରଦେଶାଇ ତାଙ୍କ ସ୍ମୃତିକଥାରେ ଲେଖିଛନ୍ତି–ଦିନେ ସେ ମହାରାଜାଙ୍କ ସହ କଥାବାର୍ତ୍ତା ହେଲାବେଳେ ଶ୍ରୀଅରବିନ୍ଦ ସେଠାରେ ଥିଲେ-। କୌଣସି ଅନୁଷ୍ଠାନରେ ମହାରାଜା ଏକ ଭାଷଣ ଦେବାର ଥିଲା ଏବଂ ତାହା ଲେଖିଦେଇଥିଲେ ଶ୍ରୀ ଅରବିନ୍ଦ । ଶ୍ରୀଅରବିନ୍ଦ ତାହା ପଢ଼ି ଶୁଣାଇ ଦିଅନ୍ତେ ମହାରାଜା କହିଲେ, “ଅରବିନ୍ଦବାବୁ-! ଭାଷାର ସ୍ତର ଆଉ ଟିକିଏ ଅବନମିତ କରନ୍ତେ ନାହିଁ ? ଏଡ଼େ ଚମତ୍କାର ଭାଷା ମୋର ହୋଇପାରେନା ବୋଲି ହୁଏତ ଲୋକେ ଭାବିବେ !’’

 

ଶ୍ରୀଅରବିନ୍ଦ ମୃଦୁ ହସ ହସି କହିଲେ, “ତୁଚ୍ଛାଟାରେ ବଦଳାଇ ଲାଭ କ’ଣ, ମହାରାଜା ! ଭାଷା ଟିକିଏ ସରଳ କରିଦେଲେହିଁ କ’ଣ ଏହା ଆପଣଙ୍କର ଲେଖା ବୋଲି ଲୋକେ ଭାବିବେ ?’’

 

ଶ୍ରୀଅରବିନ୍ଦଙ୍କ ପ୍ରତି ଅହେତୁକ ଆକର୍ଷଣ ଅନୁଭବ କରୁଥିଲେ ମହାରାଜା । ତାଙ୍କ ନିର୍ଦ୍ଦେଶନାମାମାନଙ୍କରୁ ଜଣାଯାଏ, ଶ୍ରୀଅରବିନ୍ଦଙ୍କ ପ୍ରତିଭାରୁ ଯେମିତି ସବୁମନ୍ତେ ତାଙ୍କ ସରକାର ଲାଭବାନ୍ ହେବେ, ଏପାଇଁ ସେ ଥିଲେ ବଡ଼ ଉତ୍କଣ୍ଠିତ । ଶ୍ରୀଅରବିନ୍ଦ ଯେତେବେଳେ ୧୯୦୬ରୁ ପ୍ରଥମେ ବିନା ଦରମାରେ ଛୁଟିନେଇ ତା’ପରେ ଆଉ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଗଲା, ସେତେବେଳେ ମହାରାଜା କ୍ଷୋଭ ପ୍ରକାଶ କରିଥିଲେ ।

 

ସେଦିନ ବରୋଦାର ଗର୍ବୋତ୍‌ଫୁଲ୍ଲ ରାଜପଥ ଦେଇ ଡକ୍ଟର କରଣ ସିଂହ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଚାଲିଚାଲି ସଭାସ୍ଥଳରେ ପହଞ୍ଚିବା ଭିତରେ ଅନୁଭବ କରିଥିଲି, ବରୋଦା ଶହେବର୍ଷ ପରେ ବାସ୍ତବରେ ତା’ ଇତିହାସରେ ଏଇ ମହତ୍ତମ ଅତଥିଟି ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି ।

 

ବରୋଦା ଅବସ୍ଥାନ ବେଳେ ଶ୍ରୀଅରବିନ୍ଦ ଆଖପାଖର ଯୋଡ଼ିଏ ସ୍ଥାନ ବୁଲି ଦେଖିଥିଲେ-। ନର୍ମଦା ତୀରରେ କର୍ଣ୍ଣାଲିଠାରେ ଅତ୍ୟନ୍ତ ରମଣୀୟ ଏକ ତୋଟାରେ ସ୍ଵାମୀ ବ୍ରହ୍ମାନନ୍ଦ ତପସ୍ୟାରତ ଥିଲେ । ସେ କଥା କହୁନଥିଲେ କି ଆଖି ଖୋଲୁନଥିଲେ । ଶ୍ରୀଅରବିନ୍ଦଙ୍କ ସାଥୀମାନେ ତାଙ୍କୁ ପ୍ରଣାମ କରନ୍ତେ ଶେଷରେ ଶ୍ରୀଅରବିନ୍ଦ ବି ତାହାହିଁ କଲେ । ହଠାତ୍ ଆଖି ଖୋଲି ତାଙ୍କର ସୁନ୍ଦର ବିସ୍ମୟଭରା ନୟନ ଯୁଗଳ ଯୋଗେ ସ୍ଵାମୀ ବ୍ରହ୍ମାନନ୍ଦ ଅନାଇ ରହିଲେ ଏହି ଆଗନ୍ତୁକଟି ଆଡ଼େ । ଯେମିତି ସେ ବୁଝୁଥିଲେ ଏ ଆଗନ୍ତୁକଙ୍କ ସ୍ଵରୂପ । ଅବଶ୍ୟ ଅବ୍ୟକ୍ତ ରହିଲା ସେ ତପସ୍ଵୀଙ୍କ ଅନୁଭୂତି ।

 

ଆଜି କର୍ଣ୍ଣାଲିରେ ସ୍ଵାମୀ ବ୍ରହ୍ମାନନ୍ଦଙ୍କ ଆଶ୍ରମ ସୁପ୍ରତିଷ୍ଠିତ ଓ ବ୍ୟାପକ, କିନ୍ତୁ ସ୍ଥାନଟିର ସୌନ୍ଦର୍ଯ୍ୟହାନି ହୋଇନାହିଁ । ଆମେ ସେଠାରେ ପହଞ୍ଚିବାବେଳକୁ ଦେଖିଲୁ ଶ୍ରୀଅରବିନ୍ଦ ସ୍ଵଦେଶାଗମନ ଶତବାର୍ଷିକୀ ଉତ୍ସବ ଉପଲକ୍ଷ୍ୟେ ସେ ଆଶ୍ରମ ବ୍ୟାପି ମଧ୍ୟ ଶ୍ରୀଅରବିନ୍ଦ ଏବଂ ଶ୍ରୀମାଙ୍କର ପ୍ରତିକୃତିମାନ ସ୍ଥାପିତ ।

 

ନର୍ମଦା କୂଳରେ ଅନ୍ୟ ଏକ ସ୍ଥାନ ବି ସେଦିନର ଯୁବକ ଶ୍ରୀଅରବିନ୍ଦ ବନ୍ଧୁମାନଙ୍କ ଗହଣରେ ବୁଲି ଦେଖିଥିଲେ । ତହିଁ ଅନେକ ଦେବଦେବୀଙ୍କ ମନ୍ଦିର । ଗୋଟିଏ ଛୋଟ ମନ୍ଦିର ଭିତରେ କାଳୀ ମୂର୍ତ୍ତିଆଡ଼େ ଅନାଇ ସେ ଅଚାନକେ ଦେଖିଥିଲେ ଦିବ୍ୟସତ୍ତାର ଉପସ୍ଥିତି । ପରେ ଏ ଅନୁଭୂତି ଉପରେ ଲେଖିଥିଲେ ‘The stone Goddess’ ନାମକ କବିତା । ତା’ର ପ୍ରଥମାଂଶ–

 

‘‘In a town of gods, housed in a little shrine,

From sculptured limbs the Godhead looked at me.–

A living Presence deathless and divine,

A Form that harboured all infinity.

 

ମୁକ୍ତ ଅନୁବାଦ–

ସେ ଏକ ଦେବ-ନଗରୀ, ତହିଁ ଏକ କ୍ଷୁଦ୍ର ଦେବାଳୟେ

ପାଷାଣ-ଭାସ୍କର୍ଯ୍ୟ ତନୁ ଦେଖୁଥିଲେ ମୋତେ ଦିବ୍ୟସତ୍ତା,

ପ୍ରାଣବନ୍ତ ଉପସ୍ଥିତି, ମୃତ୍ୟୁହୀନ ତଥା ଭାଗବତ,

ଅସୀମତା ଯହିଁ ଏକ ଆକାରେ ଆଶ୍ରିତ ।

Image